Home ଆନ୍ତର୍ଜାତୀୟ ଆମେରିକାରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଆମେରିକାରେ ରଥଯାତ୍ରା ପାଇଁ ପ୍ରସ୍ତୁତି

162

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) : କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ପବିତ୍ର ରଥଯାତ୍ରା ପାଇଁ ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ ଭାବେ ପରିଚିତ ଇର୍ ଭାଇନ ସହରରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବହୁ ଭାରତୀୟ ଏକ ମନ ଏକ ପ୍ରାଣରେ ଲାଗିଛନ୍ତି।

କାଲିଫର୍ଣ୍ଣିଆର ଓଡ଼ିଆ ସମାଜ ସହଯୋଗରେ ଇର୍ ଭାଇନରେ ଏକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହୋଇଛି। ୨୦୧୨ ମସିହାରୁ ଏଠାରେ ପ୍ରତିବର୍ଷ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଓଡ଼ିଆ ସମାଜର ତାପସ ଦାସ, ସୁଦାମ ମିଶ୍ର, ସବ୍ୟସାଚୀ ପାଣିଗ୍ରାହୀ ଓ ବିଭୁ ଦାସ ପ୍ରମୁଖ ଏ ବର୍ଷ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

ଇର୍ ଭାଇନର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସାଇବାବା, ପାଶ୍ୱର୍ନାଥ ଆଦି ବିଭିନ୍ନ ଦେବାଦେବୀଙ୍କର ୧୬ଟି ବିଗ୍ରହ ପୂଜିତ ହେଉଛନ୍ତି। ଏହି ମନ୍ଦିର ପରିଚାଳନା ପାଇଁ ଦୀପକ ଶର୍ମା, ସୁରେଶ ଲୋହିଆ, ଆଦିତ୍ୟ ସିଂହ, ମହେଶ ଗୁପ୍ତା ଆଦିଙ୍କୁ ନେଇ ଏକ କାର୍ଯ୍ୟନିର୍ବାହୀ କମିଟି ଗଢ଼ା ଯାଇଛି।

ପ୍ରତିବର୍ଷ ଇର୍ ଭାଇନ ଓ ଏହାର ଆଖପାଖ ସହରାଞ୍ଚଳରେ ରହୁଥିବା ବହୁ ଭାରତୀୟ ସେମାନଙ୍କ ପରିବାର ଓ ବିଦେଶୀ ବନ୍ଧୁମାନଙ୍କ ସହ ଏହି ରଥଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ମନ୍ଦିର ପ୍ରଶାସନ ପକ୍ଷରୁ ସମବେତ ଭକ୍ତମାନଙ୍କୁ ପ୍ରସାଦ ପରିବେଷଣ କରାଯାଇଥାଏ। ଏହାଛଡ଼ା ପ୍ରତିଷ୍ଠିତ ଶିଳ୍ପୀମାନଙ୍କୁ ନେଇ ଭଜନ ସମେତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱରେ ମନୋଜ, ଦେବୀ, ପ୍ରଶାନ୍ତ, ମୋନିକା, ଗଣେଶ, ଶିବ, ସୋନୁ, ଶକ୍ତି ଓ ମଧୁସ୍ମିତା ଆଦି ରହିଛନ୍ତି। ଇର୍ ଭାଇନର ଏହି ମନ୍ଦିରରେ ରଥଯାତ୍ରା ବ୍ୟତୀତ ଦୋଳ, ହୋଲି, ମହାଶିବରାତ୍ରୀ, ଦୀପାବଳି, ଜନ୍ମାଷ୍ଟମୀ, ଦଶହରା, ଗୁରୁପୂର୍ଣ୍ଣିମା ଆଦି ବହୁ ପର୍ବପର୍ବାଣୀ ପାଳନ କରାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବହୁ ଲୋକ ଏଥିରେ ଅଂଶଗ୍ରହଣ କରିଥାନ୍ତି। ବସ୍ତୁତଃ ଏହି ମନ୍ଦିର ପ୍ରବାସୀ ଭାରତୀୟ ବିଶେଷ କରି ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ଏକ ତୀର୍ଥସ୍ଥଳୀ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.