Home ଓଡ଼ିଶା ଧାରା ୩୭୦ ଉଛେଦ ପରେ ଜାମ୍ମୁ-କାଶ୍ମୀର ଓ ଲଦାଖର ବିକାଶ ପାଇଁ ରାସ୍ତା ଖୋଲିଛି :...

ଧାରା ୩୭୦ ଉଛେଦ ପରେ ଜାମ୍ମୁ-କାଶ୍ମୀର ଓ ଲଦାଖର ବିକାଶ ପାଇଁ ରାସ୍ତା ଖୋଲିଛି : ବିଜେପି

672

– ଧାରା ୩୭୦ ବ୍ୟବସ୍ଥା କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଭାଇ-ଭଉଣୀ ମାନେ ଯେଉଁ ଅଧିକାରରୁ ବଂଚିତ ହୋଇଥିଲେ ତାହା ଏବେ ଦୂର ହୋଇଛି
– ଏବେ ଦେଶର ସମସ୍ତ ନାଗରିକମାନଙ୍କର ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ
– ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଜାମ୍ମୁ-କାଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ, ପରିବାରବାଦ, ଭ୍ରଷ୍ଟାଚାର ବ୍ୟତୀତ ଆଉ କିଛି ଦେଇନାହିଁ
– ଦେଶର ଅନ୍ୟ ରାଜ୍ୟର ଝିଅମାନଙ୍କୁ ଯେଉଁ ଅଧିକାର ମିଳୁଛି, ସେସବୁ ଅଧିକାର ଜାମ୍ମୁ-କାଶ୍ମୀର ଝିଅମାନଙ୍କୁ ମିଳୁନଥିଲା, ଏବେ ସେ ସମସ୍ୟାର ଅନ୍ତ ହେଲା
– ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିବା ସମୟରେ ଅନୁସୂଚିତ ଜନଜାତିର ଭାଇ-ଭଉଣୀ ମାନଙ୍କୁ ସଂରକ୍ଷଣର ଲାଭ ମିଳୁଥିଲା ଜାମ୍ମୁ-କାଶ୍ମୀରରେ ଏହା ନଥିଲା। ଏବେ ଏହି ପାତର ଅନ୍ତର ବନ୍ଦ ହେଲା
– ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିଶ୍ୱର ସବୁଠୁ ବଡ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ହେବାର କ୍ଷମତା ରହିଛି। ଏବେ ଏହାର ବିକାଶ ହେବ

ଭୁବନେଶ୍ୱର, ୨୦/୦୮ (ଓଡ଼ିଆ ପୁଅ) : ଧାରା ୩୭୦ ଉଛେଦ କରିବାକୁ ନେଇ ସାରା ଦେଶ ଏକ ଐତିହାସିକ ନିଷ୍ପତି ନେଇଛି। ଏପରି ଏକ ବ୍ୟବସ୍ଥା ଯାହାର କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଆମ ଭାଇ-ଭଉଣୀ ମାନେ ସେମାନଙ୍କ ଅଧିକାରରୁ ବଂଚିତ ହୋଇଥିଲେ। ଯାହା ସେମାନଙ୍କ ବିକାଶରେ ବଡ ବାଧକ ଥିଲା, ତାହା ଏବେ ଦୂର ହୋଇଛି। ଯେଉଁ ସ୍ୱପ୍ନର ସର୍ଦ୍ଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥଲା, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, ଅଟଳ ଜୀ ଏବଂ କୋଟି କୋଟି ଦେଶଭକ୍ତଙ୍କର ଥିଲା ତାହା ଏବେ ପୂରଣ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଅପରାଜିତା କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏବେ ଦେଶର ସମସ୍ତ ନାଗରିକମାନଙ୍କର ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ। ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଜାମ୍ମୁ-କାଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ। ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନାକୁ ଉତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା। ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି ୪୨ହଜାର ନିଦେ୍ର୍ଦାଷ ଲୋକଙ୍କୁ ଜୀବନ ହରାଇବାକୁ ପଡିଛି। ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିକାଶ ସେହି ଗତିରେ ହୋଇପାରିନାହିଁ ଯାହାର ସେମାନେ ଅଧିକାରୀ ଥିଲେ। ଏବେ ବ୍ୟବସ୍ଥାର ଏହି ଅଭାବ ଦୂର ହେବା ଫଳରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ବର୍ତମାନ ସୁଧୁରିଯିବା ସହିତ ସେମାନଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେବ।

ଯେଉଁ ଆଇନ ଦେଶର ସମସ୍ତ ନାଗରିକଙ୍କ ପାଇଁ ତିଆରି ହୋଇଥାଏ ତାର ଲାଭରୁ ଜାମ୍ମୁ-କାଶ୍ମୀରର ଦେଢ କୋଟିରୁ ଅଧିକ ଲୋକ ବଂଚିତ ରହିଥାନ୍ତି। ଚିନ୍ତା କରନ୍ତୁ ଦେଶର ଅନ୍ୟ ରାଜ୍ୟରେ ପିଲାମାନଙ୍କର ଶିକ୍ଷା ଅଧିକାର ରହିଛି କିନ୍ତୁ ଜାମ୍ମୁ-କାଶ୍ମୀର ପିଲା ଏଥିରୁ ବଂଚିତ ଥିଲେ। ଦେଶର ଅନ୍ୟ ରାଜ୍ୟର ଝିଅମାନଙ୍କୁ ଯେଉଁ ଅଧିକାର ମିଳୁଛି, ସେସବୁ ଅଧିକାର ଜାମ୍ମୁ-କାଶ୍ମୀର ଝିଅମାନଙ୍କୁ ମିଳୁନଥିଲା। ଦେଶର ଅନ୍ୟ ରାଜ୍ୟରେ ସଫେଇ କର୍ମଚାରୀଙ୍କ ଲାଗି ସଫେଇ କର୍ମଚାରୀ ଆଇନ ଲାଗୁ ହୋଇଛି। ଜାମ୍ମୁ-କାଶ୍ମୀରର ସଫେଇ କର୍ମଚାରୀ ଏଥିରୁ ବଂଚିତ ଥିଲେ। ଦେଶର ଅନ୍ୟ ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି କଠୋର ଆଇନ ଲାଗୁ ହୋଇଛି ଜାମ୍ମୁ-କାଶ୍ମୀରରେ ଏହା ନଥିଲା। ଦେଶର ଅନ୍ୟ ରାଜ୍ୟରେ ସଂଖ୍ୟାଲଘୁଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ମାଇନୋରିଟି ଆଇନ ଲାଗୁ ହୋଇଛି ଏହା ମଧ୍ୟ ଜାମ୍ମୁ-କାଶ୍ମୀରରେ ନଥିଲା। ଦେଶର ଅନ୍ୟ ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ସର୍ବନିମ୍ମ ମଜୁରି ଆଇନ ଲାଗୁ ହୋଇଛି ଜାମ୍ମୁ-କାଶ୍ମୀରରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ଏହା କେବଳ କାଗଜକଲମରେ ହିଁ ମିଳୁଥିଲା। ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିବା ସମୟରେ ଅନୁସୂଚିତ ଜନଜାତିର ଭାଇ-ଭଉଣୀ ମାନଙ୍କୁ ସଂରକ୍ଷଣର ଲାଭ ମିଳୁଥିଲା ଜାମ୍ମୁ-କାଶ୍ମୀରରେ ଏହା ନଥିଲା। ଏବେ ଏହି ପାତର ଅନ୍ତର ବନ୍ଦ ହେଲା। ଦେଶର ସମସ୍ତ ନାଗରିକ ଯେଉଁ ଅଧିକାର ପାଉଛନ୍ତି କାଶ୍ମୀରିବାସୀ ମଧ୍ୟ ସେହି ସୁବିଧା ପାଇବେ ବୋଲି ଶ୍ରୀମତି ଷଡଙ୍ଗି କହିଛନ୍ତି।

ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ଏହା ପ୍ରାଥମିକତା ରହିବ ଯେ ରାଜ୍ୟର କର୍ମଚାରୀମାନଙ୍କୁ, ଜାମ୍ମୁ-କାଶ୍ମୀର ପୋଲିସକୁ ଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶର କର୍ମଚାରୀ ଏବଂ ସେଠାକାର ପୋଲିସଙ୍କ ଭଳି ସମାନ ସୁବିଧା ମିଳିବ। ଏବେ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଅନେକ ଏପରି ଆର୍ଥିକ ସୁବିଧା ଯେପରିକି ଏଲଟିସି, ଘରଭଡା ଭତା, ପିଲାମାନଙ୍କ ଶିକ୍ଷା ଲାଗି ଶିକ୍ଷା ଭତା, ସ୍ୱାସ୍ଥ୍ୟ ସୁବିଧା ଭଳି ଅନେକ ସୁବିଧା ଦିଆଯାଉଛି ଏଥିମଧ୍ୟରୁ ଅଧିକାଂଶ ଜାମ୍ମୁ-କାଶ୍ମୀରର କର୍ମଚାରୀମାନଙ୍କୁ ମିଳିନଥାଏ। ଏବେ ଜାମ୍ମୁ-କାଶ୍ମୀରର କର୍ମଚାରୀ ଏବଂ ସେଠାକାର ପୋଲିସକୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଅପରାଜିତା କହିଛନ୍ତି।

ଅପରାଜିତା କହିଛନ୍ତି ଯେ ଖୁବଶୀଘ୍ର ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଖାଲିଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ପଦବୀ ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିରୁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ହେବ। ଏଥିସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର ବଡ କମ୍ପାନୀ ଗୁଡିକୁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା ଲାଗି ପ୍ରୋତ୍ସାହିତ କରାଯିବ। ଏହାବ୍ୟତୀତ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ର୍ୟାଲିମାନ ଆୟୋଜନ କରାଯିବ। ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ବୃତି ଯୋଜନାର ମଧ୍ୟ ସମ୍ପ୍ରସାରଣ କରାଯିବ। ଫଳରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ମିଳିପାରିବ। ଜାମ୍ମୁ-କାଶ୍ମୀରରେ ରାଜସ୍ୱ ନିଅଂଟ ବହୁତ ଅଧିକ ରହିଛି। କେନ୍ଦ୍ର ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ଏହାର ପ୍ରଭାବ ଯେମିତି କମ ହେବ।

ଆମ ଦେଶର ଗଣତନ୍ତ୍ର ସବୁ ସୁଦୃଢ। ଜାମ୍ମୁ-କାଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ହଜାର ହଜାର ସଂଖ୍ୟାରେ ଏପରି ଭାଇ-ଭଉଣୀ ରହୁଛନ୍ତି ଯେଉଁମାନଙ୍କ ନିକଟରେ ଲୋକସଭା ନିର୍ବାଚନରେ ଭୋଟ ଦେବାର ଅଧିକାର ତ ଥିଲା, କିନ୍ତୁ ସେମାନେ ବିଧାନସଭା ଏବଂ ସ୍ଥାନୀୟ ପଂଚାୟତ ନିର୍ବାଚନରେ ମତଦାନ କରିପାରୁନଥିଲ। ବର୍ତମାନ ସେମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ମିଳିବ ବୋଲି ଅପରାଜିତା କହିଛନ୍ତି।

ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିଶ୍ୱର ସବୁଠୁ ବଡ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ହେବାର କ୍ଷମତା ରହିଛି। ଏମିତି ଏକ ସମୟ ଥିଲା, ଯେତେବେଳେ ବଲିଉଡର ଚଳଚ୍ଚିତ୍ରର ଶୁଟିଂ ଲାଗି କାଶ୍ମୀର ସବୁଠୁ ପସନ୍ଦଯାଗ୍ୟ ସ୍ଥାନ ଥିଲା। ସେ ସମୟରେ ଅଧିକାଂଶ ଚଳଚ୍ଚିତ୍ର କାଶ୍ମୀରରେ ହିଁ ଶୁଟିଂ ହେଉଥିଲା। କେବଳ ଦେଶ ନୁହେଁ, ସାରା ବିଶ୍ୱରୁ ଲୋକମାନେ ଏଠାକୁ ଚଳଚ୍ଚିତ୍ର ଶୁଟିଂ ପାଇଁ ଆସିବେ। ସରକାର ଯେଉଁ ନିଷ୍ପତି ନେଇଛନ୍ତି, ତାହା ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସେହି ନବଯୁବକମାନଙ୍କୁ ମଧ୍ୟ ସହାୟତା କରିବ, ଯେଉଁମାନେ କ୍ରୀଡା କ୍ଷେତ୍ରରେ ଆଗକୁ ବଢିବା ଲାଗି ଚାହୁଁଛନ୍ତି। ନୂଆ କ୍ରୀଡା ପ୍ରଶିକ୍ଷଣ, ନୂଆ କ୍ରୀଡା ଷ୍ଟାଡିୟମ, ବୈଜ୍ଞାନିକ ପରିବେଶରେ ତାଲିମ, ସେମାନଙ୍କୁ ବିଶ୍ୱରେ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସହାୟତା ମିଳିପାରିବ ବୋଲି ଅପରାଜିତା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.