Home Top News ଆତ୍ମଘାତୀ କାର୍ଯ୍ୟ ନ ହେଲେ ଭଲ ରେଜଲ୍ଟ କରିପାରେ କଂଗ୍ରେସ

ଆତ୍ମଘାତୀ କାର୍ଯ୍ୟ ନ ହେଲେ ଭଲ ରେଜଲ୍ଟ କରିପାରେ କଂଗ୍ରେସ

25

ଓଡ଼ିଶା କଂଗ୍ରେସର ଆସନ୍ତା ନିର୍ବାଚନ ପାଇଁ ଟିକଟ ଚୟନ ପ୍ରକ୍ରିୟା ଆରମ୍ଭ ହେଇଗଲାଣି। ପ୍ରଥମ ଥର ପାଇଁ ନୂଆ ତରିକା ଆପଣାଇଛି ଦଳ। ଅନଲାଇନରେ ଆବେଦନ କରିବାକୁ ନେତାମାନଙ୍କୁ କୁହାଯାଇଛି। ଆଗୁଆ ୮୦ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳୀୟ ନେତା କହୁଛନ୍ତି। ଦଳର ଆଗ ଧାଡ଼ିର ନେତାମାନେ ବହୁତ ଉତ୍ସାହିତ ଅଛନ୍ତି। ଏଥିରେ କେତେ ସଫଳତା ଦଳ ପାଇବ ତାହା ବଡ଼ ପ୍ରଶ୍ନ।

୨୦୦୦ମସିହା ଓ ୨୦୦୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ସଫଳତା ହାସଲ କରିଥିଲା। ମୁଖ୍ୟ ବିରୋଧୀ ଦଳରେ ଥିଲା। ୨୦୧୪ ମସିହାରେ ଆସନ ସଂଖ୍ୟା କମିଥିଲେବି ଦଳ ବିରୋଧୀ ଦଳ ଆସନରେ ଥିଲା। ମାତ୍ର ତା ପରଠାରୁ ଦଳ ସବୁ ନିର୍ବାଚନରେ ଦୁର୍ଦ୍ଦଶା ଦେଖିବା ଆରମ୍ଭ କଲା।

୨୦୦୦ ଓ ୨୦୦୪ ମସିହାରେ ରାଜ୍ୟରେ ମେଣ୍ଟ ସରକାର ଶାସନ କରୁଥିଲା। ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ବିଜୁ ଜନତା ଦଳର ଫୋକସ ରହିଲା କଂଗ୍ରେସକୁ ଭାଙ୍ଗିବା। କଂଗ୍ରେସ ଦଳୀୟ କର୍ମୀଙ୍କୁ ବିଭିନ୍ନ ସରକାରୀ କାମଧନ୍ଦା ଦେଇ ବିଜେଡ଼ି ମୁଁହା କରାଗଲା। ବଡ଼ ନେତା ମାନଙ୍କୁ ଅର୍ଥ ବଳରେ ବିଜେଡ଼ିରେ ସାମିଲ କରାଗଲା। ବାକି କଂଗ୍ରେସ ଦଳରେ ଯୋଉ ମୁଣ୍ଡି ନେତାମାନେ ରହିଲେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଲୋଭନ ଦିଆଯାଇ ଏକ ପ୍ରକାର ବିଜେଡ଼ି ତା ଅକ୍ତିୟାରକୁ ନେଇଗଲା। ଦଳର ସ୍ଥିତି ଏତେ ତଳକୁ ଖସିଗଲା ଯେ ଶୁଣାଗଲା କଂଗ୍ରେସ ଟିକଟ କିଏ ପାଇବ ତାହା ବିଜେଡ଼ି ନେତାମାନେ ନିର୍ଦ୍ଧାରଣ କରିବେ। ଏପରିକି ଦଳୀୟ ଟିକଟ ୫/୧୦ ଲକ୍ଷରେ ବିକ୍ରି ମଧ୍ୟ କରାଗଲା। ଆଉ ଗୋଟେ ବଡ଼ ସ୍କାମ ହେଉଥିଲା ଯେ ଯିଏ କଂଗ୍ରେସ ଟିକଟ ପାଉ ଥିଲା ନାମକୁ ମାତ୍ର ନିର୍ବାଚନ ଲଢୁଥିଲା। ପ୍ରାଥି ବିଜେଡ଼ି ଠାରୁ ଭଲ ଅର୍ଥ ପକାଇ ନିର୍ବାଚନରେ ଏକ ପ୍ରକାର ଘରେ ଶୋଇଯାଉଥିଲା। ଆଜି ପର୍ଯ୍ୟନ୍ତ କଂଗ୍ରେସ ଭବନ ଭିତରେ ଓ ବାହାରେ ଏହି ଚର୍ଚ୍ଚା। ଏହା ଦ୍ୱାରା କର୍ମୀଙ୍କ ମନୋବଳ ଭାଙ୍ଗିଲା ଓ ସବୁ ବିଜେଡ଼ି ମୁଁହା ହେଲେ। ଏଥିପାଇଁ ସେତେବେଳର କଂଗ୍ରେସ ମଙ୍ଗୁଆଳମାନେ ସମ୍ପୂର୍ଣ୍ଣ ଦାୟୀ ବୋଲି ଆଜି ପର୍ଯ୍ୟନ୍ତ ଆଲୋଚନା ହଉଚି। ବ୍ୟକ୍ତିଗତ ବ୍ୟବସାୟିକ ସଂସ୍ଥାକୁ ଫାଇଦା ଦେବା ପାଇଁ ଦଳକୁ ରସାତଳଗାମୀ କରାଇ ଦେଇଥିଲେ ଏହି ନେତାମାନେ।

ଏବେ ନୂଆ ରାସ୍ତା ଆପଣାଇଛି କଂଗ୍ରେସ। ଟିକଟ ଉପରେ ରାଜ୍ୟ ନେତୃବୃନ୍ଦଙ୍କ କୌଣସି ପ୍ରଭାବ ନାହିଁ। ସବୁ ନିର୍ଣ୍ଣୟ ଓ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଟିମ ଦିଲ୍ଲୀରୁ ଆସି କରୁଛନ୍ତି। କେବଳ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ସହଯୋଗ କରୁଛନ୍ତି। ପ୍ରାଥମିକ ସ୍ତରରେ ଦଳ ୪୫ ଗୋଟି ବିଧାନସଭା ଆସନ ଉପରେ ଫୋକସ କରୁଛି। ରାହୁଲ ଗାନ୍ଧୀଙ୍କ ସର୍ଭେ ଟିମ ଯାହା ଆକଳନ କରିଛି ଏହି ଆସନ ଉପରେ ଭଲ ପ୍ରାଥି ଓ ଏକଜୁଟ ହୋଇ ଲଢ଼ିଲେ ଜିତିବା ଆଶା ରହୁଛି। ପଶ୍ଚିମ ଓଡ଼ିଶାର ବିଜେପୁର, ଅତାବିରା, ରେଢ଼ାଖୋଲ, ରାଜଗାଙ୍ଗପୁର ଭଳି କିଛି ଆସନ। ଉତ୍ତରରୁ ଜଳେଶ୍ୱର, ଆନନ୍ଦପୁର, ଭୋଗରାଇ, ବସ୍ତା ଭଳି କିଛି ଆସନ। ସିମୁଳିଆ, ଭଦ୍ରକ ଢେଙ୍କାନାଳ ଆଦି ଆସନ ମଧ୍ୟ ପରିଶ୍ରମ କଲେ ଭଲ ଫଳାଫଳ ଦେଇପାରେ। ବଲାଙ୍ଗୀର, ନର୍ଲା, ଜୁନାଗଡ଼ ଆଦି ଆସନ ପୂର୍ବରୁ କଂଗ୍ରେସ ଗଡ଼ ଥିଲା। ଅଭିଭକ୍ତ କଟକ ଜିଲ୍ଲାର କିଛି ଆସନ ଉପରେ ଦଳ କାମ କରୁଛି। ଦକ୍ଷିଣ ଓଡ଼ିଶାର ସାନଖେମୁଣ୍ଡି, ମୋହନା, ପାରଳାଖେମୁଣ୍ଡି ଓ ଅନ୍ୟ କିଛି ଆସନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ କେନ୍ଦ୍ରୀୟ ଟିମ ଦ୍ୱାରା କରା ଯାଇଥିବା ଗୋଟିଏ ସର୍ଭେରୁ ଜଣା ପଡ଼ିଛି। ତେଣୁ ମୋଟାମୋଟି ଭାବରେ କଂଗ୍ରେସ ଓଡ଼ିଶାରେ ଏଥର ଭଲ ରେଜଲ୍ଟ କରିବା କଥା। ମାତ୍ର ପ୍ରାଥିମାନେ ଯଦି ଟିକଟ ପାଇ ବିଜେଡ଼ି ପାଖରେ ଅଘୋଷିତ ସମର୍ପଣ କରିଦେବେ ତେବେ କଥା ସରିଲା। କଂଗ୍ରେସ ଦଳ ହିଁ ସବୁଦିନ ପାଇଁ ଓଡ଼ିଶାରୁ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.