Home ଅପରାଧ ସେଦିନ କେଉଁଠି ଥିଲା ଏ’ ରାଷ୍ଟ୍ରଭକ୍ତି, ମାତୃଭୂମି ପ୍ରେମ ?

ସେଦିନ କେଉଁଠି ଥିଲା ଏ’ ରାଷ୍ଟ୍ରଭକ୍ତି, ମାତୃଭୂମି ପ୍ରେମ ?

436

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ବୈଜୟନ୍ତ ପଣ୍ଡାଙ୍କ ଏକ ଟ୍ୱିଟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଓଟିଭିର ଜଣେ ସାମ୍ବାଦିକଙ୍କୁ ବିନା ସମନରେ ପୋଲିସ ଉଠାଇନେବା ଘଟଣାକୁ ନେଇ ଟ୍ୱିଟ୍ କରିଥିଲେ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଟ୍ୱିଟ୍ କରିଥିଲେ ଯେ, “ବାକ୍ ସ୍ୱାଧୀନତା। ଲଜ୍ଜାଜନକ ଯେ ମହାରାଷ୍ଟ୍ର ଏବଂ ଓଡ଼ିଶା ପୋଲିସ କିପରି ପାକିସ୍ତାନ ପରି ଆଇନର ମୌଳିକ ପ୍ରକ୍ରିୟାକୁ ଅନୁସରଣ ନକରି ସାମ୍ବାଦିକ ମାନଙ୍କୁ ଉଠାଇ ନେଇ ଆକ୍ରମଣ କରୁଛନ୍ତି ଏବଂ ଜେରା କରୁଛନ୍ତି, ଯେମିତି ପାକିସ୍ତାନରେ ହୁଏ। ଏହା ପ୍ରକୃତ ଫାସିବାଦ।” ବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ୍ ପରେ ଆରମ୍ଭ ହୋଇଥିଲା ବିବାଦ। ଓଡ଼ିଶାକୁ ପାକିସ୍ତାନ ସହିତ ତୁଳନା କରିଥିବା କହି ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନା କଲେ ବିଜେଡିର କିଛି ନେତା।

ବିଜେଡି ସଙ୍ଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଲେଖିଛନ୍ତି, “ନିଜ ରାଜ୍ୟକୁ ପାକିସ୍ତାନ ସହିତ ତୁଳନା କରିବାଠାରୁ ଅଧିକ ଲଜ୍ଜାଜନକ କିଛି ନାହିଁ। ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ଏହା ଅସମ୍ମାନ। ଆଶା କରୁଛି, ଉତ୍ତମ ଜ୍ଞାନ ଜିତିବ ଏବଂ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଏହା ଅପମାନ, ସମଗ୍ର ରାଜ୍ୟ ଏଠାରେ ଅଟକି ଯିବ”। ସେହିପରି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ବର୍ଷିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ। ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ଦେବାଶିଷ କହିଛନ୍ତି। ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାଁନ୍ତି, ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ, ତାଙ୍କୁ ଲାଜ ଲାଗିବା କଥା ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ। ଏହାସହ ବିଜେଡି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବୈଜୟନ୍ତଙ୍କ ମନ୍ତବ୍ୟ ଓଡ଼ିଶା ପ୍ରତି ଅପମାନ କହି ନିନ୍ଦା କରିଛନ୍ତି।

ତେବେ ବୈଜୟନ୍ତଙ୍କୁ ସବୁଠାରୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବୈଜୟନ୍ତଙ୍କ ମନ୍ତବ୍ୟକୁ ସିଧା ଜଗନ୍ନାଥଙ୍କ ଅପମାନ ବୋଲି କହିଛନ୍ତି ଅନୁଭବ। ଅନୁଭବ ଟ୍ୱିଟ୍ କରିଛନ୍ତି, ଦେଶ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଜାଣିବାକୁ ଚାହୁଁଛି, ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିଜ ମାତୃଭୂମିକୁ ପାକିସ୍ତାନ ସହିତ ତୁଳନା କରିବାକୁ କିପରି ସାହସ କଲ। ଏତେ କୃତଘ୍ନ କିପରି ହେଲ, ଯିଏ ତୁମକୁ ଏବଂ ତୁମ ପରିବାରକୁ ବର୍ଷ ବର୍ଷ ଧରି ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛି”। ମୁଁ ଆପଣଙ୍କୁ ମନେ ପକାଇ ଦେଉଛି ଯେ ୨୦୧୯ରେ ଆପଣଙ୍କର ପରାଜୟ ପୂର୍ବରୁ, ଆପଣ ଏହି ମାଟିର ଏକ ଅଂଶ ଥିଲେ। ଯାହାକୁ ଆପଣ ବର୍ତ୍ତମାନ ପାକିସ୍ତାନ ସହିତ ତୁଳନା କରୁଛନ୍ତି। କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ କି। ଯଦି ହଁ, ତେବେ ବର୍ତ୍ତମାନ ଏବଂ ସବୁଦିନ ପାଇଁ ଓଡ଼ିଶା ଛାଡ଼ିଦିଅ”।ଏହାପରେ ଆଉ ଏକ ଟ୍ୱିଟ୍ କରି ଅନୁଭବ ଲେଖିଛନ୍ତି, ” ବିଜେଡି, କଂଗ୍ରେସ କିମ୍ବା ବିଜେପି ଯିଏ ଯେଉଁ ଦଳର ହୁଅନ୍ତୁ ନାଁ ନାହିଁ କାହିଁକି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ମାତୃଭୂମି ଏବଂ ତା’ର ସମ୍ମାନ”।

ତେବେ ଯଦି ମୂଳ ପ୍ରସଙ୍ଗକୁ ଯିବା, ତେବେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଗସ୍ତକୁ ନେଇ ସଂପୃକ୍ତ ସାମ୍ବାଦିକ କରିଥିବା ଏକ ରିପୋର୍ଟକୁ ନେଇ ଆକ୍ରୋଶମୂଳକ ଭାବରେ ତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ଓଟିଭି କତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଉଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଏକ ମିଛ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଯାହାକି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ବୋଲି କୁହାଯାଇଥିଲା। ସେହି ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ସଂପୃକ୍ତି ନେଇ ଓଟିଭିର ସେହି ସାମ୍ବାଦିକଙ୍କୁ ପୋଲିସ ନେଇ ଜେରା କରିଥିବା କହୁଛି। ଏ’ ସବୁ ଭିତରେ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଓଟିଭିର ସେହି ସାମ୍ବାଦିକଙ୍କ ସଂପୃକ୍ତି ଏବଂ ତାଙ୍କୁ ବଞ୍ଚାଇବାକୁ ବୈଜୟନ୍ତ ଏବଂ ଜଗି ମଙ୍ଗତ ପଣ୍ଡାଙ୍କ ଉଦ୍ୟମ କରୁଥିବା କହି ନିଜେ ଚନ୍ଦ୍ରାଣୀ ଯେଉଁଭଳି ଭାବରେ ଅଭିଯୋଗ କରୁଛନ୍ତି, ତାହାକୁ ନେଇ ଉଭୟ ବୈଜୟନ୍ତ ଏବଂ ଜଗି ପଣ୍ଡାଙ୍କ ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି ହେଉଛି। ତେବେ ଏ’ ବାବଦରେ ପ୍ରାୟ ଦେଢ଼ ବର୍ଷ ଯାଏଁ ଚୁପ୍ ରହିବା ପରେ ଆଜି କାହିଁକି ଏକଥା ଉଠିଲା ବୋଲି ମଧ୍ୟ କଥା ଉଠୁଛି। ସେହିପରି ଜଣେ ମହିଳା ସାଂସଦଙ୍କୁ ନ୍ୟାୟ ଦେବା ପ୍ରକ୍ରିୟାରେ ଯଦି ଏତେ ବିଳମ୍ବ ହେଇଯାଉଛି, ତେବେ ଜଣେ ସାଧାରଣ ମହିଳାଙ୍କ କ୍ଷେତ୍ରରେ ଏପରି ଘଟିଲେ ତାଙ୍କୁ ନ୍ୟାୟ ମିଳିବାରେ କେତେ ଦିନ ଯେ ବିତିଯିବ ନେଇ ଶାସନ ଏବଂ ପ୍ରଶାସନର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।

ତେବେ ବୈଜୟନ୍ତ ଯାହା ଟ୍ୱିଟ୍ କରିଛନ୍ତି, ଯଦିବା ଭୁଲ୍ କହିଛନ୍ତି କିନ୍ତୁ, କଥା ହେଉଛି ବୈଜୟନ୍ତଙ୍କୁ ସମାଲୋଚନା କରୁଥିବା ଏହି ନେତାମାନେ କେଉଁଠି ଥିଲେ ଏବଂ ଏମାନଙ୍କର ମୁହଁ କାହିଁକି ଚୁପ ଥିଲା ଯେତେବେଳେ ୨୦୧୭ ମସିହାରେ ଭଦ୍ରକରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ପରେ ଶାନ୍ତି କମିଟି ବୈଠକ ବସିଥିବା ସମୟରେ ୧୪୪ ଧାରା ସତ୍ୱେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏକ ବାଇକ୍ ରାଲି କରାଯାଇ ପାକିସ୍ତାନ ଜିନ୍ଦାବାଦର ଶ୍ଳୋଗାନ୍ ଦିଆଯାଇଥିଲା। ଯାହାକି ତତ୍କାଳୀନ ଭଦ୍ରକ ବିଜେଡି ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏବଂ ତାଙ୍କ ପୁଅଙ୍କ ସମର୍ଥନରେ ହୋଇଥିଲା ବୋଲି ଅଭିଯୋଗ ହେଇଥିଲା। ସେହିଭଳି ଦେବାଶିଷ ସାମନ୍ତରାୟ ହେଲେ ସେହି ନେତା, ଯେତେବେଳେ ପୁଲୱାମା ହମ୍‌ଲାରେ ସହିଦ ଓଡ଼ଆ ଯବାନଙ୍କ ଶୋକସନ୍ତପ୍ତ ପରିବାର ପାଇଁ ରାଜ୍ୟବ୍ୟାପୀ ସମବେଦନାର ସୁଅ ଛୁଟୁଥିଲା ଏଭଳି ସ୍ଥିତିରେ ତତ୍କାଳୀନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଚରଣକୁ ନେଇ ଦେଖା ଦେଇଥିଲା ତୀବ୍ର ଅସନ୍ତୋଷ। ନିଜ ଜିଲ୍ଲା କଟକର ରତନପୁର ଗାଁ’ର ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ସେ ଯେଉଁଭଳି ଭାବେ ଧକ୍କା ମାରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ତା’ର ଭିଡିଓ ଭାଇରାଲ୍ ହୋଇଥିଲା। ତାହା କେଉଁ ପ୍ରକାର ରାଷ୍ଟ୍ରଭକ୍ତି ଥିଲା। ଆଉ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଅବା କହିବ କିଏ, ସାଧାରଣ ଲୋକଙ୍କ ଠାରୁ ସରକାରୀ କର୍ମଚାରୀ ମାନଙ୍କୁ ମାଡ଼ ମାରିବା ଧମକ ଦେବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ତ’ ତାଙ୍କର ଅଭ୍ୟାସ। ଆଉ ଏବେ ଏମାନେ ସବୁ କରୁଛନ୍ତି ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନା, ଦେଉଛନ୍ତି ପରାମର୍ଶ।

/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.