Home Top News ଅର୍ଥ ପାଇଁ ବିଆରଏସ ?

ଅର୍ଥ ପାଇଁ ବିଆରଏସ ?

150
ଫଟୋ ସୌଜନ୍ୟ - https://twitter.com/BRSparty

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ନେତୃତ୍ତ୍ୱାଧୀନ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ)ରେ ଓଡ଼ିଶାରୁ ଅନେକ ନେତା ଯୋଗଦାନ କରଛନ୍ତି। ଗତ କିଛି ମାସ ତଳେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇଥିଲା। ଏହା ପରେ ବିଭିନ୍ନ ରାଜ୍ୟ ଉପରେ ନଜର ପକାଇବା ଆରମ୍ଭ କରିଦେଇଛି ବିଆରଏସ। ସେହି ଅନୁପାତରେ ଓଡ଼ିଶାରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛି ଏହି ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କ ପରିବାର ସହିତ ବିଆରଏସରେ ଯୋଗ ଦେଇଛନ୍ତି। ପୂର୍ବତନ ସାଂସଦ ଓ ମନ୍ତ୍ରୀ ଜୟରାମ ପାଙ୍ଗି ମଧ୍ୟ ଯୋଗ ଦେଇଛନ୍ତି। ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଓ କୃଷକ ନେତା ଅକ୍ଷୟ କୁମାରଙ୍କ ସମେତ ଅନେକ ପୂର୍ବତନ ବିଧାୟକ ଓ ନେତୃବୃନ୍ଦ ଏହି ଦଳରେ ଯୋଗ ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ଆହୁରି ଅନେକ ନେତା ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଏମାନଙ୍କ ଯୋଗ ଦାନ ପରେ ବିଭିନ୍ନ ମିଡ଼ିଆରେ ଚର୍ଚ୍ଚା ଚାଲିଛି ୨୦୨୪ ନିର୍ବାଚନରେ ବିଆରଏସ ଓଡ଼ିଶାରେ ପ୍ରଭାବ ବିସ୍ତାର କରିବ ଓ ରାଜ୍ୟରେ କିଛିଟା ନୂତନ ସମୀକରଣ ସୃଷ୍ଟି ହେବ।

ଯେଉଁ ନେତାମାନେ ବିଆରଏସରେ ଯୋଗ ଦେଇଛନ୍ତି ସେମାନେ ବିଜେଡ଼ି, କଂଗ୍ରେସ, ବିଜେପିରୁ ଅବହେଳିତ କିଛି ନେତା। ଏଇ ନେତାମାନେ ଯଦି ଦକ୍ଷତାପୂର୍ଣ୍ଣ ହୋଇଥାନ୍ତେ ତେବେ ନିଜ ଦଳରେ ସେମାନେ କାହିଁକି ଅଲୋଡ଼ା ହୋଇଥାନ୍ତେ ? କଂଗ୍ରେସ ଗିରିଧର ଗମାଙ୍ଗଙ୍କୁ ସାଂସଦ, ମନ୍ତ୍ରୀ, ଏପରିକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ କରାଇଥିଲା। ଜୟରାମ ପାଙ୍ଗି ବିଜେଡ଼ିରୁ ମନ୍ତ୍ରୀ, ସାଂସଦ ମଧ୍ୟ ହୋଇଛନ୍ତି। ତେଣୁ ଯେତେ ନେତା ବିଆରଏସ ଯାଇଛନ୍ତି ଅଧିକାଂଶ ବିଭିନ୍ନ ଦଳରୁ ବିଧାୟକ, ସାଂସଦ, ମନ୍ତ୍ରୀ ହୋଇସାରିଛନ୍ତି। ପର୍ଯ୍ୟାୟକ୍ରମେ ଏଇ ନେତାମାନଙ୍କର ଲୋକପ୍ରିୟତା କମିଲା ଓ ଦଳରୁ ଅଲୋଡ଼ା ହେଲେ। ଭାରତ ବର୍ଷରେ ଆପକୁ ଛାଡ଼ିଦେଲେ କୌଣସି ରାଜନୈତିକ ଦଳ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ସଫଳତା ପାଇନାହିଁ। ଆପ ମଧ୍ୟ ଦୀର୍ଘ ୧୦ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ପଂଜାବ ଅକ୍ତିୟାର କଲା। ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି। ତେଣୁ ବିଆରଏସକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିବ ଅନ୍ତତଃ ପକ୍ଷେ ୧୦ ରୁ ୧୫ ବର୍ଷ। ଏଠାରେ ପ୍ରଶ୍ନ ଉଠୁଛି ବିଆରଏସ ଯେଉଁ ନେତାମାନଙ୍କୁ ଧରି ଓଡ଼ିଶାରେ ରାଜନୈତିକ ଶୁଭାରମ୍ଭ କରିବାକୁ ଯାଉଛି ଏମାନେ ୧୦ ବର୍ଷ ଦଳରେ ରହିବେ ତ ? ଓଡ଼ିଶାରେ ତିନୋଟି ଦଳ ଭିତରେ ଲଢେଇ ଚାଲିଛି। ବିଜେଡ଼ି, ବିଜେପି, କଂଗ୍ରେସ। ତେଣୁ ବିଆରଏସ ଏଠି କରିବ କଣ ? ପ୍ରଶ୍ନ ଉଠୁଛି ଯେ ଭୋଟ କାଟିବ ? କାହାର କାଟିବ ଓ କେଉଁ ମାନଙ୍କୁ ଧରି କାଟିବ। ଯେଉଁ ନେତାମାନେ ଯାଇଛନ୍ତି ସେମାନଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ଥିଲେ ସେମାନେ ନିଜ ଦଳରେ ଅଲୋଡ଼ା ହୋଇଥାନ୍ତେ କି ? ଏ ସମସ୍ତ ନେତା ବିଆରଏସରୁ ଟିକଟ ପାଇବେ ୨୦୨୪ରେ ନିର୍ବାଚନ ଲଢ଼ିବେ। ମାତ୍ର ପରିସ୍ଥିତି ଦେଖି ଆଗୁଆ ଥିବା ଦଳକୁ ଅର୍ଥ ବଦଳରେ ନିଜକୁ ବିକ୍ରି କରିଦେବେ। କାରଣ ଅର୍ଥ ବଦଳରେ ନେତା ଓ ଭୋଟର କିଣିବାରେ ଓଡ଼ିଶା ଭାରତ ବର୍ଷରେ ପ୍ରଥମ। ତେଣୁ ଯେଉଁ ନେତାମାନେ ବିଆରଏସକୁ ଯାଇଛନ୍ତି ସେମାନେ ରାଜନୀତିରେ ଜଣେ ଜଣେ ହତାଶ ପ୍ରେମିକ। ରାଜନୀତିର ଶେଷ ପର୍ଯ୍ୟାୟରେ ଏମାନଙ୍କ ଯୋଗଦାନ ଓଡ଼ିଶା ରାଜନୀତିରେ ଗୋଟିଏ ହାସ୍ୟାସ୍ପଦ ଘଟଣା। ଏମାନଙ୍କ ଧାରଣା ବିଆରଏସ ଗୋଟିଏ ବଡ ଆଞ୍ଚଳିକ ଦଳ ଓ ଅର୍ଥନୈତିକସ୍ତରରେ ବହୁତ ସୁଦୃଢ! ଚାଟାର୍ଡ଼ ବିମାନରେ ଓଡ଼ିଶାରୁ ନେତାମାନଙ୍କୁ ହାଇଦ୍ରାବାଦ ନେଇଥିଲା। ତେଣୁ ଓଡ଼ିଶାରେ ଏଇ ଦଳ ଭଲ ପଇସା ଖର୍ଚ୍ଚ କରିବ। ରାଜନୀତିର ଶେଷ ପର୍ଯ୍ୟାୟରେ କିଛି ଭଲ ଅର୍ଥ ମିଳିଯିବ। ତା ଛଡା ଟିକଟ ପାଇଲେ ମଧ୍ୟ ଭଲ ଅର୍ଥ ମିଳିବ। ଅନ୍ୟ ଦଳ ସହିତ ମୁଲ୍ଲାଚଲା କରି ମଧ୍ୟ ଭଲ ରୋଜଗାର କରିହେବ। ବାସ୍ତବରେ ଏହା ହେଇଛି ଓଡ଼ିଶାରେ ବିଆରଏସର ଭବିଷ୍ୟତ। ଯାଇଥିବା ନେତାମାନେ ଶ୍ରୀମାନ କେ. ଚନ୍ଦ୍ରଶେଖର ରାଓ କୁଁ ଏମିତି ଚିତା କାଟିବେ ଯେ ସିଏ ୨୦୨୪ ନିର୍ବାଚନ ପରେ ଚିନ୍ତା କରିବେ ଯେ ଓଡ଼ିଶା ପରି ଭୟଙ୍କର ରାଜନୈତିକ ପୃଷ୍ଠଭୂମି ଆଉ କୌଣସି ରାଜ୍ୟରେ ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.