Home Top News ଭାରତର ପୁନର୍ଜାଗରଣର ଅଗ୍ରଦୂତ: ସ୍ୱାମୀ ବିବେକାନନ୍ଦ

ଭାରତର ପୁନର୍ଜାଗରଣର ଅଗ୍ରଦୂତ: ସ୍ୱାମୀ ବିବେକାନନ୍ଦ

105

ଗୁରୁଦେବ ରବୀନ୍ଦ୍ର ନାଥ ଠାକୁର ଯେତେବେଳେ ଫ୍ରାନ୍ସ ଯାଇଥିଲେ ସେତେବେଳେ ତାଙ୍କର ସେଠାରେ ରହଣି କାଳରେ ଫ୍ରାନ୍ସର ଜଣେ ବିଦ୍ୱାନ ଓ ଐତିହାସିକ ରୋମା ରୋଲାଁଙ୍କ ସହ ତାଙ୍କର ସାକ୍ଷାତ ଓ କଥାବାର୍ତ୍ତା ହେଲ।। ରୋମା ରୋଲାଁ କେବେ ହେଲେ ଭାରତ ଆସି ନ ଥିଲେ। ଏହି କଥାବାର୍ତ୍ତା ସମୟରେ ରୋମା ରୋଲାଁ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କୁ ପଚାରିଲେ ‘ମୁଁ ଭାରତକୁ ଜାଣିବାକୁ ଚାହୁଁଛି, ମୁଁ କିପରି ଜାଣି ପାରିବି? ’ ଏହାର ଉତରରେ ରବୀନ୍ଦ୍ର ନାଥ ଠାକୁର ତାଙ୍କୁ କହିଥିଲେ ଯେ ଯଦି ଆପଣ ଭାରତକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ରାମକୃଷ୍ଣ ପରମହଂସଙ୍କ ଜୀବନକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ପରେ ରବୀନ୍ଦ୍ର ନାଥ ଠାକୁର ତାଙ୍କୁ ରାମକୃଷ୍ଣ ପରମହଂସଙ୍କ ସମ୍ପର୍କରେ କିଛି ଜଣାଇଲେ। ତେବେ ଯେପରିକି ପୂର୍ବରୁ ଉଲ୍ଲେଖ କରା ଯାଇଛି ରୋମା ରୋଲାଁ କେବେ ହେଲେ ଭାରତ ଆସି ନ ଥିଲେ ତେଣୁ ସେ ରବୀନ୍ଦ୍ର ନାଥ ଠାକୁର ଯାହା ରାମକୃଷ୍ଣଙ୍କ ବିଷୟରେ କହିଲେ ତାହା ସେ ବୁଝି ପାରି ନ ଥିଲେ।

ରୋମା ରୋଲାଁ ଭାରତ ବିଷୟରେ କିଛି ବିଶେଷ ଜାଣି ନ ଥିବାରୁ ରାମକୃଷ୍ଣଙ୍କ ସମ୍ପର୍କରେ କିଛି ବୁଝି ପାରି ନ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ରାମକୃଷ୍ଣଙ୍କ ବିଷୟରେ ରିସର୍ଚ କରି ରାମକୃଷ୍ଣଙ୍କ ଏକ ଅତ୍ୟନ୍ତ ଉତ୍କୃଷ୍ଟ ଜୀବନୀ ଲେଖିଥିଲେ। ସେ ଏଥିରେ ଲେଖିଲେ ଯେ – “ଭାରତର, ଭାରତର ସନାତନ ଧର୍ମର ଦଶ ହଜାର ବର୍ଷର ସାଧନା ଘନୀଭୂତ ହୋଇ ରାମକୃଷ୍ଣ ପରମହଂସଙ୍କ ରୂପରେ ଅବତରିତ ହୋଇଛି। ”

ଏହା ପୂର୍ବରୁ ରୋମା ରୋଲାଁଙ୍କୁ ସେହି ସାକ୍ଷାତକାର ସମୟରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁର କହିଥିଲେ ଯେ ରାମକୃଷ୍ଣଙ୍କୁ ଜାଣିବା ପାଇଁ ହେଲେ ସ୍ୱାମୀ ବିବେକାନନ୍ଦଙ୍କୁ ପଢନ୍ତୁ। ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ସବୁ କିଛି ସକାରାତ୍ମକ ରହିଛି ହେଲେ କୌଣସି ପ୍ରକାର ନକାରାତ୍ମକ ନାହିଁ।

ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ ଏହି କଥନ ଅକ୍ଷରେ ଅକ୍ଷରେ ସତ୍ୟ। ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କଲେ ସବୁବେଳେ ସର୍ବତ୍ର ସକାରାତ୍ମକତା ଦେଖିବାକୁ ମିଳେ। ତାଙ୍କର ବ୍ୟାଖ୍ୟାନ, କଥନ ଓ ଲେଖନୀରେ ସବୁବେଳେ ସକାରାତ୍ମତା ହିଁ ଝଲକ ଦେଖିବାକୁ ମିଳିଥାଏ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ୱାମୀ ବିବେକାନନ୍ଦଙ୍କ ଏହି ସକାରାତ୍ମକତା ଅର୍ଥାତ ପଜିଟିଭିଟି ସମ୍ପର୍କରେ କହିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହନ୍ତି ଯେ “ଯଦି ଆପଣ ସ୍ୱାମୀ ବିବେକାନନ୍ଦଙ୍କୁ ଆପଣ ଶୋଇ ଶୋଇ ପଢିବେ ତେବେ ଆପଣ ଉଠି ଯିବେ, ଆପଣ ନିଜେ ଜାଣି ପାରିବେ ନାହିାଁ ସେହିପରି ଯଦି ଆପଣ ସ୍ୱାମୀ ବିବେକାନନ୍ଦଙ୍କୁ ବସି ପଢୁଛନ୍ତି ଆପଣଙ୍କୁ ଜଣା ପଡିବ ନାହିଁ ଯେ ଆପଣ କେତେବେଳେ ଠିଆ ହୋଇ ଯାଇଛନ୍ତି। ଯଦି ଆପଣ ସ୍ୱୀମୀ ବିବେକାନନ୍ଦଙ୍କୁ ଠିଆ ହୋଇ ପଡୁଛନ୍ତି ତେବେ ଆପଣ ଜାଣି ପାରିବେ ନାହିଁ ଓ କର୍ମରେ ରତ ହୋଇ ଯିବେ ଓ ଚାଲିବା ଆରମ୍ଭ କରି ଦେବେ। ଏହା ସ୍ୱାମୀ ବିବେକାନନ୍ଦଙ୍କ ଅଗ୍ନିବାଣ ଭଳି ଶବ୍ଦର ଶକ୍ତି ଅଟେ। ”

ତେଣୁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀରେ କେତେ ଓଜସ୍ୱୀତା ଓ ସକାରାତ୍ମକତା ଭରି ହୋଇ ରହିଥିଲା ତାହା ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁଭାଷ ବୋଷଙ୍କ ବକ୍ତବ୍ୟରୁ ସୁସ୍ପଷ୍ଟ।

ତାଙ୍କର ବିଚାର ଓ ବାଣୀରେ ସ୍ୱାମୀ ବିବେକାନନ୍ଦ ସବୁବେଳେ ସକାରାତ୍ମକତାର ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ପକାଇବା। ସ୍ୱାମୀ ବିବେକାନନ୍ଦ ଥରେ ଲଣ୍ଡନରେ ‘ଲାଇଫ ଆଫ୍‌ଟର ଡେଥ’ ଅର୍ଥାତ ମରୋଣପରାନ୍ତ ଜୀବନ ସମ୍ପର୍କରେ ବ୍ୟଖ୍ୟାନରେ ଉଦବୋଧନ ଦେଉଥିଲେ। ଏହି ବ୍ୟଖ୍ୟାନରେ ସ୍ୱାମୀ ବିବେକାନନ୍ଦ ମହାଭାରତରେ ବର୍ଣିତ ଯକ୍ଷ ପ୍ରଶ୍ନରୁ ତାଙ୍କର ଉଦବୋଧନ ପ୍ରାରମ୍ଭ କରିଥିଲେ। ଏହି ପ୍ରଶ୍ନ ମଧ୍ୟରେ ଏକ ଖୁବ ଚର୍ଚିତ ପ୍ରଶ୍ନ ରହିଥିଲା। ସେ ଧର୍ମରାଜ ଯୁଧିଷ୍ଠୀରଙ୍କୁ ପ୍ରଶ୍ନ କରିଥିଲେ ଯେ ବିଶ୍ୱରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଣ। ଏହାର ଉତରରେ କହିଥିଲେ ଯେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମୃତ୍ୟବରଣ କରୁଛନ୍ତି ଓ ଯମ ଲୋକଙ୍କୁ ପ୍ରସ୍ଥାନ କରୁଛନ୍ତି। ଏହା ସତ୍ୱେ ବି ଲୋକ ମାନେ ନିଜର ଜୀବନକୁ ଅମର ବୋଲି ଭାବି ଜୀବନ ଜୀଇଁ ଥାନ୍ତି, ଏହା ହିଁ ସବୁଠାରୁ ବଡ ଆଶ୍ଚର୍ଯ୍ୟ। ଯକ୍ଷ ଧର୍ମରାଜ ଯୁଧୀଷ୍ଠିରଙ୍କ ପ୍ରଶ୍ନର ଉତରରେ ଖୁସି ହୋଇ ତାଙ୍କର ସମସ୍ତ ଭାଇ ମାନଙ୍କୁ ଜୀବିତ କରି ଦେଇଥିଲା। ସେ ଯୁଧୀଷ୍ଠିରଙ୍କ ଉତରରେ ସନ୍ତୁଷ୍ଟ ହୋଇ ଯାଇଥିଲା। ହେଲେ ସ୍ୱାମୀ ବିବେକାନନ୍ଦ ତାଙ୍କ ବ୍ୟାଖ୍ୟାନରେ ଯୁଧିଷ୍ଠୀରଙ୍କ ଉତରରେ ସନ୍ତୁଷ୍ଟ ହୋଇ ନ ଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ “ମୁଁ ବୁଝି ପାରୁ ନାହିଁ ଏଥିରେ କଣ ଆଶ୍ଚର୍ଯ୍ୟ ରହିଛି। କାରଣ ବାସ୍ତବରେ ମନୁଷ୍ୟର ସ୍ୱରୂପ ତ ସଚ୍ଚିଦାନନ୍ଦ ସ୍ୱରୂପ ଅଟେ। ସେ ନିଜେ ସେହି ବ୍ରହ୍ମର ଅଂଶବିଶେଷ। ମନୁଷ୍ୟର ଆତ୍ମା ଅଜର- ଅମର। ତେଣୁ ମନୁଷ୍ୟ ଅଜର- ଅମର ଓ ଆନନ୍ଦର ଭାଗୀ ଆତ୍ମା। ଏହା ମନୁଷ୍ୟକୁ ସବେବେଳେ ମନେ ରହିଥାଏ। ତେଣୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁକୁ ପ୍ରତିଦିନ ଦେଖିବା ପରେ ମଧ୍ୟ ସେ ଯଦି ସେ ନିଜର ଅମରତ୍ୱକୁ ଧ୍ୟାନରେ ରଖେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି। ” ଏହା ସ୍ୱାମୀ ବିବେକାନନ୍ଦଙ୍କ ସକାରାତ୍ମକତାର ଚରମ ନିଦର୍ଶନ ଅଟେ। ଏହି ବିଷୟକୁ ନେଇ ତାଙ୍କର ଏକ କବିତା ମଧ୍ୟ ରହିଛି।

ସ୍ୱୀମୀ ବିବେକାନନ୍ଦ ନାସ୍ତିକତାର ସଂଜ୍ଞା ବଦଳାଇ ଦେଇଥିଲେ। ସେ କହୁଥିଲେ ଯେ ପୂର୍ବରୁ ନାସ୍ତିକ ତାକୁ କୁହା ଯାଉଥିଲା ଯାହାର ଇଶ୍ୱରଙ୍କ ଉପରେ ବିଶ୍ୱାସ ନାହିଁ। ମୁଁ କହୁଛି ସେ ହେଉଛି ନାସ୍ତିକ ଯାହାର ନିଜ ଉପରେ ବିଶ୍ୱାସ ନାହିଁ। ତାଙ୍କ ବାଣୀ ଓ ଲେଖନୀ ସବୁବେଳେ ମନୁଷତ୍ୱକୁ ଶକ୍ତି ପ୍ରଦାନ କରି ଆସିଛି। ସେ ଦୁର୍ବଳତାର ସବୁବେଳେ ବିରୋଧୀ ଥିଲେ।

ସେ ଭାରତକୁ ଖୁବ ଭଲ ପାଉଥିଲେ। ଭାରତର ଲୋକଙ୍କୁ ଖୁବ ଭଲ ପାଉଥିଲେ। ଭାରତମାତାଙ୍କୁ ସେ ପରମ ବୈଭବରେ ପହଂଚାଇବା ପାଇଁ ସତତ ଚେଷ୍ଟିତ ଥିଲେ।

୧୮୯୭ ମସିହାରେ ଆମେରିକା ଓ ୟୁରୋପରେ ଭାରତ ଓ ହିନ୍ଦୁତ୍ୱର ଗୌରବର ବାନା ଉଡାଇ ସେ ଯେତେବେଳେ ଭାରତ ଫେରୁଥିଲେ ସେତେବେଳେ ଇଂଲଣ୍ଡରୁ ପ୍ରସ୍ଥାନ ପୂର୍ବରୁ ତାଙ୍କର ଜଣେ ଇଂରେଜ ବନ୍ଧୁ ତାଙ୍କୁ ପଚାରିଥିଲେ –‘ ବିକାଶିତ, ଐଶ୍ୱର୍ଯ୍ୟଶାଳୀ ଓ ଶକ୍ତିମାନ ପାଶ୍ଚାତ୍ୟ ଦେଶ ମାନଙ୍କରେ ଚାରି ବର୍ଷର ଅନୁଭୁତି ପାଇବା ପରେ ଏବେ ଆପଣଙ୍କୁ ନିଜର ମାତୃଭୂମି କିପରି ଲାଗିବ ?’

ଏହାର ଉତରରେ ସ୍ୱାମୀ ବିବେକାନନ୍ଦଙ୍କ ଉତର ଅତ୍ୟନ୍ତ ମାର୍ମିକ ଥିଲା। ସେ କହିଥିଲେ ‘ ନିଜ ଦେଶ ଛାଡି ଯିବା ପୂର୍ବରୁ ମୁଁ ଭାରତକୁ କେବଳ ଭଲ ପାଉଥିଲି, କିନ୍ତୁ ଏବେ ମୋ ପାଇଁ ଭାରତର ବାୟୁ, ଏପରିକି ଭାରତର ପ୍ରତ୍ୟେକ ଧୁଳିକଣ ସ୍ୱର୍ଗ ଠାରୁ ମଧ୍ୟ ଅଧିକ ପବିତ୍ର। ଭାରତ- ଭୂମି ପବିତ୍ର ଭୂମି ଅଟେ। ସେ ମୋର ମା। ଭାରତ ହେଉଛି ମୋର ତୀର୍ଥ। ’

… ଯେପରି ଦୂରରେ ଭାରତର ସମୁଦ୍ର ତଟ ଦେଖାଗଲା, ତାଙ୍କ ନୟନରେ ଅଶ୍ରୁର ଧାରା ବହିବାରେ ଲାଗିଲା। ହାତ ଯୋଡି ସେ ସେହି ସମୁଦ୍ର ତଟ ଆଡକୁ ଦେଖୁଥିଲେ ଯେପରିକି ସେ ସାକ୍ଷାତ ଭାରତ ମାଁଙ୍କର ଦର୍ଶନ କରୁଛନ୍ତି। ଜାହାଜ ଯେତେବେଳେ କୂଳରେ ଲାଗିଲା ସେ ତଳକୁ ଓହ୍ଲାଇଲେ ଓ ଭାରତ ଭୂମିରେ ପାଦ ରଖିବା ମାତ୍ରେ ସାଷ୍ଟାଙ୍ଗ ପ୍ରଣାମ କରି ତାର ଧୁଳିରେ ଏ ପ୍ରକାରରେ ଗଡ଼ିବା ଆରମ୍ଭ କଲେ ଯେପରି କି ଅନେକ ବର୍ଷ ପରେ କୌଣସି ଶିଶୁ ତା ମା କୋଳକୁ ଆସିଛି। ସେ ବାରମ୍ବାର ଭାରତ ଭୂମିକୁ ପ୍ରଣାମ କରୁଥିଲେ ଓ ତାର ଜୟଜୟକାର କରୁଥିଲେ। ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ମାନେ ଏହି ଦୃଶ୍ୟକୁ ଦେଖି ଆତ୍ମ ବିଭୋର ହୋଇ ଉଠୁଥିଲେ।

ସ୍ୱାମୀ ବିବେକାନନ୍ଦ ସ୍ୱଷ୍ଟ ଶବ୍ଦରେ କହୁଥିଲେ ଯେ ଆମର ରାଷ୍ଟ୍ରର ଆଦର୍ଶ ଓ ମାନକ ପାଶ୍ଚାତ୍ୟ ଦେଶରୁ ଭିନ୍ନ ହୋଇଥିବା କାରଣରୁ ସେମାନଙ୍କର ଅନ୍ଧାନୁକରଣ ଆମ ଦେଶର ପ୍ରକୃତିର ଅନୁରୂପ ହେବ ନାହିଁ। ଆମ ଦେଶର ସଂସ୍କୃତି ଆଧାରରେ ଆମେ ଆମର ରାସ୍ତା ତିଆରି କରିବା। ସେ କହିଲେ – ନୈତିକତା ଓ ସଦାଚାର ଆମର ରାଷ୍ଟ୍ରୀୟ ଜୀବନର ଆଧାର ଅଟେ। ଏହାକୁ ରାଷ୍ଟ୍ରୀୟ କର୍ତବ୍ୟ ରୂପେ ଗ୍ରହଣ କରା ଯିବା ଉଚିତ। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ନିଜର ସାଂସ୍କୃତିକ ସୀମା ପ୍ରତି ସଚେତନ ହେବା। ୟୁରୋପ ଓ ଆମେରିକାର ରାଷ୍ଟ୍ରୀୟ ଆଦର୍ଶ ଓ ମାନକ ଭିନ୍ନ ଅଟେ। ଆମେ ତାଙ୍କର ନକଲ କରି ପାରିବା ନାହିଁ। ତାଙ୍କର ନକଲ ଓ ପାଶ୍ଚାତ୍ୟ ଭାବର ଅନ୍ଧାନୁକରଣ ଆମ ପ୍ରକୃତିର ପ୍ରତିକୂଳ ହେବ। ଭାରତ, ଭାରତୀୟତା, ଭାରତୀୟ ସଂସ୍କୃତିର ପୁନର୍ଜାଗରଣର ଅଗ୍ରଦୂତ ଏଭଳି ଜଣେ ମହାପୁରୁଷଙ୍କୁ ତାଙ୍କର ଜୟନ୍ତୀରେ ନମନ।

ଡ.ସମନ୍ୱୟ ନନ୍ଦ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.