Home ଓଡ଼ିଶା ଦୀର୍ଘ ଦିନ କ୍ଷମତାର ଅହଙ୍କାର କିଛି ଲୋକଙ୍କୁ ଏକଛତ୍ରବାଦୀ ମାନସିକତାରେ ପହଁଚାଇଛି- ଧର୍ମେନ୍ଦ୍ର ପ୍ରଧାନ

ଦୀର୍ଘ ଦିନ କ୍ଷମତାର ଅହଙ୍କାର କିଛି ଲୋକଙ୍କୁ ଏକଛତ୍ରବାଦୀ ମାନସିକତାରେ ପହଁଚାଇଛି- ଧର୍ମେନ୍ଦ୍ର ପ୍ରଧାନ

1438

ମଧୁ ଜୟନ୍ତୀରେ ଓଡିଶାର ପରିଚୟ ବିତର୍କରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ

– ଆଧୁନିକ ଓଡିଶା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଓ ଓଡିଶାର ପରିଚୟ ମଧୁବାବୁ
– ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ମଧୁବାବୁ ଓଡିଶାର ପରିଚୟ
– ସାଧବ ପୁଅ ଓ ତଅପୋଇ ଓଡିଶାର ପରିଚୟ
– ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଉପକୂଳ ଅଂଚଳର ଯୁବକ ଯେଉଁମାନେ ଶ୍ରୀଲଙ୍କାରେ ବୌଦ୍ଧମତ ପ୍ରଚାର କରି ଏକ ସଭ୍ୟତା ଗଢିଥିଲେ ସେମାନେ କଣ ଓଡିଶାର ପରିଚୟ ନୁହନ୍ତି ?
– ଯେଉଁମାନେ ପ୍ରଜାତନ୍ତ୍ରରେ ଏକଚାଟିଆ ମନୋଭାବକୁ ଦେଖାଇ ନିଜେ ଗୋଟିଏ କାଳଖଣ୍ଡକୁ ହାତରେ କରିନେବୁ ଭାବନ୍ତି ଏହା ଭୁଲ ପ୍ରମାଣିତ ହେବ
– ମୁଁ ପରିଚୟର ଆତ୍ମଗର୍ବ ଇତିହାସରେ ପ୍ରତ୍ୟାଖାତ ହେବାର ଅନେକ ନଜିର ରହିଛି

ଭୁବନେଶ୍ୱର, ଅପ୍ରେଲ ୨୮(ଓଡ଼ିଆ ପୁଅ) – ଦୀର୍ଘ ଦିନ କ୍ଷମତାର ଅହଙ୍କାର କିଛି ଲୋକଙ୍କୁ ଏକଛତ୍ରବାଦୀ ମାନସିକତାରେ ପହଁଚାଇଛି ବୋଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡିଶାର ପରିଚୟ ବିତର୍କ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଧୁନିକ ଓଡିଶାର ପରିଚୟ, ସ୍ୱପ୍ନ ଓ କଳ୍ପନା ଦେଖିଥିବା ଏବଂ ଓଡିଶାକୁ ବିଶ୍ୱ ଦରବାରରରେ ଏକ ବଡ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ନାଁ ହେଲା ମଧୁସୂଦନ ଦାସ। ଓଡିଶା ଏକ ସାଂସ୍କୃତିକ ପ୍ରଦେଶ ହୋଇଥିବା ବେଳେ ଓଡିଶାର ଭାଷା ଆଧାରିତ ରାଜ୍ୟର କଳ୍ପନା ମଧୂବାବୁ ଓ ତାଙ୍କ ସମସାମୟିକ ନେତୃତ୍ୱରେ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପରିଚୟ କିଏ ସେ ନେଇ ଆଜି ରାଜ୍ୟରେ ବିତର୍କ ହେଉଛି। କିଛି ଲୋକମାନେ ଲମ୍ବା ସମୟ ଧରି ଯେତେବେଳେ ଅଧିକାରୀ ହୋଇଯାନ୍ତି, ସେତେବେଳେ ଏହି ସବୁ ଲକ୍ଷଣ ଦେଖାଯାଏ ବୋଲି ସାହିତ୍ୟକାରମାନେ କହିଥାନ୍ତି। ସେତେବେଳେ ମନ ଭିତରେ ଆସେ ଆମେ ହିଁ ଦୁନିଆ। ଆମଠୁ ଦୁନିଆ ଆରମ୍ଭ ହେଉଛି ଓ ଆମଠୁ ହିଁ ଦୁନିଆ ଶେଷ ହେବ। ଏହାକୁ ହିଟଲର ମନୋବୃତି ତଥା ଏକଚାଟିଆ ଓ ସ୍ୱେଚ୍ଛାଚାରିତା କୁହାଯାଏ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ମଧୁବାବୁ ଓଡିଶାର ପରିଚୟ। ମଧୁବାବୁ ଯଦି ଓଡିଶାର ପରିଚୟ ହେବେନାହିଁ, ଓଡିଶାର ପରିଚୟ ଯଦି ସାଧବ ପୁଅ ହେବ ନାହିଁ, ତଅପୋଇ ହେବ ନାହିଁ ତେବେ ଓଡିଶାର ପରିଚୟ କେଉଁମାନେ ହେବେ? କେବଳ ବ୍ୟବସାୟ ନୁହେଁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଛାପ ଆଦି ସଂପୂର୍ଣ୍ଣ ଦକ୍ଷିଣ ପୂର୍ବ ଏସିଆରେ ଓଡିଶାର ସାଧବ ପୁଅ ମାନଙ୍କ ଯୋଗୁ ହିଁ ଦେଖାଯାଉଛି। ସେମାନେ ହିଁ ବିଶ୍ୱ ଦରବାରରେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡାର ଯୁବକ ଓଡିଶାରୁ ଶ୍ରୀଲଙ୍କା ଯାଇ ବୌଦ୍ଧ ସଂସ୍କୃତିର ପ୍ରଚାର କରିଥିଲେ। ଶ୍ରୀଲଙ୍କାରେ ଏକ ସଂସ୍କୃତି ପ୍ରତିଷ୍ଠା କରିଥିବା ଏହି ଓଡିଆ ଯୁବକମାନେ କଣ ଓଡିଶାର ପରିଚୟ ନୁହନ୍ତି ?

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ପ୍ରଜାତନ୍ତ୍ରରେ ଭାବନ୍ତି ଆମେ ଏକଚାଟିଆ ମନୋଭାବ ଦେଖାଇ ନିଜେ ଗୋଟିଏ ବିଚାର ବା କାଳଖଣ୍ଡକୁ ହାତରେ କରିନେବୁ, ଏହି ମାନସିକତା ଭୁଲ ବୋଲି ପ୍ରମାଣିତ ହେବ। ଇତିହାସରେ ଏହାର ଅନେକ ନଜିର ଦେଖାଯାଇଥିବା ସେ କହିଛନ୍ତି।

ଆଜି ପବିତ୍ର ମଧୁବାବୁଙ୍କ ଜନ୍ମଦିବସରେ ଓଡିଶା ଏହାକୁ ନେଇ ବିତର୍କ କରୁଛି। ଏକବିଂଶ ଶତାବ୍ଦିର ନୂଆ ଓଡିଶାର କଳ୍ପନା ମଧୂବାବୁଙ୍କ କଳ୍ପନା ଅନୁସାରେ ହେବ କି ନାହିଁ। ରୋଜଗାର, ସ୍ୱାବଲମ୍ବନ, ସ୍ୱଭିମାନ ଏଗୁଡିକ ମଧୁବାବୁଙ୍କ ଆଧୁନିକ ଓଡିଶାର କଳ୍ପନାରେ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତକ୍ରାଳୀନ ପରିସ୍ଥିତିକୁ ଧ୍ୟାନରେ ରଖି ଆଜି ମଧ୍ୟ ଏହି କଥା ପ୍ରାସଙ୍ଗିକତା ରଖୁଛି। ଆଜି ମଧୁବାବୁଙ୍କ ଜୟନ୍ତୀରେ ନିଜକୁ ସମର୍ପିତ କରି ସଂକଳ୍ପ କରିବା ଯେ ସାମାନ୍ୟ ଓଡିଆ ଲୋକମାନେ ଓଡିଶାର ପରିଚୟ ହେବା ଏବଂ ଓଡିଶାକୁ ଆହୁରି ଉପରକୁ ନେବା। ଫଳରେ ଓଡିଶା ଗୌରବାନ୍ୱିତ ହେବ, ଓଡିଆ ଲୋକଙ୍କ ନେତୃତ୍ୱରେ ଗୌରବାନ୍ୱିତ ହେବ। ଓଡିଆ ଭାଷା ପାଇଁ ଗୌରବାନ୍ୱିତ ହେବ। ଓଡିଆ ସଂସ୍କତି ପାଇଁ ଗୌରବାନ୍ୱିତ ହେବ।

 

https://twitter.com/odiapuanews/status/1122523436989816832

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.