Home ଆମ ସଂସ୍କୃତି, କଳା ଓ ଐତିହ୍ୟ ମହାନ ସାଂସ୍କୃତିକ ପରମ୍ପରାରେ ନୟାଗଡ଼ର ସଙ୍ଗୀତ

ମହାନ ସାଂସ୍କୃତିକ ପରମ୍ପରାରେ ନୟାଗଡ଼ର ସଙ୍ଗୀତ

26

ନୟାଗଡ଼, ୧୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ ନିଜର କଳା, ସଂସ୍କୃତି, ଭାଷା, ଏøତିହ୍ୟ, ପରମ୍ପରା, ଚାଳିଚଳଣି, ଅଧିବାସୀ, ସଙ୍ଗୀତ, ନୃତ୍ୟକଳା ଓ ଭାସ୍କର୍ଯ୍ୟକୁ ନେଇ ଯେତିକି ପରିଚିତି ସେତିକି ମଧ୍ୟ ସମୃଦ୍ଧି ଲାଭ କରିଛି। ସ୍ୱପ୍ନ ଓ ବାସ୍ତବିକତା ମଝିରେ ବଂଚିବାର ଲଢେଇ ଶିଖେଇ ନିଜର ଗୌରବ ରାଜିକୁ ଅପୂର୍ବ ଅଳଙ୍କାରରେ ସୁଶୋଭିତ କରିପାରିଛି ନୟାଗଡ଼ ମାଟି। ନୟାଗଡ଼ର ସଂସ୍କୃତି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିଲେ ମଧ୍ୟ ସଙ୍ଗୀତ କ୍ଷେତ୍ରରେ କିନ୍ତୁ ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ୧୯୪୪-୪୫ରୁ ନୟାଗଡ଼ରେ ସଙ୍ଗୀତର ମୂଳଦୂଆ ପଡ଼ିଥିବା ମନେହୁଏ। ନୟାଗଡ଼ର ସଙ୍ଗୀତଜ୍ଞ ଗମ୍ଭାରିଡିହିର କନ୍ଧ ଅତିବୁଦ୍ଧି ଓଡ଼ିଶୀ, ଚମ୍ପୁ ଗାନ କରିବା ସହିତ ମର୍ଦ୍ଦଳ ବଜାଇ ଅନ୍ୟମାନଙ୍କ ପାଖରେ ପ୍ରଭାବ ପକାଇ ସଙ୍ଗୀତ ପ୍ରତି ଆକୃଷ୍ଟ କରାଇଥିଲେ। ସେହି ସମୟରେ କୋରପିଠାର ସାଆନ୍ତ ଦୁର୍ଗାମାଧବ ଦେଓ ଓ ହୋମିଓପ୍ୟାଥିକ ଡାକ୍ତର ଗୋପାଳ ପଟ୍ଟନାୟକ ଜଣେ ଜଣେ ସଙ୍ଗୀତ ମନସ୍କ ଥିଲେ। ସେମାନେ ସମସ୍ତେ ମିଳିତ ହୋଇ ପୁରୁଣା ଅମଲାପଡ଼ାର ଓକିଲ କୃପାସିନ୍ଧୁ ପଟ୍ଟନାୟକଙ୍କ ପଡ଼ିଶାଘରେ ସଙ୍ଗୀତର ଆସର କରନ୍ତି। ପୁରୀ ଓ ବିଭିନ୍ନ ସ୍ଥାନରୁ ଓଡ଼ିଶୀ ଗାୟକମାନେ ଆସି ଏହି ଆସରରେ ଭାଗ ନିଅନ୍ତି। ସେତେବେଳେ କଳାପ୍ରବୀଣ ସଜନାପଡ଼ାର ଦୟାନିଧି ଦାସ କଟକରେ ଶିକ୍ଷକତା କରୁଥିଲାବେଳେ ବାବୁଲାଲ ଦୋଷୀଙ୍କ ସହ ମିଶି କଟକ କଳାବିକାଶ କେନ୍ଦ୍ର ପ୍ରତିଷ୍ଠା କଲେ। ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିବାରୁ ଦୟାନିଧି ଦାସ କାଫଲା ଫାଣ୍ଡି ଅଂଚଳରେ ନିଜେ ଏକ ଓଡ଼ିଶୀ ଶିକ୍ଷାକେନ୍ଦ୍ର ‘ନୃତ୍ୟାୟନ’ ପ୍ରତିଷ୍ଠା କଲେ। ଏହି ନୃତ୍ୟାୟନକୁ ଶିଖିବା ପାଇଁ ଆସନ୍ତି ବାଳକୃଷ୍ଟ ଦାସ, କାଳୀ ଚରଣ ପଟ୍ଟନାୟକ, ସୁନନ୍ଦା ପଟ୍ଟନାୟକ ପ୍ରମୁଖ। ଗୋତିସାହିର ରଘୁନାଥ ପଟ୍ଟନାୟକ ଓ ଗୁଣ୍ଠୁଣିର ନେତ୍ରାନନ୍ଦ ପଟ୍ଟନାୟକ ଓଡ଼ିଶୀ ଗାନରେ ପୁରା ଓସ୍ତାଦ ହୋଇଯାଇଥାନ୍ତି। ରୁବେନ ସିଂ ବ୍ରଜେନ୍ଦ୍ର ହାଇସ୍କୁଲରେ କ୍ରୀଡ଼ା ଶିକ୍ଷକ ଥିଲାବେଳେ ସେତେବେଳେ ଭାରତର ଖ୍ୟାତନାମା ସଙ୍ଗୀତଜ୍ଞ କେ.ଏଲ.ସାଇଗଲଙ୍କ ଢଙ୍ଗରେ ଗୀତ ଗାଇ ଚହଳ ପକାଉ ଥିଲେ। ପୁରୁଣା ସହରର ବୈକୁଣ୍ଠ ନାଥ ମହାପାତ୍ର ସଙ୍ଗୀତ କ୍ଷେତ୍ରରେବି କମ୍ ନଥିଲେ। ପ୍ରଦୀପ୍ତ କୁମାର ପଟ୍ଟନାୟକ ଛାତ୍ର ଅବସ୍ଥାରେ ରୁବେନ ସିଂ ଓ ରଘୁନାଥ ପଟ୍ଟନାୟକଙ୍କ ଠାରୁ ଗୀତ ଶିକ୍ଷାକରି ୧୯୫୦ ରେ ନୟାଗଡ଼ରେ ପ୍ରଥମେ ପରଷିଲେ ରାଗପ୍ରଧାନ ସଂଗୀତ। ବାଳକୃଷ୍ଣ ଦାସ, ଭୁବନେଶ୍ୱର ମିଶ୍ର, ସିଂହାରୀ ଶ୍ୟାମ ସୁନ୍ଦର କର ପ୍ରମୁଖଙ୍କ ସଂସ୍ପର୍ଶରେ ଆସି ପ୍ରଦୀପ୍ତ ପଟ୍ଟନାୟକ ଶାସ୍ତ୍ରୀୟ ସଂଗୀତ ଚର୍ଚ୍ଚା କରନ୍ତି। ୧୯୫୦-୧୯୬୦ରେ ନୟାଗଡ଼ର ସଂଗୀତ ଜଗତକୁ ଧରି ରଖିଥିଲେ ରୁବେନ ସିଂ, ରଘୁନାଥ ପଟ୍ଟନାୟକ। ସେତେବେଳେ ସଂଗୀତ କ୍ଷେତ୍ରରେ ପାରଦର୍ଶୀତା ଦେଖେଇ ସାରିଥାନ୍ତି ପ୍ରଦୀପ୍ତ ପଟ୍ଟନାୟକ। ପ୍ରଦୀପ୍ତ ପଟ୍ଟନାୟକ ସଂଗୀତ ପରିବେଷଣ କରୁଥିଲାବେଳେ ପାଖରେ ବସି ସଂଗୀତ ପ୍ରତି ଆକୃଷ୍ଟ ହୁଅନ୍ତି ରୁବେନ ସିଂଙ୍କ ପୁଅ ତାନସେନ ସିଂ ଓ ନବ କିଶୋର ମିଶ୍ର। ୧୯୫୫ ପର୍ଯ୍ୟନ୍ତ ନୟାଗଡ଼ରେ ଯେଉଁ ଡ୍ରାମା ପରିବେଷଣ ହୁଏ ସେଥିରେ ରୁବେନ ସିଂ ସଂଗୀତ ନିର୍ଦ୍ଦେଶନା ଦେଉଥିଲାବେଳେ ୧୯୫୫ରୁ ୧୯୬୪ ପର୍ଯ୍ୟନ୍ତ ପ୍ରଦୀପ୍ତ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା ଦିଅନ୍ତି। ପ୍ରଦୀପ୍ତ ପଟ୍ଟନାୟକ ଉଚ୍ଚଶିକ୍ଷା ପାଇଁ ମାଡ୍ରାସ ଚାଲିଯିବା ପରେ ସଂଗୀତ କ୍ଷେତ୍ରକୁ ଆସନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି। ସେତେବେଳକୁ ତାନସେନ ସିଂ ଓ ନବ କିଶୋର ମିଶ୍ର, ଭିକାରୀ ମହମ୍ମଦ ବେତାର ଶିଳ୍ପୀ ଭାବେ ନାଁ କରା ହୋଇଗଲେଣି। ପରେ ବୀଣାପାଣି ପେଣ୍ଠୋଇ ବେତାର ଶିଳ୍ପୀ ହେଲେ। ୧୯୮୦ ପରେ ନୟାଗଡ଼ରେ ଅନେକ ସଂଗୀତ ଶିଳ୍ପୀଙ୍କ ଆବିର୍ଭାବ ହେଲା। ସେମାନଙ୍କ ମଧ୍ୟରେ ପ୍ରଭାତ ଦାଶ, ରଜନୀ ମହାପାତ୍ର, ପ୍ରକାଶ ନନ୍ଦ, ସତ୍ୟନାରାୟଣ ମହାପାତ୍ର, ହିମାଂଶୁ ବିଧାର, ଜୟକୃଷ୍ଣ ପଟ୍ଟନାୟକ, ପଦ୍ମନାଭ ନାୟକ, ଗୋପବନ୍ଧୁ ବେହେରା, ଦୁର୍ଗା ଚରଣ ପଣ୍ଡା ଓ ପରେ ପରେ ଅଶୋକ ଗାଣ୍ଠିଆ, ପ୍ରାଣକୃଷ୍ଣ ମହାରଣା ପ୍ରମୁଖ। ନୟାଗଡ଼ ପୁରୁଣା ସହରର ବଂଶୀବାଦକ ସୂର୍ଯ୍ୟ ନାରାୟଣ ଭୂୟାଁଙ୍କ ବଂଶୀବାଦନର ସ୍ୱର ଓଡ଼ିଶାରେ ନିଆରା ଥିଲା। ସେ ଓଡ଼ିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀ, ସୁରମଣୀ ରଘୁନାଥ ପାଣୀଗ୍ରାହୀଙ୍କ ସହ ଦେଶ ବିଦେଶରେ ବହୁତ ନାଁ କରିଥିଲେ। ପ୍ରଦୀପ୍ତ ପଟ୍ଟନାୟକଙ୍କ କନ୍ୟା ପାଭଲୋଭା ଓଡ଼ିଶୀ ନୃତ୍ୟରେ ମଧ୍ୟ ପାରଙ୍ଗମା ଥିଲେ  ା ଭଂଜପୀଠ ମାଳିସାହିର ଶ୍ରୀନାଥ ରାଉତଙ୍କ ପ୍ରତିଭା ଏବେବି ଅମଳୀନ ରହିଥିବା କୁହାଯାଏ। ସେ ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗଦାନ କରିବା ପରେ ଦିଲ୍ଲୀରେ ନିଜର କଳା ଚମତ୍କାରିତା ଦେଖାଇ ବେଶ୍ ନୃତ୍ୟ ଜଗତରେ ପ୍ରଭାବ ପକାଇଥିଲେ। ତାଙ୍କର ଓଡ଼ିଶୀ ନୃତ୍ୟନାଟିକା ମାନଭଞ୍ଜନ, ନୀଳମାଧବ, ରାମାୟଣ ଓ କୋଣାର୍କ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ। ସେ ଦିଲ୍ଳୀରେ ‘ଗୁରୁ ଶ୍ରୀନାଥ ରାଉତ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ ଡ୍ୟାନ୍ସ’ ଖୋଲି ନୟାଗଡ଼ ପାଇଁ ଗର୍ବ ଓ ଗୌରବ ପାଲଟିଥିଲେ। ୧୮୩୩-୧୮୬୬ ବେଳକୁ ଖଣ୍ଡପଡ଼ା ରାଜା କୁଂଜବନ ସିଂହ ମର୍ଦ୍ଦରାଜଙ୍କ ଶାସନ ସମୟକୁ ଖଣ୍ଡପଡ଼ା ଗଡ଼ର ସାହିତ୍ୟ ସଂଗୀତର ସୁବର୍ଣ୍ଣ ଯୁଗତ ହୋଇ ସାରିଲାଣି। ୧୯୦୮-୧୯୨୨ ବେଳକୁ ରାଜା ରାମଚନ୍ଦ୍ର ସିଂହ ସଂଗୀତ ଅନୁରାଗୀ ହୋଇସାରିଥିଲେ। କବି କାଳୀଚରଣ ପଟ୍ଟନାୟକ ଖଣ୍ଡପଡ଼ାରେ ଚାକିରୀ କରିଥିଲାବେଳେ ତାଙ୍କ ଆତ୍ମଜୀବନୀ ‘କୁମ୍ଭାରଚକ’ରେ ସଂଗୀତ ଉପରେ ବହୁତ କିଛି ଉଲ୍ଲେଖ କରି ଯାଇଛନ୍ତି। ସେତେବେଳକୁ ଖଣ୍ଡପଡ଼ାର ଢୁମ୍ଫା ସଂଗୀତ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା। ଓଡ଼ିଶା ଇତିହାସରେ ରଣପୁରର ରାସ ମଧ୍ୟ ଏକ ପ୍ରସିଦ୍ଧି ରାସରୂପେ ପ୍ରସିଦ୍ଧି ଲାଭ କରିଥିଲା। ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରା ରାମଲୀଳା ମଧ୍ୟ ସାରା ଭାରତରେ ଖ୍ୟାତି ଥିଲା। ଆଧୁନିକ ଯୁଗର ଆକ୍ରମଣରେ ଲୋକଗୀତ ଓ ବହୁ ସଂଗୀତ ଦିନକୁ ଦିନ ପ୍ରାୟ ହଜି ଯାଉଥିବାବେଳେ ଜିଲାରେ ସାମ୍ପ୍ରତିକ ସଂଗୀତର ଧାରା ଯେତିକି ପରିବ୍ୟାପ୍ତ ତାହା ଅନେକ ଅନାଲୋଚିତ ହୋଇ ରହିଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.