Home ଓଡ଼ିଶା ଦକ୍ଷିଣ ରାଉରକେଲାରେ ବାଟ ହୁଡ଼ିଛି ଟାଉନବସ ସେବା

ଦକ୍ଷିଣ ରାଉରକେଲାରେ ବାଟ ହୁଡ଼ିଛି ଟାଉନବସ ସେବା

93

ରାଉରକେଲା ୨୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପ୍ରତିଦିନ ସକାଳ ହେଲେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ବାସିନ୍ଦାଙ୍କୁ ବିବିଧ କାର୍ଯ୍ୟରେ ରାଉରକେଲାର ବିଭିନ୍ନ ଅଂଚଳକୁ ଯାତାୟତ କରିବାକୁ ପଡୁଛି। ନିଜସ୍ୱ ଦୁଇ ଚକିଆ ଅବା ଚାରି ଚକିଆ ବାହାନ ନଥିଲେ, ଯାତ୍ରା କରୁଥିବା ଯାତ୍ରୀ ଜଣଙ୍କୁ ବସ କିମ୍ବା ଅଟୋର ସାହାରା ନେବାକୁ ପଡୁଥିବା ବେଳେ ସାରନଗରୀ ଅଂଚଳରେ ଟାଉନବସ ସେବା ଏବେ ଦିବା ସ୍ୱପ୍ନ ପାଲଟିବା ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି। ସାରନଗରୀ ଅଂଚଳରୁ ଖଣ୍ଡିଏ ହେଲେ ସରକାରୀ ଅବା ବେସରକାରୀ ବସ୍ ରାଉରକେଲାର ବିଭିନ୍ନ ଗୁରୁତ୍ୱପୂର୍ଣ ଓ ଜରୁରୀ ସ୍ଥାନ ଯେପରି ଆଇଜିଏଚ, କୋର୍ଟ ଆଦିକୁ ଗଡ଼ୁ ନଥିବାରୁ ଅଂଚଳର ଲୋକେ ବାଧ୍ୟହୋଇ ଯାତ୍ରୀବାହୀ ଅଟୋରେ ରାଉରକେଲାର ବିଭିନ୍ନ ଅଂଚଳକୁ ଯାତ୍ରା କରୁଛନ୍ତି। ବସ୍ ଅପେକ୍ଷା ଅଟୋରେ ଭଡ଼ା ଅଧିକ ଥିବାରୁ, ଏହା ଯାତ୍ରୀଙ୍କ ପକେଟକୁ ବାଧୁଥିବା ବେଳେ, ପ୍ରଶାସନ ପକ୍ଷରୁ ସାରନଗରୀରେ ସରକାରୀ ଟାଉନବସ ଚଳାଚଳ ନକରିବା ନେଇ ଅଂଚଳର ବୁଦ୍ଧିଜିବୀଙ୍କୁ ବିସ୍ମିତ କରିଛି। ଅଂଚଳରେ ଟାଉନବସ ସେବା ଯୋଗାଇବାକୁ ପୂର୍ବରୁ ବହୁବାର ବିିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ, ଏହି ଦାବି ସବୁ ସରକାରୀ ନାଲିଫିତା ତଳେ କବର ନେଲା ଭଳି ସ୍ପଷ୍ଟ ଭାବେ ପ୍ରତୀୟ ମାନ ହେଉଛି। ଅପରପକ୍ଷରେ, ଟାଉନବସ ସାରନଗରୀରେ ଚଳାଚଳ ନକରିବା ଫଳରେ ଅଂଚଳର ହଜାର ହଜାର ବାସିନ୍ଦା ଅନେକ ଭିନ୍ନକ୍ଷମ, ଶହଶହ ବୟସ୍କ ବ୍ୟକ୍ତି ଓ କଲେଜ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ରାଉରକେଲାର ଏକ ବିଶେଷ ଅଂଚଳ ଭାବେ ପରିଚିତ ସାରନଗରୀରେ ଟାଉନବସ୍ ସେବା କେଉଁ କାରଣରୁ ଦିଆଯାଉନାହିଁ, ଅବା କେଉଁ କାରଣ ପାଇଁ ଟାଉନବସ୍ ସେବା ବନ୍ଦ ରହିଛି ଏହାକୁ ନେଇ ସାଧାରଣରେ ଆଲୋଚନା ଜୋର ଜରିଛି। ଏଠାରେ ପ୍ରକାଶ ଥାଉକି, ବିଗତ ନବେ ଦଶକରେ ତାରିଣୀ ବସ୍, ଘଂରୋଇ ସଂସ୍ଥା ଜେନା ଟ୍ରାଭେଲସ୍ ନାମରେ ୨ରୁ ୩ ଖଣ୍ଡ ବସ୍ ଚାଲୁଥିଲା। ସେତେବେଳେ ଉକ୍ତ ବସରେ ସାରନଗରୀରୁ ବହୁ ଯାତ୍ରୀ ରାଉରକେଲାର ବିଭିନ୍ନ ଅଂଚଳକୁ ଯାତାୟତ କରୁଥିଲା। ଏହି ବସ୍ ଗୁଡ଼ିକ ସେହି ସମୟରେ ରାଉରକେଲା ବସଷ୍ଟାଣ୍ଡରୁ ବାହାରି ସାରନା ଛକ ଦେଇ ସାରନଗରୀ ଅଂଚଳକୁ ଆସୁଥିଲା। ପରବର୍ତ୍ତୀ ସମୟରେ ବହୁ ସଂଖ୍ୟାରେ ଅଟୋ ଚଳାଚଳ ଆରମ୍ଭ ହେବାରୁ ଟାଉନ ବସ୍ ସେବାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ସେହିପରି ଗତ ୨୦୧୪ ମସିହାରେ ସାରନଗରୀରୁ ଏକ ସରକାରୀ ସିଟି ବସ୍ ସାରନଗରୀରୁ ରାଉରକେଲାର ବିଶ୍ରା ଛକ ସମେତ ଆଇଜିଏଚକୁ ଚଳାଚଳ କରୁଥିଲା। କିଛି ମାସ ଏହି ବସ ଚାଲିବା ପରେ ଗ୍ରାହକ ସଂଖ୍ୟା କମ ହେବା କାରଣରୁ ବସ ଚଳାଚଳ ବନ୍ଦ ହୋଇଗଲା। ପୂର୍ବରୁ ସାରନାଛକ ଠାରୁ ତରକେରା ଛକ ଯାଏ ସଂଯୋଗ ଥିବା ହେକେଟ ରୋଡ଼ରେ ଚାରି ଚକିଆ ଯାନ ଚଳାଚଳ ଚାଲୁଥିବାରୁ ବସ ଚଚଳାଚଳ ସମ୍ଭବ ହୋଇ ପାରୁଥିଲା। ଏହି ରାସ୍ତାରେ ରାଉରକେଲାକୁ ଗଲେ ରାଉରକେଲାକୁ ଦୂରତ୍ୱ କମ ପଡ଼ୁଥିବାରୁ ବସ ମାଲିକ ମାନଙ୍କ ପାଇଁ ବସ ଚଳାଇବା ଲାଭଜନକ ହୋଇ ପାରୁଥିଲା। ମାତ୍ର ପ୍ରାୟ କିଛି ବର୍ଷ ହେବ ହେକେଟ ରୋଡ଼ରେ ଚାରି ଚକିଆ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯିବା ପରେ ସମସ୍ତ ଭାରୀଯାନ ଓ ଯାତ୍ରୀବାହୀ ବସ ଗୁଡ଼ିକ ତରକକେରା ଛକ ଠାରୁ ବାଲୁଘାଟ, ହକିଛକ ଦେଇ ରାଉରକେଲା ବସଷ୍ଟାଣ୍ଡକୁ ଯାତ୍ରା କରୁଛି। ବସରେ ଦକ୍ଷିଣ ରାଉରକେଲାରୁ ରାଉରକେଲା ବସଷ୍ଟାଣ୍ଡ ୧୦ ଟଙ୍କା ରହିଥିଲେ ମଧ୍ୟ ଦୂରତ୍ୱ ଅଧିକ ରହୁଥିବାରୁ ବସରେ ଅଧିକ ତୈଳ ଖର୍ଚ୍ଚ ହେଉଛି ବୋଲି ଜଣେ ବସ ମାଲିକ ପ୍ରକାଶ କରିଛନ୍ତି। ଅପରପକ୍ଷରେ ବର୍ତମାନ କୌଣସି ହେଲେ ଟାଉନବସ ଚଳାଚଳ ସାରନଗରୀରୁ କରୁ ନଥିବା ବେଳେ, କେବଳ ଲାଠିକଟା ଓ ବଣାଇଁରୁ ପ୍ରାୟ ୧୦ରୁ ୧୫ ଖଣ୍ଡ ବସ୍ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ରଙ୍ଗୋଲି ଛକ ଦେଇ ଚଳାଚଳ କରୁଛି। ଏହି ବସ ଗୁଡ଼ିକ ରଙ୍ଗୋଲି ଛକ ଦେଇ ଅତିକ୍ରମ କରିବା ସମୟରେ ସାରନଗରୀର ଯାତ୍ରୀ ମାନେ ଏହି ବସ ଗୁଡ଼ିକରେ ସମୟସମୟରେ ଯିବାଆସିବା କରିବା ଦେଖିବାକୁ ମିଳିଥାଏ। କିଛି ସମୟରେ ବଣାଇଁରୁ ଆସିଥିବା ବସ ଗୁଡ଼ିକ ଯାତ୍ରୀ ମାନଙ୍କୁ ଦକ୍ଷିଣ ରାଉରକେଲାରୁ ବସରେ ଉଠାଉଥିବା ବେଳେ, ବିଶ୍ରା ଛକରୁ ସାରନଗରୀ ଯିବାକୁ ଥିବା ଯାତ୍ରୀ ମାନଙ୍କୁ ବସରେ ନଉଠାଉଥିବା ଅନେକ ଯାତ୍ରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଫଳରେ ଜଣେ ଯାତ୍ରୀ ସାରନଗରୀ ଆସିବାକୁ ହେଲେ ଅଟୋରେ ଆସିବାକୁ ଶେଷରେ ବାଧ୍ୟ ହୋଇଥାଏ। ଟାଉନବସ୍ ବନ୍ଦ ହେବା କାରଣରୁ ସାରନଗରୀ ଅଂଚଳରୁ କେବଳ ଯାତ୍ରୀବାହାୀ ଅଟୋ ହିଁ ଯାତ୍ରୀଙ୍କ ଯିବା ଆସିବାର ଏକମାତ୍ର ବିକଳ୍ପ ପନ୍ଥା ପାଲଟିଛି। ରାଉରକେଲା ବସଷ୍ଟାଣ୍ଡ ଅଂଚଳକୁ ବସରେ ଗଲେ ଭଡ଼ା ଯାତ୍ରୀ ପିଛା ୧୦ ଟଙ୍କା ହୋଇଥିବା ବେଳେ, ଅଟୋରେ ଦେଓଗାଁ ପର୍ଯ୍ୟନ୍ତ ୧୫ ଟଙ୍କା, ସାରନା ଛକ ୧୫ଟଙ୍କା, ବସଷ୍ଟାଣ୍ଡ ୨୦ ଟଙ୍କା ଧାର୍ଯ୍ୟ ରହିଛି। ଏପରି ସ୍ଥଳେ ଗରିବ ଶ୍ରେଣୀର ଯାତ୍ରୀ ବହୁଳ ଭାବରେ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି। ସାରନଗରୀ ଅଂଚଳରୁ ବସ୍ ଚଳାଚଳ ନକରିବାରୁ ଅଟୋରେ ଯାଆସ କରୁଥିବା କଲେଜ ଛାତ୍ରଛାତ୍ରୀ ମାନେ ସେମାନଙ୍କ କଲେଜ ପରିଚୟ ପତ୍ର ଅଟୋ ଚାଳକଙ୍କୁ ଦେଖାଇଲେ ସୁ୍ ଦ୍ଧା ସମୟ ସମୟରେ କୌଣସି ରିହାତି ମିଳି ପାରୁନଥିବା କିଛି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ବୟସ୍କ ବର୍ଗର ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି ମାନେ ଅଟୋରେ ଯିବା ଆସିବା କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ଅଭିଯୋଗ ଉଠୁଛି। ଏଣୁ ସାରନଗରୀ ଅଂଚଳରୁ ସରକାରୀ ଟାଉନବସ ସେବା ଅବା ବେସରକାରୀ ବସ ଯଥାଶୀଘ୍ର ଚଳାଚଳ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.