Home Top News ତୁମ ବାଟ ରହିଛି ଚାହିଁ: ମନମୋହନଙ୍କ ଅପେକ୍ଷାରେ …

ତୁମ ବାଟ ରହିଛି ଚାହିଁ: ମନମୋହନଙ୍କ ଅପେକ୍ଷାରେ …

45

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ମାର୍ଚ୍ଚ ୨୩ ତାରିଖରେ ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲେ। ସଭାପତି ପରିବର୍ତ୍ତନ ପରେ ରାଜ୍ୟ ଟିମ୍ ପରିବର୍ତ୍ତନ ଏକ ସ୍ବଭାବିକ ପ୍ରକ୍ରିୟା। ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବା କଥା। ୪ ମାସ ବିତିଗଲା। କିନ୍ତୁ, ଏ’ ପର୍ଯ୍ୟନ୍ତ ମନମୋହନ ସାମଲ ଘୋଷଣା କରିନାହାଁନ୍ତି ତାଙ୍କ ନୂଆ ଟିମ୍। କାଲି କାଲି କହିକହି ଗଡ଼ୁଛି ଦିନ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। ଏବେ ମନମୋହନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ମନମୋହନଙ୍କ ସହିତ ଦିଲ୍ଲୀ ଯାଇଥିଲେ। ମାନସ ମହାନ୍ତି ଫେରି ଆସିଲେଣି। ଓଡ଼ିଶା ଫେରି ରାଜ୍ୟ କାର୍ଯ୍ୟାଳୟରେ ମାନସ ମହାନ୍ତି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ତେବେ, ସଭାପତି ଫେରିଲେଣି ନାଁ ନାହିଁ, କେବେ ଫେରିବେ କେହି ଜାଣିପାରୁ ନାହାଁନ୍ତି। ମନମୋହନଙ୍କ ପାଖ ଲୋକ ବୋଲାଇ ଆସୁଥିବା ନେତାନେତ୍ରୀ ବା ଓଡ଼ିଶା ବିଜେପିରେ ସବୁ ଜାଣିବାର ବୋଲାଉଥିବା ମୁଣ୍ଡିଆଳ ନେତା, ନେତ୍ରୀଗଣ ମଧ୍ୟ ରାଜ୍ୟ ସଭାପତିଙ୍କ ଗତିବିଧି ଜାଣି ପାରୁନାହାଁନ୍ତି। କେତେକ କେବଳ ମିଛ ଢାବା ମାରି ସଭାପତିଙ୍କ ପାଖ ଲୋକ ଦେଖାଇ ହେବାକୁ ଚାହିଁ ଏଣୁତେଣୁ ଗପି ଦେଉଛନ୍ତି।କିନ୍ତୁ, ସେମାନଙ୍କ ପାଖରେ ସଭାପତିଙ୍କର କେଉଁଠାରେ କାର୍ଯ୍ୟକ୍ରମ କିମ୍ବା କେଉଁଠି ଅବସ୍ଥିତି ନେଇ କୌଣସି ସୂଚନା ରହୁନି। ବାସ୍ତବରେ ରାଜ୍ୟ ସଭାପତିଙ୍କ ଗସ୍ତ ବାବଦରେ ଯଦି କାହା ପାଖରେ ସୂଚନା ରହୁଥାଏ, ସେ ହେଲେ କେବଳ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି। ଉଭୟ ଉଭୟଙ୍କ ମଧ୍ୟରେ ଚମତ୍କାର ତାଳମେଳ ରଖି ଗୁପ୍ତ ଭାବରେ ସମସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏମାନଙ୍କୁ ପୂରା ସାଥ୍ ଦେଉଛନ୍ତି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ।ମନମୋହନ ଓଡ଼ିଶା ଫେରିଲା ପରେ ଯେ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଟିମ୍, ରାଜ୍ୟ କାର୍ଯ୍ୟକାରିଣୀ, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ ନୂତନ ଜିଲ୍ଲା ସଭାପତିଙ୍କ ନାମ। ଏହାକୁ ନେଇ ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ। କାରଣ ସୂଚନା ମୁତାବକ ଦଳରେ ହେବ ଆମୂଳଚୂଳ ପରିବର୍ତ୍ତନ! ଚାଟୁକାରୀ କରି ପୂର୍ବ ଟିମରେ ରହିଥିବା ଗୁଡ଼ାଏ ଅପଦାର୍ଥଙ୍କୁ ହଟାଇ ଟିମ୍ ପୂରା ନବକଳେବର କରାଯିବା ନେଇ ଯୋଜନା ସରିଛି। ଯାହାକୁ କୁଆଡ଼େ ଗ୍ରହଣ କରି ପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଗୋଷ୍ଠୀ। ଆଜି ଯାଏଁ ନିଜକୁ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଇ ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଆଦୌ ହଜମ୍ କରିପାରୁ ନାହାଁନ୍ତି। ଓଡ଼ିଶା ବିଜେପିର ହେବ ସଂପୂର୍ଣ୍ଣ ଓପନ୍ ହାର୍ଟ ସର୍ଜରୀ! ନବ କଳେବର ହେବ ଓଡ଼ିଶା ବିଜେପି! ଦଳରେ ହେବ ଆମୂଳଚୂଳ ପରିବର୍ତ୍ତନ। ରାଜ୍ୟ କ’ଣ, ବଦଳିଯିବେ ଅନେକ ଗୁଡ଼ିଏ ଜିଲ୍ଲା ସଭାପତି। ପ୍ରଭାବ ହରାଇବେ ସ୍ୱୟଂ ମନ୍ତ୍ରୀ ଏବଂ ଦୀର୍ଘ ହେଲା ଦଳରେ ଆଧିପତ୍ୟ ବସାଇ ଆସିଥିବା ଏକ ବଡ଼ ଗୋଷ୍ଠୀ ଏବଂ ଓଡ଼ିଶା ବିଜେପିରେ ଏଣିକି ଖେଳ କରିବେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଓଡ଼ିଶା ବିଜେପିକୁ କରାଯିବ ପୁନଃସଙ୍ଗଠିତ ଏବଂ ଓଡ଼ିଶା ବିଜେପିରେ ଝଡ଼ ସୃଷ୍ଟି କରିବେ ଏମ୍ଏମ୍ଏସ୍ (ମନମୋହନ – ମାନସ – ସୁନୀଲ) ଯୋଡ଼ି ବୋଲି ଆଲୋଚନା ଚାଲିଛି। ତେଣୁ ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ। କେବେ ଫେରିବେ ଆଉ କେବେ କରିବେ ଘୋଷଣା ନେଇ ମନମୋହନଙ୍କ ବାଟକୁ ଚାହିଁ ରହିଛନ୍ତି ଓଡ଼ିଶା ବିଜେପିର ଅନେକ ନେତାନେତ୍ରୀ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.