Home ଅନୁଗୁଳ ଅଗଷ୍ଟ ୧୭ରୁ ୨୩ ଯାଏଁ କଳମଛୁଇଁ ପଂଚାୟତ ସଟ୍ ଡାଉନ

ଅଗଷ୍ଟ ୧୭ରୁ ୨୩ ଯାଏଁ କଳମଛୁଇଁ ପଂଚାୟତ ସଟ୍ ଡାଉନ

123

ତାଳଚେର,୧୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବୈଶ୍ୱିକ ମହାମାରୀ କୋରୋନାର କ୍ରମବଦ୍ଧିଷ୍ଣୁ ସଂକ୍ରମଣ ଯୋଗୁଁ ତାଳଚେର ବ୍ଲକ ଏହାର ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି । ତାଳଚେର ବ୍ଲକ କଳମଛୁଇଁ ପଂଚାୟତର କେତେକ ବାସିନ୍ଦାଙ୍କ ଠାରେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ସ୍ଥାନୀୟ ସରପଂଚ ସ୍ୱାଗତିକା ବିଶ୍ୱାଳ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି କଳମଛୁଇଁ ପଂଚାୟତକୁ ଚଳିତ ମାସ ୧୭ ତାରିଖ ସୋମବାର ଅପରାହ୍ନ ୫ଟା ଠାରୁ ଚଳିତ ମାସ ୨୩ ତାରିଖ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝୀକା,କଳମଛୁଇଁ, ସତ୍ୟବାଦୀପୁର,ବୀରବରପୁର, ସୋଲଡା,ତେଲିପୁର,ଖୁରିଙ୍ଗା, ତିଳେଇପଶି, ସରାଙ୍ଗ, ଏକତାଳି ଆଦି ରାଜସ୍ୱ ଗ୍ରାମଗୁଡିକର ଜନସାଧାରଣ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହରକୁ ନ ବାହାରିବା ପାଇଁ ପଂଚାୟତ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହିତ ଗ୍ରାମର ପ୍ରମୁଖ ରାସ୍ତାଗୁଡିକ ସଂପୂର୍ଣ୍ଣ ବନ୍ଦ କରାଯିବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟବସ୍ଥାକୁ ପ୍ରାଥମିକତା ଦେଇ ପଂଚାୟତକୁ କୀଟାଣୁମୁକ୍ତ କରିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରଣୀତ କୋଭିଡ-୧୯ର ନିୟମାବଳୀକୁ ମାନି ଚଳିବା ସହ ସାମାଜିକ ଦୂରତା ବଜାୟ ରଖିବା,ମୁହଁରେ ମାସ୍କ ବ୍ୟବହାର କରିବା ଓ ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ପଂଚାୟତ ପକ୍ଷରୁ ସ୍ଥାନୀୟ ବାସିନ୍ଦାମାନଙ୍କୁ ପରାମର୍ଶ ଦିଆଯାଇଛି । ଏତଦ୍‌ବ୍ୟତୀତ ଶିଳ୍ପସଂସ୍ଥା ଓ କାରଖାନାରେ ଶତକଡା ୩୦ଭାଗ କର୍ମଚାରୀ କାର୍ଯ୍ୟ କରିବା ସହ ସମସ୍ତ ଔଷଧ ଦୋକାନ,ଜଳ ଯୋଗାଣ ଓ ପରିମଳ,ବିଦ୍ୟୁତ ଯୋଗାଣ ଓ ବଂଟନ, ଜରୁରୀ ସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଅତ୍ୟାବଶ୍ୟକ କ୍ରିୟାକଳାପ ଜାରି ରଖିପାରିବେ ବୋଲି ପଂଚାୟତ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍‌-୧୯ର ନିୟମ ଉଲଂଘନ କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଂଚ ଶ୍ରୀମତୀ ବିଶ୍ୱାଳ ନୋଟିସ୍ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.