Home ଓଡ଼ିଶା ଜୋର ଧରିଲା ବ୍ରହ୍ମପୁରରେ ବିମାନ ବନ୍ଦର ପାଇଁ ଦାବୀ

ଜୋର ଧରିଲା ବ୍ରହ୍ମପୁରରେ ବିମାନ ବନ୍ଦର ପାଇଁ ଦାବୀ

111

ଭୁବନେଶ୍ୱର/ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହରରେ ବିମାନ ବନ୍ଦର ନିର୍ମାଣ ପାଇଁ ଦାବୀ ଜୋର ଧରିଛି। ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ‘ଓଡ଼ିଶା ଡେଭଲ୍ପମେଣ୍ଟ ଫୋରମ୍’ ପକ୍ଷରୁ କରାଯାଉଥିବା ଦାବୀକୁ ‘ଗଞ୍ଜାମ ଚାମ୍ବର ଅଫ୍ କମର୍ସ’ ଏବଂ ଅନ୍ୟାନ୍ୟ ସହଯୋଗୀ ସଙ୍ଗଠନ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ପୂରଣ ପାଇଁ ଆଗାମୀ ରଣନୀତି ପ୍ରସ୍ତୁତି ନିମନ୍ତେ ବ୍ରହ୍ମପୁର ଗିରି ମାର୍କେଟ ସ୍ଥିତ ପ୍ରକାଶମ୍ ମହଲ ଠାରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ‘ଓଡ଼ିଶା ଡେଭଲ୍ପମେଣ୍ଟ ଫୋରମ୍’ ସଭାପତି ରାମ ପ୍ରସାଦ ତ୍ରିପାଠୀ ଏ’ନେଇ ଏପର୍ଯ୍ୟନ୍ତ ପର୍ଯ୍ୟନ୍ତ ଘଟିଥିବା ପ୍ରଗତି, ସରକାରଙ୍କ ସହ ହୋଇଥିବା ଯୋଗାଯୋଗ ଏବଂ ସରକାରଙ୍କ ପ୍ରତିକ୍ରିୟା ଆଦି ବାବଦରେ ଉପସ୍ଥାପନ କରିଥିଲେ। ଗଞ୍ଜାମ ଚାମ୍ବର ଅଫ୍ କମର୍ସର ସଭାପତି କହିଥିଲେ, ବ୍ରହ୍ମପୁର ସହର ଏବଂ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ବ୍ରହ୍ମପୁରର ବିକାଶ ପାଇଁ ବିମାନ ବନ୍ଦର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଆମେ ସରକାରୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବୁ, ଭେଟିବୁ ଏବଂ ଓଡ଼ିଶା ଡେଭଲ୍ପମେଣ୍ଟ ଫୋରମ୍ ତଥା ଅନ୍ୟାନ୍ୟ ସାମାଜିକ ସଙ୍ଗଠନର ଏହି ଦାବୀକୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ। ବୈଠକରେ ରାମ ପ୍ରସାଦ ତ୍ରିପାଠୀ, ବବିତା ପାତ୍ର, ସ୍ୱରାଜ୍ୟ ସାହୁ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି ସୋମେଶ୍ୱର ରାଓ, ଭି ଏସ୍ ଭାସନା, ନେହାଲ ରାଜୁ, ସୁରେଶ ଜାମୁଲା, ମାନସ ରଞ୍ଜନ ପାତ୍ର ପ୍ରମୂଖ ଗଞ୍ଜାମ ଚାମ୍ବର ଅଫ୍ କମର୍ସ, ଉତ୍କଳ ଷ୍ଟେଟ୍ ଚାମ୍ବର ଅଫ୍ କମର୍ସ, ଅଳଙ୍କାର ଆସୋସିଏସନ୍, ଫୋରମ୍ ଫର୍ ଗଞ୍ଜାମ, ଓଡ଼ିଶା ଡେଭଲ୍ପମେଣ୍ଟ ଫୋରମ୍ ଏବଂ ଅନ୍ୟାନ୍ୟ ସଙ୍ଗଠନ ଗୁଡ଼ିକର ସଭାପତି ଏବଂ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ, ସରକାର ଝାରସୁଗୁଡ଼ା ବିମାନବନ୍ଦର ଠାରୁ ମାତ୍ର ୯୦ କିଲୋମିଟର ଦୂର ରାଉରକେଲାରେ ବିମାନ ବନ୍ଦର ପ୍ରତିଷ୍ଠା କରୁଛନ୍ତି। ସେହିପରି ସରକାର ରାଜ୍ୟର ଅପେକ୍ଷାକୃତ ଛୋଟ ସହର ଗୁଡ଼ିକରେ ମଧ୍ୟ ବିମାନ ବନ୍ଦର ନିର୍ମାଣ କରୁଥିବା ବେଳେ ‘ଉଡ଼େ ଦେଶ କା ଆମ ନାଗରିକ’ (ଉଡ଼ାନ୍) ଯୋଜନା ଅଧୀନରେ ବ୍ରହ୍ମପୁରରେ ବିମାନ ବନ୍ଦର ପାଇଁ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ଦୀର୍ଘ ୨୦ ବର୍ଷର ଦାବୀକୁ ପୂରଣ କରାଯାଉ ନଥିବାକୁ ନେଇ ଉଦ୍ବେଗ ପ୍ରକାଶ ପାଉଛି। ଉଡ଼ାନ୍ ଯୋଜନାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରିପ ଅନ୍ତର୍ଭୁକ୍ତ କରାଯାଉଛି। କିନ୍ତୁ, ପରିତାପର ବିଷୟ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଏହି ଯୋଜନାରେ ପଛରେ ପଡ଼ିଯାଇଛି। ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ନିକଟରେ ଏକ ବହୁ ପୂରାତନ ଏୟାରଷ୍ତ୍ରିପ୍ ରହିଛି। ନିକଟରେ ଏହି ଏୟାରଷ୍ତ୍ରିପଟି ଅପଗ୍ରେଡ଼ସନ ହେବ ନାଁ କମ୍ପ୍ରିହେନ୍ସିଭ୍ ଡେଭଲପମେଣ୍ଟ ଯୋଜନାରେ ଶୀତଳପଲ୍ଲୀ ନିକଟସ୍ଥ ଲକ୍ଷ୍ମୀପୁରରେ ବିମାନ ବନ୍ଦର ହେବ ନେଇ ଆଲୋଚନା ଚାଲିଥିଲା। ଏବେ କିନ୍ତୁ ସେ ଆଲୋଚନା ପ୍ରାୟ ଥମି ଯାଇଛି। ଏ’ ନେଇ ସରକାରଙ୍କ ପକ୍ଷରୁ ଆଉ ସେପରି କିଛି ଆଗ୍ରହ ଦେଖାଯାଉ ନାହିଁ। ଲକ୍ଷ୍ମୀପୁରରେ ନୂଆ ବିମାନ ପଡ଼ିଆ ନେଇ ରାଜ୍ୟ ସରକାର ସେପରି କିଛି ଆଗ୍ରହ ହେଖାଉ ନଥିବା ବେଳେ ରଙ୍ଗେଇଲୁଣ୍ଡା ଏୟାରଷ୍ତ୍ରିପ୍ ରନୱେର ଲମ୍ବା ୮୯୫ ମିଟରରୁ ୩୫୦୦ ମିଟରକୁ ବୃଦ୍ଧି କରିବାର ଆବଶ୍ୟକତା ରହୁଥିବା ବେଳେ ଜମି ଅଧିଗ୍ରହଣ ନେଇ ସମସ୍ୟା ରହିଥିବା କୁହାଯାଉଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷା ଏବଂ ବ୍ୟବସାୟ କେନ୍ଦ୍ର ବ୍ରହ୍ମପୁର ହୋଇଥିବା ବେଳେ, ଏଠାରେ ଗୋପାଳପୁର ବନ୍ଦର, ଟାଟା କାରଖାନା ଆଦି ରହିଥିବା ବେଳେ ଏବଂ ‘ଉଡ଼େ ଦେଶ କା ଆମ ନାଗରିକ’ (ଉଡ଼ାନ୍) ଯୋଜନା ଅଧୀନରେ ବ୍ରହ୍ମପୁରରେ ବିମାନ ବନ୍ଦର ପାଇଁ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ବ୍ରହ୍ମପୁର ପ୍ରତି ଏପରି ବୈମାତୃକ ମନୋଭାବକୁ ନେଇ ଉଦ୍ବେଗ ପ୍ରକାଶ ପାଉଛି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.