Home କେନ୍ଦୁଝର ଅଧିକାରୀଙ୍କ ଖେଳ, ଲୋକଙ୍କ ପାଇଁ ହେଲା କାଳ, ୫ଟି ଗ୍ରାମର ଲୋକେ ୩ବର୍ଷ ହେଲା ଘର...

ଅଧିକାରୀଙ୍କ ଖେଳ, ଲୋକଙ୍କ ପାଇଁ ହେଲା କାଳ, ୫ଟି ଗ୍ରାମର ଲୋକେ ୩ବର୍ଷ ହେଲା ଘର ପାଇବାରୁ ବଞ୍ଚିତ

26

ହାଟଡ଼ିହି-୧୯/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ପାଇଁ ହାଟଡିହି ବ୍ଲକର ୫ଟି ଗ୍ରାମର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଅନେକ ଗରିବ ହିତାଧିକାରୀ ମାନେ ବାରମ୍ବାର ପ୍ରଶାସନ ପାଖରେ ହାରି ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଫଳରେ ଶହଶହ ଗରିବ ପରିବାରର ଲୋକମାନେ ଭଙ୍ଗା ଘର ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ୨୦୧୧ମସିହାରେ ହୋଇଥିବା ଜନ ଗଣନା ଅନୁସାରେ ଏସ.ଇ.ସି.ସି ତାଲିକା ପ୍ରସ୍ତୁତ କରାଗଲା । ସରକାରୀ ବାବୁ ମାନେ ଦିନରାତି ଲାଗି ଏହି କାମକୁ ସମ୍ପୁର୍ଣ୍ଣ କଲେ । କିନ୍ତୁ କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଦଧିବାବନପୁର, ଆମ୍ବଗଡିଆ, ଶାସଙ୍ଗ ପଞ୍ଚାୟତର ଗୋବିନ୍ଦପୁର, ଶାଳଣିଆଁ ପଞ୍ଚାୟତର ବିଷ୍ଣୁପୁର, ପଞ୍ଚୁଗୋଛିଆ ପଞ୍ଚାୟତର ଟିକରା, ଡଅଁର ପଞ୍ଚାୟତର ସରଳା ପ୍ରଭୃତି ଗ୍ରାମ ବାଦ ପଡିଗଲା । ଏସ.ଇ.ସି.ସି ତାଲିକାରେ ଗାଁ ଗୁଡିକର ନାମ ମଧ୍ୟ ରହିଲାନି । ଏସ.ଇ.ସି.ସି ତାଲିକାରେ ନାମ ଥିବା ଲୋକମାନେ ହିଁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ପାଇପାରିବେ ବୋଲି ସରକାରୀ ନିର୍ଦ୍ଦେଶନାମା ଜାରି ହେଲା । ଯାହା ଦ୍ୱାରାକି ଏହିସବୁ ଗ୍ରାମର ଲୋକମାନେ ଘର ପାଇବାରୁ ବଞ୍ଚିତ ହୋଇ ରହିଗଲେ । ଶାଳଣିଆଁ ପଞ୍ଚାୟତର ବିଷ୍ଣୁପୁର ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ପରିବାର ବାସ କରୁଥିବାବେଳେ ସେଠାରେ ଅଧିକାଶ ଲୋକ ଗରିବ ଓ ଦିନ ମଜୁରିଆ ଶ୍ରେଣୀର । ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ ଅନେକ ଲୋକ ପଲିଥିନି ଟାଙ୍ଗି ଏବେ ବି ଭଙ୍ଗାଘର ମାନଙ୍କରେ ବାସ କରୁଛନ୍ତି । ୫ବର୍ଷ ହେଲା ଘର ଖଣ୍ଡିଏ ପାଇବାଲାଗି ବାର ଦୁଆର ହୋଇଥିଲେବି କେହି ତାଙ୍କ ଅଭିଯୋଗକୁ ଶୁଣି କାମରେ ଲଗାଇ ପାରୁ ନାହାନ୍ତି । ଗତବର୍ଷ ସେମାନେ ଏଥିଲାଗି ତିନିଦିନ କାଳ ଅନସନ କରିଥିବା ବେଳେ ତତକାଳୀନ ବିଡିଓ ଖଣି କ୍ଷତିଗ୍ରସ୍ତ ବିଜୁ ପକ୍କାଘର ଆସିବ ତେଣୁ ଏସ.ଇ.ସି.ସି ତାଲିକାର ଆବଶ୍ୟକତା ପଡିବ ନାହିଁ ଘର ପାଇଯିବ ବୋଲି କହିବାରୁ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ । କିନ୍ତୁ ଖଣିକ୍ଷତିଗ୍ରସ୍ଥ ଅନୁଦାନ ଆଜି ପର୍ଯ୍ୟନ୍ତ ନଆସିବାରୁ ଏହି ଗାଁର ଲୋକମାନେ ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ସେହିପରି ଅକରୁଆ ପଞ୍ଚାୟତର ଆମ୍ବଗଡିଆ ଓ ଦଧଧିବାବନପୁର ଗ୍ରାମରେ ୬୦୦ରୁ ଉର୍ଦ୍ଧ ପରିବାର ବାସ କରୁଥିଲେବି ଶହଶହ ଗରିବ ପରିବାର ଘର ନପାଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ସେହିପରି ପଞ୍ଚୁଗୋଛିଆ ପଞ୍ଚାୟତର ଟିକରା ଗ୍ରାମରେ ବହୁ ଗରିବ ହରିଜନ ପରିବାର ବାସ କରୁଥିଲେବି ଘର ନପାଇ ଭଙ୍ଗାଘର ତଳେ ଆଶ୍ରୟ ନେଇଛନ୍ତି । ଡଅଁର ପଞ୍ଚାୟତର ସରଳା ଗ୍ରାମର ଶତାଧିକ ପରିବାର ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେବି କୌଣସି ଫଳ ମିଳି ପାରୁନି । ପୁର୍ବରୁ ୯ଟି ଗ୍ରାମର ଲୋକମାନେ ଏସ.ଇ.ସି.ସି ତାଲିକାରୁ ବାଦ ପଡିଥିବାବେଳେ ପରବର୍ତ୍ତୀ ସମୟରେ ୩ଟି ଗ୍ରାମର ଲୋକମାନେ ଖଣିକ୍ଷତିଗ୍ରସ୍ଥ ବିଜୁ ପକ୍କାଘର ଯେଜନାରେ ସାମିଲ ହୋଇ ବିଜୁ ପକ୍କାଘର ପାଇବାରେ ସକ୍ଷମ ହୋଇପାରିଛନ୍ତି । ଏ ସମ୍ପର୍କରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ପଚାରିବାରେ ପୁର୍ବର ଏସ.ଇ.ସି.ସି ତାଲିକା ସମ୍ପୁର୍ଣ୍ଣ ହେଲା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଛି ବୋଲି କହିଛନ୍ତି । ବାଦ ପଡିଥିବା ଏହିସବୁ ଗାଁ ଓ ବାଦ ପଡିଥିବା ହିତାଧିକାରୀଙ୍କ ପୁନର୍ବାର ସର୍ଭେ ତାଲିକା ପ୍ରସ୍ତୁତ ହୋଇ ରହିଛି ଯାହାକି ପୁର୍ବର ଏସଇସିସି ତାଲିକା ସମାପ୍ତ ହେବାପରେ ଯାଇ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାଦ ପଡିଥିବା ଗାଁ ଗୁଡିକୁ ଖଣି କ୍ଷତିଗ୍ରସ୍ଥ ବିଜୁ ପକ୍କାଘର ଯୋଜନାରେ ସାମିଲ କରି ବିଜୁ ପକ୍କାଘର ଯୋଗାଇ ଦେବାକୁ ବିଷ୍ଣୁପୁର, ଦଧିବାବନପୁର, ଆମ୍ବଗଡିଆ, ଟିକରା, ଗୋବିନ୍ଦପୁର, ସରଳା ପ୍ରଭୃତି ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.