Home Coronavirus Outbreak କୋଭିଡ ୧୯ ମୁକାବିଲା – ସରପଞ୍ଚମାନଙ୍କୁ ଦାୟିତ୍ତ୍ୱର ଶପଥ ସହିତ ଗାଁରେ ଲକ୍‌ଡାଉନ ନିୟମର କଡାକଡି...

କୋଭିଡ ୧୯ ମୁକାବିଲା – ସରପଞ୍ଚମାନଙ୍କୁ ଦାୟିତ୍ତ୍ୱର ଶପଥ ସହିତ ଗାଁରେ ଲକ୍‌ଡାଉନ ନିୟମର କଡାକଡି ଅନୁପାଳନ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

296

ଭୁବନେଶ୍ୱର, ୨୨.୪ (ଓଡ଼ିଆ ପୁଅ) ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ତ୍ୱର ଶପଥ ପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ Quarantineରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହିତ ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ମଧ୍ୟ ସେମାନେ ଶପଥ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ, ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ୍ ସ୍ତରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ।

ସୂଚନାଯୋଗ୍ୟଯେ, ନିକଟରେ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି।

ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୁରା ଭରସା ରହିଛି। ସେମାନେ ଯଦି କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡାକଡି ଭାବେ ଅନୁପାଳନ କରିବେ, ତେବେ ଗାଁରେ କରୋନା ପଶିପାରିବ ନାହିଁ। ସରପଞ୍ଚମାନଙ୍କୁ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇ ପୁରା ସରକାର ଓ ସରକାରୀ କଳ ସେମାନଙ୍କ ସହିତ ଏଥିପାଇଁ ସବୁବେଳେ ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକ୍‌ରେ ଥିବା ସରପଞ୍ଚ ମାନଙ୍କ ସହିତ ଆଲୋଚନା କରିଥିଲେ। କୋରାପୁଟ ସଦର ବ୍ଲକ, କେନ୍ଦ୍ରାପଡ଼ା ସଦର ବ୍ଳକ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ, ସମ୍ବଲପୁରର ଧାନକଉଡା ବ୍ଲକ, ବରଗଡର ବଦୌଲ ଏବଂ ଭଦ୍ରକର ବାସୁଦେବପୁର ବ୍ଲକ୍‌ର ବିଭିନ୍ନ ସରପଞ୍ଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସରପଞ୍ଚମାନେ ସେମାନଙ୍କ ପଞ୍ଚାୟତରେ କିଭଳି ପ୍ରସ୍ତୁତି ଜାରି ରହିଛି, Quarantine Centreରେ କିଭଳି ବ୍ୟବସ୍ଥା କରାଯାଇଛି ତଥା ଏ ସଂପର୍କିତ ଅନ୍ୟାନ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ।

ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବାସ୍ତବ ପଦକ୍ଷେପକୁ ସବୁ ସ୍ତରରୁ ପ୍ରଶଂସା ମିଳୁଛି। ଏଥିପାଇଁ ଓଡ଼ିଶାବାସୀ ଗର୍ବିତ। ସରପଞ୍ଚମାନଙ୍କ ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯେପରି ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି, ତାହା ମଧ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଗ୍ରାମାଞ୍ଚଳରେ ସରପଞ୍ଚମାନେ ହିଁ ଆଗ ଧାଡିର କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ କରିବେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆସିତ୍ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ଆମେ କରୋନା ମୁକାବିଲାରେ ଏପର୍ଯ୍ୟନ୍ତ ଆଗୁଆ ରହିଛୁ। ପଞ୍ଚାୟତ ଉପରେ ସରକାରଙ୍କର ଭରସା ରହିଛି ଏବଂ ସେମାନେ ସରକାରଙ୍କ ଭରସାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ତ୍ରିପାଠୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସରପଞ୍ଚ ମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସୁଚିନ୍ତିତ ତଥା ବାସ୍ତବବାଦୀ ପରାମର୍ଶ ଦେଇଥିଲେ।

ପୂର୍ବରୁ ପଞ୍ଚାୟତିରାଜ ପ୍ରମୁଖ ସଚିବ ଶ୍ରୀ ଡି.କେ ସିଂହ ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆମାନଙ୍କ Quarantine ପାଇଁ କିଭଳି ବ୍ୟବସ୍ଥା କରିବାକୁ ପଡିବ, ସେ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଆଗାମୀ ଦିନରେ ଓଡିଶା ବାହାରୁ ପ୍ରାୟ ୫ ଲକ୍ଷ ଓଡିଆ ନିଜ ନିଜ ଗାଁକୁ ଆସିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ପ୍ରତ୍ୟେକ ସରପଞ୍ଚ ନିଜ ପଞ୍ଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି Quarantineର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏଥିପାଇଁ ରାଜ୍ୟ ସରକାର ଅପ୍ରେଲ ୨୪ ତାରିଖ ଦିନ ଏକ ପୋର୍ଟାଲ ଖୋଲିବେ ଏବଂ ସମସ୍ତ ଆସୁଥିବା ଲୋକଙ୍କ ଆତ୍ମୀୟ ଓ ପରିବାର ଯେପରି ନିଶ୍ଚିତ ଭାବରେ ଏହି ପୋର୍ଟାଲରେ ପଞ୍ଜୀକରଣ କରିବେ, ତାହା ସୁନିଶ୍ଚିତ କରିବା ହେଉଛି ସରପଞ୍ଚ ମାନଙ୍କ ଦାୟିତ୍ୱ। ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସର ରହିବା ସହିତ ବି.ଡି.ଓ ମାନେ ପ୍ରତ୍ୟେକ ପଞ୍ଚାୟତରେ ତଦାରଖ ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ।। ସୂଚନାଯୋଗ୍ୟ ଯେ Quarantineରେ ରହୁଥିବା ଲୋକମାନଙ୍କ ରହିବା, ଖାଇବା ଓ ଚିକିତ୍ସା ଖର୍ଚ୍ଚ ମାଗଣାରେ ଯୋଗାଇ ଦିଆଯିବା ସହିତ Quarantine ସରିବା ପରେ ପ୍ରୋତ୍ସାହନ ରାଶି ଆକାରରେ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.