Home ଓଡ଼ିଶା ଅର୍ଥ ମନ୍ତ୍ରଣାଳୟର ନିଷ୍ପତ୍ତି – କୌଣସି ପବ୍ଲିକ ସେକ୍ଟର ବ୍ୟାଙ୍କ ଦ୍ୱାରା ସେବା ଶୁଳ୍କରେ କୌଣସି...

ଅର୍ଥ ମନ୍ତ୍ରଣାଳୟର ନିଷ୍ପତ୍ତି – କୌଣସି ପବ୍ଲିକ ସେକ୍ଟର ବ୍ୟାଙ୍କ ଦ୍ୱାରା ସେବା ଶୁଳ୍କରେ କୌଣସି ବୃଦ୍ଧି ହେବନାହିଁ

161

ବ୍ୟାଙ୍କ ସମୂହ ଦ୍ୱାରା ଲାଗୁ କରାଯାଉଥିବା ସେବାଶୁଳ୍କ (ସର୍ଭିସ ଚାର୍ଜ)ର ବାସ୍ତବ ସ୍ଥିତି

ନୂଆଦିଲ୍ଲୀ ୦୩ ନଭେମ୍ବର, (ଓଡିଆ ପୁଅ) : କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି।

ଜନଧନ ଆକାଉଣ୍ଟ ସମେତ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ (ବିଏସ୍‌ବିଡି)- କ୍ଷେତ୍ରରେ କୌଣସି ସର୍ଭିସ ଚାର୍ଜ ଲାଗୁ କରାଯିବାର ବ୍ୟବସ୍ଥା ନାହିଁ। ଏହି ୬୦.୦୪ କୋଟି ବିଏସ୍‌ବିଡି ଆକାଉଣ୍ଟ ମଧ୍ୟରେ ୪୧.୧୩ କୋଟି ଜନଧନ ଆକାଉଣ୍ଟ ଅନ୍ତର୍ଭୁକ୍ତ। ଜନଧନ ଆକାଉଣ୍ଟ ଖୋଲିଥିବା ଲୋକମାନେ ଗରିବ ଏବଂ ସେମାନେ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳର ଅଧିବାସୀ। ଅତଏବ ଏହି ବର୍ଗର କୌଣସି ଜମାଖାତାଧାରୀଙ୍କଠାରୁ ସର୍ଭିସ ଚାର୍ଜ ନେବାର ବ୍ୟବସ୍ଥା ନାହିଁ। ଏମାନଙ୍କୁ ମାଗଣା ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ରହିଛି।

ନିୟମିତ ସେଭିଙ୍ଗସ୍‌ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, କ୍ୟାଶ କ୍ରେଡିଟ ଆକାଉଣ୍ଟ ଓ ଓଭରଡ୍ରାଫ୍ଟ ଆକାଉଣ୍ଟ ଆଦି କ୍ଷେତ୍ରରେ ସର୍ଭିସ ଚାର୍ଜ ବୃଦ୍ଧି କରାଯାଇନାହିଁ। କେବଳ ବ୍ୟାଙ୍କ ଅଫ୍‌ବରୋଦା ଚଳିତ ନଭେମ୍ବର ୧ ତାରିଖଠାରୁ ମାସିକ ମାଗଣା ଟଙ୍କା ଜମା ଓ ଉଠାଣ ଉପରେ କେତେକ ପରିବର୍ତ୍ତନ କରିଛି। ଏହି ବ୍ୟବସ୍ଥାରେ ବିନା ସର୍ଭିସ ଚାର୍ଜରେ ଟଙ୍କା ଜମା ଓ ଉଠାଣ ସଂଖ୍ୟାକୁ ୫ ଥରରୁ ୩ ଥରକୁ ହ୍ରାସ କରାଯାଇଛି। ଅର୍ଥାତ୍‌ଜମାକାରୀ ମାସକୁ ୩ ଥର ଲେଖାଏଁ ମାଗଣାରେ ଟଙ୍କା ଜମା ଓ ଉଠାଇବାର ସୁବିଧା ପାଇବେ। ଏହି ମୁକ୍ତ କାରବାର ସୁବିଧା ବାହାରେ ବ୍ୟାଙ୍କ ସହିତ କାରବାରରେ ଅନ୍ୟ କୌଣସି ଦେୟ ବୃଦ୍ଧି କରାଯାଇନାହିଁ। ବ୍ୟାଙ୍କ ଅଫ୍‌ବରୋଦା ପକ୍ଷରୁ କୁହାଯାଇଛି ଯେ ସାଂପ୍ରତିକ କରୋନା ମହାମାରୀ ଦୃଷ୍ଟିରୁ ଏହି ପରିବର୍ତ୍ତନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନିଆଯାଇଛି।

ଏହାଛଡା ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିକଟ ଅତୀତରେ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି। ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହଙ୍କ ସମେତ ଦେଶର ସମସ୍ତ ବ୍ୟାଙ୍କ ନିଜର ସେବା ଯୋଗାଣ ପାଇଁ ଦେୟ ଧାର୍ଯ୍ୟ କରିବାକୁ ଅଧିକୃତ। ତେବେ ଏହି ଦେୟ ବା ସର୍ଭିସ ଚାର୍ଜ ଲାଗୁ କରିବାବେଳେ ତାହା ନ୍ୟାୟୋଚିତ, ସ୍ୱଚ୍ଛ, ପାତରଅନ୍ତର ବିହୀନ ଏବଂ ଯୁକ୍ତି ସଂଗତ ହେବା ଉଚିତ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି। ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଜଣାଇଛନ୍ତି ଯେ ନିକଟ ଭବିଷ୍ୟତରେ ବ୍ୟାଙ୍କର ସର୍ଭିସ ଚାର୍ଜ ବଢାଇବାର କୌଣସି ପ୍ରସ୍ତାବ ସେମାନଙ୍କର ନାହିଁ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ସେମାନେ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.