Home ଓଡ଼ିଶା ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ : ବିଜେପି-ବିଜେଡି ମଧ୍ୟରେ କଡ଼ା ମୁକାବିଲା

ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ : ବିଜେପି-ବିଜେଡି ମଧ୍ୟରେ କଡ଼ା ମୁକାବିଲା

708

ସମ୍ବଲପୁର, ୧୯ା୪(ଓଡ଼ିଆ ପୁଅ)-ଆସନ୍ତା ୨୩ତାରିଖରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅନୁଷ୍ଠିତ ହେବ। ୧୮୯ବୁଥ୍ ରେ ୨ଲକ୍ଷ ୦୯ହଜାର ୪୮୬ଜଣ ଭୋଟ୍ ର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୦୫ହଜାର ୮୪୭ଜଣ ପୁରୁଷ, ୧ଲକ୍ଷ ୦୩ହଜାର ୫୯୬ଜଣ ମହିଳା ଓ ୪୩ଜଣ ଅନ୍ୟାନ୍ୟ ଭୋଟ୍ ର ଅଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ପଶ୍ଚିମ ଓଡିଶାର ପ୍ରମୁଖ ସ୍ଥାନ ଭାବେ ପରିଚିତ। ସମ୍ବଲପୁର, ବୁର୍ଲା ଓ ହୀରାକୁଦକୁ ନେଇ ଏହି କ୍ଷେତ୍ର ଗଠିତ। ନିର୍ବାଚନକୁ ଆଉ ୩ଦିନ ଥିବା ବେଳେ ପ୍ରଚାରପ୍ରସାର ଜୋର ଧରିଛି। ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ସୋ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ସଂକଳ୍ପ ସଭା ପରେ ଦଳୀୟ କର୍ମୀ ମାନେ ବେଶ୍ ଉତ୍ସାହିତ ହୋଇଛନ୍ତି। ସେହିପରି ଆସନ୍ତା ୨୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଞ୍ଚଳରେ ମାରାଥନ ପ୍ରଚାର କରିବେ। ୨ଦଳର ହେଭିୱେଟ୍ ନେତାଙ୍କ ପ୍ରଚାର ପରେ ଶିକ୍ଷିତ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ତେବେ ୨ଟି ପର୍ଯ୍ୟାୟ ମତଦାନ ପରେ ୩ଦଳର ପ୍ରମୁଖ ନେତା ମାନେ ସମ୍ବଲପୁରରେ ଆସି ଡେରା ପକାଇଲେଣି। ଭୋଟରଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଦଳ ସପକ୍ଷରେ ଆଣିବାକୁ ପ୍ରୟାସ କରୁଛନ୍ତି। ଅନ୍ୟପଟେ ରାଜନୈତିକ ଉଷ୍ମତା ଧିରେଧିରେ ବଢୁଥିଲେ ସୁଦ୍ଧା ସ୍ପଷ୍ଟ ସଙ୍କେତ ଏପର୍ଯ୍ୟନ୍ତ ମିଳିପାରୁନାହିଁ। ଚଳିତ ନିର୍ବାଚନରେ ୭ଜଣ ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଂଗ୍ରେସର ଡା. ଅଶ୍ୱିନୀ ପୂଜାହାରୀ, ଭାଜପାର ଜୟନାରାୟଣ ମିଶ୍ର, ବହୁଜନ ସମାଜବାଦୀ ପାର୍ଟିର ଦିଲ୍ଲୀପ ସିଂ, ବିଜେଡିର ଡା. ରାସେଶ୍ୱରୀ ପାଣିଗ୍ରାହୀ, ସ୍ୱାଧିନରେ ଜୟଶ୍ରୀ ମିଶ୍ର, ପ୍ରଜ୍ଞା ପଟ୍ଟନାୟକ ଓ ଜୟବ୍ରତ ଦେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଗତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୭୨ ହଜାର ୯୧୬ ଜଣ ଭୋଟରଙ୍କ ମଧ୍ୟରୁ ୬୫.୪୫ ପ୍ରତିଶତ ମତଦାନ କରିଥିଲେ। ବିଜେଡ଼ିର ଡ଼ା. ରାସେଶ୍ୱରୀ ପାଣିଗ୍ରାହୀ ୯ହଜାର ୯୫୮ ଭୋଟ ବ୍ୟବଧାନରେ ବିଜେପିର ଜୟନାରାୟଣ ମିଶ୍ରଙ୍କୁ ହରାଇଥିଲେ। ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ଏଥିରେ ବିଜେଡ଼ିକୁ ୪୮ ହଜାର ୩୬୨ ବା ୪୨.୭୩ ପ୍ରତିଶତ, ବିଜେପିକୁ ୩୮ହଜାର ୪୦୪ ଅର୍ଥାତ ୩୩.୯୪ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ସୁରେଶ୍ୱର ମିଶ୍ରଙ୍କୁ ୧୯ ହଜାର ୨୦ ଖଣ୍ଡ ବା ୧୬.୮୧ ଶତକଡ଼ା ଭୋଟ ମିଳିଥିଲା। ଚଳିତ ନିର୍ବାଚନରେ ବିଜେଡି ପୁଣି ଡ଼ା. ରାସେଶ୍ୱରୀ ଓ ବିଜେପି ଜୟନାରାୟଣଙ୍କୁ ପ୍ରାର୍ଥୀ କରିଛି। ବିଜେପି ନେତା ଜୟନାରାୟଣ ମିଶ୍ର ୨୦୦୦ ଓ ୨୦୦୪ରେ ବିଜେଡ଼ି-ବିଜେପି ମେଣ୍ଟ ଏବଂ ୨୦୦୯ରେ ବିଜେପି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ଥର ନବାଗତା ଡ଼ା. ରାସେଶ୍ୱରୀ ଏହି ଧାରାକୁ ରୋକିବାରେ ସଫଳ ହୋଇଥିଲେ। ଚଳିତ ଥର ଡ଼ା. ଅଶ୍ୱିନୀ ପୂଜାହାରୀ ହଠାତ୍ ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତାଫା ଦେଇ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦୀତା କରୁଛନ୍ତି। ଦୁର୍ନୀତି ବିରୋଧରେ ସେ ପ୍ରାର୍ଥୀ ହୋଇଥିବା କଥା କହୁଥିବା ବେଳେ ଦଳୀୟ ଜନାଧାର ହ୍ରାସ ପାଇଥିବାରୁ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ସ୍ୱାଭାବିକ ଅଟେ। ପୂର୍ବ ନିର୍ବାଚନ ତୁଳନାରେ ଗତ ଥର କଂଗ୍ରେସର ଭୋଟ ପ୍ରାୟ ୧୦ହଜାର ହ୍ରାସ ପାଇଥିଲା। ଏହି ପୃଷ୍ଠଭୂମିରେ ତାଙ୍କୁ କଂଗ୍ରେସର ପାରମ୍ପାରିକ ଭୋଟର ସୁରକ୍ଷା କରିବାକୁ ପଡ଼ିବ। ସେ ନିଜେ ଦଳର ଲୋକସଭା ପ୍ରାର୍ଥୀଙ୍କ ସହ ପ୍ରଚାରରେ ଲାଗିଛନ୍ତି। ଦଳର ଇସ୍ତାହାର ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଭଳି ମୌଳକ ସୁବିଧା ପ୍ରଦାନ ତାଙ୍କ ମୁଖ୍ୟ ଏଜେଣ୍ଡା ହୋଇଛି। ଏଣେ ଚଳିତ ନିର୍ବାଚନ ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନରେ ପରିଣତ ହୋଇଛି। ବିଜେପି ଗଡ଼ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଛି। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ସହିତ ପ୍ରାର୍ଥୀ ଜୟନାରାୟଣଙ୍କ ସଙ୍ଗଠନକୁ ଆଧାର କରି ବିଜେପି କର୍ମୀ ମାନେ ପ୍ରଚାର ଅଭିଯାନ ଚାଲୁ ରଖିଛନ୍ତି। ବିଜେଡି ଗତ ୫ବର୍ଷରେ ବିକାଶର ଲମ୍ବା ଲିଷ୍ଟ ନେଇ ନିର୍ବାଚନ ଲଢୁଥିବା ବେଳେ ଅନ୍ୟ ପ୍ରମୁଖ ଦଳ ସହରରେ ଜଣ୍ଡିସ୍, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଗୁଣ୍ଡାରାଜ୍, ପିିସି କାରବାର, ଫ୍ଲାଏଓଭର ନିର୍ମାଣରେ ବିଳମ୍ବତାକୁ ମୁଦ୍ଧା କରି ଭୋଟ୍ ଭିକ୍ଷା କରୁଛନ୍ତି। ଡ୍ରେନ୍ ଓ ରାସ୍ତା ନିର୍ମାଣ ବିକାଶ ନୁହେଁ। କେନ୍ଦ୍ର ସରକାରଙ୍କ ଟଙ୍କାରେ ସହରର ବିକାଶ ହୋଇଥିବା ବେଳେ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳୁଛି। ସହରରେ ମୋଦି ଲହର ଥିବାରୁ ଏହା ବିଜେପିର ବିଜୟରେ ସହାୟକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସେହିପରି ବିଜେଡି ବିଜୟ ଧାରାକୁ ବଜାୟ ରଖିବ ବୋଲି ପ୍ରାଣପଣେ ଚେଷ୍ଟା ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.