Home ଓଡ଼ିଶା କବି ସଦାନନ୍ଦଙ୍କ ଉପାଧି ଓ ନାମକରଣରେ ଭିନ୍ନତାକୁ ନେଇ ପାଠକ ଭ୍ରମରେ

କବି ସଦାନନ୍ଦଙ୍କ ଉପାଧି ଓ ନାମକରଣରେ ଭିନ୍ନତାକୁ ନେଇ ପାଠକ ଭ୍ରମରେ

55

ନୟାଗଡ଼, ୩୧ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) :ନୟାଗଡ଼ର ମହିୟାନ ସାରସ୍ୱତ ପ୍ରତିଭା ରୀତିଯୁଗୀୟ କବି ସଦାନନ୍ଦଙ୍କ ପ୍ରତିଭା ଉପାଧି ତଥା ଭିନ୍ନ ଭିନ୍ନ ନାମକରଣକୁ ନେଇ ନୟାଗଡ଼ ଜିଲାରେ ଏବେ କବି, ସାହିତ୍ୟିକ ଓ ବୁଦ୍ଧିଜୀବୀ ବିଶେଷକରି ପାଠକ ମହଲ ଭ୍ରମରେ ପଡ଼ିିଛନ୍ତି। କବିଙ୍କୁ କେତେକ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବୋଲି କହୁଥିଲାବେଳେ ଆଉ କେତେକ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବୋଲି କହୁଥିବା ଦେଖିବାକୁ ମିଳିଛି। ତେବେ ନୟାଗଡ଼ ଜିଲା ପ୍ରଶାସନ ଦୁଇଟାଯାକ ନାମକୁ ଗ୍ରହଣ କରିଥିବାରୁ ଏହା ସାଧାରଣରେ ବେଶୀ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଫାଟକ ପାଖରେ ଫଟୋ ସହିତ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବୋଲି ଉଲ୍ଲେଖ ହୋଇଥିବାବେଳେ ସେଠାରୁ ପ୍ରାୟ ୮ଶହ ମିଟର ଦୂର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ହୋଇଥିବା କିମ୍ବଦନ୍ତୀ ପୁରୁଷଙ୍କ ପ୍ରତିମୂର୍ତ୍ତୀ ସହିତ କବି ସଦାନନ୍ଦଙ୍କ ପ୍ରତିମୂର୍ତ୍ତୀରେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବୋଲି ଉଲ୍ଲେଖ ରହିଛି। ଜିଲା ପ୍ରଶାସନ ଯେଉଁଠି କେଉଁଟା ଠିକ୍ ବୋଲି ଉଲ୍ଲେଖ କରିପାରୁନାହିଁ ସେଠି ସାଧାରଣ ପାଠକେ କେଉଁ ନାମକୁ ଯଥାର୍ଥତା ମଣିବେ ତାହାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି। ସାହିତ୍ୟ ଜଗତରେ ଉପାଧିପ୍ରାପ୍ତ ଜଣେ କବିସୂର୍ଯ୍ୟ ଯେ’କି କବିସୂର୍ଯ୍ୟ ବଳଦେବ ରଥ ବୋଲି ପାଠକ ଓ ସାହିତ୍ୟିକ ମହଲରେ ଆଲୋଚିତ ହୁଏ। ଜଣେ କବିସୂର୍ଯ୍ୟ ବଳଦେବ ରଥ ହୋଇଥିଲାବେଳେ ଆଉ ଜଣେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବୋଲି ବିଭିନ୍ନ ପାଠ୍ୟ ପୁସ୍ତକରୁ ଜଣାପଡ଼େ ବୋଲି ବହୁ ସାହିତ୍ୟିକ ମତବ୍ୟକ୍ତ କରନ୍ତି  ା କବିଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲାରେ ଯେଉଁଠି କବିଙ୍କ ଉପାଧିକୁ ନେଇ ଦ୍ୱନ୍ଦ ବାହାର ଜିଲାରେ କବିଙ୍କ ପରିଚୟ କେତେ ସୃଦୃଢ ତାହାକୁ ନେଇ ଆଲୋଚନା ଜୋର ଧରିଛି। କବି ସଦାନନ୍ଦ ବ୍ରହ୍ମାଙ୍କ ଘର ହେଉଛି ନୟାଗଡ଼ ଜିଲା ଶରଣକୁଳର ଭିକାରୀପଡ଼ା ଶାସନ। କବିଙ୍କ ଜୀବନୀକୁ ଦେଖିଲେ କବିଙ୍କ ପିଲାଦିନର ନାମ ଥିଲା ସାଧୁଚରଣ ଓ ତାଙ୍କ ବାପାଙ୍କ ନାମ ପରମାନନ୍ଦ ହୋତା ଓ ମା’ଙ୍କ ନାମ ଥିଲା ଭବାନୀ ଦେବୀ। କବିଙ୍କର ପିତାମହ ପୀତାମ୍ବର ହୋତା ଓ ମାତାମହଙ୍କ ନାମ ମୁକୁନ୍ଦ ବ୍ରହ୍ମଚାରୀ। ଶରଣକୁଳର ଲଡ଼ୁବାବାଙ୍କ ପ୍ରସାଦରୁ ତାଙ୍କର ଜନ୍ମ ବୋଲି ବାପା ପୀତାମ୍ବରର ଓ ମା ଭବାନୀ ତାଙ୍କ ନାମ ଦେଇଥିଲେ ସଦାଶିବ। ପରବର୍ତ୍ତୀ କାଳରେ ସେ ସଦାନନ୍ଦ ନାମରେ ପ୍ରସିଦ୍ଧ ଲାଭ କରିଥିଲେ। କବିଗୁରୁ ସଦାନନ୍ଦ ତାଙ୍କର ସ୍ୱୟଂସିଦ୍ଧ ସାହିତ୍ୟ ସର୍ଜନା ଯୋଗୁଁ ସମଯୁଗୀୟ କବି ଉପେନ୍ଦ୍ର, ଯଦୁମଣୀ, ଦୀନକୃଷ୍ଣ ପ୍ରଭୃତି କବିଙ୍କର ସମକକ୍ଷ ହୋଇ ପାରିଛନ୍ତି। ଓଡ଼ିଆ ସାହିତ୍ୟର ମଧ୍ୟଯୁଗୀୟ କବି ସଦାନନ୍ଦ ଜଣେ ପ୍ରଥିତଦଶା କାବ୍ୟଶିଳ୍ପୀ। ରୀତିଯୁଗର କବିମାନଙ୍କ ମଧ୍ୟରେ ସେ ଜଣେ ଲବ୍ଧ ପ୍ରତିଷ୍ଠ ବୈଷ୍ଣବ କାବ୍ୟକାର। ଖୋର୍ଦ୍ଧାଗଡ଼ର ରାଜା ବିରକିଶୋର ଦେବ କବି ସଦାନନ୍ଦଙ୍କ କାବ୍ୟ ଓ ପାଣ୍ଡିତ୍ୟରେ ମୁଗ୍ଧହୋଇ ତାଙ୍କୁ ‘କବିସୂର୍ଯ୍ୟ’ ଓ ‘ବ୍ରହ୍ମା’ ଉପାଧିରେ ମଣ୍ଡିତ କରିଥିବା କବିଙ୍କ ଲେଖନୀରୁ ଜଣାପଡ଼େ। ଆଉ କେତେକେ କହନ୍ତି ପୁରୀ ଗଜପତି ସଦାନନ୍ଦଙ୍କୁ ଏହି ଉପାଧି ପ୍ରଦାନ କରିିଥିଲେ। ତେବେ ସେ ଯାହାହେଉ କବି କବିସୂର୍ଯ୍ୟ ବ୍ରହ୍ମା ଉପାଧିରେ ଭୂଷିତ ହୋଇଥିଲେ। କବି ସଦାନନ୍ଦଙ୍କର କେତେକ କାବ୍ୟ କବିତାକୁ ଦେଖିଲେ ଉପାଧି ନେଇ ଯାହା ସଂଶୟ ସୃଷ୍ଟି ହୋଇଛି ତାହାର ବିଚାର କରାଯାଇପାରେ। କବି ତାଙ୍କର ବ୍ରଜଲୀଳାମୃତ ସମୁଦ୍ର କାବ୍ୟର ୫୩ଶ ଛାନ୍ଦରେ ଲେଖିଛନ୍ତିଯେ, ‘ବୀରକେଶରୀ ଦେବଙ୍କ ଦତ୍ତ’କବିସୂର୍ଯ୍ୟ ବ୍ରହ୍ମା’ ପଦ ଖ୍ୟାତ। ତାଙ୍କର ବିଭିନ୍ନ କାବ୍ୟ କବିତାରେ ମଧ୍ୟ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବୋଲି ଉଲ୍ଲେଖ ଥିବା କୁହାଯାଏ। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଦିକ୍ଷାଗୁରୁ ଥିଲେ କବି ସଦାନନ୍ଦ। କବି ଅଭିମନ୍ୟୁ ସ୍ୱୟଂ ଲେଖିଛନ୍ତି ‘ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କୁ, ଆଶ୍ରେ କରି ପାଇଲି ଏ ରାଗ ମାର୍ଗକୁ। ଲଳିତ ଲୋଚନାର ପ୍ରଥମ ଛାନ୍ଦରେ ଉଲ୍ଲେଖ ମଧ୍ୟ ଅଛି ‘ଓଡ଼ିଶା ଶ୍ରୀ ଗଜପତି ଆଜ୍ଞାରେ ଯେମନ୍ତ, କବିସୂର୍ଯ୍ୟ ବ୍ରହ୍ମା ପଦ ହେଲା ମୋର ଖ୍ୟାତ। ସେହିପରି ସଦାନନ୍ଦ ସର୍ବଦା ଗୋପୀପ୍ରେମ ଭାବରେ ରହୁଥିଲେ। ସେ ତାଙ୍କର ଯୁଗଳର ସାମୃତ ଲହରୀର ୪୫ ଛାନ୍ଦରେ ଲେଖିଛନ୍ତି –‘ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା-ସଦା ଶରଣ ମୁଁ ବାମା’। ଏପରିକି ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ କେତେକ କାବ୍ୟ କବିତାକୁ ଦେଖିଲେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବୋଲି ସ୍ପଷ୍ଟ ଅନୁମେୟ ବୋଲି କୁହନ୍ତି ପାଠକେ। ପାଣ୍ଡିତ୍ୟରେ ଭରପୂର ଅଷ୍ଟାଦଶ ଶତାଦ୍ଦୀର ଓଡ଼ିଆ କବିମାନଙ୍କ ମଧ୍ୟରେ କବି ସଦାନନ୍ଦଙ୍କ ନାମ ସ୍ୱତନ୍ତ୍ର ଥିଲାବେଳେ ତାଙ୍କର ଉପାଧିକୁ ନେଇ ସାହିତ୍ୟ ଓ ପାଠକ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଏ। କାହିଁକି ଏତେ ଚର୍ଚ୍ଚା ଚାଲିଛି ବୋଲି ୍‌ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟିକରେ। ତାଙ୍କର ଉପାଧି ରାଜା ପ୍ରଦତ୍ତ ହୋଇଥିଲାବେଳେ ଓ ତାଙ୍କର ଉପାଧିର ଯଥାର୍ଥତା ବିଭିନ୍ନ କାବ୍ୟ କବିତା ତା’ର ପ୍ରମାଣ ବଖାଣୁଥିଲାବେଳେ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲାବେଳେ କବିଙ୍କ ନାମ ଉପାଧି ସହ ନାମକରଣ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଏହାକୁ ନେଇ ସାହିତ୍ୱିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଜିଲ୍ଲା ସଦର ମହକୁମାର ଦୁଇଟି ସ୍ଥାନରେ ଯେଉଁପରି ଭାବେ କବିଙ୍କ ନାମ ଓ ଉପାଧିକୁ ନେଇ ଭିନ୍ନତା ଦେଖାଦେଇଛି ସଠିକ୍ ତଥ୍ୟ ଆଧାରରେ କବିଙ୍କ ନପାଠକୀୟ ମନରେ ଭ୍ରମ ସହ ଦ୍ୱନ୍ଦ ସୃଷ୍ଟି କରାନଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.