ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ରଥସେବା ନିଯୋଗ

– ଦେବପ୍ରସାଦ ମିଶ୍ର
ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟାଠାରୁ ନଅଦିନ ପର୍ଯ୍ୟନ୍ତ ଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ।ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ବିଜେ କରନ୍ତି। ଆଷାଢ ଶୁକ୍ଳ ଦଶମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ। ଏହି ଦିବସରେ ଜୀଉମାନଙ୍କୁ ତବଶ କରାଯିବା ପରେ ଶ୍ରୀଜଗନ୍ନାଥଙ୍କୁ ଆଣି ଗୁଣ୍ଡିଚା ମଣ୍ଡପ ନିକଟରେ ଦକ୍ଷିଣାଭିମୁଖୀ କରି ବିଜେ କରାଯାଏ। ଏଠାରେ ଦକ୍ଷିଣାଭିମୁଖୀ ବନ୍ଦାପନା କରାଯାଏ। ପହଣ୍ଡି ପରେ ଜଗନ୍ନାଥଙ୍କୁ ରଥରେ ବିଜେ କରାଯାଇଥାଏ। ଏଠାରେ ମଧ୍ୟ ଦକ୍ଷିଣାମୂର୍ତ୍ତି ବନ୍ଦାପନା କରାଯାଇଥାଏ। ଯାତ୍ରା ଭାଗବତ କୁହେ – ପ୍ରତ୍ୟାଗମନ ଦିବସେ ନିତ୍ୟଂ ପୂଜାନନ୍ତରଂ ଦେବଂ ସଜ୍ଜୀକୃତ୍ୱା ସଂପୂଜୟେତ୍। ତତୋ ଜଗନ୍ନାଥ ଦେବ ମାନୀୟ ଗୁଣ୍ଡିଚା ମଣ୍ଡପ ସମୀପେ ଦକ୍ଷିଣାଭିମୁଖେନ ବହି ସ୍ଥାପୟେତ୍। ତତ୍ର ଦକ୍ଷିଣାଭିମୂର୍ତ୍ତି ବନ୍ଦାପନା କୁର୍ଯ୍ୟାତ୍। ତତୋ ମଣ୍ଡପସ୍ୟ ଦକ୍ଷିଣପାଶ୍ୱେର୍ ଦେବମାନୀୟ ରଥସ୍ୟ ଦକ୍ଷିଣପାର୍ଶେ ନୀତ୍ୱ। ରଥସ୍ୟୋ ପରି ଦକ୍ଷିଣାଭିମୂଖେନ ବହଃ ସ୍ଥାପୟେତ୍। ତତ୍ର ଦକ୍ଷିଣାମୂର୍ତ୍ତି ବନ୍ଦାପନା କୃତ୍ୱା ରଥ ମଧ୍ୟେ ସଯତାପୟେତ୍। – ଯାତ୍ରା ଭାଗବତ ଏହି ବାହୁଡା ଯାତ୍ରାରେ ଶ୍ରୀଜଗନ୍ନାଥାଦି କ୍ରୟ ଦେବତା ରଥରେ ଦକ୍ଷିଣାଭିମୁଖୀ ହୋଇ ବିଜେ କରି ଶ୍ରୀମନ୍ଦିରକୁ ବାହୁଡି ଆସନ୍ତି। ଏଣୁ ବାହୁଡା ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ଶ୍ରୀ ପୁରୁଷୋତ୍ତମ ମାହାତ୍ମ୍ୟ ମତ ଦିଏ।

ଦକ୍ଷିଣାଭିମୂଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭ।
କାର୍ଯ୍ୟା ପ୍ରଯତ୍ନତଃ ସାହି ଭକ୍ତିଶ୍ରଦ୍ଧା ସମନ୍ୱିତୈଃ।
ଯଥା ପୂର୍ବା ତଥଚେୟଂ ତେ ବିମ୍ୟୁନ୍ତି ପ୍ରଦାୟିକେ।ା

ରଥ ଯାତ୍ରା ଓ ରଥ ତିଆରିକୁ ନେଇ ରଥ ସଂହିତା ଓ ଅନେକ ପୋଥି ପୁରାଣ, ମାଦଳାପାଞ୍ଜି.ଗବେଷକ ପଣ୍ଡିତ ଶଦାଶିବ ରଥଶର୍ମା, ଗୋପାଳକୃଷ୍ଣ ଦାସ, ସୂର୍ଯ୍ୟନାରାୟଣ ରଥଶର୍ମା, ପଙ୍କଜ ସାହୁ, ଆଶୁତୋଷ ନାୟକ, ବଳରାମ ପଟ୍ଟନାୟକ, ସ୍ୱର୍ଗତ ଜଗବଂଧୁ ସିଂହ, ପ୍ରମୁଖ ଅନେକ ଗବେଷଣା ମୂଳକ ପ୍ରବନ୍ଧ ସନ୍ଦର୍ଭ ରଚନା କରିଯାଇଛନ୍ତି, ରଥସେବା ନିଯୋଗ ଉପରେ ଓ ରଥ ତିଆରିରେ ଶ୍ରୀ ମନ୍ଦିର ନିର୍ମାଣ ଶୈଳୀକୁ କିପରି ମହାରଣାମାନେ ଅନୁକରଣ କରି ରଥ ଗଢନ୍ତି ତାର ମଧ୍ୟ ବିଭିନ୍ନ ପୋଥିରୁ ଚିତ୍ର ସମ୍ବଳିତ ତାଳ ପତ୍ର ପୋଥିକୁ ଦେଖି ପଢି ତାକୁ ରଥ ନିର୍ମାଣରେ ଲଗାଇଥାନ୍ତି ଯାହାକି ଆଜିର ସ୍ଥପତି ଓ ଇଞ୍ଜିନିୟରମାନଙ୍କୁ ବିସ୍ମିତ କରେ। କ୍ଷେତ୍ରରାଜ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ବିରାଜିତ ଦେବରାଜ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ନିର୍ବାହ ନିମିତ୍ତ ଅସଂଖ୍ୟ ସେବାୟତ ସର୍ବଦା ସେବାନିରତ ଥାଆନ୍ତିା ଶ୍ରୀଜଗନ୍ନାଥଙ୍କ ସାନ୍ନିଧ୍ୟ ଲାଭକରି ଶ୍ରୀକ୍ଷେତ୍ରର ପ୍ରତିଟି ଧୂଳିକଣା ଯେପରି ପବିତ୍ରିତ ବୋଧହୋଇଥାନ୍ତି ; ସେହିପରି ଶ୍ରୀଜିଉଙ୍କ ଆନନ୍ଦ ନିମିତ୍ତ ବର୍ଷ ମଧ୍ୟରେ ଅନୁଷ୍ଠିତ ତ୍ରୟୋଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠତମ ଯାତ୍ରା ଶ୍ରୀ ଗୁଣ୍ଡିଚା ଉପଲକ୍ଷେ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥାରୋହଣ କଲାପରେ ରଥ ଓ ରଥପଥ ମଧ୍ୟ ଦେବତାର ପ୍ରାଧାନ୍ୟ ଲାଭ କରିଥାନ୍ତି। ଏହି ପ୍ରସଙ୍ଗରେ ଯଥାର୍ଥରେ କୁହାଯାଇଛି –

ରଥବୋଲେ ବଡ ମୁହିଁ ପଥବୋଲେ ମୁହିଁ
ଅଲେକ୍ଷ୍ୟେ ହସନ୍ତି ବସି ବ୍ରହ୍ମାଣ୍ଡ ଗୋସାଇଁ।ା

ରଥପଥ ବଡଦାଣ୍ଡ ଧୂଳିରେ ଅବଗାହନ କରି ପାପ କ୍ଷାଳନ ଜନିତ ଆନନ୍ଦରେ ଭକ୍ତପ୍ରାଣ ଉଦ୍ବେଳିତ ହେବା ସଙ୍ଗେ ସଙ୍ଗେ ରଥରେ ଶିର ଲଗାଇ ଶ୍ରୀଅଙ୍ଗ ସ୍ପର୍ଶାଇ ଅନୁଭୂତିରେ ଭକ୍ତମନ ପୁଲ୍ଲକିତ ହୋଇଉଠେ। ଭକ୍ତ ରଥନିର୍ମାଣ ନିମିତ୍ତ ଯେଉଁ ନୀତି ନିପୁଣ ଦକ୍ଷ ସେବାୟତମାନେ ଶୁଚିନିଷ୍ଠ ଭାବେ ସ୍ୱୀୟ ଶ୍ରମ ବିନିଯୋଗରେ ମହାପ୍ରଭୁଙ୍କର ରଥଯାତ୍ରାକୁ ମହନୀୟ ତଥା ରାଜକୀୟ କରି ଚଢି ତୋଳିଛନ୍ତି, ସେହିମାନେ ହିଁ ଉକ୍ତ ଶାସ୍ତ୍ରାନୁମୋଦିତ ମହାନ ଯାନର ସ୍ରଷ୍ଟା ଅଟନ୍ତି। ଶଂସିତ ପ୍ରବନ୍ଧରେ ସେହି ସେବାୟତମାନଙ୍କର ସେବା ତଥା କାର୍ଯ୍ୟାବଳୀର ବିଷଦ ଆଲୋଚନା କରାଯାଉଅଛି। ମହାରାଣୀ ଗୁଣ୍ଡିଚାଙ୍କ ଅନୁରୋଧରେ ଜନ୍ମବେଦୀକୁ ଯାତ୍ରା କରିବା ପାଇଁ ଶ୍ରୀଜଗନ୍ନାଥ ଇଚ୍ଛାପ୍ରକାଶ କରିବାରୁ ତାଙ୍କର ଆଦେଶରେ ପ୍ରାଗୈତିହାସିକ ଯୁଗରେ କିମ୍ବଦନ୍ତୀର ସମ୍ରାଟ ଇନ୍ଦ୍ରଦ୍ୟୁମ୍ନ ନୂତନ ରଥ ନିର୍ମାଣର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲେ। ଶ୍ରୀ ଜଗନ୍ନାଥ ଚେତନାର ଉଭବ ନିମିତ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ( କ୍ଷତ୍ରିୟ ) ପୁରୋହିତ ବିଦ୍ୟାପତି ( ବ୍ରାହ୍ମଣ ) ବିଶ୍ୱକର୍ମା ଅନନ୍ତ ମହାରଣା ( ବୈଶ୍ୟ ) ଓ ଶବର ରାଜା ବିଶ୍ୱାବସୁ (ଶୁଦ୍ର) ପ୍ରଭୃତିଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ପ୍ରଥମେ ଏହି ୪ ଜଣଙ୍କ ସମ୍ମିଳିତ ଉଦ୍ୟମରେ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସମ୍ପାଦିତ ହେଉଥିଲା। ବିଗ୍ରହ ତଥା ରଥ ନିର୍ମାଣ ନିମିତ୍ତ ବିଶ୍ୱକର୍ମା ବା ମହାରଣାମାନଙ୍କ ଅବଦାନ ଅନ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ। କିମ୍ବଦନ୍ତୀ ଅନୁଯାୟୀ ରଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କଠାରୁ ସେଥିପାଇଁ ବରଭିକ୍ଷା କରିଥିଲେ ଯେ,

ମୋ ବଂଶ ପଛେ ନାଶ ଯାଉ
ବୁଢା ବଢେଇ ବଂଶ ଥାଉ।ା
ଏହା ବୁଢା ବଢେଇର ବଂଶ ସେହିକାଳରୁ ଅଛି ଓ ନବ କଳେବର ସମୟରେ ତିନି ଠାକୁରଙ୍କ ଶ୍ରୀଦାରୁମୂର୍ତ୍ତି ତଥା ପ୍ରତିବର୍ଷ ଗୁଣ୍ଡିଚା ଯାତ୍ରାକୁ ରଥ ନିର୍ମାଣ କରୁଅଛି। କେବଳ ବର୍ଦ୍ଧକୀ ନୁହନ୍ତି ରଥ ନିର୍ମାଣ ଓ ସଜ୍ଜୀକରଣର ମୁଖ୍ୟ ନାୟକ ହେଉଛନ୍ତି ରଥକାର। ଏମାନେ ପ୍ରଥମେ ସାତ ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ସେମାନଙ୍କୁ ସପ୍ତରଥକାର ବା ସପ୍ତନାୟକ କୁହାଯାଏ। ସେମାନଙ୍କ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା। ଯଥା –

୧. ଗୁଣାକାର ଏମାନେ ରଥର ତାଳମାନ ନିର୍ଦ୍ଧାରଣ କରନ୍ତି।
୨. ମୁଖ୍ୟ ରଥକାର ଏମାନେ ରଥର ମୁଖ୍ୟ ଅଂଶଗୁଡିକ ନିର୍ମାଣ କରନ୍ତି।
୩. ଲୌହକାର ଏମାନେ ରଥରେ ବ୍ୟବହୃତ ଚକାବଳା, କଣ୍ଟା ତିଆରି କରନ୍ତି।
୪. ଛନ୍ଦକାର ରଥକାଠମାନ କାନ୍ଧରେ ବୋହି ଛନ୍ଦ ଓ ଛେକାରେ ସଜାନ୍ତି।
୫. ରୂପକାର ଏମାନେ ସାରଥି ଅଶ୍ୱ ରଥପାଳ ରୂପ ଖୋଦନ କରନ୍ତି।
୬. ଚିତ୍ରକାର ଏମାନେ ରଥର ବିଭିନ୍ନ ଅଂଶ ଚିତ୍ରଣ କରନ୍ତି।
୭. ସୂଚିକାର ଏମାନେ କନାରେ ରଥର ମଣ୍ଡଣି ଚାନ୍ଦୁଆ ନେତ ତିଆରି କରନ୍ତି।

ଏକଦା ଉପର୍ଯୁ୍ୟକ୍ତ ରଥକାର ବା ନାୟକମାନଙ୍କୁ ନେଇ ସାତୋଟି ନିଯୋଗ ଗଠିତ ହୋଇଥିଲା। ପରବର୍ତ୍ତୀ କାଳରେ ଏମାନଙ୍କ ସହିତ ଜଉଶାଳିଆ ଓ ରଙ୍ଗତା ନାମରେ ଆଉ ଦୁଇଗୋଟି ନିଯୋଗ ଗଠିତ ହୋଇଥିଲା। ସେମାନେ ଯଥାକ୍ରମେ ଜଉଶାଳଦ୍ୱାରା ଅରଭୂଣ୍ଡି, ଝରା, କନକମୁଣ୍ଡାଇ ରଙ୍ଗ କରୁଥିଲେ ଓ ରାହୁମୁଣ୍ଡ, ହଂସ ଏବ ନବଗୁଞ୍ଜର ସଜାଉଥିଲେ। ଶ୍ରୀଜୀଉଙ୍କ ରଥଯାତ୍ରକୁ ସମଧିକ ସୂଶୃଙ୍ଖଳ ଓ ଆକର୍ଷଣୀୟ କରିବା ନିମିତ୍ତ ଗଜପତି ଅନଙ୍ଗଭୀମ ଦେବ ଯେଉଁ ଛତିଶା ନିଯୋଗ ଖଞ୍ଜିଥିଲେ ; ସେମାନେ ହେଲେ – ୧. ରଥକାର ନାୟକ, ୨. ତଳବଢେଇ, ୩. ଭାଇ ବଢେଇ, ୪. ରୂପ ଖଞ୍ଜାବଢେଇ, ୫. ମୁଣ୍ଡି ମରା ମହାରଣା, ୬. ତାମ୍ବରା ୭. କରତିଆ, ୮. ଗର ଗରିଆ, ୯. ଦିହୁଡିଆ, ୧୦. ପିଣ୍ଡିକିଆ, ୧୧. ଜଉ ଶାଳିଆ, ୧୨. ଖୁଣ୍ଟିଆ, ୧୩. ପହଣ୍ଡିଆ, ୧୪. ଦୋଳିଆ, ୧୫. ଜଗିଆ, ୧୬. କଡକାଠିଆ, ୧୭. ରଥ ଜଗିଆ, ୧୮. ରଥ ଘଣ୍ଟୁଆ, ୧୯. ରଥମୁଦୁଲି, ୨୦. ରଥ ବଜନ୍ତ୍ରୀ, ୨୧. ରଥ ଖରକା, ୨୨ . ରଥ ଦଳାଇ, ୨୩. ରଥଭୋଇ, ୨୪. ରଥପାଇକ, ୨୫. ଚୋପଦାର, ୨୬. ଚିତ୍ରକାର, ୨୭. ଧ୍ୱଜକାର, ୨୮. ଚିତ୍ରକାର, ୨୯.ଚକାଅସରପ ଯୋଗାଣିଆ, ୩୦. ଦରଜୀ, ୩୧. ସୁତୁଲୀ, ୩୨. କମାରକଣ୍ଟା, ୩୩. ଦଉଡି ବଳା, ୩୪. ଚାପଦଳାଇ, ୩୫. ବାଇଠାରୁ, ୩୬. ଡାହୁକ। ରଥ ନିର୍ମାଣ ତଥା ରଥଯାତ୍ରାନୁଷ୍ଠାନ ନିମିତ୍ତ ଗଜପତି ଅନଙ୍ଗଭୀମଦେବଙ୍କ ଉପଯୁକ୍ତ ସେବାୟତ ନିଯୁକ୍ତି ଏକ ଅର୍ବାଚୀନ ବ୍ୟବସ୍ଥା ହେଲେ ହେଁ ଏହା ଯେ ସର୍ବପ୍ରଥମ ବିଧିବଦ୍ଧ ବ୍ୟବସ୍ଥା ତାହା ଅନସ୍ୱୀକାର୍ଯ୍ୟ। ବର୍ତ୍ତମାନ ଆବଶ୍ୟକତା ବୋଧରୁ ଉକ୍ତ ଛତିଶା ନିଯୋଗ ଷଷ୍ଠୀଶା ନିଯୋଗରେ ଷାଠିଏରୁ ଉର୍ଦ୍ଧ ବିଭାଗରେ ପରିଣତ ହୋଇ ରଥଯାତ୍ରା ସମ୍ପାଦନ କରୁଛନ୍ତି। ନିମ୍ନରେ ସେମାନଙ୍କର ସଂକ୍ଷୀପ୍ତ ବିବରଣି ପ୍ରଦତ୍ତ ହେଲା। ଯଥା-

୧. ଅବିରଚଳା ନାୟକ-ଫାଲ୍ଗୁନ ଶୁକ୍ଳ ଦ୍ୱିତୀୟାରେ ଦଶପଲ୍ଲା ରାଜବାଟିକୁ ଦୋଳ ଅବିର ନେଇ ଯାଆନ୍ତି।
୨. କାଠକଟା ପାଇକ-ପୁରୀ ରାଜଦରବାରରୁ କାଠ ଯୋଗାଣ ନିମିତ୍ତ ହୁକୁମନାମା ନେଇ ଦଶପଲ୍ଲା ଯାଆନ୍ତି।
୩. ଚର୍ଚ୍ଚେଇତ ପାଇକ-ଶ୍ରୀଜଗନ୍ନାଥଙ୍କ ଧ୍ୱଜା, ଧଣ୍ଡାମାଳ ଓ ମହାପ୍ରସାଦ ନେଇ ଦଶପଲ୍ଲା ଓ ରଣପୁର ଅରଣ୍ୟ ନାୟକଙ୍କୁ କାଠ କାଟିବା ପାଇଁ ନିମନ୍ତ୍ରଣ କରନ୍ତି।
୪. କଟାଳିନାୟକ-ଉପଯୁକ୍ତ ଶୁଭଦିନ ଦେଖି ଅରଣ୍ୟରୁ କାଠ କାଟନ୍ତି।
୫. ପଟାଳି ଲେଙ୍କା-ଶ୍ରୀଜୀଉଙ୍କ ମହାପ୍ରସାଦ, ଖଣ୍ଡୁଆ ଓ ପତାକା ନେଇ ପୂର୍ବରୁ କାଠକଟା ସ୍ଥଳିକୁ ଯାଇଥାନ୍ତି।
୬. ଭେଳାଦଳାଇ ଶୁଭମୁହୁର୍ତ୍ତରେ କାଠଗୁଡିକୁ ସଂଯୋଗ ପୂର୍ବକ ଭେଳି ବାନ୍ଧନ୍ତି।
୭. ପଟାଳିଦଳାଇ-ଜଗନ୍ନାଥଙ୍କ ପତାକା ଦେଇ ନଈରେ ପଟାଳି ଛାଡନ୍ତି।
୮. ପଟାଳି ଘଣ୍ଟୁଆ ପଟାଳି ଉପରେ ବିଜେଘଣ୍ଟ ବଜାଇ ନଦୀ ପଥରେ ଆସନ୍ତି।
୯. କାଠ ଗଣତିଆ- କାଠପୋଲ ନିକଟସ୍ଥ ହୁଳୁହୁଳିଆ ଘାଟରେ ପଟାଳି ଲାଗିଲେ ଗଣତି କରି କୂଳରେ କାଠ ସଜାଇ ରଖନ୍ତି।
୧୦. ପଟାଳି ଜଗଆ-କାଠ ଗଣି ରୋକଦାଣ୍ଡରେ ବାନ୍ଧନ୍ତି ଓ ନଈରେ ଭାସି ନଯିବା ପାଇଁ କିମ୍ବା େଚା ନଯିବା ପାଇଁ ଘାଟରେ ଜଗିରହନ୍ତି।
୧୧. ମଠଶଗଡିଆ- ୨୦ ହାତ ରଥ ଦଉଡା କ୍ଷେୟୀ ଆଶାରେ ବଡମଠ, ଏମାରମଠ, ରାଘବଦାସ ମଠ ଓ ଓଡିଆ ମଠ ଶଗଡିଆ ପଠାଇ ହୁଳହୁଳିଆ କୂଳରୁ ମହାଖଳାକୁ କାଠ ବୋହି ଆଣନ୍ତି।
୧୨. ପାଳିଆ ଗଜନାୟକ ଆବଶ୍ୟକ ହେଲେ ହାତୀ ଶୁଣ୍ଢରେ ନଦୀରୁ କାଠ ଉଠାଇ କୂଳରେ ରଖନ୍ତି।
୧୩. ଛାମୁଣ୍ଡିଆ ସୁଆଁସିଆ-ରଥନିର୍ମାଣ ସ୍ଥାନ ମହାଖଳାରେ ଛାମୁଣ୍ଡିଆ କରନ୍ତି।
୧୪. ମହାଖଳା ପାଇକ- ମହାଖଳାର ଦ୍ରବ୍ୟ ଜଗନ୍ତି।
୧୫. ମହାଖଳା ଅମିନ- ରଥକାରଙ୍କ କାମ ତଦାରଖ କରନ୍ତି।
୧୬. ମହାଖଳା ନାୟକ – ଯେଉଁ ଅଭିଜ୍ଞ ମହାରଣା ମାନେ ଚକ୍ର ଚିହ୍ନ, ହଳଚିହ୍ନ, ପଦ୍ମଚିହ୍ନ ଦେଇ ବାଡ ଅନୁସାରେ କାଠକୁ ପୃଥକ କରନ୍ତି।
୧୭. ମହାଖଳା ପରିଚ୍ଛା- ଶାସ୍ତ୍ରାନୁସାରେ ରଥର ବିଭିନ୍ନ ଅଙ୍ଗ ପାଇଁ କାଠ ନିର୍ବାଚନ କରନ୍ତି।
୧୮. ମହାଖଳା ହୁହୁଡିଆ- ମହାଖଳାରେ ଦିହୁଡି ଜାଳନ୍ତି।
୧୯. ଅନୁକୂଳ ମହାରଣା ୩ ଜଣ ଏମାନେ ଅକ୍ଷୟ ତୃତୀୟା ଦିନ ତିନିଖଣ୍ଡ କାଠ ମହାଖଳାରେ ରଖି ହୋମ ପରେ ରଥ ଅନୁକୂଳ କାର୍ଯ୍ୟରେ ବ୍ୟବହାର କରନ୍ତି।
୨୦. ବାଡବଢେଇ ୩ଜଣ ଏମାନେ ତିନି ରଥ ପାଇଁ ପୃଥକ ଭାବେ କାଠ ଗଣତି କରି ସଜାଇ ରଖନ୍ତି।
୨୧. ପାହି ମହାରଣା – ଏମାନେ ବାଡ ଅନୁସାରେ କାମ କରିବାକୁ ନଦାକୁ ନଦା କାଠ ଖଞ୍ଜି ରଖନ୍ତି।
୨୨. ଭାଇ ମହାରଣା- ଏମାନେ ପୁରୀ ନିକଟବର୍ତ୍ତୀ ଗ୍ରାମରୁ ଆସି ସାମାନ୍ୟ ପାରିଶ୍ରମିକ ଚ‚ାକାଠ ଓ ବାରିଶିକାଠ ପାଇଁ ରଥକାମ କରନ୍ତି।
୨୩. ତୁମ୍ବକଟା ମହାରଣା- ଏମାନେ ତୁମ୍ବଭଅଁରରେ ତୁମ୍ବନାଳି ଫୁଟାଇଥାନ୍ତି।
୨୪. କରତିଆ ନାୟକ- କରତି ସାହି ଅଧିବାସୀ। ଏମାନେ ହାତକରତରେ ରଥକାଠ ଓ ପଟା ଚିରି ଯୋଗାଇଥାନ୍ତି।ମାତ୍ର ଏବେ କରତକଳରେ କାଠ ସହଜରେ ଚିରାଯାଇ ବ୍ୟବହୃତ ହେଉଅଛି।
୨୫. ଓଳମ ଭେଣ୍ଡିଆ- ରଥ ନିୟନ୍ତ୍ରକ କାଷ୍ଠମାନ ପ୍ରସ୍ତୁତ କରନ୍ତି।
୨୬. ନାହାକ ବସାଣ- ଯେଉଁ ଅଭିଜ୍ଞ ବଢେଇମାନେ ରଥରେ ଖୁଣ୍ଟମାନଙ୍କୁ ନିର୍ମାଣ କରି ରଥରେ ସଂଯୋଜିତ କରନ୍ତି।
୨୭. ରଥଭୋଇ ନାୟକ- ଏମାନେ ଜାତିରେ ବାଉରି। ସମ୍ମିଳିତ ଭାବେ ରଥକାଠମାନ ବଢେଇମାନଙ୍କୁ ଯୋଗାଇ ରଥ ଗଠନରେ ସହାୟକ ହୋଇଥାନ୍ତି।
୨୮. ବାଡଭୋଇ- ପ୍ରତିବାଡରେ ପୃଥକଭାବେ କାମ କରୁଥିବା ବହୁ ସଂଖ୍ୟକ ଭୋଇ।
୨୯. ଛେକାକାଠିଆ- ଯେଉଁ ଭୋଇ ଯୁବକମାନେ ମାପ ଓ ନିୟମାନୁସାରେ ରଥକାଠ ଗୁଡିକୁ ଛେକ ଲଗାଇ ସଜାଇ ରଖନ୍ତି।
୩୦. ଯନ୍ତାଭେଣ୍ଡିଆ – ଚକ ଖଞ୍ଜାଯାଇଥିବା ଯନ୍ତାରେ ଯେଉଁ ବଳବାନ ଭୋଇ କାମ କରନ୍ତି।
୩୧. ସାଙ୍ଗୀନାୟକ- ଦୁଇଜଣ ଲେଖାଏଁ ଲୋକ କୌଣସି ଏକ ଓଜନିଆ ବସ୍ତୁକୁ ଦଉଡି ବାନ୍ଧି ବାଉଁଶ ସାହାଯ୍ୟରେ କାନେ୍ଧଇ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଆନ୍ତି ; ତାକୁ ସାଙ୍ଗୀ କୁହାଯାଏ। ଏମାନେ ସାଙ୍ଗିରେ କାଠ, ତୁମ୍ବ, ଚକ ବୋହିଥାନ୍ତି।
୩୨. ଯନ୍ତାବସାଳି ପାହି ଭୋଇ- ଯନ୍ତା କୋରାମୁଣ୍ଡିଆରେ ଚକ ଛେକିବା ଏମାନଙ୍କର କାମ। ଯନ୍ତାର ଅର୍ଥ ଯେଉଁ ଖାଲରେ ଚକ କଷାଯାଏ।
୩୩. ମାଲ ସୁଆଁ ସିଆ- ୪ଜଣ ବଳବାନ ଭୋଇ ମାଲ ବୋହି ଠିକ୍ ସ୍ଥାନରେ ରଖନ୍ତି।
୩୪. କୋଠ ସୁଆଁ ସିଆ- ଏମାନେ ସବୁପ୍ରକାର ଅସ୍ଥାୟୀଶାଳ, ଛାମୁଣ୍ଡିଆ ଓ ଚାରମାଳ ବାନ୍ଧନ୍ତି। ରଥଧ୍ୱଜ ଚାନ୍ଦୁଆ ମଧ୍ୟ ବାନ୍ଧିବା ଏମାନଙ୍କ କାର୍ଯ୍ୟ ପରିସର ଭୁକ୍ତ।
୩୫. କମାରକଣ୍ଟା ଓଝାନାୟକ- ଲୁହାକଣ୍ଟା, ଚକାବଳା, ଦୋମୁଖା ପ୍ରଭୃତି ମହାଖଳାର ଅସ୍ଥାୟୀ ଶାଳରେ ତିଆରିକରି ରଥ କାମ ପାଇଁ ଯୋଗାଇଥାନ୍ତି।
୩୬. କୋରାମୁଣ୍ଡିଆ- ଏମାନେ କୋରାମୁଣ୍ଡିଆ ପ୍ରୟୋଗକରି ରଥର ଚକ ଓ ଅନ୍ୟାନ୍ୟ ଅଙ୍ଗ ଉପାଙ୍ଗକୁ ସଜାଡନ୍ତି।
୩୭. ରୂପକାର ନିଯୋଗ- ଏମାନେ ମୂର୍ତ୍ତି, ସାରଥି, ଶୁଆ, ରଥପାଳ ରୂପ ଖୋଦନ କରନ୍ତି।
୩୮. ରୂପ ଖଞ୍ଜା ବଢେଇ- ଏମାନେ ଅଷ୍ଟସଖୀଙ୍କୁ ଜାଲି ଉପରେ ଖଞ୍ଜନ୍ତି।
୩୯. ଚିତ୍ରକାର- ଏମାନେ ରଥର ବିଭିନ୍ନ ଅଂଶ ଚିତ୍ରକରନ୍ତି।
୪୦. ଦରଜୀନିଯୋଗନାୟକ- ରଥର ମଣ୍ଡଣି, ଚାନ୍ଦୁଆ, ଘେର ଓ ଧ୍ୱଜାନେତ ତିଆରି କରନ୍ତି।
୪୧. ମଣ୍ଡଣି- ଏମାନେ ରଥରେ ବିଭିନ୍ନ ଆଳଙ୍କାରିକ ସାଜସଜ୍ଜା ଆଦି କରିଥାନ୍ତି।
୪୨. ଜଉଶାଳିଆ- ଏମାନେ କାଠି, ଅର ଓ ଫରୁଆରେ ଜଉଣାଳ ରଙ୍ଗ ଦିଅନ୍ତି।
୪୩. ଦତ୍ତମହାପାତ୍ର- ଏହି ଚିତ୍ରକାରମାନେ ମହାପ୍ରଭୁଙ୍କ ରଙ୍ଗ ସେବାର ଅଧିକାରୀ।
୪୪. ରଙ୍ଗତାନାୟକ- ବରି, ଜମ୍ବୁରା ସାହାଯ୍ୟରେ ରଥ ମଣ୍ଡନ କରନ୍ତି।
୪୫. ବଳାଆଣ୍ଟିଆ- ଏମାନେ ଋଷିପଟାରୁ ପାରାଭାଡି ପର୍ଯ୍ୟନ୍ତ ବାଉଁଶ ଛେକନ୍ତି।
୪୬. ସୁଦ୍ଧ ସୁଆର ନାୟକ- ଏମାନେ ଖଳି, ଗଡି, ଲେତା, ସଂସ୍କାରାଦି କର୍ମର ସମ୍ମାନିତ ସେବକ।
୪୭. ଦଉଡିବଳା ପାତ୍ର- ଏମାନେ ରଥଦଉଡି ବଳି ଯୋଗାଇଥାନ୍ତି।
୪୮. ପାଟଡୋରି ନାୟକ- ଏମାନେ ଅହ୍ମୁଣିଆ ଲାଗି ପାଟଡୋରି ବୋଳି ଯୋଗାଇଥାନ୍ତି।
୪୯. ରୁନ୍ଧାଫିଟା ବେଦନାୟକ- ଏମାନେ ରୁନ୍ଧାଫିଟା ପୂର୍ଣ୍ଣକୁମ୍ଭ ବହନ କାର୍ଯ୍ୟ କରନ୍ତି।
୫୦. ଅହ୍ମୁଣିଆ ମହାରଣା ନାୟକ- ଏମାନେ ସେନା ପଟା ବାହୁଟି ଛନ୍ଦନ୍ତି।
୫୧. ତାମ୍ବରା ନାୟକ- ତମ୍ବାର ବାହୁଟି ପଟାକୁ ସଂଯୋଗ କରନ୍ତି।
୫୨. ବକୁଳ ବନ ପାହି ମହାରଣା- ସାକ୍ଷୀଗୋପାଳ ବକୁଳ ବନରୁ ବାହୁଟି କାଠ କାଟି ଯୋଗାନ୍ତି।
୫୩. ଘୋଷ ଘଣ୍ଟୁଆ- ପୁରୀ ନଗର ଘଣ୍ଟୁଆ ଓ ଘଣ୍ଟିମୁଣ୍ଡା ଘଣ୍ଟୁଆ ରଥରେ ଘଣ୍ଟ ବଜାନ୍ତି।
୫୪. ଡାହୁକ- ଏମାନେ ଖଣ୍ଡିଆବନ୍ଧ ବେରବୋଇ ଗ୍ରାମର ଅଧିବାସୀ। ଯୋଗ ସମର୍ଥିତ ଅଶ୍ଳୀଳ ଗୀତ ରଥଉପରେ ବୋଲିଥାନ୍ତି।
୫୫. ତେଲଦିଆ କମାଣି- ଏମାନେ ଚକରେ ରାଶିତେଲ ଦେଇ ରଥ ଠିକ୍ ଗଡିବା ବ୍ୟବସ୍ଥା କରନ୍ତି।
୫୬. କଳା ବେଠିଆ- ଏମାନେ ଅନ୍ଧାରି, ବ୍ରହ୍ମଗିରି, କାଳିକାବାଡି, ଗ୍ରାମର ଅଧିବାସୀ। ରଥ ଭିଡିବା ଓ ରଥ ଦକ୍ଷିଣମୋଡ କରିବା ଏମାନଙ୍କର ସେବା ପରିସର ଭୁକ୍ତ।
୫୭. ଖରକା- ସେବାସ୍ଥଳ ବହିର୍ଦେଶ ଓ ରଥଦାଣ୍ଡ ପରିଷ୍କାର କରନ୍ତି।
୫୮. ଆଢତ ଜଗିଆ- ଏମାନେ ରଥ ଚଳିଲା ସମୟରେ କୌଣସି ଅଙ୍ଗ, ଉପାଙ୍ଗ ଭାଙ୍ଗିଗଲେ ସଙ୍ଗେ ସଙ୍ଗେ ମରାମତି କରିଥାନ୍ତି।
୫୯. ଖୁରୁପିଆ- ରଥ କୌଣସିଠାରେ ଅକଡ ପଡିଲେ ମାଟି କାଢି ରଥ ଚକକୁ ଠିକ୍ ବାଟରେ ପକାନ୍ତି।
୬୦. ମହଣ ପାଗିଆ ନାୟକ- ଏମାନେ କନକ ମୁଣ୍ଡାଇ ଉପରେ ପାଣି ନ ଗଳିବା ପାଇଁ ନାଲି କନାରେ ମହମ, ଝୁଣା, ଗିଲାପ ଦେଇ ବର୍ଷା ନିବାରକ (ଡବଗ୍ଧରକ୍ସ ଚକ୍ସକ୍ଟକ୍ଟଲ) ବ୍ୟବସ୍ଥା କରନ୍ତି।

ପ୍ରୋକ୍ତ ତାଲିକା ବହିର୍ଭୂତ ରଥସେବା ସମ୍ପର୍କିତ କେତକ ତଥ୍ୟ ନିମ୍ନରେ ପ୍ରଦତ୍ତ ହେଲା।

ଗଜପତି ମହାରାଜ – ଶ୍ରୀ ଜଗନ୍ନାଥଙ୍କର ପ୍ରଥମ ତଥା। ପ୍ରଧାନ ସେବକ ଗଜପତିଙ୍କର ରଥଯାତ୍ରାରେ କେତକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। ଗଜପତି ଗୁଣ୍ଡିଚା ଓ ବାହୁଡା ରଥରେ ସମାର୍ଜନ କ୍ରିୟା ( ଛେରା ପହଁରା ) କରିଥାନ୍ତି। ଶ୍ରୀ ବିଗ୍ରହମାନେ ବାହୁଡା ଦିନ ରାଜନବର ସମ୍ମୁଖରେ ପହଞ୍ଚିଲା ପରେ ଲକ୍ଷ୍ମି ନାରାୟଣ ଭେଟ କରାଇବା ଗଜପତିଙ୍କର ଅନ୍ୟ ଏକ ଅପରିହାର୍ଯ୍ୟ ସେବା ଅଟେ। ଗଜପତି ମହାରାଜ ଉତ୍ତରାଧିକାରୀ ସୁତ୍ରରୁ ଆନ୍ତରିକତାର ସହିତ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି।

ବିଶ୍ୱାବସୁକୁଳ ନାୟକ – ଏମାନେ ଶ୍ରୀଅଙ୍ଗ ରକ୍ଷାକାରୀ ଆଦିସେବକ ଭାବେ ପରିଚିତ। ଲେପ ସଂସ୍କାର କର୍ମର ପବିତ୍ର ଦଇତ ଭାବର ସେବକ ଦଇତାମାନେ ସେମାନଙ୍କର ଏକୋଇଶିଆ ପରଠାରୁ ଶ୍ରୀ ଜଗନ୍ନାଥଙ୍କ ଦଇତା ହେବାର ଯୋଗ୍ୟତା ଲାଭ କରିଥାନ୍ତି। ପୁରୀରେ ପ୍ରାୟ ୨୦ ଘର ଦଇତା ବାସ କରନ୍ତି। ପ୍ରାୟ ୧୦୮ ଜଣ ଦଇତା ଶ୍ରୀ ଜଗନ୍ନାଥଙ୍କ ସେବା କରିଥାନ୍ତି। ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜୀଉମାନେ ରତ୍ନ ସିଂହାସନ ପରିତ୍ୟାଗ କରିବାଠାରୁ ବାହୁଡା ଯାତ୍ରାପରେ ପୁନରାୟ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମହାପ୍ରଭୁମାନେ ଦଇତାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହନ୍ତି। ରଥଯାତ୍ରା ସମୟରେ ଏମାନେ ପ୍ରଥମେ ମଙ୍ଗଳାରୋପଣ ସାମଗ୍ରୀ ପଣ୍ଡା, ମୁଦିରସ୍ତ ଓ ପତିମହାପାତ୍ରଙ୍କୁ ଯୋଗାଇ ଦେଇଥାନ୍ତି। ଦଇତାମାନେ ଅନ୍ୟ ସେବକମାନଙ୍କ ସହ ଯୋଗରେ ମହାପ୍ରଭୁଙ୍କୁ ପହଣ୍ଡିବିଜେ କରାଇଥାନ୍ତି। ଛେରାପହଁରା ସମୟରେ ସେମାନେ ଗଜପତିଙ୍କୁ ରଥକୁ ପାଛୋଟି ନେଇଥାନ୍ତି। ଏମାନେ ସାଧାରଣତଃ ରଥ ଉପରେ ଶ୍ରୀ ଜୀଉମାନଙ୍କୁ ଚିତାଲାଗି ଓ ବେଶ କରାଇଥାନ୍ତି।

ବିଦ୍ୟାପତି ବଂଶଧର – ଶ୍ରୀ ଜଗନ୍ନାଥଙ୍କ ଦୈନିକ ସେବା ନୀତିରେ ପତିମହାପାତ୍ର ମାନଙ୍କର ଛୋଟ ବଡ ଅନେକ ସେବା ରହିଛି। ଅଣସର ସମୟରେ ସେମାନଙ୍କର କେତକ ନିର୍ଦ୍ଦିଷ୍ଟ ଭୂମିକାକୁ ଆଦୌ ଅସ୍ୱୀକାର କରିହେବ ନାହିଁ। ମାତ୍ର ମହାପ୍ରଭୁମାନେ ରଥକୁ ଗଲାବେଳେ ଓ ରଥରୁ ଆସିବା ସମୟରେ ଆବଶ୍ୟକ ବନ୍ଦାପନା ପତି ମହାପାତ୍ରମାନେ କରିଥାନ୍ତି। ରଥ ଉପରେ ଶ୍ରୀଜୀଉ ମାନେ ଯେତେଦିନ ରହିବେ ସେତେଦିନ ପହୁଡି ଆଳତି କରିବା ଦାୟିତ୍ୱ ମହାପାତ୍ରଙ୍କର। ସେମାନେ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଦହିପଟି ଲାଗି ଓ ବନ୍ଦାପନା କରିଥାନ୍ତି।

ବିଶ୍ୱକର୍ମା – ବ୍ରହ୍ମାପ୍ରଦତ୍ତ ବର ଅନୁଯାୟୀ ସତ୍ୟଯୁଗୀୟ ଇନ୍ଦ୍ରଦ୍ୟୁମ୍ନଙ୍କ ସମସାମୟିକ ବୁଢା ବଢେଇର ବଂଶଧରମାନେ ନବକଳେବର ସମୟରେ ଦାରୁ ଅନ୍ୱେଷଣ ତଥା ଶ୍ରୀ ବିଗ୍ରହ ନିର୍ମାଣ ବ୍ୟତୀତ ପ୍ରତିବର୍ଷ ରଥ ନିର୍ମାଣର ସାମଗ୍ରିକ କାଠକାମ ସେମାନଙ୍କର ସେବା ପରିସରଭୁକ୍ତ ଅଟେ। ଏକଦା ୬ ଗୋଟି ରଥ ନିର୍ମାଣରେ ୩୬୭ ଜଣ ମହାରଣା ରଥ ଗଠନ ନିମିତ୍ତ ନିଯୁକ୍ତି ପାଉଥିଲେ। ମାତ୍ର ବର୍ତ୍ତମାନ ୩ଟି ରଥ ନିର୍ମାଣ ପାଇଁ ଶତାଧିକ ମହାରଣା କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରେ ଅବସ୍ଥାନ କରୁଥିବା ଦଶଗୋଟି ବିଶ୍ୱକର୍ମା ପରିବାର ଶାଢୀବନ୍ଧା ସେବକ ଅଟନ୍ତି। ସେମାନେ ୪ ଶ୍ରେଣୀରେ ବିଭକ୍ତ। ଯଥା –

୧. ତଦାରଖି ଅମିନ ମହାରଣା- ମହାରଥକାର ହିସାବରେ ସେ ରଥନିର୍ମାଣର ମୁଖ୍ୟ ନିର୍ଦ୍ଦେଶକ। ତାଙ୍କର ତତ୍ତ୍ୱାବଧାନରେ ରଥପାଇଁ ନିଯୁକ୍ତ ୧୬୫ ଜଣ ପାହି ମହାରଣା, ୬ଜଣ କରତିଆ, ୬ଜଣ କମାରକଣ୍ଟା ନାୟକ ଓ ୬୬ଜଣ ଭୋଇ ସେବକ କାର୍ଯ୍ୟ କରନ୍ତି।

୨. ତିନିରଥ ପାଇଁ ତିନିଜଣ ସୂତାର ମହାରଣା- ଏମାନେ ରଥ ନିର୍ମାଣର ସହକାରୀ ନିର୍ଦ୍ଦେଶକ ଭାବରେ ସୂତାମାପ ପକାଇ କାମ କରନ୍ତି।

୩. ତିନିରଥ ପାଇଁ ତିନିଜଣ ବାଡ ମହାରଣା- ଏମାନେ ରଥ ନିର୍ମାଣର ଉପ ନିର୍ଦ୍ଦେଶକ ଭାବରେ ବାଡ ଅନୁସାରେ ଚିତ୍ର, ହଳ, ପଦ୍ମ, ଚିହ୍ନ ଦେଇ ଆବଶ୍ୟକ କାଠ ଗଣତି କରି ସଜାଡି ରଖନ୍ତି।

୪. ତିନିରଥ ପାଇଁ ତିନିଜଣ ତଳି ମହାରଣା- ଏମାନେ ରଥ ନିର୍ମାଣର ଅନୁନିର୍ଦ୍ଦେଶକ ଭାବରେ ପ୍ରାୟ ସବୁ କାର୍ଯ୍ୟ କରିଥାନ୍ତି।

ଉପର୍ଯ୍ୟକ୍ତ ଦଶଜଣ ଶାଢୀବନ୍ଧା ମହାରଣାଙ୍କ ପରିବାରରୁ କେହି ମରିଗଲେ ଏମାନେ ମହାପ୍ରଭୁଙ୍କ ଅଖଣ୍ଡରୁଚମ୍ପା ନିଅାଁ ନେଇ ଶବତ୍ସକାର କରିଥାନ୍ତି। ତେଣୁ ଏମାନେ ଠାକୁରଙ୍କ ସେବାକରିବାକୁ ଭାଗ୍ୟବାନ ମନେକରନ୍ତି। ଏମାନେ ଖେଇ ଅକାରରେ ଚଢେଇ ନେଦା ଓ ମଣ୍ଡୁଅ ପାଇବା ସଙ୍ଗେ ସଙ୍ଗେ ରଥନିର୍ମାଣ ସମୟରେ ଦୈନିକ ଟ ୧୬.୫୦ ପାରିଶ୍ରମିକ ପାଇଥାନ୍ତି। ରଥଯାତ୍ରା ପରେ ଏମାନେ ରଥରୁ କେତେକ ଦାମୀ କାଠ ମଧ୍ୟ ପ୍ରାପ୍ୟ ସ୍ୱରୂପ ପାଇଥାନ୍ତି। ମନ୍ଦିର ପ୍ରଶାସନ ତରଫରୁ ରଥଗଠନ ନିମିତ୍ତ ଏମାନଙ୍କୁ ନୂତନ ହତିଆର ଯୋଗାଇ ଦିଆଯାଏ। ରଥକାଠ ସଂଗ୍ରହ ନିମିତ୍ତ ଅମିନ ମହାରଣା ଓ ରଥ ଦାୟିତ୍ୱରେ ଥିବା ଶ୍ରୀ ମନ୍ଦିର ପ୍ରଶାସନ କର୍ମଚାରୀ ଦଶପଲ୍ଲା, ରଣପୁର ଜଙ୍ଗଲକୁ ଯାଇ ଗଛ ନିର୍ବାଚନ କରି ଚହ୍ନ ଦେଇଥାନ୍ତି। ଦଶହରା ସମୟରେ ବନଦୁର୍ଗା ପୂଜା କରାଯାଇ କାଠକଟା ଆରମ୍ଭ ହୋଇଥାଏ। ଏଥିରୁ ତିନିଖଣ୍ଡ ସୁନିର୍ବାଚିତ କାଠ ଶ୍ରୀପଞ୍ଚମୀ ସମୟକୁ ଶ୍ରୀକ୍ଷେତ୍ରକୁ ଆସିସାରିଥାଏ। ଏହା ଆରମୁଣ୍ଡି କାଠ ନାମରେ ପରିଚିତ। ଏହି ତିନି ଖଣ୍ଡ କାଠକୁ ନେଇ ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ କରାଯାଏ। ପୂର୍ବେ ରଥରେ ବ୍ୟବହୃତ ସମସ୍ତ କାଠ ରଣପୁର ରାଜା ଯୋଗାଇ ଦେଉଥିଲେ। ପରବର୍ତ୍ତୀ କାଳରେ ଯାମାତୃ ସୂତ୍ରରେ ସ୍ୱତ୍ତ୍ୱାଧିକାର ଲାଭ କରି ଦଶପଲ୍ଲା ରାଜା ଦଶପଲ୍ଲା ଓ ଗଣିଆ ଜଙ୍ଗଲରୁ ଯୋଗାଇ ଦେଇ ଆସୁଛନ୍ତି।ଗଡଜାତ ରାଜ୍ୟ ଓଡିଶା ଅର୍ନ୍ତଭୁକ୍ତ ହେବାପରେ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ଆଦେଶ ଅନୁସାରେ ରଣପୁର ଜଙ୍ଗଲରୁ କେତକ କଞ୍ଚାକାଠ ମଧ୍ୟ ଆସୁଅଛି। ଆଗେ ସମସ୍ତ କାଠ ଦଣ୍ଡଭଙ୍ଗା ନଦୀରେ ନଅଟି ପଟାଳିରେ ଆସି ପୁରୀର ଐଶାନ୍ୟ କୋଣସ୍ଥ କାଠପୋଲ ନିକଟରେ ସଂଗୃହିତ ହୋଇ ମଠ ଶଗଡିଆଙ୍କ ଦ୍ୱାରା ରଥ ଖଳାକୁ ଆସୁଥିଲା। ମାତ୍ର ୧. ନରାଜ ଆନିକଟ ହେବା ଫଳରେ, ୨. ଠାଏ ଠାଏ ନଦୀପୋତି ହୋଇଯିବା ଫଳରେ ୩. ବାଟରେ କାଠଚୋରୀ ହେଉଥିବା ଦୃଷ୍ଟିରୁ ବର୍ତ୍ତମାନ ଟ୍ରକ ଓ ଟ୍ରଲର ଯୋଗେ କାଠ ଆସି ଅକ୍ଷୟ ତୃତୀୟା ପୂର୍ବରୁ ପୁରୀ ରାଜନବର ସମ୍ମୁଖସ୍ଥ ମହାଖଳାରେ ପହଞ୍ଚିଥାଏ।

ଅକ୍ଷୟ ତୃତୀୟା ଦିନ ଦେଉଳ କରଣଙ୍କ ଉପସ୍ଥିତିରେ ମହାଖଳାରେ ଦଶଜଣ ଶାଢୀବନ୍ଧା ମହାରଣାଙ୍କ ନିମିତ୍ତ କଟକ ଜିଲ୍ଲା ନୂଆପାଟଣାର ବୟନଶିଳ୍ପୀମାନଙ୍କ ଦ୍ୱାରା ହବିଷାନ୍ନ ଖାଇ ବୁଣାଯାଇଥିବା ୬ଫୁଟ ଲମ୍ବ ଓ ୩ଫୁଟ ଓସାର ବିଶିଷ୍ଟ ଦଶଖଣ୍ଡ ହଳଦିଆ ନୀଳ ଓ ଲାଲ ରଙ୍ଗର ଶାଢୀଆସି ସେମାନଙ୍କ ମୁଣ୍ଡରେ ବନ୍ଧାଯାଇ ରଥନିର୍ମାଣ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ। ଚନ୍ଦନ ଶେଷ ଭଉଁରିଦିନ ଦୁଇଟି ଚକ ଡେରାଗଲା ପରେ ଏମାନଙ୍କ ମୁଣ୍ଡରେ ମଧ୍ୟ ଶାଢୀ ବନ୍ଧାଯାଏ। ଉକ୍ତ ଦଶଜଣ ଶାଢୀବନ୍ଧା ମହାରଣାଙ୍କ ବ୍ୟତୀତ ଅନ୍ୟ ଶତାଧିକ ପାହି ମହାରଣାମାନେ ପୁରୀ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଆସି ସ୍ୱଳ୍ପ ମଜୁରୀ, ଚ‚ାକାଠ ଓ ବାରିଶିକାଠ ପ୍ରାପ୍ୟ ସ୍ୱରୂପ ପାଇ ରଥ ନିର୍ମାଣ ନିମିତ୍ତ ଶ୍ରମଦାନ କରିଥାନ୍ତି।

କମାରକଣ୍ଟା ନାୟକ – ତିନିଜଣ ସେବାୟତ କମାର ରଥରେ ଆବଶ୍ୟକ ଲୁହାକଣ୍ଟା, ଚକାବଳା, ଦୋମୁଖୀ ଓ କୁରାଣ୍ଡିଆ ପ୍ରଭୃତି ମନ୍ଦିରବେଢା ପାଶ୍ୱର୍ରେ ଥିବା କମାର ଶାଳରୁ ତିଆରି କରି ଯୋଗାଇଥାନ୍ତି। ଓଝାମହାରଣାମାନେ ନବକଳେବର ସମୟରେ ଆବଶ୍ୟକ କୁରାଢି ମଧ୍ୟ ଯୋଗାଇଥାନ୍ତି।

ଦରଜୀ ସର୍ଦ୍ଦାର – ଛତିଶା ନିଯୋଗରୁ ଏମାନେ ଗୋଟିଏ ନିଯୋଗ। ବର୍ତ୍ତମାନ ପୁରୀରେ ଦୈନିକ କାକରା ସେବା, ଚଢେଇନେଦା, ତାଡ ଓ ଏକଗୁଳା ମାଣ୍ଡୁଆ କ୍ଷେୟୀ ଆକାରରେ ପାଇ ଠାକୁରଙ୍କ ସେବା ନିମିତ୍ତ ୧୨ଟି ପରିବାର ଅବସ୍ଥାନ କରୁଅଛନ୍ତି। ଏମାନେ ରତ୍ନସିଂହାସନ ଓ ସ୍ନାନ ମଣ୍ଡପ ପାଇଁ ଚାନ୍ଦୁଆ ତିଆରି କରିବା ସଙ୍ଗେ ସଙ୍ଗେ ନୀଳଚକ୍ର ପାଇଁ ପତିତପାବନ ପତାକା ଯୋଗାଇଥାନ୍ତି। ରଥ ମଣ୍ଡଣି କରିବା ଏମାନଙ୍କର ଏକ ସ୍ୱତନ୍ତ୍ର ସେବା। ପୂର୍ବେ ମଖମଲ୍ ଓ ଭେଲ୍ଭେଟ୍ କପଡାରେ ରଥ ମଣ୍ଡଣି କରୁଥିଲେ। ବର୍ତ୍ତମାନ ରଥର ମଣ୍ଡଣି ନିମିତ୍ତ ୧୨୦୦ ମିଟର କନାରେ ରଥାବରଣ ସୀବନ କରିଥାନ୍ତି। ଏଥିପାଇଁ ସେମାନେ ଦୈନିକ ଦଶଟଙ୍କା ମଜୁରୀ ପାଇବା ସଙ୍ଗେ ସଙ୍ଗେ ରାତିରେ କାମକରିବା ପାଇଁ ସର୍ବମୋଟ ୫୦୦ ଟଙ୍କା ପାରିତୋଷିକ ପାଉଥିଲେ

ଚିତ୍ରକାର ଦତ୍ତ ଖଟଣି ନିଯୋଗ – ଛତିଶା ନିଯୋଗ ଅନ୍ତର୍ଭୁକ୍ତ ଏହି ଚିତ୍ରକାରମାନଙ୍କର ଅଣସର ଘରେ ଶ୍ରୀଜୀଉଙ୍କୁ ନବଯୌବନ ପ୍ରଦାନ କରିବା ମୁଖ୍ୟ ସେବା ଅଟେ।ଏହା ବ୍ୟତୀତ ପ୍ରତିବର୍ଷ ରଥସେବା ନିମିତ୍ତ ଏମାନଙ୍କର କେତକ ନିର୍ଦ୍ଦିଷ୍ଟ ଭୁମିକା ରହିଛି। ରଥ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲେ ଚିତ୍ରକାର ନିଯୋଗ ରଥର ବିଭିନ୍ନ ଅଙ୍ଗରେ ଚିତ୍ରାବଳୀ ଅଙ୍କନ କରି ରଥକୁ ସୁଶୋଭିତ କରିଥାନ୍ତି। ଚିତ୍ରକାର ନିଯୋଗର ଭାଗାରିମାନେ ହିଙ୍ଗୁଳ, ହରିତାଳ, ଶଙ୍ଖ, ଷଢେଇକଳା, ପଚା, ତୁତିଆ ଓ ନୀଳରଙ୍ଗଦ୍ୱାରା ସିଂହାସନ, ନାଟସ୍ତମ୍ଭ, ଅରଖୁମ୍ବିକା ଓ ଚକା ପ୍ରଭୃତି ଚିତ୍ରିତ କରିଥାନ୍ତି। ଚିତ୍ର ଓ କୁମ୍ଭରେ ଯଥାକ୍ରମେ ଦ୍ୱାଦଶଦଳ ଓ ଅଷ୍ଟଦଳ ପଦ୍ମ ତୁମ୍ବାଗ୍ରରେ କେଶର-ଗୁଣିକା ଓ ପରିଧିରେ ଦୋଇଗୋଟି ଧାର ମଧ୍ୟରେ ପାଖୁଡା ବେଢା ଚିତ୍ର କରିଥାନ୍ତି। ମଧ୍ୟ ପରିଧିରେ ବଲ୍ଲରୀଧାରରେ ସପ୍ତରଙ୍ଗୀ ଫରୁଆଭୁଣ୍ଡି ଚିତ୍ରଣ ହୁଏ। ଏହି ସମସ୍ତ ଚିତ୍ରମାନଙ୍କୁ ମେଘାଡମ୍ବର କୁହାଯାଏ। ଅରପୀଠର ଭରଣି ଗୁଡିକରେ କୋଣଦେଶରେ ବିରାଳ ମୂର୍ତ୍ତି, କୋଣଚତୁଷ୍ଟୟରେ ରାଜବିରାଳ ଓ ଭଦ୍ର ମୋଡମାନଙ୍କରେ ସିଂହ ବିରାଳ ଚିତ୍ର କରାଯାଏ।ଏମାନେ ହଂସ ପଟିରେ ମୁଖରେ ପର୍ଣ୍ଣଧାରଣ କରିଥିବା ହଂସ ଶ୍ରେଣୀ ଚିତ୍ରଣ କରିଥାନ୍ତି। କାରଣ ପର୍ଣ୍ଣମାଳାଧାରୀ ହଂସ ମାଳିକା ରଥର ମଙ୍ଗଳ ଦାୟିକା ଅଟନ୍ତି। ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ରଥରେ ଯଥାକ୍ରମେ କୁମୁଦ, କୁମୁଦାକ୍ଷ, ଜୟବିଜୟ ଓ ଗଙ୍ଗାଯମୁନା ନାମକ ରଥପାଳ ମୂର୍ତ୍ତି ଏମାନେ ଚିତ୍ରଣ କରିଥାନ୍ତି। ସିଂହାସନ ଉପରେ କଳସ ତାର ନିମ୍ନରେ ରାହୁମୁଣ୍ଡ। ରାହୁମୁଣ୍ଡରୁ ଲତାଯୁକ୍ତ ବାଙ୍କପଟି ଓ ଦୁଇପଟେ ଦୁଇଗୋଟି ମଗର ମୁଣ୍ଡ ଚିତ୍ରଣ କରାଯାଏ।ଏହାରି ଉପରେ ଦାରୁବ୍ରହ୍ମ ଆଉଜି ବସନ୍ତି। ଭକ୍ତ ବ୍ରହ୍ମ ସଦନର ଦୁଇପଟେ ଯୋଡ ହସ୍ତରେ ଦଣ୍ଡାୟମାନ ରଥ ଉପାସକ ଚିତ୍ରିତ ହୋଇଥାନ୍ତି। ଶ୍ରୀ ଜଗନ୍ନାଥ, ବଳଭଦ୍ର, ରଥରେ ଯଥାକ୍ରମେ ବ୍ରହ୍ମା, ଈନ୍ଦ୍ର ଓ ଶିବ-ନାରଦ ଚିତ୍ରିତ ହୋଇଥିବା ସ୍ଥଳେ ସୁଭଦ୍ରାଙ୍କ ରଥରେ ଆଲଟ ଚାମ୍ବର ଧାରଣୀ ଜୟା ବିଜୟା ଅଙ୍କିତ ହୋଇଥାନ୍ତି। ପ୍ରତି ରଥରେ ୮ଟି ଦ୍ୱାର ଘୋଡାର ଚିତ୍ର ମଧ୍ୟ ହୋଇଥାଏ। ତୋରଣ ଦୁଇପାଶ୍ୱର୍ରେ ଅପ୍ସରା ମାନଙ୍କର ଚିତ୍ର, ଋଷପଟାରେ ଯୋଡହସ୍ତ ଋଷିମାନଙ୍କର ଚିତ୍ର, କପୋତାଳିରେ ଶାନ୍ତି କପୋତ ବାହିନୀର ଚିତ୍ର, ଦଧିନଉତିରେ ଉଦ୍ଧ୍ୱର୍ମୁଖୀ ଅଷ୍ଟଦଳ ଓ ନିମ୍ନମୁଖୀ ଅଷ୍ଟଦଳ ଅଙ୍କନ କରାଯାଏ। ପ୍ରତିରଥର କଳସ ଦୁଇପଟେ ଦୁଇଗୋଟି ଓଲଟ ଶୁଆର ଚିତ୍ର ଚିତ୍ରକାରମାନେ ଅଙ୍କନ କରିଥାନ୍ତି।

ରୂପକାର – ରଥକୁ ଶୋଭନୀୟ କରିବା ନିମିତ୍ତ ବିଭିନ୍ନ ମୂର୍ତ୍ତି ଖଞ୍ଜାଯାଏ। ଏଗୁଡିକ ରୂପକାରମାନେ ସାଧାରଣତଃ ଖୋଦନ କରିଥାନ୍ତି। ତିନିବାଡ ନିମନ୍ତେ ରୂପକାର ଶାଢୀବନ୍ଧା ସେବକଭାବେ ନିଯୁକ୍ତ। ଏମାନେ ନବକଳେବର ସମୟରେ ସାରଥି, ଘୋଡା, ପାର୍ଶ୍ୱ ଦେବତା, ଶୁଆ ପ୍ରଭୃତି ନିର୍ମାଣ କରିଥାନ୍ତି, ଯାହା କି ପ୍ରତିବର୍ଷ ରଥରେ ରଙ୍ଗ କରାଯାଇ ବ୍ୟବହୃତ ହୁଏ। ମାତ୍ର ପ୍ରତିବର୍ଷ ନବନିର୍ମିତ ରଥର ନାଟଗୋଡ, କଣଗୁଜ, ପ୍ରଭା ପ୍ରଭୃତିରେ ବିଭିନ୍ନ ରୂପକାରମାନେ ଖୋଦନ କରିଥାନ୍ତି। ଏମାନେ ତିନିରଥ ନିମନ୍ତେ ତିନିଗୋଟି ଧ୍ୱଜା ଦେବତା ମଧ୍ୟ ନିର୍ମାଣ କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ରଥରେ ମୁଖରେ ସର୍ପଧାରଣ କରିଥିବା ଉଡ୍ଡୀୟମାନ ଗରୁଡର ରୂପ, ବଳଭଦ୍ରଙ୍କ ରଥରେ ସପ୍ତଛନ୍ଦମୟ ଲଙ୍ଗଳଧ୍ୱଜ ଓ ସୁଭଦ୍ରାଙ୍କ ରଥ ନିମିତ୍ତ ପଦ୍ମଧ୍ୱଜ ଏମାନେ ରକ୍ତ ଚନ୍ଦନ କାଠରେ ନିର୍ମାଣ କରିଥାନ୍ତି।

ଜରି କାରିଗର – ଏମାନେ ସେବାୟତ ସମ୍ପ୍ରଦାୟ ନୁହନ୍ତି। ସାମାନ୍ୟ ପାରିଶ୍ରମିକ ନେଇ ଏମାନେ ରାହୁମୁଣ୍ଡ, ଝରା ଓ ମଣ୍ଡଣି ଉପରେ ଶୁଆ ଓ ଫୁଲ ପ୍ରଭୃତି ଜରିରେ ତିଆରି କରି ସଂଯୋଗ କରିଥାନ୍ତି।

ବିନ୍ଧାଣି ସେବକ – ଠାକୁରଙ୍କ ପୁରୁଣା ଚିତାମାପରେ ଏମାନେ ସୋଲରେ ଚିତା ତିଆରି କରନ୍ତି।ମହାପ୍ରଭୁ ରଥାସୀନ ହେବା ପରେ ଓ ଛେରାପହଁରା ପୂର୍ବରୁ ମନ୍ଦିରରୁ ଚକ୍ରକାହାଳୀ ପ୍ରଭୃତି ଶୋଭାଯାତ୍ରାରେ ଆସି ଏମାନଙ୍କ ଘରୁ ଚିତା ଆଣି ଠାକୁରଙ୍କ ଠାରେ ଲାଗି କରାଯାଇଥାଏ। ଏହାକୁ ଚିତା ଲାଗି କୁହାଯାଏ।

ଘଣ୍ଟୁଆ – ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ନୂଆଲୁଗା ଓ ନ୍ୟଆ ଗାମୁଛା ପିନ୍ଧି ପହଣ୍ଡି ସମୟରେ, ଡାହୁକର ରଥବୋଲି ପରେ ଏମାନେ ନୂଆଘଣ୍ଟ ବଜାଇଥାନ୍ତି। ଠାକୁର ଚାରମାଳ ଉପରେ ରଥାରୋହଣ କରିବା ସମୟରେ ଏମାନେ ଘଣ୍ଟ ବଜାନ୍ତି।

ଡାହୁକ – ହୋ ଭକତେ…………. ବୋଲିରୁ ସମସ୍ତେ ଡାହୁକକୁ ଚିହ୍ନି ପାରନ୍ତି। ଏମାନେ ଖଣ୍ଡିଆବନ୍ଧ ବେରବୋଇ ଗ୍ରାମର ଅଧିବାସୀ। ପୁରୁଷାନୁକ୍ରମେ ସେମାନେ ଏହି ସେବା କରିଆସୁଛନ୍ତି। ପ୍ରତିରଥ ଲେଖାଏଁ ତିନିରଥରେ ୬ଜଣ ଡାହୁକ ସେବା କରି ପ୍ରତ୍ୟେକେ ମନ୍ଦିର ପ୍ରଶାସନ ତରଫରୁ ୧୦୦ ଟଙ୍କା ଲେଖାଏଁ ପାଇଥାନ୍ତି। ଏମାନେ ବେକରେ ଫୁଲମାଳ ପକାଇ ବେତହଲାଇ ଅଶ୍ଳୀଳ ବୋଲି ମାଧ୍ୟମରେ ରଥ ଟାଣିବା ପାଇଁ ଜନତା ମନରେ ଉନ୍ମାଦନା ଭରିଦେଇ ଥାନ୍ତି।

ଦଉଡିବଳା – ରାଜଗୁରୁ ମଠ ତତ୍ତ୍ୱାବଧାନରେ ଷୋଳଶାସନର ବ୍ରାହ୍ମଣମାନେ ରଥଦଉଡି ବୋଳି ଯୋଗାଉଥିଲେ। ମାତ୍ର ବର୍ତ୍ତମାନ ତିନିରଥ ପାଇଁ ୫୦ ଫୁଟ ଲମ୍ବ ଓ ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୧୨ଟି ନୁଆ ଦଉଡି କଲିକତାରୁ M.S. Dey Co.ପ୍ରସ୍ତୁତ କରି ପରିବର୍ତ୍ତିତ ଓ ପରିବର୍ଦ୍ଧିତ ମୂଲ୍ୟରେ ପ୍ରତିବର୍ଷ ଯୋଗାଇ ଆସୁଥିଲେ।

ମଠସେବା – କାପେଡିଆ ମଠ କନାଆଣି ଘେର ଚାନ୍ଦୁଆ ପ୍ରସ୍ତୁତ କରି ଯୋଗାଇଥାନ୍ତି ଓ ପାଟରାମଠ ପହଣ୍ଡି ଡୋରି ଅଣସର ପଇତା ଓ ଘଣାଡୋରି ବୁଣି ଯୋଗାଇଥାନ୍ତି।

ରଥଭୋଇ – ପ୍ରତି ରଥ ପାଇଁ ଦୁଇଜଣ ଲେଖାଏଁ ୬ଜଣ ଶାଢୀବନ୍ଧା ଭୋଇ ଅଛନ୍ତି। ଏମାନଙ୍କ ବ୍ୟତୀତ ପ୍ରାୟ ୬୦ ଜଣ ଭୋଇ ଦୈନିକ ଟ ୧୪.୦୦ ମଜୁରୀରେ ରଥସେବା କରିଥାନ୍ତି। ଠାକୁରଙ୍କ ସେବା ଯୋଗୁଁ ଏମାନେ ମଲାବେଳେ ଅଖଣ୍ଡରୁ ଚମ୍ପା

( ନିଆଁ ) ପାଇଥାନ୍ତି। ରଥକାମ ପାଇଁ ଏମାନେ ଛାମୁଣ୍ଡିଆ କରନ୍ତି। ରଥନିର୍ମାଣ ସମୟରେ ମହାରଣାଙ୍କ ପାଖେ ରହି ମୂଲିଆକାମ କରନ୍ତି। ମହାରଣା ଯାହାକୁ ତଳେ ଗଢି ଦିଅନ୍ତି ଏମାନେ ତାକୁ ନେଇ ରଥରେ ଖଞ୍ଜନ୍ତି। ରଥଭୋଇମାନେ ପ୍ରତିରଥରେ ୪ଟି ଗୋଟାଳିଆ କାଠ ତଳୁ ରଥବରାଣ୍ଡି ପର୍ଯ୍ୟନ୍ତ ସଂଯୋଗ କରି ତା ଉପରେ ନଡିଆ କିମ୍ବା ତାଳ ବତା ଧାଡିକରି ପକାଇ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ଯଥାକ୍ରମେ ୧୬ ହାତ, ୧୪ ହାତ, ଓ ୧୨ ହାତ ଲମ୍ବ ଏବଂ ୮ ଫୁଟ ଓସାରର ଚାରମାଳ ବାନ୍ଧନ୍ତି। ଉକ୍ତ ଚାରମାଳ ଉପରେ ଅଚଳ ମହାମେରୁ ଦାରୁବ୍ରହ୍ମ ଶ୍ରୀଚତୁର୍ଦ୍ଧାମୂର୍ତ୍ତି ରଥ ଉପରକୁ ଆରୋହଣ କରିଥାନ୍ତି। ଚାରମାଳ ବାନ୍ଧିବା ବ୍ୟତୀତ ଏମାନେ ଘୋଡା ଯୋଚିବା, ରଥ ଉପରକୁ ସାରଥି କ୍ରୟଙ୍କୁ ଉଠାଇବା, ରଥ ଚାଲିବା ସମୟରେ ରଥର ଅବା‚ିତ ଗତି ରୋକିବା ନିମିତ୍ତ ଆଗଚକ ସମ୍ମୁଖରେ ଗତି ନିୟନ୍ତ୍ରଣକାରୀ ଓଳମୂକାଠ ( Break ) ପକାଇବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସେବା ଅଟେ। ରଥଯାତ୍ରା ପରେ ରଥଭଙ୍ଗା କାମ କରନ୍ତି ଓ ଲୁହାକଣ୍ଟା ଲୁହାବଳା ଇତ୍ୟାଦି ନେଇ ମନ୍ଦିର ଅଫିସରେ ଜମାଦିଅନ୍ତି।

କଳାବେଠିଆ – ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଭୋଗ କରୁଥିବା କଳାବେଡିଆଗଣ ଅନ୍ଧାରି, ବ୍ରହ୍ମଗିରି ଓ କାଳିକାବାଡି ଗ୍ରାମରେ ବାସ କରୁଛନ୍ତି। ଏକଦା ରଥ ଟାଣିବା ନିମିତ୍ତ ୪୨୦୦ କଳାବେଠିଆ ନିଯୁକ୍ତି ପାଇଥିଲେ। R.L. Mitra Antiquities of Orissa ରେ ଲେଖିଛନ୍ତି ଯେ, The actual operation of dragging being afterwards performed by a body of 4200 coolies, called Kalabetiyas who enjoy rentfree lands in the neigh bouring village for their service ସମ୍ପ୍ରତି ଗମନାଗମନ ପଥର ସୁବିଧା ଦୃଷ୍ଟିରୁ ବହୁ ଜନସମାଗମ ହେଉଥିବାରୁ ରଥ ଟାଣିବା ପାଇଁ କଳାବେଠିଆଙ୍କର ଆବଶ୍ୟକତା ପଡୁନାହିଁ। ମାତ୍ର ନିର୍ଦ୍ଦିଷ୍ଟ ସମୟରେ ରଥ ଗୁଣ୍ଡିଚା ମନ୍ଦିରରେ କିମ୍ବା ଶ୍ରୀମନ୍ଦିରରେ ଲାଗି ନ ପାରିଲେ କଳାବେଠିଆମାନଙ୍କର ସାହାଯ୍ୟରେ ରଥ ଟଣାଯାଇଥାଏ। ବାହୁଡାଯାତ୍ରା ଉପଲକ୍ଷ୍ୟେ ରଥଯାତ୍ରାକୁ ଦକ୍ଷିଣମୋଡ କରିବା କଳାବେଠିଆଙ୍କର ମୁଖ୍ୟକର୍ମ ଅଟେ। ଉପର୍ଯୁ୍ୟକ୍ତ ସେବାୟତମାନଙ୍କ ବ୍ୟତୀତ ରଥ ଯଦି କୌଣସି ଅସିବୁଧାରେ ପଡିଯାଏ ତେବେ ରାଜାଙ୍କ ହାତୀର ସାହାଯ୍ୟ ନିଆଯାଇ ରଥକୁ ଠିକ ବାଟକୁ ଅଣାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ମହାପ୍ରଭୁଙ୍କର ପ୍ରାୟ ସମସ୍ତ ସେବକମାନଙ୍କର କିଛି ନା କିଛି ଭୂମିକା ରହିଛି। ତତ୍ ସହିତ ରାଜ୍ୟସରକାରଙ୍କର କର୍ତ୍ତବ୍ୟକୁ ଏଡେଇ ଦେଇ ହେବନାହିଁ। ଶାନ୍ତିରକ୍ଷା ନିମିତ୍ତ ପୋଲିସ୍ ବିଭାଗ, ଆକସ୍ମିକ ଦୁର୍ଘଟଣାର ପ୍ରତିକାର ପାଇଁ ଅଗ୍ନିସମ ସେବା ବିଭାଗ, ରୋଗର ପ୍ରତିଷେଧକ ନିମିତ୍ତ ସ୍ୱାସ୍ଥ୍ୟବିଭାଗ ପ୍ରଭୃତି ତତତ କର୍ମତତ୍ପର ରହିଥାନ୍ତି। ଏମାନଙ୍କ ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଜଳ ଯୋଗାଣ, ଆବଶ୍ୟକ ସେବାଶୂଶ୍ରୁଷା ଇତ୍ୟାଦି ଦାୟିତ୍ୱ ବହନ କରିଥାନ୍ତି। ସର୍ବୋପରି ଜନସାଧାରଣ ଏକତ୍ରିତ ହୋଇ ପ୍ରଭୁଙ୍କ ରଥଚାଳନାରେ ସକ୍ରିୟ ଅଂଶଗ୍ରହଣ କରି ସାମ୍ୟ – ମୈତ୍ରୀ – ସମନ୍ୱୟ ପ୍ରତିଷ୍ଠାରେ ସହାୟକ ହୋଇଥାନ୍ତି। ଶ୍ରୀଜଗନ୍ନାଥ ସେବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଓ ସେହି କର୍ତ୍ତବ୍ୟ ପାଳନରେ ସମସ୍ତଙ୍କର ଆନନ୍ଦ ସେହି ହେତୁରୁ ଏହା ହିଁ ଜଗନ୍ନାଥ ଚେତନା।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top