Home ଜିଲ୍ଲା ପରିକ୍ରମା ଅର୍ଥ ଥାଇ ରାସ୍ତା ନିର୍ମାଣ ହୋଇପାରୁନି; ଦୂରାବସ୍ଥା ପ୍ରତିବାଦରେ ରାସ୍ତାରୋକ କଲେ ଯୁବଗୋଷ୍ଠୀ

ଅର୍ଥ ଥାଇ ରାସ୍ତା ନିର୍ମାଣ ହୋଇପାରୁନି; ଦୂରାବସ୍ଥା ପ୍ରତିବାଦରେ ରାସ୍ତାରୋକ କଲେ ଯୁବଗୋଷ୍ଠୀ

49

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ଷୋଳମପୁର ଗ୍ରାମର ଖପୁରିଆପଦା ସାହି କରଞ୍ଜିଗଡିଆ ସେତୁ ନିକଟ ଟର୍ଣ୍ଣିଂ ପଏଣ୍ଟରେ ରାସ୍ତା ନିର୍ମାଣ ଅଟକି ରହିଛି । ରାସ୍ତା ଉପରେ ଜମା କରାଯାଇଛି ବହୁ ବଡ ବଡ ପଥର । ଖାଲଖମା ଅବସ୍ଥା ଥିବା ଏହି ସ୍ଥାନର ମାତ୍ର ୩୦ ମିଟର ରାସ୍ତାର ବିପର୍ଯ୍ୟସ୍ତ କାରଣରୁ ଦୈନିକ ଘଟୁଛି ଦୁର୍ଘଟଣା । ଧନଜୀବନ ହାନୀ ହେଉଛି । ଏହାର ପ୍ରତିବାଦରେ ସ୍ଥାନୀୟ ଯୁବଗୋଷ୍ଠୀ ପକ୍ଷରୁ ଆଜି ସକାଳେ ଏହି ସ୍ଥାନରେ ରାସ୍ତାରୋକ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା କାଳ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇ ଏହି ସ୍ଥାନର ରାସ୍ତା ନିର୍ମାଣ ଦାବି କରାଯାଇଥିଲା । ସ୍ଥାନୀୟ ପୁଲିସ ଘଟଣାରେ ସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକା ସ୍ୱାଇଁ ରାସ୍ତା ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇ ବିଭାଗ ପ୍ରସ୍ତୁତ ଥିବା ବେଳେ ସ୍ଥାନୀୟ ଲୋକେ ବାଧା ସୃଷ୍ଟି କରୁଥିବାରୁ ରାସ୍ତା ନିର୍ମାଣ ହୋଇପାରି ନାହିଁ ବୋଲି ସଫେଇ ଦେଇଥିଲେ । ସଂପୃକ୍ତ ରାସ୍ତାର ଏହି ଅଂଶ ବିବାଦୀୟ ଭାବେ ଜଣାଶୁଣା । ଜନୈକ ବ୍ୟକ୍ତି ଏହି ରାସ୍ତାର ବୃହତ ଅଂଶକୁ ବ୍ୟକ୍ତିଗତ ଜମି ଭାବେ ଦାବି କରୁଥିବା ବେଳେ କେତେକ ବ୍ୟକ୍ତି କୌଣସି ମତେ ସେହି ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କରିବାକୁ ବିଭାଗକୁ ପ୍ରବର୍ତ୍ତାଉଛନ୍ତି । ନିର୍ମାଣ ହୋଇପାରୁ ନଥିବା ଏହି ଅଂଶର ଅପରପାଶ୍ୱର୍ରେ ସରକାରୀ ଜମି ଥିବା ଓ ଏହା ଉପରେ ଥିବା କେତୋଟି ଗଛକୁ କାଟି ରାସ୍ତାକୁ ଭିନ୍ନ ଭାବେ ନିର୍ମାଣ କରିବାକୁ ଜନୈକ ଶିକ୍ଷକ ବାଧାସୃଷ୍ଟି କରୁଥିବା ଜଣାଯାଇଛି । ଗୋଟିଏ ପରେ ବ୍ୟକ୍ତିଗତ ଜମି ରୂପକ ଦାବି ଅନ୍ୟପଟେ ଗଛକଟାକୁ ବିରୋଧ ଫଳରେ ବିଭାଗ ରାସ୍ତା ନିର୍ମାଣ କରିବା ସମ୍ଭବ ହୋଇପାରି ନାହିଁ । ରାସ୍ତାର ଏହି ସ୍ଥାନରୁ ମାତ୍ର ପାଞ୍ଚଶହ ମିଟର ଦୂରେ ଅନୁରୂପ ଭାବେ ଜନୈକ ବ୍ୟକ୍ତି ବ୍ୟବହୃତ ରାସ୍ତାକୁ ବ୍ୟକ୍ତିଗତ ବୋଲି ଦାବି କରି ନିର୍ମାଣକୁ ଏକବର୍ଷ ଅଟକାଇ ଦେବା ଓ ଦାବି ମୁତାବକ ରାସ୍ତାକୁ ଦୁଇ ମିଟର ଅପରପାଶ୍ୱର୍କୁ ଘୁଞ୍ଚାଇଦେବାକୁ ସମର୍ଥ ହେବା ଘଟଣାରେ ଉତ୍ସାହିତ ହୋଇ ଏହି ସ୍ଥାନରେ ବ୍ୟକ୍ତିଗତ ଜମି ଦାବି କରୁଥିବା ବ୍ୟକ୍ତି ଅନୁରୂପ ସୁବିଧା ଆଶା ରଖିବା ଘଟଣାକୁ ଅଧିକ ଜଟିଳ କରିଛି । ତେବେ ଏ ସବୁ ବାଦ ବିବାଦ ଫଳରେ ରାସ୍ତା ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ କେବଳ ହିନସ୍ତା ହେବା ସାର ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.