Home Top News ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ଶ୍ରେୟ କାହାର, ଦାୟୀ କିଏ ?

ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ଶ୍ରେୟ କାହାର, ଦାୟୀ କିଏ ?

53

ଏପରି ଏକ କାହାଣୀ ଥିଲା। “ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲା।ଯୁଦ୍ଧ ଘମାଘୋଟ ହେଲା। ବହୁ ସଂଖ୍ୟାରେ ସୈନ୍ୟ ମୃତାହତ ହେଲେ। ବହୁ ଆହତ ହେଲେ। ଆହତ ସୈନ୍ୟଙ୍କ ଚିକିତ୍ସା ପାଇଁ ସରକାର ଦକ୍ଷ ଡାକ୍ତରୀ ଦଳ ନିଯୁକ୍ତ କଲେ। ତେବେ, ଏତେ ସଂଖ୍ୟାରେ ମୃତାହତ ହେଲେ ଯେ, ଡାକ୍ତରଙ୍କୁ କିଏ ମୃତ କିଏ ଜୀବିତ ଜାଣିବା କଷ୍ଟସାଧ୍ୟ ହୋଇ ପଡ଼ିଲା। ଡାକ୍ତର ଏକ ଉପାୟ କଲେ।ଆସୁଥିବା ସୈନ୍ୟଙ୍କୁ ପରୀକ୍ଷା କରି ଯିଏ ଆହତ ତା’ କପାଳରେ “ଚିକତ୍ସା”ର ଏକ ଷ୍ଟାମ୍ପ୍ ମାରି ଚିକିତ୍ସା ପାଇଁ ପଠାଇ ଦେଲେ ଏବଂ ଯିଏ ମୃତ ତା’ କପାଳରେ “ମୃତ” ଷ୍ଟାମ୍ପ ମାରି ସତ୍କାର ପାଇଁ ପଠାଇ ଦେଲେ। ଏ’ ଭିତରେ ଜଣେ ଆହତ ସୈନ୍ୟଙ୍କୁ ଡାକ୍ତର ଭୁଲରେ ମୃତ ଷ୍ଟାମ୍ପ ମାରି ଦେଇଥିଲେ। ସେ ଯାଇ ପହଞ୍ଚିଲେ ସିଧା ଶ୍ମଶାନରେ। ଯେତେବେଳେ ତାଙ୍କୁ ଅଗ୍ନି ସଂଯୋଗ କରାଗଲା, ସେ ଚେଇଁ ଉଠିଲା। ଚିତ୍କାର କରି କହିଲେ,“ମୁଁ ବଞ୍ଚିଛି”। କିନ୍ତୁ, ତା’ କଥା କେହି ଶୁଣିଲେ ନାହିଁ। କହିଲେ, ତୁ ଜଣେ ସାଧାରଣ ସୈନିକଟିଏ। ସିଏ ଜଣେ ଏମ୍‌ବିବିଏସ୍‌ ଡାକ୍ତର। ସେ କହୁଛନ୍ତି ତୁ ମୃତ, ମାନେ ତୁ ମୃତ। ସେ କ’ଣ ଭୁଲ କହୁଛନ୍ତି, ଆଉ ତୁ ଠିକ୍ କହୁଛୁ? ଏହା କହି ତାକୁ ଜିଅନ୍ତା ଜାଳିଦେଲେ”। ଏହା ଏକ କାହାଣୀ ମାତ୍ର।ଭୁବନେଶ୍ୱର: ଓଡ଼ିଶାରେ ଏବେ ପୋୖର ଏବଂ ମହାନଗର ନିଗମ ନିର୍ବାଚନ ସରିଲା। ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଲା। ସେହିପରି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ୩ଟି ଜାକ ସ୍ଥାନରେ ବିଜେଡି ବାଜିମାତ୍ କଲା। ତେବେ, କଟକରେ ସିନା ବିଜେପିର ଦୟନୀୟ ସ୍ଥିତି ରହିଲା, କିନ୍ତୁ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ବିଜେପି ଭଲ ଫାଇଟ୍ କଲା। ଭୁବନେଶ୍ୱରରେ ଦଳ ଏକ ନୂଆ ଚେହେରା, ସୁନୀତି ମୁଣ୍ଡଙ୍କୁ ଆଣି ପାର୍ଥି କଲା। ଶେଷରେ ବିଜେଡି ପାର୍ଥିନୀ ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମେୟର୍। ସେ ୧ ଲକ୍ଷ ୭୪ ହଜାର ୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେଇ ବିଜେପି ପାର୍ଥିନୀ ସୁନୀତି ମୁଣ୍ଡ ୧ ଲକ୍ଷ ୧୩ ହଜାର ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଲେ। କଂଗ୍ରେସ ମାତ୍ର ୧୧ ହଜାର ୪୧୯ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଲା। ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏହା ଆମର ପରାଜୟ ନୁହେଁ, ଏହା ଆମର ବିଜୟ ବୋଲି କହିବା ସହ ଏତେ ସଂଖ୍ୟାରେ ଭୋଟ୍ ପାଇବାକୁ ନେଇ ଭୁବନେଶ୍ୱର ମହାନଗର ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁନୀତି ମୁଣ୍ଡ। ନିଜକୁ ନିମିତ୍ତ ମାତ୍ର ବୋଲି କହିବା ସହ ସବୁ ଶ୍ରେୟ ଦଳକୁ ତଥା ବିଶେଷ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଇଛନ୍ତି ସୁନୀତି। ବାସ୍ତବରେ ଭୁବନେଶ୍ୱରରେ ଦଳ ପାଇଥିବା ଭୋଟ୍ ପଛରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରମୂଖ ଅବଦାନ ରହିଥିବା କଥା ସାଧାରଣରେ ଆଲୋଚନା ହେଉଛି। ତେବେ, ଏକଥା ବୋଧେ ଓଡ଼ିଶା ବିଜେପି ମାନିବାକୁ ନାରାଜ୍।ଏମାନେ ଧର୍ମେନ୍ଦ୍ରଙ୍କୁ ଦଳର ମୁଣ୍ଡିଆଳ ବୋଲି ଭାବନ୍ତି। ଧର୍ମେନ୍ଦ୍ର ମାନେ ବିଜେପି, ବିଜେପି ମାନେ ଧର୍ମେନ୍ଦ୍ର ବୋଲି କୁହନ୍ତି। ଯିଏ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱୀକାର ନ’କରିଲା ତାକୁ ନିର୍ଦ୍ୱନ୍ଦରେ ବିଜେପି ବିରୋଧୀ ବୋଲି କୁହାଯିବ ବୋଲି ଏମାନେ କୁହନ୍ତି। ଏପରିକି ଧର୍ମେନ୍ଦ୍ରଙ୍କ ସାଙ୍ଗରେ ଆସ, ନ’ହଲେ ମାଟିରେ ମିଶ ବୋଲି ଧମକ ଦିଅନ୍ତି। ନିକଟରେ ପଞ୍ଚାୟତ ନିର୍ବାଚନ ପରେ ପରେ ତଥା ପୋୖର ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ପ୍ରମୂଖ ନେତୃତ୍ୱଙ୍କୁ ତଳେ ପକାଇଦେଇ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଧର୍ମେନ୍ଦ୍ରଙ୍କ ବିନା ଓଡ଼ିଶା ବିଜେପିର କିଛି ଅସ୍ତିତ୍ୱ ନାହିଁ ବୋଲି କହିଲେ। ଏହା ତାଙ୍କର ମାତ୍ରାଧିକ ଚାଟୁକାରୀ ଥିଲା ବୋଲି କୁହାଯାଉଛି। ଅବଶ୍ୟ ଏହା ପଛରେ ଏକ କାରଣ ରହିଛି! ଏବେ ସେହିପରି ଦଳର ଜଣେ ଦଳ ବଦଳକାରୀ ପ୍ରବକ୍ତା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି, ଦଳର ସାଧାରଣ ସମ୍ପାଦକ ମାନଙ୍କ ଚେଷ୍ଟା ଓ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ପାଇଁ ଭୁବନେଶ୍ବରରେ ବିଜେପି ୧୧୩୪୧୯ ଖଣ୍ଡ ଭୋଟ ପାଇଛି। ଭୁବନେଶ୍ୱରବାସୀ ମୋ ଦଳ ଉପରେ ଆସ୍ଥା ପ୍ରକଟ କରି ମୋ ଦଳର ନେତୃତ୍ୱ ଉପରେ ବିଶ୍ୱାସ ରଖି ଯେଉଁ ସମର୍ଥନ ଦେଇଛନ୍ତି, ତାହା ବ୍ୟର୍ଥ ହେବାକୁ ଦେବୁ ନାହିଁ।” ଏଠି ନାଁ, ସେ ନିଜ ଦଳର ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଶ୍ରେୟ ଦେଇଛନ୍ତି, ନାଁ’ ଏପରିକି ସେ ସ୍ୱୟଂ ପାର୍ଥିନୀ ସୁନୀତି ମୁଣ୍ଡଙ୍କ ନାଁ’ ମଧ୍ୟ ନେଇ ନାହାଁନ୍ତି। କିନ୍ତୁ, ଯେତେବେଳେ କି ଧର୍ମେନ୍ଦ୍ର ପ୍ରଧାନ ବିଲକୁଲ୍ ମାଟି ମାଡ଼ି ନାହାଁନ୍ତି, ତାଙ୍କୁ କିନ୍ତୁ ଶ୍ରେୟ ଦେଇଛନ୍ତି! ଚାଟୁକାରୀତାର ଶେଷ ସୀମା। ଏମିତିରେ ତ’ ନିର୍ବାଚନ ଫଳାଫଳ ପରେ ମନ୍ତ୍ରୀ ତାଙ୍କ ନିଜ ପୋଷ୍ଟ୍ ଉପରେ ପ୍ରବଳ ଟ୍ରୋଲ୍ ହେଉଛନ୍ତି। ସେଥିରେ ପୁଣି ପ୍ରବକ୍ତା ଜଣଙ୍କ ମନ୍ତ୍ରୀଙ୍କ ପାଖରେ ଭଲେଇ ହେବା ପାଇଁ ଏପରି ପୋଷ୍ଟ୍ କରି ମନ୍ତ୍ରୀଙ୍କୁ ଆହୁରୀ ଲୋକହସା କରାଉଛନ୍ତି। ଏମାନଙ୍କୁ ଅବା ବୁଝାଇବ କିଏ? ଏମାନେ ତ’ ଉପରେ ବର୍ଣ୍ଣିତ କାହାଣୀ ପରି ଯାହା ସେହି ଗୋଟିଏ କଥା ବୁଝିଛନ୍ତି। ନିଜେ ପାର୍ଥିନୀ ପଛେ ଅପରାଜିତାଙ୍କୁ ଶ୍ରେୟ ଦେଉଛନ୍ତି, ଏମାନେ କିନ୍ତୁ ମାନିବାକୁ ନାରାଜ୍। ଏମାନେ ସେଇ ଗୋଟିଏ ଠାରେ ଅଟକି ଯାଇଛନ୍ତି।ଏ’ ଭିତରେ ଏକ ବିସ୍ଫୋରକ ବୟାନ୍ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ। ପରାଜୟର ବିଭିନ୍ନ କାରଣ ଭିତରେ ସେ ରାଜ୍ୟ ବିଜେପିର ଦୃବଳ ନେତୃତ୍ୱଙ୍କୁ ଦାୟୀ କରିଛନ୍ତି। ରାଜ୍ୟସାରା ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଉତ୍ସାହ, ଉଦ୍ଦୀପନା ରହିଛି। ବିଜେପିକୁ ଜିତାଇବାର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସାମର୍ଥ୍ୟ ଏବଂ କ୍ଷମତା ରହିଛି। କିନ୍ତୁ, ରାଜ୍ୟ ନେତୃତ୍ୱ ଦୃବଳ ରହିଛି। ରାଜ୍ୟ ନେତୃତ୍ୱକୁ ଆମକୁ ସୁଦୃଢ଼ କରିବାକୁ ପଡ଼ିବ। ସଶକ୍ତ ଏବଂ ବଳଶାଳୀ କରିବାକୁ ପଡ଼ିବ। ରାଜ୍ୟ ନେତୃତ୍ୱ ଯେଉଁ ପର୍ଯ୍ୟନ୍ତ ସଶକ୍ତ, ସୁଦୃଢ଼ ଏବଂ ବଳଶାଳୀ ନ’ହୋଇଛି, ତୃଣମୂଳ ସ୍ତରରେ ତାହା ପରିଲିକ୍ଷିତ ହେବ ନାହିଁ ବୋଲି କହିଛନ୍ତି ଅପରାଜିତା। ଅପରାଜିତାଙ୍କ ଏପରି ଆକ୍ଷେପ କାହା ପ୍ରତି ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.