Home Top News ଓଡ଼ିଆ ଭାଷା, ଅସ୍ମିତା, ସ୍ୱାଭିମାନ ନବ ନିର୍ଣ୍ଣାୟକ ଭୂମିକା!

ଓଡ଼ିଆ ଭାଷା, ଅସ୍ମିତା, ସ୍ୱାଭିମାନ ନବ ନିର୍ଣ୍ଣାୟକ ଭୂମିକା!

174

ଏହି ମାସ ମେ ୧୩ ତାରିଖରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ସାରା ଓଡ଼ିଶାରେ ନିର୍ବାଚନ ମାହୋଲ। ଓଡ଼ିଶାର ତିନ ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ପୁରା ଦମରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚେଷ୍ଟିତ। ସମସ୍ତେ ସରକାର ଗଢ଼ିବେ ବୋଲି ଓଡ଼ିଶାବାସୀଙ୍କୁ ପ୍ରତିଶୃତି ଦେଉଛନ୍ତି। ସଫଳତାର ପାହାଚ କିଏ ଚଢ଼ିବ ତାହା ଜୁନ ଚାରି ତାରିଖ ଫଳାଫଳରୁ ଜଣା ପଡ଼ିବ।

ରାଜନୈତିକ ସମୀକ୍ଷକଙ୍କ ମତରେ ୨୦୦୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ଓଡ଼ିଶାରେ ହେଇଛି ଏହି ନିର୍ବାଚନ ସବୁଠାରୁ ରୋଚକ ହେବ। ପୂର୍ବରୁ ଯେତେ ନିର୍ବାଚନ ହେଇଛି କେବଳ ସରକାରୀ ସଫଳତା ଓ ନବୀନ ବାବୁଙ୍କ ଲୋକପ୍ରିୟତା ଉପରେ ହେଇଛି ଓ ଶାସକ ବିଜେଡ଼ି ଏଥିରେ ଲଗାତାର ସଫଳତା ପାଇ ଆସିଛି। ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଓଡ଼ିଆ ଭାଷା ଓ ଅସ୍ମିତାର ସୁରକ୍ଷାଙ୍କୁ ନେଇ ଗୋଟେ ବଡ଼ ପ୍ରଶ୍ନ ବିଗତ କିଛି ବର୍ଷ ହେଲା ଓଡ଼ିଶାରେ ମୁଣ୍ଡ ଟେକିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକପ୍ରିୟ ଜନନେତା ଥିଲେ ଓ ରହିବେ ମଧ୍ୟ। ଦୀର୍ଘ ୨୪ ବର୍ଷ ଓଡ଼ିଶାକୁ ଶାସନ କଲେଣି। ଦୀର୍ଘ ବର୍ଷର ରାଜୁତି ଭିତରେ ସେ ଓଡ଼ିଶା ଶବ୍ଦ ନା ଭଲରେ କହିପାରିଲେ ନା ଲେଖି ପାରିଲେ। ତଥାପି ଓଡ଼ିଶାର ଜଣମାନସରେ ସେ ଆଦୃତ। ଓଡ଼ିଶାର ଶାସନ ବ୍ୟବସ୍ଥା ଭିତରେ କେବେ ବି ଓଡ଼ିଶାବାସୀ ଅନୁଭବ କରିପାରୁନଥିଲେ ଓଡ଼ିଆ ଭାଷା ଓ ସଂସ୍କୃତିର ଅବକ୍ଷୟ। ବିଗତ କିଛି ବର୍ଷ ହେଲା ଓଡ଼ିଆ ଭାଷା ଓ ସଂସ୍କୃତିର ଯେପରି ଭାବରେ ପ୍ରହେଳିକା ହେଉଛି ତାହା ପ୍ରତିଟି ଓଡ଼ିଆର ହୃଦୟକୁ ଛୁଇଁଛି ବୋଲି ଭାଷାବିତମାନେ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି। ପ୍ରଶ୍ନ ଏପରି ହେଉଛି ଯେ ନବୀନ ବାବୁଙ୍କ ଜାଣତରେ ଏହା ହେଉଛି ନା ଅଜାଣତରେ। ବିଜୁ ବାବୁ ଥିଲେ ଓଡ଼ିଆ ଅସ୍ମିତାର ପରିଚୟ। ସେ ଥିଲେ କଳିଙ୍ଗ ବୀର। ତାଙ୍କରି ନାମରେ ଗଠିତ ବିଜୁ ଜନତା ଦଳ ସଫଳତାର ଶୀର୍ଷ ଛୁଇଁ ପାରିଛି। କିନ୍ତୁ ସମୟଚକ୍ରରେ ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ଆଜି ବିଜୁ ଜନତା ଦଳର ଆଭିମୁଖ୍ୟ ହୋଇ ରହିନାହିଁ। ଏହାର ପୁରା ଫାଇଦା ବିରୋଧୀ ବିଜେପି ଓ କଂଗ୍ରେସ ଏଥର ନେବା ପାଇଁ ପଛଘୁଞ୍ଚା ଦେଉ ନାହାଁନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗକୁ ଜାତୀୟ ସ୍ତରରେ ଉଠାଇସାରିଲେଣି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଖୋଲା ମଞ୍ଚରେ ଏହା ଉପରେ ନିଜର ବକ୍ତବ୍ୟ ରଖିସାରିଲେଣି। ମୁଣ୍ଡ ଉପରେ ନିର୍ବାଚନ। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ଗୋଟିଏ ବଡ଼ ପ୍ରସଙ୍ଗ ହୋଇ ଉଭା ହେଲାଣି। ଏହାକୁ ପ୍ରତିହତ କରିବା ବହୁତ କାଠିକର ପାଠ। ସରକାରୀ ଯୋଜନାରୁ ଉପକୃତ ଗରିବ ଓଡ଼ିଆ ବି ଏହି ତତ୍ତ୍ୱକୁ ଉପଲବ୍ଧ କରିସାରିଲେଣି। ଲୋକ ଖୋଲାଖୋଲି କହିଲେଣି ମା’ ମାଟି ବଡ଼, ଯୋଜନା ପଛ। ନିର୍ବାଚନ ସମୟରେ ଏହା କି ପ୍ରକାର ଆନ୍ଦୋଳନର ଭୂମିକା ନେଉଛି ତାହା ହିଁ ଅପେକ୍ଷା।

ପ୍ରିୟରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.