Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର ପାଇଲେ କ୍ୟାବିନେଟ ପାହ୍ୟା

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର ପାଇଲେ କ୍ୟାବିନେଟ ପାହ୍ୟା

732

ସମ୍ବଲପୁର, ୧୨ ଜୁନ୍ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ କ୍ୟାଡ଼ରର ଆଇଏଏସ୍ ନ୍ରିପେନ୍ଦ୍ର ମିଶ୍ର ଏବଂ ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ତଥା ସମ୍ବଲପୁରର କୃତୀ ସନ୍ତାନ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଓ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଭାବେ ପୁନର୍ବାର ଅବସ୍ଥାପିତ ହୋଇଛନ୍ତି। ଉଭୟଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଥିବା କେନ୍ଦ୍ର ସରକାରଙ୍କ କମିଟୀ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି କରାଯାଇଛି। ଉଭୟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪-୨୦୧୯ କାର୍ଯ୍ୟକାଳରେ ମଧ୍ୟ ଉପରୋକ୍ତ ପଦବୀରେ ରହିଥିଲେ। ଡ. ମିଶ୍ରଙ୍କ କ୍ୟାବିନେଟ ପାହ୍ୟା ପ୍ରାପ୍ତି ଯୋଗୁଁ ସମ୍ବଲପୁର ସହରରେ ଆନନ୍ଦ ଖେଳିଯାଇଛି। ସେ ଗତ ୫ ବର୍ଷ ମଧ୍ୟରେ ବ୍ୟୁରୋକ୍ରାସି ଟୁଡ଼େ ଏବଂ ଇଣ୍ଡିଆ ଟୁଡ଼େ ଭଳି ପତ୍ରପତ୍ରିକାର ସର୍ଭେରେ ଦେଶର ପ୍ରଭାବଶାଳୀ ପ୍ରଶାସକ ମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସମ୍ବଲପୁର ପଟ୍ଟନାୟକପଡ଼ାର ବିଶିଷ୍ଟ ଆଡ଼ଭୋକେଟ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର ଡ. ମିଶ୍ର ଚନ୍ଦ୍ର ଶେଖର ବେହେରା ଜିଲ୍ଲାସ୍କୁଲରୁ କୃତୀତ୍ୱର ସହ ମ୍ୟାଟ୍ରିକ୍ ପାସ କଲା ଉତ୍ତାରୁ ଗଙ୍ଗାଧର ମେହେର କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରି ଦିଳ୍ଲୀରେ ପିଜି ଓ ବ୍ରିଟେନରୁ ପିଏଚଡ଼ି ହାସଲ କରିଥିଲେ। ପ୍ରଚାର ପ୍ରସାରରୁ ଦୂରରେ ରହୁଥିବା ଡ. ମିଶ୍ର ଶ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରମୁଖ ସଚିବ ଥିଲେ। ଆରଏସଏସ ପ୍ରଚାରକରୁ ସଫଳ ମୁଖ୍ୟମନ୍ତ୍ରୀ ହେବା ପଛରେ ଡ. ମିଶ୍ରଙ୍କ ଭୂମିକା ରହିଥିବା କୁହାଯାଏ। ଡ. ମିଶ୍ର ଗୁଜୁରାଟର ବିଭିନ୍ନ ଜିଲ୍ଲାର ଜିଳ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବ ପଦରେ ରହିବା ସହିତ ପ୍ରଳୟଙ୍କରୀ ଭୂମିକମ୍ପ ପରେ କଚ୍ଚ ପ୍ରଭୃତି ଜିଲ୍ଲାରେ ପୁନଃ ନିର୍ମାଣ ଓ ଥଇଥାନ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ପଦରେ ମଧ୍ୟ ରହିଛନ୍ତି। ୨୦୦୮ରେ ଅବସର ଗ୍ରହଣ କରିବା ଉତ୍ତାରୁ ମଧ୍ୟ ତାଙ୍କୁ ଗୁଜୁରାଟ ନିୟାମକର ଆୟୋଗର ଅଧ୍ୟକ୍ଷ ଓ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖ୍ୟ ଭାବ ଅବସ୍ଥାପିତ କରାଯାଇଥିଲା। ପ୍ରଶାସନିକ ପରିଚାଳନାରେ ସମର୍ପିତ କାର୍ଯ୍ୟ ସକାଶେ ଓ ବିଭିନ୍ନ ସମୟରେ ଗୁଜୁରାଟ ଓ ପରେ କେନ୍ଦ୍ରରେ ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଉଦ୍ୟମ କରି ଡ. ମିଶ୍ର ବିଭିନ୍ନ ସମୟରେ ପ୍ରଶଂସିତ ହୋଇଛନ୍ତି। ଏପରିକି କ୍ଷତିରେ ଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗକୁ ଲାଭପ୍ରଦ କରିବାରେ ତାଙ୍କର ବୌଦ୍ଧିକ ଉପଯୋଗ ଉଲ୍ଲେଖନୀୟ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.