Home ଉପ ନିର୍ବାଚନ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର

ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର

72

ବାଲେଶ୍ୱର, ୧୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ଚଳିତ ବାଲେଶ୍ୱର ଉପ-ନିର୍ବାଚନରେ ପ୍ରଚାର କ୍ଷେତ୍ରରେ ଅନ୍ୟାନ୍ୟ ରାଜନୈତିକ ଦଳଙ୍କ ତୁଳନାରେ ବିଜେପି ବେଶ୍ ଆଗରେ ଥିବା ଲକ୍ଷ୍ୟ କରାଯାଇଛି। ବିଜେଡି ଭଳି ମାଳ ମାଳ ମନ୍ତ୍ରୀ ବିଧାୟକ ନଥିଲେ ମଧ୍ୟ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏବେ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସପକ୍ଷରେ ସବୁବର୍ଗର କର୍ମୀ ପ୍ରଚାର ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରାର୍ଥୀ ମାନସଙ୍କୁ ନେଇ ଛାନୁଆ ପଞ୍ଚାୟତ ସମେତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ଡୋର କ୍ୟାମ୍ପେନିଂ ଜରିଆରେ ଭୋଟଭିକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ସାଙ୍ଗକୁ ଯୋଜନା କାର୍ଯ୍ୟକାରୀରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ବିଶେଷ କରି ଓଡ଼ିଶାରୁ ଦୁର୍ନୀତିମୁକ୍ତ ଶାସନର ମୂଳ ଉତ୍ପଟନ ପାଇଁ ବାଲେଶ୍ୱରରୁ ବିଜେପି ପ୍ରାର୍ଥୀ ମାନସଙ୍କୁ ଭିତ୍ତି ପ୍ରସ୍ତର ସ୍ଥାପନର ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି। ପ୍ରାର୍ଥୀ ମାନସ ଦତ୍ତ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ମିଡିଅ ସଂଯୋଜକ ଶ୍ରୀନିବାସ ପ୍ରଧାନ, ପଞ୍ଚୁପଡ଼ା ମଣ୍ଡଳ ସଭାପତି ବିଜୟ ସାହୁ, ପ୍ରଭାରୀ ଲୋକନାଥ ଭୂୟାଁ ପ୍ରମୁଖ ଏଥିରେ ଯୋଗଦେଇ ଭୋଟଭିକ୍ଷା କରିଥିଲେ। ବିଶେଷ କରି ଦୁର୍ନୀତିର ଗନ୍ତାଘର ପାଲଟିଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ମାନସ ଦତ୍ତଙ୍କୁ ବହୁ ଅଧିକ ଭୋଟ ଦେଇ ବିଜୟ କରିବାକୁ ସେମାନେ ନିବେଦନ କରିଥିଲେ। ଏହି ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ଗ୍ରାମବାସୀମାନେ ଘଣ୍ଟ, ଘଣ୍ଟା ଢୋଲ ଆଦି ବଜାଇ ବିଜେପି ପ୍ରଚାର ଦଳକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଅନ୍ୟାନ ପଞ୍ଚାୟାତରେ ଏକାଧିକ ନିର୍ବାଚନୀ ସଭାରେ ଯୋଗଦେଇ ବାଲେଶ୍ୱର ପୌରାଞ୍ଚଳକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.