Home ଓଡ଼ିଶା ସୁବାସ ଚୌହାନଙ୍କ ବିୟୋଗରେ ଭିଏଚପି ପକ୍ଷରୁ ଶୋକ ପ୍ରକଟ

ସୁବାସ ଚୌହାନଙ୍କ ବିୟୋଗରେ ଭିଏଚପି ପକ୍ଷରୁ ଶୋକ ପ୍ରକଟ

294

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବଜରଙ୍ଗ ଦଳ ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ ସୁବାସ ଚୌହାନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକଟ କରାଯାଉଛି। ବିଶ୍ଵ ହିନ୍ଦୁ ପରିଷଦ ଭିଏଚପି ପକ୍ଷରୁ ମଧ୍ୟ ସୁବାସ ଚୌହାନଙ୍କ ପାଇଁ ଶୋକ ପ୍ରକଟ କରାଯାଇଛି। ବିଶ୍ୱହିନ୍ଦୁ ପରିଷଦ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପାରାଣ୍ଡେ ଟ୍ୱିଟ୍ କରି ସୁବାସ ଚୌହାନଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକଟ କରିଛନ୍ତି। ସେହିପରି, ବିଶ୍ୱହିନ୍ଦୁ ପରିଷଦ କ୍ଷେତ୍ରୀୟ (ପଶ୍ଚିମବଙ୍ଗ – ଓଡ଼ିଶା) ସାଧାରଣ ସମ୍ପାଦକ ଗୌରୀ ପ୍ରସାଦ ରଥ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁବାସ ଚୌହାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୧୦ ତାରିଖ (ରବିବାର) ସକାଳ ୩:୦୫ ସମୟରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୁବାସ ଚୌହାନଙ୍କର ନିଧନ ହୋଇଥିଲା। ୧୯୬୬ ମସିହାରେ ଜନ୍ମିତ ସୁବାସ ଚୌହାନଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ହୋଇଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ସୁବାସ ଚୌହାନ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ। ଜଣ୍ଡିସ ପରେ ତାଙ୍କୁ ଳିଭର୍ କ୍ୟାନ୍ସର ହୋଇ ଯାଇଥିଲା। ଓଡ଼ିଶା ବାହାରେ ଯାଇ ସେ ଚିକିତ୍ସିତ ହୋଇ ଆସିଥିଲେ। ତେବେ, ଗତ ୫ ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। ତେବେ, ୧୦ ତାରିଖ (ରବିବାର) ପ୍ରାତଃ ୩:୦୫ ସମୟରେ ସୁବାସ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ୍)ର ଜଣେ ସ୍ୱୟଂସେବକ ସୁବାସ ଚୌହାନ ଦୀର୍ଘ ଦିନ ହେଲା ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ତଥା ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳ ଆଦି ଦାୟିତ୍ୱରେ ଥିଲେ। ସେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ସହ- ସଂଯୋଜକ ଏବଂ ପରେ ରାଷ୍ଟ୍ରୀୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୪ ମସିହାରେ ସେ ପ୍ରଥମେ ରାଜନୀତିରେ ପାଦ ଦେଇ ବରଗଡ଼ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା) ଟିକେଟରେ ଲଢ଼ିଥିଲେ। ତେବେ ସ୍ୱଳ୍ପ ବ୍ୟବଧାନରେ ସେ ହାରି ଯାଇଥିଲେ। ଏହାପରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହିତ ବିବାଦ କାରଣରୁ ସେ ବିଜେପି ଛାଡ଼ିଥିଲେ। ଏହାପରେ ସେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା ରଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ପରିଚିତ ଥିଲେ ସୁବାସ ଚୌହାନ। ଈଶ୍ୱର ତାଙ୍କର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ। -ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.