Home ଓଡ଼ିଶା ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଲା ଫନୀ – ମେ ୩ ଓ ୪ରେ...

ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଲା ଫନୀ – ମେ ୩ ଓ ୪ରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା

3001

– ମେ ୨ ରୁ ଓଡିଶା ଉପକୂଳରେ ଘଂଟା ପ୍ରତି ୪୦ ରୁ ୫୦କିମି ବେଗରେ ପବନ ବହିବା ସମ୍ଭାବନା

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୬ କିମି ବେଗରେ ଉତର-ଉତରପଶ୍ଚିମ ଦିଗରେ ଗତିକରି ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ମଙ୍ଗଳବାର ସକାଳ ୫.୩୦ ସୁଦ୍ଧା ୧୧.୭ ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୮୬.୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ, ଶ୍ରୀଲଙ୍କାର ତ୍ରିନକୋମାଲିର ପୂର୍ବ-ଉତରପୂର୍ବ ଦିଗରେ ୬୭୦ କିମି ଦୂରତା, ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୬୯୦ କିଲୋମିଟର ଦୂରତା ଏବଂ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମର ଦକ୍ଷିଣ ପୂର୍ବ ଦିଗରେ ୭୬୦ କିଲୋମିଟର ଦୂରତାରେ କେନ୍ଦ୍ରିଭୂତ ହୋଇଛି। ଆଗାମୀ ୩୬ ଘଂଟା ମଧ୍ୟରେ ଏହା ଆହୁରି ଘନିଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି। ମେ ୧ ସଂଧ୍ୟା ସୁଦ୍ଧା ଏହା ଉତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ଏହାପରେ ମୋଡ ବଦଳାଇ ଉତର-ଉତରପୂର୍ବ ଦିଗରେ ଓଡିଶା ଉପକୂଳ ଆଡକୁ ମୁହାଁଇବ।

ଏହାର ପ୍ରଭାବରେ ମେ ୨ରେ ଓଡିଶାର ଦକ୍ଷିଣ ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତର ଉପକୂଳର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ ଓ ୪ରେ ଓଡିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତର ଉପକୂଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଦୁଇ ଦିନ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମେ ୨ରେ ଉତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ଘଂଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ମେ ୩ ସକାଳ ବେଳକୁ ପବନର ବେଗ ବୃଦ୍ଧି ପାଇ ଘଂଟା ପ୍ରତି ୬୦ରୁ ୭୦କିମି ଓ ସର୍ବାଧିକ ୮୫ କିମିରେ ପହଂଚିବାର ସମ୍ଭାବନା ରହିଛି। ୨୪ ଘଂଟା ପର୍ଯ୍ୟନ୍ତ ପବନର ବେଗ ବୃଦ୍ଧି ପାଇ କ୍ରମଶଃ ହ୍ରାସ ହେବ।

ମେ ୨ରୁ ୪ ମଧ୍ୟରେ ସମୁଦ୍ର ଗଭୀର ଭାବେ ଅଶାନ୍ତ ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ସତର୍କ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.