Home ଜିଲ୍ଲା ପରିକ୍ରମା ଅସ୍ଥିଶଲ୍ୟ ରୋଗୀଙ୍କୁ ମନା ଭଦ୍ରକ ଜିଲା ଡାକ୍ତରଖାନା

ଅସ୍ଥିଶଲ୍ୟ ରୋଗୀଙ୍କୁ ମନା ଭଦ୍ରକ ଜିଲା ଡାକ୍ତରଖାନା

39

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ସବୁ ପ୍ରକାର ଚିକିତ୍ସା ଦେବାର ବ୍ୟବସ୍ଥା କରିଛନ୍ତି । ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ, ପରୀକ୍ଷା ନିରୀକ୍ଷାର ବି ସୁବନ୍ଦୋବସ୍ତ କରିଛନ୍ତି । ଜଣେ ରୋଗୀ ଯେମିତି ଚିକିତ୍ସା ସେବାରୁ ବଂଚିତ ନହେବ, ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ । ତେବେ ଆଶ୍ଚର୍ଯ୍ୟର କଥା ଭଦ୍ରକ ଜିଲା ଡାକ୍ତରଖାନାରେ ଦୀର୍ଘ ମାସ ହେବ ଅସ୍ଥିଶଲ୍ୟ (ହାଡ ଅସ୍ତ୍ରୋପଚାର) ରୋଗୀଙ୍କୁ ଅପରେସନ କରାଯାଉନି । ଫଳରେ ଶହ ଶହ ଅସ୍ଥିଶଲ୍ୟ ରୋଗୀ ଅସ୍ତ୍ରୋପଚାର ପାଇଁ ଏଠାକାର ଘରୋଇ ନର୍ସିଂହୋମ୍‌କୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଭଦ୍ରକ ଜିଲା ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ୨ ଗୋଟି ଓଟି (ଅପରେସନ ଥିଏଟର) ଆଉ ଅସ୍ଥିଶଲ୍ୟ ବିଭାଗରେ ଜଣେ ନୁହେଁ ୩ ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି । ଜିଲା ଡାକ୍ତରଖାନାକୁ ଦୈନିକ ପାଖାପାଖି ୧୫ ରୁ ଉର୍ଦ୍ଧ୍ୱ ଅସ୍ଥିଶଲ୍ୟ ରୋଗୀ ଆସୁଛନ୍ତି । ଏହି ରୋଗୀମାନଙ୍କୁ ହାଡଭଙ୍ଗା ଯନ୍ତ୍ରଣାରୁ ଉପଶମ ପାଇଁ ଅସ୍ତ୍ରୋପଚାର ନିହାତି ଜରୁରୀ । ତେବେ ଜିଲା ଡାକ୍ତରଖାନାରେ ଏହି ରୋଗୀମାନଙ୍କର ଅପରେସନ କରାଯାଉନଥିବାରୁ ଏମାନେ ଏଠାକାର ଘରୋଇ ନର୍ସିଂହୋମ୍‌କୁ ଯାଇ ଅସ୍ତ୍ରୋପଚାର କରୁଛନ୍ତି । ଏହି ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ଅଯଥାରେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଜିଲା ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାର କାରଣ ଏଠାରେ ନିଶ୍ଚେତକ (ଆନେସଥେସିଆ) ବା ନିଶା ବିଶେଷଜ୍ଞ ଡାକ୍ତରଙ୍କ ପଦବୀ ଖାଲି ବୋଲି ଜଣାଯାଇଛି ।

ଜିଲା ଡାକ୍ତରଖାନାରେ ଦୀର୍ଘଦିନ ହେବ ଏହି ନିଶା ଡାକ୍ତରଙ୍କ ପଦବୀ ଖାଲି ପଡିଛି । ଗତ ସେପ୍ଟେମ୍ବର ମାସରେ କେତୋଟି ହାଡଭଙ୍ଗା ଅପରେସନ ବା ଅର୍ଥୋପେଡିକ୍ ସର୍ଜରୀ କରାଯାଇଥିଲା । ଗତ ୩୦ ସେପ୍ଟେମ୍ବର ୨୦୨୦ ରୁ କାର୍ଯ୍ୟରତ ନିଶା ଡାକ୍ତରଙ୍କ ବଦଳି ପରେ ତାଙ୍କ ସ୍ଥାନରେ କେହି ଆସୁନଥିବାରୁ ରୋଗୀଙ୍କ ଅପରେସନ ବନ୍ଦ ରହିଛି ବୋଲି ଜିଲା ଡାକ୍ତରଖାନାର ଏଡିଏମ୍‌ଓ (ମେଡିକାଲ) ଡାକ୍ତର ମୁରଲୀଧର ପାଢୀ ସୂଚନା ଦେଇଛନ୍ତି । ତେବେ ନିକଟରେ ଜଣେ ନିଶା ଡାକ୍ତର ଜଏନ୍ କରିଥିବାରୁ ଏହି ସମସ୍ୟା ଦୂର ହେବ ବୋଲି ଡାକ୍ତର ପାଢୀ କହିଛନ୍ତି । ତେବେ ଜିଲା ଡାକ୍ତରଖାନାରେ ମାସକୁ ପ୍ରାୟ ୩୦ ଜଣ ହାଡଭଙ୍ଗା ରୋଗୀଙ୍କ ଅପରେସନ କରାଯାଉଥିଲା । ଏବେ ସଂପୂର୍ଣ୍ଣ ବନ୍ଦ ରହିଥିବାରୁ ଏହାର ସୁଯୋଗ ନେଇ ଏଠାକାର କେତେକ ଘରୋଇ ନର୍ସିଂହୋମ୍ ଏହି ଅପରେସନ କରାଇ ବେଶ୍ ଫାଇଦା ନେଉଥିବାବେଳେ ସରକାରୀ ଡାକ୍ତରମାନେ ଘରୋଇ ଡାକ୍ତରଖାନାରେ ଏହା କରି ବେଶ୍ ଲାଭବାନ ହେଉଥିବା ଜଣାଯାଇଛି । ଏହି ପ୍ରକ୍ରିୟା ଯାଗୁଁ ଡାକ୍ତର, ନର୍ସିଂହୋମ୍ ମାଳିକଙ୍କୁ ଫାଇଦା ଯାଉଥିବାବେଳେ ଗରିବ ଗ୍ରାମୀଣ ରୋଗୀମାନେ ଆର୍ଥିକ ଭାରରେ ପେଶି ହେଉଥିବା ଜଣାଯାଇଛି । ଜିଲା ଡାକ୍ତରଖାନାରେ ଅସ୍ଥିଶଲ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.