Home ଜିଲ୍ଲା ପରିକ୍ରମା ତ୍ୟାଗଭୂମି ମହୋତ୍ସବର ୨ୟ ସନ୍ଧ୍ୟା , ‘ମହାମାରୀ ସଂକଟ କାଳରେ ନାରୀର ସାମାଜିକ ଦାୟିତ୍ୱ ଅପରିସୀମ’

ତ୍ୟାଗଭୂମି ମହୋତ୍ସବର ୨ୟ ସନ୍ଧ୍ୟା , ‘ମହାମାରୀ ସଂକଟ କାଳରେ ନାରୀର ସାମାଜିକ ଦାୟିତ୍ୱ ଅପରିସୀମ’

38

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅଧୁନା ବ୍ୟକ୍ତିଠାରୁ ଆରମ୍ଭକରି ଆମ ପରିବାର ଓ ସମାଜ ବ୍ୟବସ୍ଥା ସବୁକିଛି ଗଭୀର ବିପଦରେ ସମ୍ମୁଖୀନ । କରୋନା ମହାମାରୀ ସମଗ୍ର ମାନବ ସମାଜକୁ ଏକପ୍ରକାର ଦୋ’ଛକିରେ ପକାଇ ଦେଇଛି । ମହାମାରୀରୁ ମୁକୁଳିବା ଲାଗି ସଂଗ୍ରାମ କରୁକରୁ ହଜିଯାଉଛି ମାନବୀୟ ମୂଲ୍ୟବୋଧ । ଓଲଟପାଲଟ ହୋଇଯାଉଛି ସାମାଜିକ ଓ ସାଂସ୍କୃତିକ ମାନଦଣ୍ଡ । ଅର୍ଥାଭାବ, ରୋଗ, ବିଫଳ ସ୍ୱାସ୍ଥ୍ୟସେବା, ଆକସ୍ମିକ ମୃତ୍ୟୁ, ପ୍ରଶାସନିକ କଟକଣା, ଭୋକଉପାସ ଓ ପାରିବାରିକ ଅଶାନ୍ତି ଭିତରେ ଗତିକରୁଥିବା ଜୀବନର ଦୁରବସ୍ଥା କଥା କହିଲେ ନସରେ । ମହାମାରୀର ଏହି ଦାରୁଣ ସଂକଟ କାଳରେ ଆଜି ସର୍ବତ୍ର ମୂଲ୍ୟବୋଧ ଭୁଷୁଡ଼ି ପଡୁଥିବା ବେଳେ ନାରୀ ହାତରେ ପରିବାର ଓ ସମାଜର ଗରୁଦାୟିତ୍ୱ ନ୍ୟସ୍ତ ରହିଛି ବୋଲି ଭଦ୍ରକ ଶହୀଦସ୍ମୃତି ଭବନଠାରେ ଚାଲିଥିବା ତ୍ୟାଗଭୂମି ମହୋତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏ ମାଟିର ମହୀୟସୀ ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କ ନାମରେ ଆଜିର ମଞ୍ଚଟି ଉତ୍ସର୍ଗ ହୋଇଥିଲା । ‘ମହାମାରୀ, ମୂଲ୍ୟବୋଧରେ ସଂକଟ ଓ ସାମାଜିକ ଦାୟିତ୍ୱରେ ନାରୀ’ ଶୀର୍ଷକ ଆଜିର ଆଲୋଚନାଚକ୍ରରେ ପ୍ରାଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ପୌରୋହିତ୍ୟ କରିଥିଲେ । ପି.ଇ.ସି.ୟୁ.ସି. ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିବା ସହିତ ନାରୀର ଅସୀମ ଧୈର୍ଯ୍ୟ ଓ ନମନୀୟ ସାହସ ହିଁ ଯେକୌଣସି ବିପଦକୁ ଟାଳିଦେବା ଲାଗି ସମର୍ଥ ହୋଇଥାଏ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ବିଚାର ଭାରତୀର ଟ୍ରଷ୍ଟି ତଥା ସୁଲେଖିକା ପ୍ରୀତିଛନ୍ଦା ଧଳ ଯୋଗଦେଇ ପୁରାଣ ଯୁଗର ଆଜିଯାଏ ଆମ ସମାଜ-ଜୀବନକୁ ଯେତେବେଳେ ବି ମହାମାରୀ ଭଳି ବିପଦ ଆସିଛି ଓ ଯେଉଁଠି ପୁରୁଷମାନେ ନାଚାର ହୋଇ ପଡ଼ିଛନ୍ତି, ସେଇଠି ନାରୀମାନେ ସୃଷ୍ଟି, ସ୍ଥିତି ଓ ସଂହତିର ସୁରକ୍ଷାରେ ଅଣ୍ଟାଭିଡ଼ିଛନ୍ତି । ଆଜିର ଏ ସଂକଟ କାଳରେ ସ୍ୱାମୀ, ପିଲାଛୁଆ ଓ ବୁଢ଼ାବୁଢ଼ୀଙ୍କ ଯତ୍ନଠାରୁ ଆରମ୍ଭକରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ବ୍ୟବସ୍ଥା ଯାଏ ସବୁକିଛିକୁ ସନ୍ତୁଳିତ ଅବସ୍ଥାରେ ରଖି ଜୀବନ ବଞ୍ଚାଇବା କ୍ଷେତ୍ରରେ ନାରୀର ଅଗ୍ରଣୀ ଭୂମିକା ରହିଛି ବୋଲି ସେ ଦୃଢ଼ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି ଗୀତାରାଣୀ ଆଇଚଙ୍କ କବିତା ଗ୍ରନ୍ଥ ‘କଞ୍ଚନଫୁଲ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । କବି ଶ୍ରୀମତୀ ଆଇଚ ନିଜର କାବ୍ୟସୃଜନ ସମ୍ପର୍କରେ ଅଭିମତ ରଖିଥିଲେ । ବୃନ୍ଦାବନ କଳା ନିକେତନର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଡକ୍ଟର ରାଧାରାଣୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ ଓ ଡକ୍ଟର ପ୍ରଭାତନଳିନୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷୟିତ୍ରୀ ଦିପ୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଜୁବାଳା ରାଉତ, ସୁମିତ୍ରା ପାଣି, ସୋଫିଆ ଆଲାମ, କଳ୍ପନା ଜେନା, ରାଜଲକ୍ଷ୍ମୀ ମହାପାତ୍ର, ବସୁମିତ୍ରା ସାହୁ, କାନ୍ତିରଂଜିତା ନାୟକ, ସୁରଜିତା ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.