Home Coronavirus Outbreak ଆଜି ଅକ୍ଷୟ ତୃତୀୟା: କରୋନା କଟକଣା ଭିତରେ ରଥ ନିର୍ମାଣ ଅନୁକୂଳ, ମୁଠି ଅନୁକୂଳ ଏବଂ...

ଆଜି ଅକ୍ଷୟ ତୃତୀୟା: କରୋନା କଟକଣା ଭିତରେ ରଥ ନିର୍ମାଣ ଅନୁକୂଳ, ମୁଠି ଅନୁକୂଳ ଏବଂ ଚନ୍ଦନ ଯାତ୍ରା ହେବ ଆରମ୍ଭ

1108

ଭୁବନେଶ୍ୱର: ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଶୁଭାରମ୍ଭ କରାଯାଏ। ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଏବଂ ମୁଠି ଅନୁକୂଳ କରେ। ଏହାକୁ ଅକ୍ଷିମୁଠି କୁହାଯାଏ। ଅକ୍ଷୟ ତୃତୀୟା ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ପ୍ରଭୃତି ଶୁଭକାର୍ଯ୍ୟ କରାଯାଇଥାଏ।

ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନଯାତ୍ରା ଆରମ୍ଭ –
ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥାଏ। ସେହିପରି ଅକ୍ଷୟ ତୃତୀୟା ତିଥିଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଓଡ଼ିଶାର ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଇଥାଏ। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।

କରୋନା ପାଇଁ କଟକଣା –
ତେବେ, ଚଳିତ ବର୍ଷ କରୋନା ଆତଙ୍କ ଯୋଗୁଁ କଟକଣା ଭିତରେ ସମସ୍ତ ରୀତିନୀତି କଟକଣା ମଧ୍ୟରେ ହେବ। ଅକ୍ଷୟ ତୃତୀୟା ନୀତିକାନ୍ତି ସହ ମହାପ୍ରଭୁଙ୍କ ରଥକାର୍ଯ୍ୟର ଅନୁକୂଳ ଶ୍ରୀମନ୍ଦିର ପରିସରରେ କରାଯିବ। ଶ୍ରୀମନ୍ଦିରର ଚାହାଣୀ ମଣ୍ଡପ ନିକଟକୁ ୩ଟି ରଥକାଠ ନିଆଯାଇ ସେଠାରେ ଅକ୍ଷୟ ତୃତୀୟା ନୀତିକାନ୍ତି କରାଯିବା ସହ ରଥ ଅନୁକୂଳ ନୀତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସେହିପରି ଶ୍ରୀମନ୍ଦିର ଭିତରେ ଦୁଇଟି ଜଳ କୁଣ୍ଡରେ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ନରେନ୍ଦ୍ର ପୁଷ୍କରିଣୀ ଢାଞ୍ଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଶ୍ରୀଜିଉଙ୍କ ନୌକାବିହାର ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଏବଂ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। -ଦେବଦତ୍ତ ରଥ

ଆରଏଏସ୍ ପକ୍ଷରୁ ଅନ୍ ଲାଇନ୍ ବୌଦ୍ଧିକ ବର୍ଗ: ଉଦବୋଧନ ଦେବେ ମୋହନ ଭାଗବତ୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.