Home ଓଡ଼ିଶା ଅମ୍ଫନ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ

ଅମ୍ଫନ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ

53

– ଭିଡିଓ କନଫରେନ୍ସ ଜରିଆରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଶକ୍ତି ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା
– ଆଜିସୁଦ୍ଧା ଓଡ଼ିଶାରେ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ : ଶ୍ରୀ ଆରକେ ସିଂ

ନୂଆ ଦିଲ୍ଲୀ ୨୫-୫ (ଓଡ଼ିଆ ପୁଅ) ଆଜି କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀ ଆରକେ ସିଂ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଅମ୍ଫନ ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଭିନ୍ନ ଡିସକମଗୁଡ଼ିକର ମୁଖ୍ୟ ମହାପ୍ରବନ୍ଧକ, ଭାରତ ସରକାରଙ୍କ ଶକ୍ତି ସଚିବ, ପାଓ୍ବାର ଗ୍ରୀଡର ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ବାତ୍ୟା ଯୋଗୁ ବିଦ୍ୟୁତ ବ୍ୟବସ୍ଥା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ପୁନରୁଦ୍ଧାର କାର୍ଯ୍ୟ ସୁଚାରୁ ରୂପେ ଜାରି ରହିଛି। ସେ ଆହୁରି କହିଥିଲେ ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାର ସ୍ବାଭାବିକ ହୋଇଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର ଏବଂ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ମାନବ ସମ୍ବଳ ଯୋଗାଇ ଦେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ। ସେହିପରି କୋଲକାତା ଏବଂ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ସେ କହିଥିଲେ।

ବର୍ତ୍ତମାନସୁଦ୍ଧା ଯୋଗାଇ ଦିଆଯାଇଥିବା ମାନବ ସମ୍ବଳ ଓ ସହାୟତା ବ୍ୟତୀତ ଏନଟିପିସି ଓ ପାଓ୍ବାରଗ୍ରୀଡ ଜରିଆରେ ଅତିରିକ୍ତ ମାନବ ସମ୍ବଳ ଉପଲବ୍ଧ କରାଇ ପଶ୍ଚିମବଙ୍ଗରେ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସିଂ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବେ।

ମହାବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପୂର୍ବପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ବର ଓ କୋଲକାତାରେ ପିଜିସିଆଇଏଲ ଏବଂ ଏନଟିପିସି ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବା ସହିତ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ଲାଗି ଯଥେଷ୍ଟ ମାନବସମ୍ବଳ ଏବଂ ସାମଗ୍ରୀର ବନ୍ଦୋବସ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.