ad
Coronavirus Outbreak

‘କୋଭିଡ-୧୯ ମହାମାରୀ ସମୟରେ ନିରାପଦ ଅନଲାଇନ ଅଧ୍ୟୟନ’ ପୁସ୍ତିକା ଉନ୍ମୋଚିତ

– ଏନସିଆରଟି ଓ ୟୁନେସ୍କୋ ନୂଆଦିଲ୍ଲୀ କାର୍ଯ୍ୟାଳୟ ଦ୍ୱାରା ଏହି ପୁସ୍ତିକା ପ୍ରସ୍ତୁତ

ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ସମୟରେ ନିରାପଦ ଅନଲାଇନ ଶିକ୍ଷାଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏକ ତଥ୍ୟଭିତ୍ତିକ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚିତ ଏହି ପୁସ୍ତିକା ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ନିରାପଦ ଶିକ୍ଷାଦାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ। ଏନସିଆରଟି ଏବଂ ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ଏହି ପୁସ୍ତିକା ଉନ୍ମୋଚନ କରାଯାଇଛି। ଏହି ପୁସ୍ତିକା ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ଶିକ୍ଷାଦାନ ସହ ଇଣ୍ଟରନେଟର ନିରାପଦ ଶିକ୍ଷାଦାନ ଉପରେ ଦିଗଦର୍ଶନ ଦେବ। ଏହି ପୁସ୍ତକ ଉନ୍ମୋଚନ କରି ଶ୍ରୀ ପୋଖରିଆଲ କହିଛନ୍ତି ଯେ, କୋଭିଡ-୧୯ ପରିସ୍ଥିତି ଦୃଷ୍ଟିରୁ ଅନଲାଇନ ଓ ଦୂର ନିରନ୍ତର ଶିକ୍ଷାଦାନର ମହତ୍ଵ ବୃଦ୍ଧି ପାଇଛି। ଅନଲାଇନ ପ୍ଲାଟଫର୍ମର ବ୍ୟବହାର କରି ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ଏହାର ଉପଯୋଗ କରୁଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏନସିଆରଟି ଅନଲାଇନ ଜରିଆରେ ଯେପରି ଶିକ୍ଷାର୍ଥୀ ନିରାପଦରେ ଶିକ୍ଷା ଲାଭ କରିପାରିବେ ସେଥିପାଇଁ ଅଙ୍ଗୀକାରବଦ୍ଧ। ସାଇବର ଠକାମିର ଶିକାର ହେଉଥିବା ଶିକ୍ଷାର୍ଥୀମାନେ ଏ ସମ୍ପର୍କରେ ସୂଚନା ଦେଇ ସହାୟତା ପାଇପାରିବେ। ସେ କହିଛନ୍ତି ଯେ, ଏନସିଆରଟି ଓ ୟୁନେସ୍କୋ ମିଳିତଭାବେ ଏଭଳି ଏକ ପୁସ୍ତିକା ବିକଶିତ କରିଥିବାରୁ ସେ ଅତ୍ୟନ୍ତ ଖୁସି। ଏହି ପୁସ୍ତିକା ଶିକ୍ଷକ ଓ ଛାତ୍ରାଛାତ୍ରୀଙ୍କୁ ସଚେତନ କରିବା ସହ ସାଇବର ଠକାମି ବିରୁଦ୍ଧରେ ସମୟୋଚିତ ପଦକ୍ଷେପ ନିଆଯାଇ ପାରିବ। କୋଭିଡ-୧୯ ବୈଶ୍ଵିକ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦ରୁ ବନ୍ଦ ରହିଛି। ଏହା ଶିକ୍ଷାଦାନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ବେଳେ ଶତକଡା ୯୦ ଭାଗ ଛାତ୍ରଛାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଯେପରି ଶିକ୍ଷାଦାନ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ସମ୍ପାଦିତ ହେବ ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ଶିକ୍ଷା ବିଭାଗଗୁଡିକ ଅହରହ ପ୍ରୟାସ ଜାରି ରଖିଛନ୍ତି। ମାତ୍ର କିଶୋର କିଶୋରୀମାନଙ୍କ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ସହ ଯୋଡିହେବା ଯୋଗୁଁ ସାଇବର ଅପବ୍ୟବହାରର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି।

ଭାରତରେ ଆନୁମାନିକ ୫ ରୁ ୧୧ ବର୍ଷ ମଧ୍ୟରେ ୭୧ ନିୟୁତ ଛାତ୍ରଛାତ୍ରୀ ତାଙ୍କ ଘର ବା ପରିବାରର ଇଣ୍ଟରନେଟ ବ୍ୟବହାର କରିଥାନ୍ତି। ଦେଶରେ ଦୁଇ ତୃତୀୟାଂଶ ଇଣ୍ଟରନେଟ ବ୍ୟବହାର କରୁଥିବା ପିଲାଙ୍କ ବୟସ ୧୨ ରୁ ୨୯ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ବିଭିନ୍ନ ପରିସଂଖ୍ୟାନ ଓ ତଥ୍ୟରୁ ଜଣାପଡିଛି ଯେ, ଲକଡାଉନ ପରବର୍ତ୍ତୀ ସମୟରେ ଏହି ଇଣ୍ଟରନେଟ ଅପବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଏହାକୁ ହୃଦୟଙ୍ଗମ କରି ଏନସିଆରଟି ଏବଂ ୟୁନେସ୍କୋର ନୂଆଦିଲ୍ଲୀ କାର୍ଯ୍ୟାଳୟ ଏହି ତଥ୍ୟ ଭିତ୍ତିକ ପୁସ୍ତକର ପରିକଳ୍ପନା କରିଛନ୍ତି।

ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ପ୍ରତିନିଧି ଏରିକ ଫାଲ୍ଟ କହିଛନ୍ତି ଯେ, ସବୁ ପିଲାଙ୍କ ନିରାପଦ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ୟୁନେସ୍କୋ ସଙ୍କଳ୍ପବଦ୍ଧ। ଏକଥା ସତ୍ୟ ଯେ, ୱେବସାଇଟ, ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ସାଇବର ନିର୍ଯାତନା ମୁକ୍ତ। ତେବେ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇଁ ଆଗ୍ରହୀ ହେବା ଆବଶ୍ୟକ। ଏହି ପୁସ୍ତିକା ସାଇବର ନିର୍ଯାତନାର କୁପରିଣାମ ଉପରେ ଆଲୋକପାତ କରିବା ସହ ଏହାକୁ କିପରି ପ୍ରତିରୋଧ କରିହେବ ସେ ସମ୍ପର୍କରେ ସମାଧାନର ସୂତ୍ର ପ୍ରଦାନ କରିଛି। ଏକ ନିରାପଦ ଅନଲାଇନ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ୟୁନେସ୍କୋ ଏବଂ ଏନସିଆରଟି ଏଥିରେ ସବୁ ପ୍ରକାର ପ୍ରଚେଷ୍ଟା କରିଛନ୍ତି।

ଏନସିଆରଟିର ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି କହିଛନ୍ତି ଯେ, ଅନଲାଇନ ନିରାପତ୍ତା ଓ ସାଇବର ନିର୍ଯାତନାର ନିରାକରଣ ବିନା ଆମର ଶିକ୍ଷା ପଦ୍ଧତିରେ କରାଯାଇଥିବା ଆର୍ଥିକ ବିନିଯୋଗର କୌଣସି ମୂଲ୍ୟ ରହିବ ନାହିଁ। ବିପଦପୂର୍ଣ୍ଣ ଶିକ୍ଷା ପରିବେଶ ଗୁଣାତ୍ମକ ମାନ ହ୍ରାସ କରିବା ସହ ପିଲାମାନଙ୍କ ଭବିଷ୍ୟତ ଓ କର୍ମସଂସ୍ଥାନ ସୁଯୋଗକୁ ନଷ୍ଟ କରିଦେବ। ଏନସିଆରଟି ଅନଲାଇନ ଅପବ୍ୟବହାରକୁ ରୋକିବା ତଥା ଯୁବ ସମାଜର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top