Home ଓଡ଼ିଶା ସାତମହଲା ହସପିଟାଲ ବାହରକୁ ଚକାଚକ୍ ଭିତରେ ଫମ୍ପା: ନିମ୍ନମାନର କାମ ଯୋଗୁଁ କେବିନ୍ ରେ ଟାଇଲ...

ସାତମହଲା ହସପିଟାଲ ବାହରକୁ ଚକାଚକ୍ ଭିତରେ ଫମ୍ପା: ନିମ୍ନମାନର କାମ ଯୋଗୁଁ କେବିନ୍ ରେ ଟାଇଲ ଖସି ପସୂତୀ ମା’ ଆହତ ୮ ଦିନର ଶିଶୁ ପୁତ୍ର ଅଳ୍ପକେ ବର୍ତିଲା

925

ମାଲକାନଗିରି, ୭ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ସାତମହଲା ବିଶିଷ୍ଟ ହସପିଟାଲ ବାହରକୁ ଚକାଚକ୍ ଦେଖା ଯାଉଥିବାବେଳେ ମହାକାଳ ଫଳ ସଦୃଶ୍ୟ ଭିତରେ ଫମ୍ପା। ଏହି ହସପିଟାଲଟି ଉଦଘାଟନ ଦିନ ଠାରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଘା ନଥିବାରୁ ହସପିଟାଲରେ ବାରମ୍ବାର ଦୁର୍ଘଟଣା ଦେଖା ଦେଉଛି। ଆଜି ଏକ ବଡ ଦୁର୍ଘଟଣାରୁ ପସୂତୀ ମା’ ଓ ୮ ଦିନର ନବଜାତ ଶିଶୁ ପୁତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିମ୍ନମାନର କାମ ଯୋଗୁଁ ହସପିଟାଲ କେବିନ୍ କାନ୍ଥରୁ ଟାଇଲ ଖସି ପସୂତୀ ମା ଆହତ ହୋଇଥିବାବେଳେ ୮ ଦିନର ଶିଶୁ ପୁତ୍ର ଅଳ୍ପକେ ବର୍ତ୍ତି ଯାଇଛି। ମାଲକାନଗିରି ଜିଲ୍ଲା ନୂତନ ସାତ ମହଲା ବିଶିଷ୍ଠ ହସ୍ପିଟାଲର ଦୁଇମହଲାରେ ଥିବା ମା’ ଓ ପସୂତୀ ବିଭାଗର ୨ ନମ୍ବର କେବିନ୍ ରେ ରହି କାଲିମେଳା ବ୍ଲକସ୍ଥ ଏମଭି ୪୫ ଗ୍ରାମର ଦିପକ ମଣ୍ଡଳଙ୍କ ପତ୍ନୀ ଗାୟତ୍ରୀ ମଣ୍ଡଳ ଓ ତାଙ୍କ ନବଜାତ ୮ ଦିନର ଶିଶୁପୁତ୍ର ଚିକିତ୍ସିତ ହେଉଥିଲେ। ଆଜି ସକାଳେ ମା’ ଓ ଶିଶୁ ପୁତ୍ର ହସପିଟାଲ ବେଡରେ ଶୋଇଥିବା ସମୟରେ ହଟାତ କେବନ ଭିତର କାନ୍ଥରୁ ଟାଇଲ୍ ଗୁଡିକ ବେଡ୍ ଉପରେ ଖସି ପଡିଯାଇଥିଲା। ସଙ୍ଗେସଙ୍ଗେ ଗାୟତ୍ରୀ ନିଜ ଶିଶୁପୁତ୍ରକୁ ବଚାଂଇବା ପାଇଁ ପୁତ୍ରଉପରେ ଟାଇଲ ପଡିବା ଆଗରୁ ସେ ଚିତ୍କାର କରି ହାତଦେଇ ଘୋଡାଇ ପକାଇଥିଲେ। ତଥାପି ବଡ ବଡ ଟାଇଲଗୁଡିକ ଗାୟତ୍ରୀଙ୍କ ହାତଉପରେ ପଡିଯିବାରୁ ତାଙ୍କ ହାତ ଖଣ୍ଡିଆ ହୋଇଯାଇଥିଲା। ପାଖ କେବିନରେ ରହୁଥିବା ଏମଭି ୯ ଗ୍ରାମର ଅନ୍ୟଜଣେ ପସୂତୀଙ୍କ ସ୍ୱାମୀ ପାର୍ଥ ବିଶ୍ୱାସ ଡିୟ୍ୟୁଟିରେ ଥିବା ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଡାକ ପକାଇଥିଲେ। କେବିନକୁ ଡିୟ୍ୟୁଟିରେ ଥିବା ଷ୍ଟାପ ନର୍ସ ସୁଚିତ୍ରା ରାଉତ, ଅନ୍ୟାନ୍ୟ ମେଡିକାଲ ଷ୍ଟାପ ଓ ପାର୍ଥ ବିଶ୍ୱାସ ଓ ଗାୟତ୍ରୀଙ୍କ ବାପା ଗୌରାଙ୍ଗ ବିଶ୍ୱାସ, ମା’ ପୂର୍ଣ୍ଣିମା ବିଶ୍ୱାସ, ଶାଶୁ ସେଠାରେ ପହଁଚି ଗାୟତ୍ରୀ ଓ ତାଙ୍କ ଶିଶୁପୁତ୍ରଙ୍କୁ ଟାଇଲ ଭିତରୁ ଉଦ୍ଧାର କରିଥିଲେ। ତୁରନ୍ତ ଷ୍ଟାପନର୍ସ ଡାକ୍ତରଙ୍କୁ ଡାକି ଗାୟତ୍ରୀ ଓ ତାଙ୍କ ଶିଶୁପୁତ୍ରକୁ ଜେନରାଲ ୱାର୍ଡକୁ ସ୍ଥାନାନ୍ତରିତ କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ଟାଇଲ ପଡି ହାତଖଣ୍ଡିଆ ହୋଇଥିଲେ ମଧ୍ୟ ଗାୟତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୮ ଦିନର ଶିଶୁ ପୁତ୍ର ଅଳ୍ପକେ ବର୍ତି ଯାଇଛନ୍ତି। ଏହି ସାତମହଲା ନୂତନ ହସପିଟାଲ ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବାରୁ ବାରମ୍ବାର କାନ୍ଥରୁ ତ ଆଉ କେତେବେଳେ ଛାତରୁ ଟାଇଲ ଖସିପଡୁଛି, ଗତ ସପ୍ତାହକ ତଳେ ୫ ମହଲାରେ ଥିବା ଚକ୍ଷୁ ବିଭାଗର ଓଟି ରେ ଅପରେସନ ଚାଲିଥିବା ସମୟରେ ସେହି ମହଲାରେ ପାଟିସନ ହୋଇିଥିବା କାଠର ବାଢାଗୁଡିକ ଜଣେ ୧୨ବର୍ଷର ବାଳକ ଉପରେ ପଡିଯାଇଥିଲା, ସେ ପାଟିସନ ତଳେ ଚାପି ହୋଇ ଚିତ୍କାର କରିବାରୁ ତାକୁ ହସପିଟାଲ କର୍ମଚାରି ମାନେ ଉଦ୍ଧାର କର ଚିକିତ୍ସା କରି ଭଲକରିଥିଲେ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱଦେଇ ମାଗଣାରେ ରୋଗୀଙ୍କୁ ଅତ୍ୟାଧୁନିକ ଶୈଳୀରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଯିବାପାଇଁ ମାଲକାନଗିରି ଜିଲ୍ଲାରେ ୫୦ କୋଟି ଟଙ୍କା ବ୍ୟୟରେ ସାତ ମହଲା କୋଠାରେ ନୂତନ ଜିଲ୍ଲା ହସପିଟାଲକୁ ଗତ ଜୁଲାଇ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲା କି ଅନ୍ୟାନ୍ୟ ଜିଲ୍ଲାରେ ଏହି ଭଳି ସାତମହଲା ବିଶିଷ୍ଟ ହସପିଟାଲ ନଥିବା ବେଳେ ଏହା ମାଲକାନଗିରି ଜିଲ୍ଲାରେ ହୋଇଥିବାରୁ ଉତ୍ତମ ଚିକିତ୍ସା ପାଇବା ଆଶାରେ ଜିଲ୍ଲା ବାସୀ ବହୁତ ଖୁସି ହୋଇ ଯାଇଥିଲେ। ହେଲେ ସେମାନଙ୍କ ଆଶା ଆଶାରେ ହିଁ ରହିଯାଇଛି। ହସପିଟାଲ ବାହରକୁ ଚକାଚକ ଦେଖା ଯାଉଥିବାବେଳେ ନିମ୍ନ ମାନର କାମ ଯୋଗୁଁ ମହାକାଳଫଳ ପରି ଭିତରଟି ଫମ୍ପା ପାଲଟିଛି। ସାତ ମହଲା କୋଠାର ୬ ମହଲା ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ବିଭିନ୍ନ ବିଭାଗର ୱାର୍ଡ ରଖାଯାଇଛି। ତଳ ମହଲାରୁ ୭ମହଲାକୁ ଯିବାପାଇଁ ହସପିଟାଲରେ ୫ଟି ଲିଫ୍ଟ ବ୍ୟବସ୍ଥା ରହିଛି। ହେଲେ ଗତ କିଛି ଦିନହେଲା ୪ଟି ଲିଫ୍ଟ ଅଚଳ ହୋଇ ଯାଇଥିବାରୁ ଛଅମହଲା, ସାତ ମହଲାକୁ ରୋଗୀଙ୍କୁ ନେବା ଆଣିବା ପାଇଁ ସେମାନଙ୍କ ସଂପର୍କିୟ ମାନେ ନାହିଁ ନଥିବା ହଇରାଣ ହେବା ସହିତ ହିନସ୍ତା ହେଉଛନ୍ତି। ଏମିତିକି ପାହଚରେ ଚଢି ଯିବା ରୋଗୀମାନଙ୍କ ପକ୍ଷେ ସମ୍ଭବ ହେଉନଥିବା ବେଳେ ରାମ୍ପରେ ଗୁରୁତର ରୋଗୀଙ୍କୁ ନେବାକୁ ହେଲେ ହୁଇଲ ଚେୟାର ଟିଏ ନହିଁକି କି ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ କେହି କର୍ମଚାରି ମଧ୍ୟ ନାହାଁନ୍ତି। ଠିକ ସେହିପରି ରାତ୍ରରେ ସାତମହଲା କୋଠା ବିଶିଷ୍ଟ ହସପିଟାଲରେ ଜଣେ ମାତ୍ର ଡାକ୍ତର କାଜୁଆଲ୍ଟି ବିଭାଗ ତଳେ ରହୁଛନ୍ତି, ଉପର ୬ ମହଲାରେ ରୋଗୀଙ୍କର କୌଣସି ଅସୁବିଧା ହେଲେ ଠିକ ସମୟରେ ଡାକ୍ତର ମାନେ ପହଁଚି ପାରୁନଥିବାରୁ ରୋଗୀମାନେ ମୃତ୍ୟୁ ମୁଖରେ ପଡିବାର ବହୁତ ସମ୍ବାବନା ରହିଛି। ହସପିଟାଲ ଉଦଘାଟନି ମାତ୍ର ୯ ମାସ ହୋଇଥିଲେ ମଧ୍ୟ ହସପିଟାଲର କାନ୍ଥ, ଛାତ ଫାଟି ପାଣି ଗଳିବା ଆରମ୍ଭ ହୋଇଗଲାଣି ତ ଆଉ କେଉଁଠି ଚଟାଣ, ବାରଣ୍ଡାରୁ ଟାଇଲ ଭାଙ୍ଗିଗଲାଣି। ଲିଫ୍ଟ ଅଚଳ ହେଇପଡିଲାଣି, ହସପିଟାଲର ଭିତ୍ତିଭୂମି ଠିକ ନଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ନ ଥିବାରୁ ସାତମହଲା ବିଶିଷ୍ଟ ହସପିଟାଲ ଓ ସ୍ୱାସ୍ଥ୍ୟ ସେବା ପରିଚାଳନାରେ ବ୍ୟାଘାତ ଘଟିଛି। ନୂତନ ସାତମହଲା ହସପିଟାଲଟି ତରବରିଆ ଭାବେ ନିମ୍ନମାନର କାମହୋଇ ନିର୍ମାଣ ହୋଇଥିବାରୁ କେଉଁଠି କାନ୍ଥ ଫାଟିଲାଣିତ, ଆଉ କେଉଁଠି ଟାଇଲ ଭାଙ୍ଗିଗଲାଣି। ପାଣିଟାଙ୍କିରୁ ପାଣି ଅବନବରତ ଗଳୁଥିବାରୁ ଅଧିକାଂଶ ସମୟରେ ହସପିଟାଲରେ ପାନୀୟଜଳର ଅଭାବ ଦେଖାଦେଇଛି। ଅନେକ ରୁମରେ ଫ୍ୟାନ, ଲାଇଟ ମଧ୍ୟ ନଥିବାର ଦେଖିବାକୁ ମିଳିଛି। ବିଭିନ୍ନ ଓ୍ୟାର୍ଡରେ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନଙ୍କ ପାଇଁ ବିଶ୍ରାମ କୋଠରୀ ଚେୟାର ଟିଏ ନଥିବାରୁ ରୋଗୀ ମାନେ ବହୁକଷ୍ଟରେ ତଳେ ଚଟାଣରେ ବସୁଛନ୍ତି। ନୂତନ ହସପିଟାଲ ଗୃହନିର୍ମାଣ ସମୟରେ ଅନଭିଜ୍ଞ ଯନ୍ତ୍ରୀ ଓ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ହସପିଟାଲର କୋଠରୀଗୁଡିକ ଠିକ ଭାବେ ହୋଇନାହିଁ। ଡାକ୍ତରଖାନା ମୁଖ୍ୟ ଦ୍ୱାର ନିକଟରେ କାଜୁଆଲ୍ଟି, ଡ୍ରେସିଂ ରୁମ, ଅଶୁଂଘାତ ଚିକିତ୍ସା କୋଠରୀ ରହିବା ବଦଳରେ ସେଗୁଡିକ ଦୂରରେ ରଖାଯାଇ ଥିବାରୁ ରୋଗୀମାନେ ହଟାତ ଜାଣିପାରୁନାହାଁନ୍ତି। ପାନୀୟ ଜଳ ପାଇଁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପାଇପ ଗୁଡିକ ନିମ୍ନମାନର ହୋଇଥିବାରୁ ଅଧିକାଂଶ ପାଇପ ଟେପ ଗୁଡିକ ଭାଙ୍ଗିଗଲାଣି, ପାଇଖାନା ପାଇପ ଗୁଡିକ ଲିକ ହୋଇ ମଇଲାପାଣି ଡାକ୍ତରଖାନା କୋଠରୀ ମଧ୍ୟକୁ ପସି ଯାଉଛି। ୫୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ହସପିଟାଲ ସାତ ମହଲା କୋଠାଟି ବାହାରକୁ ଚକାଚକ ଦେଖା ଯାଉଥିବାବେଳେ ଭିତରଟି ଫମ୍ପା ମହାକାଳଫଳ ବୋଲି ରୋଗୀମାନେ କହୁନ୍ତି। ଏବେ ନାହିଁ ନାହିଁରେ ଚାଲିଛି, ଡାକ୍ତର, ନର୍ସ ଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ସାଙ୍ଗକୁ ହସପିଟାଲରେ ନାନା ପ୍ରକାର ସମସ୍ୟା ଦେଖା ଦେଇଥିବାରୁ ରୋଗୀଙ୍କ ଭରସା ଭଗବାନ ପାଲଟିଛନ୍ତି। ହସପିଟାଲରୁ ଟାଇଲ ଖସିବା ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଏ ସଂପର୍କରେ ତଦନ୍ତ କରି ମୁଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛି, ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ସାହୁଙ୍କୁ ପ୍ରତିକ୍ରୀୟା ନେବାରୁ ସେ କହିଥିଲେ ହସପିଟାଲକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ହସପିଟାଲ ନିର୍ମାଣ କରିଥିବା ଭୁବନେଶ୍ୱର ଡିଭାଇନ କନଷ୍ଟ୍ରକସନ ସଂସ୍ଥା ଠିକାଦାରଙ୍କୁ ବିଭାଗ ପକ୍ଷରୁ ଚିଠିପଠା ଯାଇଛି। ସେ ମାଲକାନଗିରିରେ ପହଁଚି ହସପିଟାଲରେ ଲାଗିରହିଥିବା ଅବ୍ୟବସ୍ଥାକୁ ଖୁବ ଶୀଘ୍ର ସଜାଡି ଦେବେ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ହସପିଟାଲରେ ଏହି ପରି ଅବ୍ୟବସ୍ଥା ଲାଗରହିଲେ ଜିଲ୍ଲା ବାସୀ ବାଧ୍ୟ ହୋଇ ଆଗାମି ଦିନରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ସହରର କିଛି ଯୁବକ ଓ ବୁଦ୍ଧିଜୀବୀ ମାନେ ତାଙ୍କ ପ୍ରତିକ୍ରୀୟାରେ ଜଣାଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.