Home Coronavirus Outbreak କରୋନା ପାଇଁ ଚେରମୂଳି ଔଷଧ

କରୋନା ପାଇଁ ଚେରମୂଳି ଔଷଧ

316

– ନଳିନୀ କୁମାର ପଣ୍ଡା

ସଂସ୍କୃତରେ ଅଛି “ଅମଂନ୍ତ୍ରମ୍ ଅକ୍ଷରଂ ନାସ୍ତି ନାସ୍ତି ମୂଲମନୋଷଧମ୍। ଅଯୋଗ୍ୟଃ ପୁରୁଷୋ ନାସ୍ତି ଯୋଜକସ୍ତୋତ୍ର ଦୁର୍ଲଭଃ।ା” ଅର୍ଥାତ୍ – ଏମିତି କୌଣସି ଅକ୍ଷର ନାହିଁ ଯାହାର ମହତ୍ୱ ନାହିଁ, ପୃଥିବୀରେ ଏମିତି କୌଣସି ଉଦ୍ଭିଦର ମୂଳ ନାହିଁ ଯାହାର କୌଣସି ଔଷଧୀୟ ଗୁଣ ନାହିଁ, ସେହିପରି ଏମିତି କୌଣସି ମନୁଷ୍ୟ ନାହିଁ ଯାହାର କିଛି ଯୋଗ୍ୟତା ନାହିଁ, କେବଳ ଏମିତି ଏକ ପାତ୍ର ବିରଳ ଯିଏକି ଏହି ସବୁ ଗୁଣକୁ ଜାଣିଥିବ। ଠିକ୍ ସେହିପରି ପ୍ରତ୍ୟେକ ଉଦ୍ଭିଦର ରୋଗ ଭଲ କରିବା ପାଇଁ କିଛି ନା କିଛି ଔଷଧୀୟ ଗୁଣ ରହିଛି ଯାହାକି ଅଜଣା। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେହପରିି ଏକ ଯୋଜକର ସ୍ଥାନ ଅଧିକାର କରିବା ପାଇଁ ପ୍ରୟାସ କରୁଛି କାରଣ ବର୍ତମାନ ସାରା ବିଶ୍ୱ ମହାମାରୀ କରୋନା ଭାଇରସର ପ୍ରକୋପ ସହ ଜୁଝି ଚାଲିଛି। ଦୁନିଆ ସାରା କରୋନା ସଂକ୍ରମଣ ମାମଲା ଲଗାତାର ଦ୍ରୁତ ଗତିରେ ବଢ଼ି ଚାଲିଛି। ତେଣୁ ଏହି ମହାମାରୀକୁ ମୂଳରୁ ସମାପ୍ତ କରିବା ପାଇଁ ପୁରା ଦୁନିଆରେ ଟିକା ବନେଇବା କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ମଧ୍ୟରେ କରୋନା ମହାମାରୀକୁ ମାତ୍ ଦେବାପାଇଁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେରମୂଳି ଔଷଧ ଖୋଜିବାରେ ଲାଗି ପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମ ଥର ଏହି ପ୍ରାଣ ଘାତକ ରୋଗର ଚିକିତ୍ସା ପାଇଁ ଚେରମୂଳି ଔଷଧରେ ସମ୍ଭାବନା ଦେଖିବାର ପ୍ରଚେଷ୍ଟା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯ ର ଚିକିତ୍ସା ପାଇଁ ଆଫ୍ରିକାରେ ଚେରମୂଳି ଔଷଧର ପରୀକ୍ଷା ନିୟମାବଳୀର ସମର୍ଥନ ମଧ୍ୟ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି ହୋଇଥିବା ବାର୍ତ୍ତାରେ କୁହାଯାଇଛି ଯେ ଗତ ସେପ୍ଟେମ୍ବର ୧୯ ତାରିଖ ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବେଶେଷଜ୍ଞ ଏବଂ ଅନ୍ୟ ଦୁଇ ସଂଗଠନର କିଛି ଅଧିକାରୀ କରୋନା ଭାଇରସ ପାଇଁ ଚେରମୂଳି ଔଷଧର ତୃତୀୟ ପର୍ଯ୍ୟୀୟ ପରୀକ୍ଷା ନିୟମାବଳୀର ସମର୍ଥନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଂଚଳିକ ନିର୍ଦ୍ଦେଶକ ପ୍ରାସ୍ପର ଟୁମୁସିନ୍ ଏହି ବିଷୟରେ ସୂଚନାଦେଇ କହିଛନ୍ତି ଯେ ଯଦି ପ୍ରାଚୀନ ଔଷଧୀୟ ଦ୍ରବ୍ୟ ସୁରକ୍ଷା, ପ୍ରଭାବ ଓ ଗୁଣବତାର ଆଧାରରେ ସଠିକ୍ ସାବ୍ୟସ୍ତ ହୁଏ, ତାହାହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଦ୍ରୁତ ଗତିରେ ଏବଂ ବଡ଼ ଆକାରରେ ପ୍ରସ୍ତୁତି ପାଇଁ ସୁପାରିଶ କରିବ। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ର ଏବଂ ଆଫ୍ରିକୀୟ ସଂଘର ସାମାଜିକ ବ୍ୟାପାର ଆୟୁକ୍ତ ସଂଶ୍ଳିଷ୍ଟ ଅଛନ୍ତି। ପ୍ରାସ୍ପର ଟୁମୁସିନଙ୍କ ପୂର୍ବରୁ କୁହାଯାଇଛି ଯେ ପଶ୍ଚିମ ଆଫ୍ରିକାରେ ଇବୋଲା ଭଳି କୋଭିଡ-୧୯ର ପ୍ରକୋପ ପାଇଁ ଼ଏକ ମଜଭୁତ୍ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରାଯାଇଛି। ଏହାକୁ ଦେଖି ପ୍ରାଚୀନ ଔଷଧ ସହିତ ଅନ୍ୱେଷଣ ଓ ଉନ୍ନୟନ କାର୍ଯ୍ୟକ୍ରମକୁ ବଢ଼ାଇବାର ଆବଶ୍ୟକତା ରହିଛି।

ଏହାର ପାଖାପାଖି ଏକ ମାସ ପୂର୍ବରୁ ମାଡ଼ାଗାସ୍କରର ରଷ୍ଟ୍ରପତି ଏଣ୍ଡ୍ରି ରୋଜାଲିନା ଏକ ହର୍ବାଲ ଚାହା ଓ ଏକ ହର୍ବାଲ ପାନୀୟର ଶୁଭାରମ୍ଭ କରିଥିଲେ। ସେମାନେ ଦାବି କରିଥିଲେ ଯେ, ଏଥିରେ କରୋନା ଭୂତାଣୁର ଚିକିତ୍ସା ଓ ପ୍ରଶମନ ଦୁଇଟା ଯାକ ହୋଇପାରିବ। ତାଙ୍କ ଅନୁସାରେ ଏହାର ପ୍ରଭାବ ରୋଗୀ ଉପରେ ସାତଦିନ ମଧ୍ୟରେ ଦେଖା ଦେଇଥାଏ। ଏହି ପାନୀୟକୁ କୋଭିଡ଼ ଅର୍ଗାନିକ୍ସ ବା ଜୈବିକ କୋଭିଡ଼ ନାମ ଦିଆଯାଇଛି। ଏହାକୁ ଆର୍ଟିମିସିୟା ନାମକ ଉଦ୍ଭିଦ ଠାରୁ ପ୍ରସ୍ତୁତ କରାଯାଇଛି, ଯାହାକି ମ୍ୟାଲେରିଆର ଚିକିତ୍ସା ରେ ନିଜର କ୍ଷମତା ସାବ୍ୟସ୍ତ କରିସାରିଛି। ହର୍ବାଲ ଚାହା ବା ଚେରମୂଳି ଚାହା ବନାଇବା ପାଇଁ ଆହୁରି ଅନେକ ଚେରମୂଳି ବ୍ୟବହାର କରାଯାଇଛି।

ବନ ଗବେଷକ, ସ୍ନାତକତର, ଓ ୟୁ ଏ ଟି,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.