Home ଜିଲ୍ଲା ପରିକ୍ରମା ଅଧୁରା ରହିଲା ଜଗା ଦର୍ଶନ, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଅଧୁରା ରହିଲା ଜଗା ଦର୍ଶନ, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

30

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାନସିକ କରି ପୁରୀ ଶ୍ରୀକ୍ଷେତ୍ରର ମଉଡିମଣି ଜଗାର ଦର୍ଶନ କରିବାକୁ ଘରୁ ବାହାରିଥିବା ଏକ ପରିବାର ଭଦ୍ରକର ୧୬ନଂ ଜାତୀୟ ରାଜପଥର ନଳାଙ୍ଗ ନିକଟ ସାଇମନ୍ଦିର ସମ୍ମୁଖରେ ସଡକ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ମୃତ୍ୟୁବରଣ କରିବା ଘଟଣା ଶୋକର ଛାୟା ଖେଳାଇଦେଇଛି । ତେବେ ଗୁରୁତର ଅନ୍ୟ ୪ ଜଣଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ବେଲଗୁଡିଆ ଥାନା ନିବାସୀ ସୁରେଶ ପରିଡା (୫୩) ଏକ ଟ୍ରାଭେଲ ଏଜେନ୍ସିର ସ୍କୋର୍ପିଓ ଗାଡି ନଂ ଡବ୍ଲ୍ୟୁବି-୨୪ଏୱାଇ-୮୨୩୪ ନଂ ରେ ସପରିବାର ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବାହାରିଥିଲେ । ଆଜି ଭୋର୍ ସମୟରେ ୧୬ନଂ ଜାତୀୟ ରାଜପଥର ଉପରୋକ୍ତ ସ୍ଥାନରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ୍ ପଛରୁ ଏହି ଗାଡିଟି ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ଗାଡି ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସୁରେଶଙ୍କ ପତ୍ନୀ ପାମ୍ପା ପରିଡା (୪୦)ଙ୍କର ଭଦ୍ରକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ତେବେ ସୁରେଶ, ତାଙ୍କର ଦୁଇ ଝିଅ ଇସିକା ପରିଡା (୨୧) ଓ ଦୀପିଶିଖା ପରିଡା (୧୪) ଙ୍କ ସମେତ ଅନ୍ୟ ଜଣେ ସଂପର୍କୀୟା ଶାମ୍ପା ଚୌଧୁରୀ (୩୫) ଙ୍କୁ ଗୁରୁତର ଭାବେ ଆମ୍ବୁଲାନ୍ସ ଯୋଗେ ଭଦ୍ରକରୁ କଟକ ପଠାଯାଇଛି । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି । ଏବଂ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ପୁଲିସ୍ ଜବତ କରିଥିଲେ ମଧ୍ୟ ଟ୍ରକ୍‌ଟି ଫେରାର ହୋଇଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.