Home ଜିଲ୍ଲା ପରିକ୍ରମା ଏମ୍‌ଡିଏମ୍‌ରେ ଘୋଟାଲା : ୨୫୦ କ୍ୱିଣ୍ଟାଲ ଚାଉଳ ବଣ୍ଟା ହୋଇପାରିଲାନି

ଏମ୍‌ଡିଏମ୍‌ରେ ଘୋଟାଲା : ୨୫୦ କ୍ୱିଣ୍ଟାଲ ଚାଉଳ ବଣ୍ଟା ହୋଇପାରିଲାନି

95

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ସମସ୍ତ କଟକଣା ଏବଂ ସତର୍କତା ସତ୍ୱେ ଜିଲାରେ ରୋକାଯାଇ ପାରୁନି ଏମ୍‌ଡିଏମ୍ ଘୋଟାଲା । ବିଦ୍ୟାଳୟଗୁଡିକରେ ମିଥ୍ୟା ଉପସ୍ଥାନ ଦେଖାଇ ହଡପ କରାଯାଉଛି ଶହ ଶହ କ୍ୱିଣ୍ଟାଲ ଚାଉଳ । ସରକାରୀ ବିଦ୍ୟାଳୟ ଗୁଡିକରେ ମିଥ୍ୟା ଛାତ୍ର ଉପସ୍ଥାନ ରୋକିବା ସକାଶେ ଉପସ୍ଥାନରେ ଆଧାର ସଂଯୋଗ ବାଧ୍ୟତାମୂଳକ କରିଛନ୍ତି । ସରକାରୀ ହିସାବ ଅନୁଯାୟୀ ଜିଲାରେ ଉପସ୍ଥାନରେ ଆଧାର ସଂଯୋଗ ପ୍ରାୟ ଶହେ ପ୍ରତିଶତ ହୋଇଥିବା ଦାବି କରାଯାଉଛି । ଏସ୍‌ଏମ୍‌ଏସ୍ ଜରିଆରେ ପ୍ରତିଦନର ଏମ୍‌ଡିଏମ୍ ରିପୋର୍ଟ ସରକାରଙ୍କୁ ଦିଆଯାଉଛି । ହେଲେ ଏହା ସତ୍ୱେ ମଧ୍ୟ ଜିଲାରେ ଏମ୍‌ଡିଏମ୍ ବ୍ୟବସ୍ଥା ଦୁର୍ନୀତି ମୁକ୍ତ ବୋଲି କୁହାଯାଇପାରୁନାହିଁ । ଯାହାର ପ୍ରତିଫଳନ କୋଭିଡ୍‌-୧୯ ବେଳେ ଦେଖିବାକୁ ମିଳିଛି । କୋଭିଡ୍ ଯୋଗୁଁ ରାଜ୍ୟ ସରକାର ଗତମାର୍ଚ୍ଚ ମାସ ଠାରୁ ସମସ୍ତ ସ୍କୁଲକୁ ବନ୍ଦ କରିଦେଇ ଏହି ବାବଦକୁ ଖର୍ଚ୍ଚ ହେଉଥିବା ଚାଉଳକକୁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ତଦନୁଯାୟୀ ଏପ୍ରିଲ, ମଇ ଏବଂ ଜୁନ୍ ୩ ମାସର ଏମଡିଏମ୍ ଚାଉଳକୁ ଯୋଗାଣ ବିଭାଗ ଜରିଆରେ ବଣ୍ଟନ ଆରମ୍ଭ କରାଯାଇଥିଲା । ଏଥିସକାଶେ ଭଦ୍ରକ ଜିଲାରେ ୩ ମାସର ଏମ୍‌ଡିଏମ୍ ଚାଉଳ କୋଟା ବାବଦକୁ ୧୮ ହଜାର ୪ କ୍ୱିଣ୍ଟାଲ ଚାଉଳ ରିଲିଜ୍ କରାଯାଇଥିଲା । ଏହି ଚାଉଳକୁ ସ୍କୁଲ ଅଥବା ପରିବହନ ଠିକାଦାରଙ୍କ ପରିବର୍ତ୍ତେ ଯୋଗାଣ ବିଭାଗ ଜରିଆରେ ବଣ୍ଟନ କରିଥିଲେ । ତେବେ ଚାଉଳ ବଣ୍ଟନ ସରିବାର ଇତିମଧ୍ୟରେ ପ୍ରାୟ ୨ ମାସ ବିତିବାକୁ ବସିଥିଲେ ମଧ୍ୟ ଯୋଗାଣ ନିଗମ ହାତରେ ଆହୁରି ପ୍ରାୟ ୨୫୦ କ୍ୱିଣ୍ଟାଲ ଚାଉଳ ବଣ୍ଟା ହୋଇନପାରି ପଡିରହିଛି । ଯାହାକୁ ନେବାକୁ ନା ଛାତ୍ରଛାତ୍ରୀ ନା ଅଭିଭାବକ କେହିବି ଆସୁନାହାଁନ୍ତି । କୁହାଯାଇଛି ବିଦ୍ୟାଳୟ ଛାତ୍ର ଉପସ୍ଥାନରେ ଜାଲ ଉପସ୍ଥାନ ଯୋଗୁଁ ଏହି ଅବସ୍ଥା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବଣ୍ଟନ ଯୋଗ୍ୟ ଚାଉଳର କୌଣସି ଦାବିଦାର ନମିଳିଲେ ସରକାରୀ ନିୟମ ଅନୁଯାୟୀ ଏହା ସରକାରୀ ଜମାକୁ ଫେରାଇ ନିଆଯିବାର ବ୍ୟବସ୍ଥା ରହିଛି । ତେବେ ଏଥିନେଇ ଜିଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ କହିଥିଲେ ପ୍ରକୃତ ପକ୍ଷେ ଏହା ଫେ୍ ଚାଉଳ ବୋଲି କୁହାଯାଇପାରିବ ନାହିଁ ।

 

 

କାରଣ କୋଭିଡ୍ କଟକଣା ଯୋଗୁଁ ଜିଲାରେ ରହି ପାଠ ପଢୁଥିବା ବହୁ ଜିଲା ବାହାର ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ପଳାଇ ଯାଇଥିବା ହେତୁ ସେମାନଙ୍କ ଚାଉଳ ବଣ୍ଟନ ହୋଇପାରିନାହିଁ । ପରବର୍ତ୍ତୀ ଅବସ୍ଥାରେ ଯଦି ସରକାର ପୁଣି ୩ ମାସର ଏମ୍‌ଡିଏମ୍ ଚାଉଳ ବଣ୍ଟନ କରିବାକୁ କୋଟା ମଂଜୁର କରନ୍ତି, ସେଥିରେ ଏହାକୁ ଭରଣା କରାଯାଇପାରିବ । ଅନ୍ୟଥା ଏହା ଲାପ୍ସ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଭଦ୍ରକ ଜିଲାରେ ଏବେ ପ୍ରାଇମେରୀ ଏବଂ ଅପର ପ୍ରାଇମେରୀ ସ୍ତରରେ ୧ ହଜାର ୮୩୬ ଗୋଟି ବିଦ୍ୟାଳୟ ରହିଥିବାବେଳେ ସେଥିରେ ପାଠ ପଢୁଥିବା ୧ ଲକ୍ଷ ୬୬ ହଜାର ୭ ଶହ ପିଲାଙ୍କୁ ସରକାରଙ୍କ ପକ୍ଷରୁ ଏମ୍‌ଡିଏମ୍ ଯୋଗାଇ ଦିଆଯାଉଛି । ସରକାରୀ ଅଟକଳ ମୁତାବକ ୩ ମାସ ପାଇଁ ପ୍ରାଇମେରୀ ସ୍ତରରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସକାଶେ ମୁଣ୍ଡପିଛା ୯ କେଜି ଏବଂ ଅପର ପ୍ରାଇମେରୀ ସ୍ତରରେ ଛାତ୍ରଛାତ୍ରୀଙ୍କ ସକାଶେ ସରକାର ୧୩ କିଗ୍ରା ୫ ଶହ ଗ୍ରାମ ହିସାବରେ ଜିଲାକୁ ୧୮ ହଜାର ୪ କ୍ୱିଣ୍ଟାଲ ଚାଉଳ ମଂଜୁର କରାଯାଇଥିଲା । ଅନ୍ୟପକ୍ଷରେ ବିଦ୍ୟାଳୟ ଗୁଡିକୁ ଏମ୍‌ଡିଏମ୍ ଚାଉଳ ଯୋଗାଇ ଦେବା ସକାଶେ ପ୍ରତିବର୍ଷ ପରିବହନ ଠିକାଦାର ନିଯୁକ୍ତି କରାଯାଉଛି । ସରକାରୀ ଚାଉଳ ପରିବହନ କ୍ଷେତ୍ରରେ ସେହି ଧରଣର ମୁନାଫା ନଥାଇ ମଧ୍ୟ ଟେଣ୍ଡର ପାଇଁ ଠିକାଦାରଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ମଧ୍ୟ ହେଉଛି । ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଉଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ଜମାରାଶି ଦେଇ ଠିକାଦାର ନିଯୁକ୍ତି କରାଯାଉଛି । ଚାଉଳ ଯୋଗାଣର ବାଟମାରଣା ରୋକିବା ପାଇଁ ସରକାର ଚାଉଳର ମଧ୍ୟବର୍ତ୍ତୀକାଳୀନ ମହଜୁଦକୁ ନାକଚ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.