Home ଜିଲ୍ଲା ପରିକ୍ରମା ଅଚଳ ପଡ଼ିଛି ଜିଲା ଚିକିତ୍ସାଳୟର ଏକମାତ୍ର ଲିଫ୍ଟ, ନୂଆ ନିର୍ମାଣ କାର୍ଯ୍ୟକୁ ଆଗ୍ରହ, ମରାମତିକୁ ଅଣଦେଖା

ଅଚଳ ପଡ଼ିଛି ଜିଲା ଚିକିତ୍ସାଳୟର ଏକମାତ୍ର ଲିଫ୍ଟ, ନୂଆ ନିର୍ମାଣ କାର୍ଯ୍ୟକୁ ଆଗ୍ରହ, ମରାମତିକୁ ଅଣଦେଖା

52

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚିକିତ୍ସାଳୟରେ ରହିଛି ମାତ୍ର ଗୋଟିଏ ଲିଫ୍ଟ । ସ୍ତ୍ରୀ ରୋଗ ବିଭାଗ ସହିତ ଶିଶୁ ବିଭାଗ ପାଇଁ ଏହି ଲିଫ୍ଟ ଉଦ୍ଦିଷ୍ଟ । ଆବଶ୍ୟକତାକୁ ଅନୁଭବ କରି ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏହି ବିଭାଗରେ ହିଁ ଲିଫ୍ଟ ସ୍ଥାପନ କରିବାକୁ ଉଚିତ ମନେ କରିଥିଲେ । ପ୍ରାୟ ୩ବର୍ଷ ପୂର୍ବେ ଏହା ସ୍ଥାପନ କରାଯାଇଥିଲା । କିନ୍ତୁ ସ୍ଥାପିତ ହେବା ଦିନ ଠାରୁ ଏହି ଲିଫ୍ଟ ଅଧିକାଂଶ ସମୟରେ ଅଚଳ ହୋଇ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ମରାମତି ଦିଗରେ କୌଣସି ପ୍ରକାର ପଦକ୍ଷେପ ନେବାକୁ ଉଚିତ ମନେ କରି ନାହାନ୍ତି । ଯେତେବେଳେ କୌଣସି ଆବଶ୍ୟକତା ନଥାଇ ମଧ୍ୟ ଏକ ସଂକୀର୍ଣ୍ଣ ଜିଲ୍ଲା ପରିସରରେ ଅଧିକରୁ ଅଧିକ ନିର୍ମାଣ କାର୍ଯ୍ୟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅର୍ଥର ଅଭାବ ରହୁ ନାହିଁ, ସେହି ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଚଳ ଲିଫ୍ଟକୁ ସଜାଡ଼ିବାକୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅର୍ଥାଭାବ କିମ୍ବା ଆନ୍ତରିକତାର ଅଭାବ ଦେଖା ଦେବା ସମସ୍ତଙ୍କୁ ଚକିତ କରିଛି । ତଥ୍ୟ ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭଗରେ ଜରୁରୀ ଆବଶ୍ୟକତା ଥିଲେ ମଧ୍ୟ ସ୍ତ୍ରୀ ରୋଗ ଓ ଶିଶୁ ରୋଗ ବିଭାଗ ପାଇଁ ଜରୁରୀ ଆବଶ୍ୟକତା ଥିବା ଦର୍ଶାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଲିଫ୍ଟ ସ୍ଥାପନ କରିଥିଲା । ଏହାକୁ ଚଳାଇବା ପାଇଁ ଜଣେ ଅପରେଟରଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲା ।

କିନ୍ତୁ ରକ୍ଷଣା ବେକ୍ଷଣ ଅଭାବ କାରଣରୁ ଏହା ଆରମ୍ଭରୁ ଅଧିକାଂଶ ସମୟ ଅଚଳ ପଡ଼ି ରହିଛି । ଫଳରେ ଗୁରୁତର ରୋଗୀମାନଙ୍କୁ ଷ୍ଟ୍ରେଚର ଯୋଗେ ଉପରୋକ୍ତ ଦୁଇଟି ୱାର୍ଡ଼କୁ ନିଆଯାଉଛି । ଏହି ଲିଫ୍ଟକୁ ସଚଳ କରିବା ପାଇଁ ପୂର୍ବରୁ ବାରମ୍ବାର ଗଣମାଧ୍ୟମରେ ବିଭିନ୍ନ ସମୟରେ ଦାବି ହୋଇ ଆସିଛି । ବହୁ ସାମାଜିକ କର୍ମୀ ମଧ୍ୟ ଏହାର ଆବଶ୍ୟକତାକୁ ଅନୁଭବ କରି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଟୁଇଟ୍ କରିଛନ୍ତି । କିନ୍ତୁ ଜିଲ୍ଲା ଚିକିତ୍ସାଧିକାରୀ ଏହାର କାର୍ଯ୍ୟକ୍ଷମ ହେବା ନେଇ ସମସ୍ତ ପ୍ରତିଶ୍ରୁତି ଦେଇଥିଲେ । କମ୍ପାନୀକୁ ଅବଗତ କରାଯାଇଛି । ଏକ ବୈଷୟିକ ଟିମ୍ ଆସି ଏହାର ମରାମତି କରିବ ବୋଲି କୁହାଯାଇଥିଲା । କିନ୍ତୁ ଏଯାବତ୍ ଏହା ଅଚଳ ହୋଇ ପଡ଼ି ରହିଛି । ଯାହାକି ଜିଲ୍ଲା ଚିକିତ୍ସାଧିକାରୀଙ୍କ ଆନ୍ତରିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ଜିଲ୍ଲା ଚିକିତ୍ସାଳୟ ପରିସରରେ ଆବଶ୍ୟକତା ନଥାଇ ମଧ୍ୟ ବହୁ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଛି । କାରଣ ୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବିନିମୟରେ ଏକ ୭ ମହଲା ବିଶିଷ୍ଟ ବିଲଡିଂ ନୂଆ ଜିଲ୍ଲା ଚିକିତ୍ସାଳୟ ପରିସରରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏହା ହୁଏତ ଆସନ୍ତା ମାସ କାର୍ଯ୍ୟକ୍ଷମ ହେବ । ଫଳରେ ମା’ ଓ ଶିଶୁ ରୋଗ ବିଭାଗ ସେଠାରେ କାର୍ଯ୍ୟକ୍ଷମ ହେବ । ତଥାପି ପାଖରେ ଅର୍ଥ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅଯଥାରେ ଅର୍ଥ ଖର୍ଚ୍ଚ କରି ନୂତନ ନିର୍ମାଣ କାର୍ଯ୍ୟ ଚଳାଇଛି । ସେହିପରି କିଛି ମାସ ପୂର୍ବେ ୫ଟି ସଚିବଙ୍କ ଜିଲ୍ଲା ଚିକିତ୍ସାଳୟ ଗସ୍ତ ପାଇଁ ସେଠାରେ ଯେଉଁ ସବୁ ଟାଇଲ ପଡ଼ି ରାସ୍ତା ନିର୍ମାଣ କରାଯାଇଥିଲା, ନିମ୍ନମାନର କାର୍ଯ୍ୟ ଯୋଗୁଁ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି । ତେଣୁ ସ୍ୱାସ୍ଥ୍ୟ ବିଭାଗ କୌଣସି କାରଣରୁ ନୂତନ ନିର୍ମାଣକୁ ଗୁରୁତ୍ୱ ପ୍ରଦାନ କରି ଚାଲିଥିବାବେଳେ, ବହୁ ଲକ୍ଷ ଟଙ୍କା ବିନିମୟରେ ସ୍ଥାପନ ହୋଇଥିବା ଲିଫ୍ଟକୁ ସଜାଡ଼ିବାରେ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି କୁଣ୍ଠିତ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.