Home Top News କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି ଟଙ୍କାର ବୋନସ୍‌ଓ ଅନ୍ୟାନ୍ୟ...

କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି ଟଙ୍କାର ବୋନସ୍‌ଓ ଅନ୍ୟାନ୍ୟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

55

ମୃତ୍ୟୁ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର ୧୧.୦୧ (ଓଡ଼ିଆ ପୁଅ) କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା। ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୁମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି।

କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥାନ୍ତି। ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସାମିଲ କରିଛନ୍ତି। କୋଭିଡ୍‌ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା। ଏହା ଦ୍ବାରା ୭ ଲକ୍ଷ ୫୪ ହଜାରେ ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି। ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ DBT ଜରିଆରେ ପଇଠ କରାଯାଇଛି।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ଏବଂ ପୁର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଶ୍ରୀ ପ୍ରଭାକର ବେହେରା ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ରଖିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.