Home Top News ସରକାରୀ ଏବଂ ଘରୋଇ ବିଦ୍ୟାଳୟକୁ ମିଳିବ ସୈନିକ ସ୍କୁଲ ମାନ୍ୟତା

ସରକାରୀ ଏବଂ ଘରୋଇ ବିଦ୍ୟାଳୟକୁ ମିଳିବ ସୈନିକ ସ୍କୁଲ ମାନ୍ୟତା

101

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି (ଏନଇପି) ଅନୁରୂପ ପଦକ୍ଷେପ ଗ୍ରହଣ କରି ଭାରତ ସରକାର ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗର୍ବ କରିବା, ଚରିତ୍ର ସହିତ ପ୍ରଭାବୀ ନେତୃତ୍ୱ, ଅନୁଶାସନ, ରାଷ୍ଟ୍ରୀୟ କର୍ତ୍ତବ୍ୟ ଏବଂ ଦେଶଭକ୍ତି ଭାବନା ବିକଶିତ କରିବା ଲାଗି ପିଲାମାନଙ୍କୁ ସକ୍ଷମ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମୂଲ୍ୟବୋଧ ଆଧାରିତ ଶିକ୍ଷାଦାନ କରାଯିବ। ଏହି ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୧୨ ଅକ୍ଟୋବର ୨୦୨୧ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସୈନିକ ସ୍କୁଲର ବର୍ତ୍ତମାନର ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ କରିବା ଲାଗି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସୈନିକ ସ୍କୁଲ ସୋସାଇଟି ଦ୍ୱାରା ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ମାନ୍ୟତା ବା ଆଫିଲିଏସନ୍ ପ୍ରଦାନ କରାଯିବ। କ୍ୟାବିନେଟ ଏହି ପ୍ରସ୍ତାବକୁ ଆଜି ମଞ୍ଜୁର କରିଛନ୍ତି। ଏସବୁ ବିଦ୍ୟାଳୟ ସ୍ୱତନ୍ତ୍ର ସ୍ତମ୍ଭ ଭାବେ କାର୍ଯ୍ୟ କରିବେ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ବର୍ତ୍ତମାନର ସୈନିକ ସ୍କୁଲଠାରୁ ସ୍ୱତନ୍ତ୍ର ଏବଂ ଭିନ୍ନ ହେବେ। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଏପରି ବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯିବ। ରାଜ୍ୟ, ଏନଜିଓ, ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କ ଠାରୁ ଏ ସଂକ୍ରାନ୍ତ ପ୍ରସ୍ତାବ ଗ୍ରହଣ କରାଯିବ।

ଲାଭ –
ଦେଶର ସମସ୍ତ କ୍ଷେତ୍ରରେ ଥିବା ଜନସଂଖ୍ୟାର ବୃହତ ଭାଗ ନିକଟରେ ପହଞ୍ଚିବା ଲାଗି ଏହା ଏକ କମ ଖର୍ଚ୍ଚ ସାପେକ୍ଷ ମାର୍ଗ ପ୍ରଦାନ କରିବ। ସୈନିକ ସ୍କୁଲର ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ପ୍ରଭାବୀ ଶାରୀରିକ, ମନସ୍ତାତ୍ତ୍ୱିକ, ଆଧ୍ୟାତ୍ମିକ, ବୌଦ୍ଧିକ, ଭାବନାତ୍ମକ ଏବଂ ଜ୍ଞାନଗତ ବିକାଶ ଯୋଗାଇ ଦେବା ସମ୍ଭବ ହେବ। ପ୍ରଶିକ୍ଷଣ ଅବଧି, ପ୍ରଶିକ୍ଷକମାନଙ୍କ ନିୟୋଜନ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଖର୍ଚ୍ଚର ସଞ୍ଚୟ ସହିତ ଜୀବନର ବିଭିନ୍ନ କ୍ଷେତ୍ରରେ ଯୋଗ ଦେଉଥିବା ଯୁବପିଢ଼ିଙ୍କ ଗୁଣବତ୍ତାରେ ଉଲ୍ଲେଖନୀୟ ସୁଧାର ଅଣାଯାଇ ପାରିବ। ଆକାଂକ୍ଷୀ ମାତାପିତା ଏବଂ ପିଲାମାନଙ୍କ ପାଇଁ ସୈନିକ ସ୍କୁଲ ସୁଲଭ ହେବା ସହିତ ସେମାନଙ୍କୁ ମୂଲ୍ୟବୋଧ ଆଧାରିତ ଉତ୍ତମ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଛି। ଏଥିସହିତ ସୈନ୍ୟ ନେତୃତ୍ୱ, ପ୍ରଶାସନିକ ସେବା, ନ୍ୟାୟିକ ସେବା, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଉଦ୍ୟମିତା ଭଳି ଜୀବନର ଅନ୍ୟ କ୍ଷେତ୍ର ଗୁଡ଼ିକରେ ଅସାଧାରଣ ପୃଷ୍ଠଭୂମିରୁ ଉଚ୍ଚତମ ସୋପାନରେ ପହଞ୍ଚାଇବାରେ ଛାତ୍ରଛାତ୍ରୀମାନଙ୍କୁ ସକ୍ଷମ କରିଛି। ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ଏକ ଗୌରବମୟ ଇତିହାସ ସୃଷ୍ଟି କରିଛି। ଏସବୁ କାରଣ ପାଇଁ ଦେଶରେ ସବୁବେଳେ ସୈନିକ ସ୍କୁଲ ଖୋଲିବା ଲାଗି ଚାହିଦା ବୃଦ୍ଧି ପାଇ ଆସୁଛି।

ସାରା ଦେଶରେ ରହିଥିବା ୩୩ଟି ସୈନିକ ସ୍କୁଲର ପ୍ରଶାସନିକ ଅଭିଜ୍ଞତାର ଲାଭ ଉଠାଇବା ନିମନ୍ତେ ୧୦୦ଟି ନୂଆ ମାନ୍ୟତାପ୍ରାପ୍ତ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏଥିରେ ସୈନିକ ସ୍କୁଲ ସୋସାଇଟି ଠାରୁ ମାନ୍ୟତା ପାଇବା ଲାଗି ସରକାରୀ, ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଏନଜିଓ ମାନଙ୍କ ଠାରୁ ପ୍ରସ୍ତାବ ଆମନ୍ତ୍ରିତ କରାଯିବ। ଇଚ୍ଛୁକ ପକ୍ଷ https://sainikschool.ncog.gov.in ର ୟୁଆରଏଲରେ ନିଜର ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଏଥିରେ ଯୋଜନାର ମହତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଏବଂ ଯୋଗ୍ୟତା ସର୍ତ୍ତାବଳୀ, ଅଂଶୀଦାର ଅର୍ଥାତ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବିଦ୍ୟାଳୟ ପରିଚାଳନାର ଉତ୍ତରଦାୟିତ୍ୱ ସୂଚୀବଦ୍ଧ ହୋଇରହିଛି। ଏହି ଯୋଜନା ଫଳରେ ଶିକ୍ଷା କ୍ଷେତ୍ରରେ ସରକାରୀ/ଘରୋଇ ଭାଗୀଦାରୀକୁ ପ୍ରୋତ୍ସାହନ ମିଳିବ। ଫଳରେ ପ୍ରତିଷ୍ଠିତ ସରକାରୀ ଏବଂ ଘରୋଇ ବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ଲାଭ ଉଠାଇବାରେ ସହାୟତା ମିଳିବ। ସୈନିକ ସ୍କୁଲର ପରିବେଶରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ପିଲା ମାନଙ୍କର ବର୍ଦ୍ଧିତ ଆକାଂକ୍ଷାକୁ ପୂରଣ କରିବା ଲାଗି ନୂତନ କ୍ଷମତା ବିକଶିତ ହୋଇପାରିବ। ୧୦୦ଟି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ୨୦୨୨-୨୩ ଶିକ୍ଷା ବର୍ଷରେ ପ୍ରାୟ ୫ ହଜାର ଛାତ୍ରଛାତ୍ରୀଙ୍କୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାର ପ୍ରସ୍ତାବ ରହିଛି। ବର୍ତ୍ତମାନର ୩୩ଟି ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଖାପାଖି ୩ ହଜାର ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର କ୍ଷମତା ରହିଛି।

ପ୍ରଭାବ –
ଆଶା କରାଯାଉଛି ଯେ, ନିୟମିତ ବୋର୍ଡ ପାଠ୍ୟକ୍ରମ ସହିତ ସୈନିକ ସ୍କୁଲର ଶିକ୍ଷାପ୍ରଣାଳୀର ଏକୀକରଣ ଫଳରେ ଶିକ୍ଷାଗତ ଭାବେ ଦୃଢ଼, ଶାରୀରିକ ଭାବେ ଫିଟ୍, ସାଂସ୍କୃତିକ ଭାବେ ସଚେତନ, ବୌଦ୍ଧିକ ଦୃଷ୍ଟିରୁ ନିପୁଣ, କୁଶଳୀ ଯୁବପିଢ଼ି ଏବଂ ଯୋଗ୍ୟ ନାଗରିକମାନଙ୍କୁ ପ୍ରସ୍ତୁତ କରାଯାଇପାରିବ। ଏହିସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଆବଶ୍ୟକ ଜୀବନ କୌଶଳରେ ପରିପୂର୍ଣ୍ଣ ହେବେ ଏବଂ ନିଜେ ବାଛିଥିବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏହିପରି ଭାବେ ଏ ପ୍ରସ୍ତାବର ଲକ୍ଷ୍ୟ ହେଉଛି, ଜାତୀୟ ଉଦ୍ଦେଶ୍ୟକୁ ସର୍ବୋଚ୍ଚ ମାନ୍ୟତା ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ନେତୃତ୍ୱ ଗୁଣ ସହିତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ଉଚ୍ଚକୌଶଳଯୁକ୍ତ, ବହୁମୁଖି ପ୍ରତିଭାର ଅଧିକାରୀ, ଦେଶଭକ୍ତ ଯୁବ ସମୁଦାୟଙ୍କୁ ପ୍ରସ୍ତୁତ କରିବା।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.