Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ଆସନର ନୂଆ ମୁହଁ ସୀତାଂଶୁଙ୍କୁ ନେଇ ରାଜନୀତି ସରଗରମ, ଚାନ୍ଦବାଲି ଓ ଧାମନଗରରୁ...

ଭଦ୍ରକ ବିଜେପି ଆସନର ନୂଆ ମୁହଁ ସୀତାଂଶୁଙ୍କୁ ନେଇ ରାଜନୀତି ସରଗରମ, ଚାନ୍ଦବାଲି ଓ ଧାମନଗରରୁ ଲଢିବେ ରୁ ମନମୋହନ ସୂର୍ଯ୍ୟବଂଶୀ

48

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ଭଦ୍ରକ ରାଜନୀତିରେ ଆରମ୍ଭ ହେବ ଏକ ନୂତନ ଅଧ୍ୟାୟ । ବଦଳିଯିବ ଭଦ୍ରକ ବିଜେପି ରାଜନୈତିକ ସମୀକରଣ” ଶୀର୍ଷକ ଯେଉଁ ସମୀକ୍ଷା ଖବର ଆମେ ପ୍ରକାଶ କରିଥିଲୁ, ତାହା ଏବେ ସତ୍ୟରେ ପରିଣତ ହୋଇଛି । ସେତେବେଳେ ବିଜେପିରେ ଭଦ୍ରକ ମାଟିର ଏକ ଅତି ପରିଚିତ ଚେହେରା ସହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର (ଚନ୍ଦୁ ନନା) ବିଜେପିରେ ଯୋଗଦେବେ ବୋଲି ଆମେ ପୂର୍ବାନୁମାନ କରିଥିଲୁ । ଏବଂ ସେତେବେଳେ ସୀତାଂଶୁଙ୍କ ବହୁ ସମର୍ଥକ ତାଙ୍କ ରାଜନୈତିକ ଜୀବନରେ ସେ ବିଜେପିରେ ପ୍ରଥମ କରି ପ୍ରବେଶ କରି ଭଦ୍ରକର ନେତୃତ୍ୱ ନିଅନ୍ତୁ ବୋଲି ଚାହିଁଥିଲେ । ଅବଶ୍ୟ ପରେ ପରେ ସେ ଜାନୁଆୟୀ ମାସରେ ବିଜେପିରେ ସାମିଲ ହେବା ପରେ ବିଜେପି ତାର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଚୟନ କରିଛି । ସେ ପ୍ରାର୍ଥୀ ଘୋଷଣା ପରେ ଜିଲା ଯୁବ କଂଗ୍ରେସ ସଭାପତି ହେମନ୍ତ କୁମାର ମହାପାତ୍ରଙ୍କ ଭଳି ବହୁ ଯୁବନେତା ଓ କର୍ମୀ କଂଗ୍ରେସ ଦଳ ଛାଡି ବିଜେପି ସହ ସାମିଲ ହୋଇଛନ୍ତି । ସୀତାଂଶୁଙ୍କ୍ ସହୀଦ ଭଗତ ସେନା ନାମକ ଏକ ସଂଗଠନ ଗଢି ଦୀର୍ଘବର୍ଷ ହେବ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ବିଶାଳ ଯୁବଗୋଷ୍ଠୀଙ୍କୁ ଗୋଟିଏ ଛାତତଳେ ଏକତ୍ରିତ କରି ସେମାନଙ୍କର ଆଦର୍ଶ ପାଲଟି ଜନସେବାରେ ଜଡିତ ଅଛନ୍ତି ।

ବିଶେଷକରି କୌଣସି ଦୁର୍ଘଟଣା ହେଉ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଘରପୋଡି ହେଉ ପ୍ରଥମେ ସେ ନିଜର ଯୁବ ସହଯୋଗୀଙ୍କୁ ନେଇ ଯେଭଳି ସହାୟତାର ଅପୂର୍ବ ପରମ୍ପରା ସୃଷ୍ଟି କରିଆସିଛନ୍ତି, ତାହା ତାଙ୍କୁ ବିଜୟ ଶିରୋପା ପିନ୍ଧାଇବ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି । ଅବଶ୍ୟ ସେ ପ୍ରାର୍ଥୀ ହେବା ପଛରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ତାଙ୍କ ପରିବାର ସହ ସୁସଂପର୍କ ଅନେକ ପରିମାଣରେ ଫଳପ୍ରଦ ହୋଇଛି । ଭଦ୍ରକ ଜିଲାର ୫ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ସୀତାଂଶୁଙ୍କ ବ୍ୟତୀତ ଧାମନଗରରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଓ ଚାନ୍ଦବାଲିରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଅନ୍ୟ ଦୁଇଟି ଆସନରେ ସେମିତି କେହି ଆଶାୟୀଙ୍କ ନାମ ଶୁଣାଯାଉନଥିବାବେଳେ ଭଦ୍ରକ ପାଇଁ ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରଦୀପ ନାୟକ ଏଥର ବାଦ୍ ପଡିଛନ୍ତି । ତେବେ ଜିଲା ସଭାପତି ହେମନ୍ତ ପାଢୀ, ପୂର୍ବତନ ଜିଲା ମହିଳା ମୋର୍ଚ୍ଚା ସଭାପତି ମନସ୍ମିତା ଖୁଣ୍ଟିଆ ଏହି ଆସନ ପାଇଁ ଆଶାୟୀ ଥିବାବେଳେ ସେମାନଙ୍କୁ ନିରାଶ ହେବାକୁ ପଡିଛି ।

ତେବେ ବିଜେପି ତାର ପ୍ରଥମ ପର୍ଯ୍ୟାୟ ଘୋଷିତ ପ୍ରାର୍ଥୀ ତାଲିକାରେ ଏହି ଜିଲାର ୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୩ଟି ରେ ତାର ଚୟନ ସ୍ପଷ୍ଟ କରିଥିବାବେଳେ ଅନ୍ୟ ୨ଟି ଭଣ୍ଡାରିପୋଖରୀ ଓ ବାସୁଦେବପୁର ଆସନରେ କାହାକୁ ସୁଯୋଗ ମିଳିବ, ସେଥିନେଇ ବେଶ୍ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ଭଣ୍ଡାରିପୋଖରୀ ଆସନରେ ଦଳର ପୂର୍ବତନ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳ, ସଦ୍ୟ ବିଜେଡି ଛାଡି ବିଜେପି ମଙ୍ଗ ଧରିଥିବା ସୁଧାଂଶୁ ନାୟକ, ପଞ୍ଚାନନ ରାଉତଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଥିବାବେଳେ ରାଜ୍ୟ ସଭାପତି ଶ୍ରୀ ସାମଲ ଭଦ୍ରକରେ ନବାଗତଙ୍କୁ ସୁଯୋଗ ଦେବା ପରେ ଏଠାରେ କିଏ ଟିକେଟ ହାତେଇବ, ସେଥିନେଇ ଦଳୀୟ କର୍ମୀମାନେ ଉତ୍ସୁକତାର ସହ ଅନାଇ ବସିଛନ୍ତି । ବାସୁଦେବପୁରରେ ମଧ୍ୟ ଗତଥର ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କ ପୁତ୍ର ଉଦୟ ନାରାୟଣ ଆଶାୟୀ ଥିବାବେଳେ, ବିଜେପିର ବରିଷ୍ଠ ନେତା ଦୀନବନ୍ଧୁ ପତି ଓ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ଯୁବନେତା ବାଣୀକଲ୍ୟାଣ ମହାନ୍ତି ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନାମ ମଧ୍ୟ ଶୁଣାଯାଉଛି । ବିଶେଷକରି ନିଜେ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଗତଥର ଭଳି ଏଥର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ସେ ଗତଥର ଖୁବ୍ କମ୍ ବ୍ୟବଧାନରେ ବିଜେଡିର ବ୍ୟୋମକେଶ ରାୟଙ୍କ ଠାରୁ ପରାଜିତ ହୋଇଥିବାବେଳେ ଏଥର ବିଧାୟକ ଶ୍ରୀ ରାୟଙ୍କୁ କଡା ଜବାବ ଦେଇ ବିଜୟୀ ହେବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହିଭଳି ଧାମନଗର ସଂରକ୍ଷିତ ଆସନରୁ ଦଳ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କୁ ପୁଣିଥରେ ମଙ୍ଗୁଆଳ କରିଛି । ଏହି ଆସନରେ ଦିବଂଗତ ବିଧାୟକ ତଥା ବିଜେପିର ଜଣେ ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ତାଙ୍କ ସୁପୁତ୍ର ସୁରଜ ୨୦୨୨ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ।

କେବଳ ସେତିକି ନୁହେଁ ସୂର୍ଯ୍ୟବଂଶୀ ବିଧାୟକ ହେବା ପରେ ବିଧାନସଭା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ନିଜ ପିତାଙ୍କ ଭଳି ଶାସକ ଦଳକୁ ରାମ ବାଣ ମାରି ଅସୁବିଧାରେ ପକାଉଥିବାରୁ ଚଳିତ ଥର ପୁଣିଥରେ ଦଳ ତାଙ୍କୁ ଲଢିବାର ସୁଯୋଗ ଦେଇଛି । ସେ ଯାହା ହେଉନା କାହିଁକି ବିଜେପିର ୩ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସେମାନଙ୍କ ସମର୍ଥକମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରି ମିଠା ବାଣ୍ଟି ଉତ୍ସବ ମନାଇଛନ୍ତି । ବିଶେଷକରି ସମସ୍ତଙ୍କ ନଜରରେ ଥିବା ଭଦ୍ରକ ଆସନ ପ୍ରାର୍ଥୀ ସୀତାଂଶୁଙ୍କ ନାମ ଘୋଷଣା ପରେ ସେ ପ୍ରଥମେ ଭଦ୍ରକାଳୀ ମନ୍ଦିରରେ ନିଜ ସମର୍ଥକଙ୍କ ସହ ପୂଜାର୍ଚ୍ଚନା କରିବା ସହ ରାଜ୍ୟର ପୁରୀ, କାକଟପୁର ଭଳି ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.