Home ଓଡ଼ିଶା କନ୍ଧମାଳରେ ସ୍ଲୋଗାନରେ ସୀମିତ ମହିଳା ସଶକ୍ତିକରଣ!, ସାକ୍ଷରତା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା...

କନ୍ଧମାଳରେ ସ୍ଲୋଗାନରେ ସୀମିତ ମହିଳା ସଶକ୍ତିକରଣ!, ସାକ୍ଷରତା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା : ଫଳ ଶୂନ

39

କନ୍ଧମାଳ, ୧୭/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷା ହିଁ ବିକାଶର ମାନଦଣ୍ଡ। ଯେଉଁ ଦେଶ ଶିକ୍ଷା କ୍ଷେତ୍ରରେ ଯେତେ ଉନ୍ନତି ଲାଭ କରିଛି ସେ ଦେଶରେ ସେତେ ବିକାଶ ହୋଇଛି। ଆମ ଦେଶ ଭାରତ ବି ପଛରେ ପଡି ନାହିଁ। କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର। ଶିକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ସମସ୍ତେ ହେବେ ସ୍ବାକ୍ଷର। କେହି ରହିବେ ନାହିଁ ନିରକ୍ଷର। ଏହି ଲକ୍ଷ୍ୟ ନେଇ ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ।ପ୍ରତି ଗାଁରେ ଏହି ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ଚାଲିଥିଲା। ଏଥିରେ ବୃଦ୍ଧ, ବୃଦ୍ଧାଠାରୁ ଆରମ୍ଭ କରି ଆଦୌ ସ୍କୁଲରେ ପାଦ ପଡି ନଥିବା ଯୁବକ ଓ ଯୁବତୀଙ୍କୁ ସାମିଲ କରାଯାଇଥିଲା। ଏଥି ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କଲେ। ହେଲେ ପ୍ରଶାସନର ଇଛାଶକ୍ତି ଅଭାବରୁ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଏହି ସାକ୍ଷରତା ଅଭିଯାନ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ସାକ୍ଷରତା ହାର ଯେତିକି ଥିଲା। ସେତିକିରେ ରହିଲା। ଟିକେ ବି ଆଗେଇ ପାରିଲା ନାହିଁ। ଏବେ ବି ଜିଲ୍ଲାର ଜନସଂଖ୍ୟାର ଅଧାରୁ ଅଧିକ ନିରକ୍ଷର ରହିଛନ୍ତି। ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଜନସଂଖ୍ୟା ପ୍ରାୟତଃ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ହେଲେ ନୂଆ ଜନଗଣନା ଘୋଷଣା କରାଯାଇ ନାହିଁ। ତେଣୁ ୨୦୧୧ ଜନ ଗଣନା ପରିସଂଖ୍ୟାନ ଦେଖିଲେ ଜିଲ୍ଲାର ଜନସଂଖ୍ୟା ୭ ଲକ୍ଷ ୩୩ ହଜାର ୧୧୦ ରହିଛି।ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୯୪୫ ଓ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୭୩ହଜାର ୧୬୫। ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ ସମୁଦାୟ ଜନସଂଖ୍ୟାରୁ ୩ ଲକ୍ଷ ୭୩ ହଜାର ୩୨୪ ଜଣ ନିରକ୍ଷର ଅଛନ୍ତି। ନିରକ୍ଷର ମଧ୍ୟରେ ପୁରୁଷ ତୁଳନାରେ ମହିଳା ହାର ଦିଗୁଣା। ୧ ଲକ୍ଷ ୨୫ହଜାର ୪୫ ଜଣ ପୁରୁଷ ନିରକ୍ଷର ଥିବା ବେଳେ ୨ ଲକ୍ଷ ୭ହଜାର ୨୭୯ ଜଣ ମହିଳା ନିରକ୍ଷର ଅଛନ୍ତି। ସମୁଦାୟ ନିରକ୍ଷର ମଧ୍ୟରୁ ୨ଲକ୍ଷ ୧୨ହଜାର ୩୨୪ ଜଣ ନିଜର ନାମ ଲେଖି ଜାଣି ନାହାନ୍ତି। ସେଥି ମଧ୍ୟରେ ୧ ଲକ୍ଷ ୭୩ ହଜାର ୨୩୧ ଜଣ ମହିଳା ଅଛନ୍ତି। ବାକି ୧ ଲକ୍ଷ ୨୧ ହଜାର ଜଣ ଯଦିଓ ନାମ ଲେଖି ଜାଣିଛନ୍ତି ତାହା ପୁଣି କାମଚଳା। ଅଙ୍କାବଙ୍କାରେ ଦସ୍ତଖସ୍ତ ମାରୁଛନ୍ତି। ହେଲେ ଅନ୍ୟ ଅକ୍ଷର ପଢିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି।ଏମିତି କହିବାକୁ ଗଲେ ଏମାନେ ଛୋଟ ହିସାବ ମଧ୍ୟ କରି ପାରିବା ସମ୍ଭବ ନୁହେଁ। ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳରେ ମହିଳାଙ୍କ ସାକ୍ଷରତା ହାର ବହୁ ନଗଣ୍ୟ। ଏମିତି କି ୧୦୦ ଜଣରୁ ୯୦ ଜଣ ବି ନିଜର ନାଁ ଲେଖି ପାରୁ ନାହାନ୍ତି। କହିବାକୁ ଗଲେ ସଂପୃକ୍ତ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଦସ୍ତଖସ୍ତ ମାରିବାକୁ ସକ୍ଷମ ଥିବା ୯୦ ପ୍ରତିଶତ ଏବେ ବି ଟିପ୍ ଚିହ୍ନ ଦେଉଛନ୍ତି। ସାକ୍ଷରତା ଅଭାବରୁ ଆଦିବାସୀ ଲୋକ ମାନେ ଠକାମିର ଶିକାର ହେଉଛନ୍ତି।ବିଶେଷତଃ ମହିଳା ମାନେ। ବଜାରକୁ ଉତ୍ପାଦିତ ଜିନିଷ ସାମଗ୍ରୀ ବିକ୍ରି କରିବାକୁ ଆସିଲେ ହିସାବ ନ ଜାଣି କମ ମୂଲ୍ୟରେ ବିକ୍ରି କରୁଛନ୍ତି। ଏଥି ସହ ସରକାରଙ୍କ ବିଭିନ୍ନ ଯୋଜନା କାର‌୍ୟ୍ୟକାରୀ ହେଉଥିଲେ ବି ସାକ୍ଷରତା ଅଭାବରୁ ସେମାନେ କିଛି ଜାଣି ପାରୁ ନାହାନ୍ତି। ଯାହା ଫଳରେ ସେମାନଙ୍କ ନିରକ୍ଷରତାର ସୁଯୋଗ ନେଇ ସରକାରୀ ଯୋଜନା ଅର୍ଥକୁ ସରକାରୀ ବାବୁ ଓ କୁଜି ଲୁଟ କରି ନେଉଛନ୍ତି। ମହିଳାମାନେ ନିଜ ଗୋଡରେ ଠିଆ ହେବେ। କାହା ଉପରେ ନିର୍ଭରଶୀଳ ହେବେ ନାହିଁ। ତେଣୁ ସଶକ୍ତିକରଣ ଯୋଜନାରେ ସରକାର ବିଭିନ୍ନ ଯୋଜନା ଓ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରୁଛନ୍ତି। ହେଲେ ସାକ୍ଷରତା ଅଭାବରୁ ମହିଳା ସଶକ୍ତିକରଣ ଯୋଜନାରୀ କନ୍ଧମାଳର ଆଦିବାସୀ ମହିଳା ସେମିତି କିଛି ଲାଭ ପାଇ ପାରୁ ନାହାନ୍ତି।ସେମାନଙ୍କୁ ମୋହରା କରି କାଗଜପତ୍ର ପ୍ରସ୍ତୁତ କରି ଅନ୍ୟମାନେ ଫାଇଦା ଉଠାଇ ଚାଲିଛନ୍ତି। କନ୍ଧମାଳରେ ମହିଳା ସଶକ୍ତିକରଣ ଯୋଜନା କେବଳ ସ୍ଲୋଗାନରେ ସୀମିତି ରହି ଯାଇଛି। ଯଦି ମହିଳା ସଶକ୍ତିକରଣକୁ ଲକ୍ଷ୍ୟସ୍ତଳରେ ପହଞ୍ଚାଇବା ଦରକାର। ପ୍ରଥମେ ମହିଳାଙ୍କୁ ସାକ୍ଷର କରିବାକୁ ପ୍ରାଥମିକତା ଦେବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.