Home ଓଡ଼ିଶା ୧୨ଘଣ୍ଟାକୁ ଶ୍ରମ ଦିବସ ବୃଦ୍ଧି ବିରୋଧରେ ଏଆଇଟିୟୁସିର ବିକ୍ଷୋଭ

୧୨ଘଣ୍ଟାକୁ ଶ୍ରମ ଦିବସ ବୃଦ୍ଧି ବିରୋଧରେ ଏଆଇଟିୟୁସିର ବିକ୍ଷୋଭ

141

ଭୁବନେଶ୍ୱର, ୧୧/୫ (ଓଡ଼ିଆ ପୁଅ) – ଦୈନିକ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି, କର୍ପୋରେଟ୍ ସ୍ୱାର୍ଥରେ ଶ୍ରମିକଶ୍ରେଣୀ ବିରୋଧରେ ଶ୍ରମ ଆଇନ ସଂଶୋଧନ, ଟ୍ରେଡ଼ ୟୁନିୟନମାନଙ୍କୁ ନିଷିଦ୍ଧ ଘୋଷଣା ପାଇଁ ଷଡ଼ଯନ୍ତ୍ର ବିରୋଧରେ ଆଜି ଏଆଇଟିୟୁସି ପକ୍ଷରୁ ଦେଶବ୍ୟାପି ପ୍ରତିବାଦ ଦିବସର ଅଂଶ ସ୍ୱରୂପ ଭୁବନେଶ୍ୱରଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। କୋଭିଡ଼-୧୯ କବଳରେ ଦେଶର ଶ୍ରମିକ ଶ୍ରେଣୀ ହନ୍ତସନ୍ତ ହୋଇ ନିଜର ଜୀବିକା ହରାଇଥିବାବେଳେ, ପ୍ରବାସୀ ଶ୍ରମିକମାନେ ନିଜଘରକୁ ଫେରିନପାରି କେତେବେଳେ ଟ୍ରେନ୍ ତଳେ ତ’ କେତେବେଳେ ରାଜରାସ୍ତାରେ ଅକାଳ ମୃତ୍ୟୁର ଶୀକାର ହେଉଛନ୍ତି। ଲକ୍‌ଡାଉନ୍ କାରଣରୁ ସାରା ଦେଶରେ ପ୍ରାୟ ୧୫କୋଟି ଶ୍ରମିକ ନିଯୁକ୍ତି ହରାଇଥିବାବେଳେ ଓଡ଼ିଶାରେ ୪୫ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ଜୀବିକା ହରାଇଛନ୍ତି। ଏଭଳି ସମୟରେ ନିଯୁକ୍ତି ସୃଷ୍ଟିପାଇଁ ସରକାର ପଦକ୍ଷେପ ଗ୍ରହଣକରିବା ବଦଳରେ ଶ୍ରମ ନିର୍ଘଣ୍ଟର ପରିବର୍ତ୍ତନ ଏକତୃତୀୟାଂଶ ଶ୍ରମିକଙ୍କ ଛଟେଇକୁ ସୁନିଶ୍ଚିତ କରିବା ସହ ଅଧିକ ବେକାରୀ ସୃଷ୍ଟି କରିବ। ରାଜ୍ୟ ସରକାର ପୂର୍ବ ପରମ୍ପରା ଅନୁଯାୟୀ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହିତ କୌଣସି ଆଲୋଚନା ନକରି ଏକତରଫା ଭାବେ ମାଲିକମାନଙ୍କର ସ୍ୱାର୍ଥରେ ଶ୍ରମ ଆଇନର ଏଭଳି ପରିବର୍ତ୍ତନକୁ ଏଆଇଟିୟୁସି ଦୃଢ଼ଭାବରେ ନିନ୍ଦା କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରୁଛି।

ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ଉପ ସାଧାରଣ-ସମ୍ପାଦକ ବିଜୟ ଜେନା, ଜିଲ୍ଲା ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ରାଜଧାନୀ ରାଜପଥଠାରେ ଅନୁଷ୍ଠିତ ଏହି ପ୍ରତିବାଦସଭାରେ ୧୨ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟକୁ ପ୍ରତ୍ୟାହାର, ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତଭାବେ ଫେରାଇ ଆଣି ସେମାନଙ୍କର କର୍ମସଂସ୍ଥାନର ବ୍ୟବସ୍ଥା କରାଯିବା, ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ୭୫୦୦ଟଙ୍କା କରି ତିନିମାସ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା, ଆୟକାର ନଦେଉଥିବା ସମସ୍ତଙ୍କ ପାଇଁ ସାର୍ବଜନିନ ଗଣ ବଣ୍ଟନ ବ୍ୟବସ୍ଥା (ପିଡ଼ିଏସ୍‌) ଲାଗୁ କରିବା, ଅଙ୍ଗନୱାଡ଼ି ଓ ଆଶା କର୍ମୀମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦେବା ପ୍ରଭୃତି ଦାବି କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିବାଦ ବିକ୍ଷୋଭରେ ଜତୀନ୍ଦ୍ର ରାୟ, ସିଭିଏନ୍ ରାଓ, ସୁଭାଶିଷ ସ୍ୱାଇଁ, କୈଳାଶ ପୁହାଣ, ଗୋହିଗୋବିନ୍ଦ ବେଶ୍ରା, ସତ୍ୟବାଦୀ ବାଗ, ଭ୍ରମର ରାଉତ, ଶ୍ରୀକୃଷ୍ଣ ପଟ୍ଟନାୟକ, ରାଧାକାନ୍ତ ଶତପଥୀ, ଦେବେନ୍ଦ୍ର ସାହୁ, ଡାକ ହେମ୍ବ୍ରମ୍‌, ଦୁଃଶାସନ ମହାରଣା ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.