Home ଓଡ଼ିଶା ମାଡ଼ିଆସୁଛି ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫନୀ: ଓଡ଼ିଶାରେ ବାତ୍ୟା ସତର୍କ ସୂଚନା

ମାଡ଼ିଆସୁଛି ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫନୀ: ଓଡ଼ିଶାରେ ବାତ୍ୟା ସତର୍କ ସୂଚନା

4004

ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ) ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ଫନୀ ଗତ ୬ ଘଂଟା ମଧ୍ୟରେ ୨୨ କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ୧୧.୩୦ ସୁଦ୍ଧା ୧୧.୬ ଡିଗ୍ରୀ ଉତର ଅକ୍ଷାଂଶ ଓ ୮୫.୭ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଓଡ଼ିଶାର ପୁରୀଠାରୁ ୮୦୦ କିଲୋମିଟର ଦୂର ଦକ୍ଷିଣ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୬୨୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ଶ୍ରୀଲଙ୍କାର ତ୍ରିନକୋମାଲିଠାରୁ ୬୬୦ କିଲୋମିଟର ଉତର-ଉତରପୂର୍ବରେ ପହଂଚିଛି। ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଅତି ଭୟଙ୍କର ସାମୁଦି୍ରକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ମେ ୧ ସନ୍ଧ୍ୟା ସୁଦ୍ଧା ଏହା ଉତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ପରେ ଏହା ଉତର-ଉତରପୂର୍ବ ମୋଡ ନେଇ ଓଡ଼ିଶା ଉପକୂଳରେ ଗୋପାଳପୁର ଏବଂ ଚାନ୍ଦବାଲି ଦେଇ ମେ ୩ ଅପରାହ୍ନ ସୁଦ୍ଧା ପୁରୀର ଦକ୍ଷିଣ ଆଡକୁ ମୁହାଁଇବ। ଏହାର ପ୍ରଭାବରେ ଘଂଟାପ୍ରତି ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ଘଂଟାପ୍ରତି ସର୍ବାଧିକ ୨୦୫ କିଲୋମିଟର ବେଗରେ ପହଂଚିବାର ସମ୍ଭାବନା ରହିଛି।

ଝଡ ପ୍ରଭାବରେ ମେ ୨ରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୨୦ ସେମିରୁ ଅଧିକ) ବର୍ଷା ହେବାର ସମ୍ଭାବନା ରହିଛି। ମେ ୪ରେ ଉତର ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମେ ୨ରେ ଓଡ଼ିଶା ଉପକୂଳରେ ପବନର ବେଗ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରୁ ଆରମ୍ଭ ହୋଇ ୮୫ କିଲୋମିଟରରେ ପହଂଚିବାର ସମ୍ଭାବନା ରହିଛି। ମେ ୩ ସକାଳୁ ପବନର ବେଗ ଘଂଟାପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବ ଏବଂ ଏହା ବୃଦ୍ଧି ପାଇ ୨୦୫ କିଲୋମିଟରରେ ପହଂଚିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ପ୍ରବଳ ଭାବେ ଅଶାନ୍ତ ରହିବ। ଝଡ଼ ସ୍ଥଳ ଭାଗ ଛୁଇଁବା ସମୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧.୫ ମିଟର ଉଚ୍ଚତାରେ ଜୁଆର ଉଠି ତଳିଆ ଭୂମି ଆଡକୁ ମାଡିଆସିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବିମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.