Home ଜିଲ୍ଲା ପରିକ୍ରମା ଆନ୍ତଃଜିଲା ଚୋରା ଗାଡିର ହବ୍ ପାଲଟିଛି ଧାମନଗର:ସପ୍ତାହ ମଧ୍ୟରେ ୪ ଗାଡି ଉଦ୍ଧାର

ଆନ୍ତଃଜିଲା ଚୋରା ଗାଡିର ହବ୍ ପାଲଟିଛି ଧାମନଗର:ସପ୍ତାହ ମଧ୍ୟରେ ୪ ଗାଡି ଉଦ୍ଧାର

22

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ଅଂଚଳରେ ଛତୁ ଫୁଟିଲା ଭଳି କବାଡିଆ ଦୋକାନ ଗୁଡିକ ଖୋଲାଯାଇ ସେଠାରେ ବହୁ ବେଆଇନ ତଥା ଚୋରା କାରବାର ଚାଲିଛି । ଏନେଇ ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଛି । କିନ୍ତୁ କବାଡିଆ ଦୋକାନୀଙ୍କ ପାଦ୍ରୁଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ସପ୍ତାହ ମଧ୍ୟରେ ଧାମନଗର ଅଂଚଳରୁ ୨ଟି ଟ୍ରକ, ଗୋଟିଏ କାର ଓ ଗୋଟିଏ ବାଇକ ଅନ୍ୟ ଥାନାର ପୁଲିସ ଉଦ୍ଧାର କରିଛି । ପ୍ରକାଶ ଥାଉକି ଯାଜପୁର ଜିଲା କଳିଙ୍ଗନଗର ଥାନା ଅଂଚଳରୁ ଏକ ୧୦ ଚକିଆ ଟ୍ରକକୁ ଚୋରି କରି ଦୁର୍ବୃତ ମାନେ ଆଣି ଧାମନଗର ଶାହା ଆକବରଙ୍କ କବାଡିଆ ଦୋକାନରେ ବିକ୍ରି କରିଥିଲେ । ଦୋକାନୀ ଉକ୍ତ ଟ୍ରକର କେତେକ ଅଂଶକୁ ଗ୍ୟାସ କଟର ସହାୟତାରେ କାଟି ବିକ୍ରି କରିବାକୁ ମସୁଧା ଚଳାଇଥିବା ବେଳେ କଳିଙ୍ଗନଗର ପୁଲିସ ଧାମନଗରରେ ପହଂଚି ଉକ୍ତ କଟା ଯାଇଥିବା ଟ୍ରକର ବିଭିନ୍ନ ଅଂଶକୁ ଉଦ୍ଧାର କରିଥିଲେ । ଏଥିରେ ସଂପୃକ୍ତ ଥିବା କବାଡିଆ ଦୋକାନର ମାଲିକ ଶାହା ଆକବରକୁ ମଧ୍ୟ ଗିରଫ କରିଥିଲେ । ସେହିପରି ଆଗରପଡା ଅଂଚଳରୁ ଏକ ଦାମିକା କାର ମଧ୍ୟ କିଣାବିକାକୁ ନେଇ ଧାମନଗରରେ ଥିବା ବେଳେ ପୁଲିସ ଚଢଉ କରି ଉକ୍ତ କାରକୁ ଜବତ କରିଥିଲା । ସେହିପରି ଗତକାଲି ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅଂଚଳରୁ ଏକ ୧୬ ଚକିଆ ଆଇରନ ବୋଝେଇ ଟ୍ରକକୁ ଚୋରି କରି ଧାମନଗରରେ ରଖାଯାଇଥିବା ବେଳେ ଟାଙ୍ଗି ପୁଲିସ ପହଂଚି ଉକ୍ତ ଟ୍ରକକୁ ଉଦ୍ଧାର କରି ପୁଲିସ ନିଜ ଅକ୍ତିଆରକୁ ନେଇଛି । ତେବେ ଏହି ଟ୍ରକ ଚୋରି ପଛରେ ଏକ ର‌୍ୟାକେଟ ଦିନ ତମାମ ରଫାଦଫା କରି ବିଫଳ ହେବାରୁ ଶେଷରେ ପୁଲିସ ଟ୍ରକୁ ଉଦ୍ଧାର କରିଛି । ଏଥିରେ ଧାମନଗର ଅଂଚଳର ସଂପୃକ୍ତ ଥିବା ଦୁଇଜଣ ଏହି ଚୋରି ର‌୍ୟାକେଟର ମୁଖ୍ୟ ଫେରାର ହୋଇଯାଇଥିଲେ । ଟାଙ୍ଗି ପୁଲିସ ଯିବା ପରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ପୁଣି ଧାମନଗର ବଜାରରେ ବୁଲିଥିବା ଦେଖିବାକୁ ମିଳିଛି ।

ସେହିପରି ଗତ କିଛି ଦିନ ପୂର୍ବେ ଯାଜପୁର ଜିଲାରୁ ଏକ ବାଇକ ଚୋରି କରି ଦୋବଲ ଅଂଚଳର ଏକ କବାଡିଆ ଦୋକାନରେ ବିକ୍ରି କରାଯାଇଥିଲା । ଯାଜପୁର ପୁଲିସ ସେଠାରେ ପହଂଚି ବାଇକକୁ ଜବତ କରିବା ପୂର୍ବରୁ ବାଇକଟିକୁ ସଂପୃକ୍ତ କବାଡିଆ ଦୋକାନ ଗ୍ୟାସ କଟର ସହାୟତାରେ କାଟି ଖଣ୍ଡଖଣ୍ଡ କରିଦେଇଥିଲା । ଖଣ୍ଡବିଖଣ୍ଡିତ ବାଇକକୁ ଯାଜପୁର ପୁଲିସ ଉଦ୍ଧାର କରିବା ସହିତ ସଂପୃକ୍ତ କବାଡିଆ ଦୋକାନକୁ ଗିରଫ କରିଥିଲା । ତେବେ ଧାମନଗର ଅଂଚଳ ସମେତ ଦୋବଲ, ଖଡିପଦା, ଚୁଡାକୁଟୀ, ଗୁଡୁପୋଖରୀ, ଧାମନଗର ଛକ ଆଦି ସ୍ଥାନ ମାନଙ୍କରେ ଛୋଟ ବଡ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କବାଡିଆ ଦୋକାନ ଖୋଲା ଯାଇଛି । ସେସବୁ ମଧ୍ୟରୁ କେତେକ ଦୋକାନ ଗୁଡିକ ଏହି ଚୋରା କାରବାରରେ ଲିପ୍ତ ଥିବା କୁହାଯାଇଛି । ସେମାନେ ବିଭିନ୍ନ ଗାଡି ଚୋରି ର‌୍ୟାକେଟ ସହିତ ସଂପୃକ୍ତ ଥାଇ ସେଗୁଡିକୁ ବହୁ କମ ମୂଲ୍ୟରେ କିଣି ଏଠାରେ ଗ୍ୟାସ କଟର ସହାୟତାରେ କାଟି ମାଲେମାଲ ହେଉଥିବା ଅଭିଯୋଗ ହୋଇଛି । ଏହି ଛତୁ ଫୁଟିଲା ଭଳି କବାଡିଆ ଦୋକାନ ଖୋଲିଛି ସେଗୁଡିକ ଉପରେ ସ୍ଥାନୀୟ ପୁଲିସ ନିୟମିତ ଚଢଉ ଓ ଯାଂଚ କଲେ ବିଭିନ୍ନ ଅଂଚଳରୁ ଚୋରି ହେଉଥିବା ଗାଡିର ଫର୍ଦାଫାସ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.