Home ଜିଲ୍ଲା ପରିକ୍ରମା ଅସୁସ୍ଥ ଯୁବକଙ୍କୁ ରାସ୍ତାରେ ଛାଡିଦେଲେ ଆମ୍ବୁଲାନସ କର୍ମଚାରୀ, ଆଜିଯାଏ ମିଳିପାରୁନି ଯୁବକଙ୍କ ସନ୍ଧାନ

ଅସୁସ୍ଥ ଯୁବକଙ୍କୁ ରାସ୍ତାରେ ଛାଡିଦେଲେ ଆମ୍ବୁଲାନସ କର୍ମଚାରୀ, ଆଜିଯାଏ ମିଳିପାରୁନି ଯୁବକଙ୍କ ସନ୍ଧାନ

18

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ବାହାବଳପୁର ପଞ୍ଚାୟତ ଅଧୀନ ଚିଙ୍ଗୁଡାନାସି ଗ୍ରାମର କୁଳମଣି ମାଝୀ(୩୫) ନାମକ ଜଣେ ଅସୁସ୍ଥ ଯୁବକଙ୍କୁ ୧୧୨ ଆମ୍ବୁଲାନସ କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରିବର୍ତ୍ତେ ରାସ୍ତାରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ରବିବାର ଏହି ଘଟଣା ଘଟିଥିବା ବେଳେ ଆଜି ସୁଦ୍ଧା କୁଳମଣିଙ୍କର କୌଣସି ପତ୍ତା ମିଳିପାରୁନାହିଁ । ଏନେଇ ତାଙ୍କ ପରିବାରର ନାୟକାଣୀଡିହୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେବଳ ନିଖୋଜ ମାମଲା ରୁଜୁ କରି ବସି ରହିଛନ୍ତି । ତେବେ ପରିବାର ଲୋକ ଏ ନେଇ ଘୋର୍ ଚିନ୍ତାରେ ରହିଛନ୍ତି । ଖବରରୁ ଜଣାଯାଇଛି ଯେ ଗତ ୨୫ ତାରିଖରେ କୁଳମଣି ଘରୁ କେଉଁଆଡେ ଚାଲିଯାଇଥିଲେ । ତାଙ୍କ ପରିବାରବର୍ଗ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୁଳମଣିଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ରବିବାର ନାୟକାଣୀଡିହ ଥାନା ଅଧୀନ କରଞ୍ଜଆଡିଆ ଗ୍ରାମ ନିକଟସ୍ଥ ଏକ ଧାନ କିଆରୀରେ କୁଳମଣି ପଡିଥିବା ଜଣେ ଯୁବକ ଦେଖିବାକୁ ପାଇଥିଲେ । ସେ କୁଳମଣିଙ୍କ ଅବସ୍ଥା ଦେଖି ଭୟଭୀତ ହେବା ସହ କରଞ୍ଜଆଡିଆ ପଞ୍ଚାୟତର ସରପଞ୍ଚଙ୍କ ପୁଅ ସୁରେନ୍ଦ୍ର ତରାଇଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ସୁରେନ୍ଦ୍ର ଓ ସେହି ପଞ୍ଚାୟତର ସମିତିସଭ୍ୟ ପ୍ରଦୀପ ଦାସ ଓ ଅନ୍ୟ କେତେକ ବ୍ୟକ୍ତି କୁଳମଣିଙ୍କୁ ବିଲରୁ ଗାଁକୁ ନେଇ ସୁସ୍ଥ କରିବା ପରେ ସୁରେନ୍ଦ୍ର ନିଜର ଠିକଣା କହିଥିଲେ ।

କିଛିଦିନ ଧରି ଠିକରୂପେ ଖାଇନଥିବାରୁ କୁଳମଣି ଭୀଷଣ ଅସୁସ୍ଥ ଥିଲେ । ପରେ ସମିତିସଭ୍ୟ ଦାସ ୧୧୨ ଆମ୍ବୁଲାନସ ଡକାଇ କୁଳମଣିଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ସରପଞ୍ଚଙ୍କ ପୁଅ ତରାଇ କୁଳମଣିଙ୍କ ଗାଁ ଲୋକଙ୍କୁ ଏ ସମ୍ପର୍କରେ ଟେଲିଫୋନ ଯୋଗେ ଜଣାଇଥିଲେ । ପରେ କୁଳମଣିଙ୍କ ଭାଇ ରାଜେନ୍ଦ୍ର କେତେକ ବ୍ୟକ୍ତିଙ୍କ ସହ ତୁରନ୍ତ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ମାତ୍ର ଆମ୍ବୁଲାନସରେ ସେମିତିକା ରୋଗୀ ଆସିନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ପରେ ରାଜେନ୍ଦ୍ର ନିରାଶ ହୋଇଥିଲେ । ପରେ ସେ ନାୟକାଣୀଡିହ ଥାନାରେ ଆମ୍ବୁଲାନସ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ନରଖି ନିରୁଦ୍ଦିଷ୍ଟ ରିପୋର୍ଟ ଦେବାକୁ ପରାମର୍ଶ ଦେଇଥିବା କୁହାଯାଇଛି । ସାମାନ୍ୟ ମାନସିକ ବିକୃତି ଥିବା କୁଳମଣିଙ୍କୁ ଆମ୍ବୁଲାନସ କର୍ମଚାରୀମାନେ ଲୁହା ବୋଝେଇ ଗାଡିରେ କେଉଁଆଡେ ପଠାଇ ଦେଇଥିବା ରାଜେନ୍ଦ୍ର ସନ୍ଦେହ ପ୍ରକାଶ କରିଛନ୍ତି । କୁଳମଣିଙ୍କ ପତ୍ନୀ ଓ ପୁଅ ମଧ୍ୟ ଏହି ଘଟଣା ପରେ ମାନିସକ ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ଏ ସମ୍ପର୍କରେ ନାୟକାଣିଡିହ ଥାନା ଆଇଆଇସି ଶ୍ରୀକାନ୍ତ ପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ଅଞ୍ଚଳର ଘଟଣା ହୋଇନଥିବାରୁ ସେ ଏତଲା ରଖିନଥିଲେ ମଧ୍ୟ ନିରୁଦ୍ଦିଷ୍ଟ ମାମଲା ରୁଜୁ କରିଛନ୍ତି । ଏଥିସହ ସେ ଯୋଡା, ବଡବିଲ ଇତ୍ୟାଦି ବିଭିନ୍ନ ଖଣି ଅଞ୍ଚଳକୁ କୁଳମଣିଙ୍କ ଫଟୋ ପଠାଇ ସନ୍ଧାନ ନେଉଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.