Home ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସହ ପାକିସ୍ତାନୀ ମାଛଧରା ଡଙ୍ଗାକୁ ଜବତ କଲା ତଟରକ୍ଷୀ ବାହିନୀ

ନିଶାଦ୍ରବ୍ୟ ସହ ପାକିସ୍ତାନୀ ମାଛଧରା ଡଙ୍ଗାକୁ ଜବତ କଲା ତଟରକ୍ଷୀ ବାହିନୀ

869

ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ପାଖାପାଖି ୧୯୪ ପ୍ୟାକେଟ ନିଶାଦ୍ରବ୍ୟ ସହ ଏକ ପାକିସ୍ତାନୀ ମାଛ ଧରା ଡଙ୍ଗାକୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଗୁଜରାଟ ଉପକୂଳ ଠାରୁ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ଜଳସୀମାରେ ଏକ ମାଛଧରା ଡଙ୍ଗା ସନ୍ଦିଗ୍ଧ ଅବସ୍ଥାରେ ଭାରତ ଆଡ଼କୁ ଆସୁଥିବା ସମ୍ପର୍କରେ ୧୯ ମେ ରାତି ପ୍ରାୟ ୯ଟା ବେଳେ ଗୁଇନ୍ଦା ସୂଚନା ମିଳିଥିଲା। ସେହିପରି ଏକ ସୂଚନା ପରଦିନ ଅର୍ଥାତ୍ ୨୦ ମେ ରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ନିକଟରୁ ମିଳିଥିଲା।

ଏହି ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପାଟ୍ରୋଲିଂରେ ନିୟୋଜିତ ତଟରକ୍ଷୀ ବାହିନୀର ଜାହାଜ ଅରିଞ୍ଜୟ ତୁରନ୍ତ ସଜାଗ ହୋଇଯାଇଥିଲା। ଦୁଇଟି ଅତିରିକ୍ତ ବୋଟ ମଧ୍ୟ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଠାବ କରିବା ଲାଗି ନିୟୋଜିତ ହୋଇଥିଲା। ଆକାଶମାର୍ଗରୁ ଅନୁଧ୍ୟାନ ପାଇଁ ତଟରକ୍ଷୀ ବାହିନୀର ଆଇସିଜି ଡୋର୍ନିଅର ବିମାନ ମଧ୍ୟ ପୋରବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା।

ବ୍ୟାପକ ତଲାସୀ ପରେ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଠାବ କରାଯାଇଥିଲା। ଜାଖାଉ ଉପକୂଳରେ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାଟି ଅନ୍ତର୍ଜାତୀୟ ଜଳସୀମାର ଉଲ୍ଲଙ୍ଘନ କରି ଭାରତ ସୀମାକୁ ପଶିଆସିଥିବା ବେଳେ ୨୧ ମେରେ ତଟରକ୍ଷୀ ବାହିନୀ ହାତରେ ଧରାପଡ଼ିଥିଲା। ଅଲ ମଦୀନା ନାମକ ଏହି ବୋଟ୍କୁ ଭାରତୀୟ ଜଳସୀମାରେ ତଟରକ୍ଷୀ ବାହିନୀ ଜାହାଜ ଅରିଞ୍ଜୟ ଅଟକ ରଖିଥିଲା।

ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ ଏହି ପାକିସ୍ତାନୀ ମାଛଧରା ଡଙ୍ଗାଟି କରାଚିରେ ପଞ୍ଜିକୃତ ହୋଇଛି ଏବଂ ଏଥିରେ ୬ ଜଣ ପାକିସ୍ତାନୀ କର୍ମଚାରୀ ରହିଛନ୍ତି। ପ୍ରାରମ୍ଭିକ ଯାଂଚ ପରେ ଏହି ଡଙ୍ଗାରୁ ୧୯୪ ପ୍ୟାକେଟ ନିଶାଦ୍ରବ୍ୟ ଉଦ୍ଧାର କରାଯାଇଥିଲା। ବର୍ତମାନ ଅଧିକ ତଦନ୍ତ ଲାଗି ଏହି ଡଙ୍ଗାକୁ ଜାଖାଉ ହାର୍ବର ଠାରେ ରଖାଯାଇଛି।

କିଛିଦିନ ପୂର୍ବରୁ ୨୪ ମାର୍ଚ୍ଚ ୨୦୧୯ରେ ତଟରକ୍ଷୀ ବାହିନୀର ଜାହାଜ ରାଜରତନ ଏବଂ ଗୁଜରାଟ ଏଟିଏସ୍ର ଏକ ମିଳିତ ଅପରେସନ ସମୟରେ ୧୦୦ କିଗ୍ରା ହେରୋଇନ ଜବତ କରାଯାଇଥିଲା। ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାଜେନ୍ଦ୍ର ସିଂ କହିଛନ୍ତି ଯେ ତଟରକ୍ଷୀ ବାହିନୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ମୋଟ ୫ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିସାରିଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.