Home ଉପ ନିର୍ବାଚନ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ହେଲା କାଳ, ବିଜେଡିରୁ ନିଲମ୍ବିତ ଜୀବନ ପ୍ରଦୀପ ଦାଶ

ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ହେଲା କାଳ, ବିଜେଡିରୁ ନିଲମ୍ବିତ ଜୀବନ ପ୍ରଦୀପ ଦାଶ

59

ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଦଳୀୟ ଶୃଙ୍ଖଳା ତଥା ଅନୁଶାସନ ଉଲ୍ଲଂଘନ ଓ ବାଲେଶ୍ୱର ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ଆଜି ବିଜେଡିରୁ ନିଲମ୍ବିତ କରାଯାଇଛି। ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳୀୟ ରାଜ୍ୟ ଆଭ୍ୟନ୍ତରୀଣ କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦଳର ସାଧାରଣ ସମ୍ପାଦକ ମାନସ ଆର ମଙ୍ଗରାଜ ମିଡିଆକୁ ସୂଚନା ଦେଇଛନ୍ତି। ତେବେ ବାଲେଶ୍ୱର ଉପ-ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଦଳର ଏହି କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶ୍ରୀ ଦାଶଙ୍କୁ ପଚାରିବାରୁ, ଏହାର କାରଣ ବାବଦରେ ସେ କିଛି ଜାଣି ନଥିବା କହିଛନ୍ତି। ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ଭୋଟହାର ବୃଦ୍ଧି ନେଇ ରାଜ୍ୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ସେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିଥିଲେ। ଏହା ସତ୍ତ୍ୱେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଷଡ଼ଯନ୍ତ୍ରର ପ୍ରତିଫଳନ ବୋଲି ସେ ଆରୋପ ଉଠାଇଛନ୍ତି। ଚକ୍ରାନ୍ତକାରୀମାନେ ନିଜ ଉଦ୍ୟମରେ ସଫଳ ହୋଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ବିଜେଡି ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କୁ ପଚାରିବାରୁ, ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଯୋଗୁଁ ଶ୍ରୀ ଦାଶଙ୍କୁ ନିଲମ୍ବିତ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ବିଶେଷ କରି ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସେ ବିଜେଡି କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିବା ନେଇ ବହୁ ଅଭିଯୋଗ ଓ ସୁରାକ ଦଳୀୟ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିଥିଲା। ଅନୁସନ୍ଧାନ ପରେ ଅଭିଯୋଗର ସତ୍ୟତାକୁ ଭିତ୍ତି କରି ଦଳର ଆଭ୍ୟନ୍ତରୀଣ କମିଟି ଏଭଳି ନିଷ୍ପତି ନେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ସରକାରୀ ଚାକିରୀରୁ ଅବସର ନେବା ପରେ ବାଲେଶ୍ୱରରେ ବିଜେପି ସଂଗଠନକୁ ଆଗକୁ ନେବା ସହ ୨୦୦୦ ମସିହାରେ ଶ୍ରୀ ଦାଶ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଜେଡି ଟିକେଟ୍‌ରେ ୨୦୦୯ ଓ ୨୦୧୪ ନିର୍ବାଚନରେ ସଦର ଆସନରୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ୧୩ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ସେ ପରାଜୟ ବରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.