Home ଓଡ଼ିଶା ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

118

ଭୁବନେଶ୍ୱର ୨୦-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସବୁ କଳ୍ପନାଜଳ୍ପନାର ଅବସାନ ପରେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ମଙ୍ଗ ଧରିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ସେ ପୁନର୍ବାର ଓଡିଶାର କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ସଭାପତି ହେଲା ପରେ ଓଡିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଡୁବି ଯାଇଥିବା ଓଡିଶା କଂଗ୍ରେସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ନିରଞ୍ଜନ ସଭପତି ଦାୟିତ୍ୱରେ ଥିଲେ। ସେହି ସମୟରେ କଂଗ୍ରେସ ସୁଧୁରି ଆସିଥିଲା। ଶାସକ ବିଜେଡିର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଉଭା ହୋଇ ଆସୁଥିଲା। ତାଙ୍କ ସମୟରେ କଂଗ୍ରେସ ଏନଏସି ଉପନିର୍ବାଚନ ଏବଂ ଗୋଟିଏ ବିଧାନସଭା ଉପନିର୍ବାଚନରେ ବିଜୟ ଲାଭ କରି ତାର ପରାକାଷ୍ଠା ଦେଖାଇଥିଲା। ସେପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ତାଙ୍କୁ ହଟାଇ ଜୟଦେବ ଜେନାଙ୍କୁ ସଭାପତି ଦାୟିତ୍ୱ ଦିଆ ଯାଇଥିଲା। ଫଳରେ ଦଳ ରସାତଳଗାମୀ ହୋଇଥିଲା। ଏବେ ପୁଣି ନିରଞ୍ଜନଙ୍କ ହାତରେ କଂଗ୍ରେସ ଦାୟିତ୍ୱ।

ସମାନୁପାତରେ ବିଜେପି ମଧ୍ୟ ତାର ରଣନିତୀ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି। ନବୀନ ପଟ୍ଟନାୟକ ଓ ନିରଞ୍ଜନ ପଟ୍ଟନାୟକଙ୍କୁ ଟକ୍କର ଦେଲା ଭଳି ନେତାଙ୍କୁ ବିଜେପି ଆସନ୍ତା ନିର୍ବାଚନରେ ଠିଆ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପୁର ଉପନିର୍ବାଚନପରେ ବିଜେପିର ସାଂଗଠନିକ ଅଦଳବଦଳର ସ୍ପଷ୍ଟ ଚିତ୍ର ମିଳୁଥିଲେ ବି ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନିତ ହୋଇ ପାରୁ ନାହିଁ ଦଳ। କାରଣ ଏହି ଦୁଇ ହେବିୱେଟ୍ ଙ୍କୁ ଟକ୍କର ଦେବା ପାଇଁ ବର୍ତ୍ତମାନ ପରିସ୍ଥିତିରେ ବିଜେପି ପାଖରେ କୌଣସି ଅସ୍ତ୍ର ନାହିଁ। କେବଳ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ପାଖରେ ସେ ଦକ୍ଷତା ଅଛି। ମାତ୍ର ବିଜେପିର ଏହି ଦୁଇ ନେତା ଏବେ କଣଠୋଷା ହେଇ ରହିଛନ୍ତି। ଦଳୀୟ ସଂଗଠନର ମଙ୍ଗ ଏବେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରାରେ ପରିଚାଳିତ। ତେଣୁ ଏହି ଦୁଇ ନେତାଙ୍କ ଅଭ୍ୟୁଥାନର ଆଶା ବହୁତ କ୍ଷୀଣ। ଏପରି ସ୍ଥିତିରେ ପ୍ରତାପ ଷଡଙ୍ଗୀଙ୍କ କଥାକୁ କେନ୍ଦ୍ରୀୟ ନେତୃବୃନ୍ଦ ଚିନ୍ତା କରୁଛନ୍ତି। ପ୍ରତାପ ଷଡଙ୍ଗୀ ଜଣେ ସଚ୍ଚୋଟ ଏବଂ ନିର୍ବିବାଦୀୟ ନେତା ଭାବରେ ପରିଚିତ। ମାତ୍ର ଦଳ ଚଳାଇବା ପାଇଁ ସାଂଗଠନିକ ଦକ୍ଷତା ଓ ଅର୍ଥ ତାଙ୍କ ପାଖରେ ନାହିଁ।

ସାଂଗଠନିକ ଅଦଳବଦଳ ଯାହା ହେଉ ନା କାହିଁକି ଆସନ୍ତା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ନିଶ୍ଚିତ ଭାବରେ ଭଳ ପ୍ରଦର୍ଶନ କରିବ। ୨୦୧୪ ଅପେକ୍ଷା ଦଳ ନିଶ୍ଚିତ ଭାବରେ ଅଧିକା ଆସନ ଦଖଲ କରିବ। ଯାହା ହେଲେ ବି ୨୦୧୯ରେ ଓଡିଶାରେ ମୋଦି ମ୍ୟାଜିକ୍ ର ଯାଦୁ କାମ କରିବ ବୋଲି ଆଶା କରାଯାଉଛି। ତେଣୁ ୨୦୧୯ ନିର୍ବାଚନରେ ମୁଖ୍ୟତଃ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ମୁକାବିଲା ହେବ ବୋଲି ଆଶା କରାଯାଉଥିଲା। ମାତ୍ର ନିରଞ୍ଜନଙ୍କ ସଭାପତି ହେବା ପରେ ରାଜ୍ୟରେ ତ୍ରୀମୁଖି ଲଢେଇ ହେବା ଟା ଥୟ। ସାଂଗଠନିକ ଓ ଆର୍ଥିକ କ୍ଷେତ୍ରରେ ନିରଞ୍ଜନ ବେଶ ସକ୍ରୀୟ। କଂଗ୍ରେସ ସଂଗଠନ ଉପରେ ପୂରା ଦଖଲ ରହିଛି ତାଙ୍କର। କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନିରଞ୍ଜନଙ୍କ ଜୀବନରେ ଏହା ଶେଷ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ବାର୍ଦ୍ଧକ୍ୟର ଶେଷ ସୋପାନରେ ପହିଁଞ୍ଚି ସାରିଥିବା ନିରଞ୍ଜନ ନିଜର ସବୁ ବଳ ପ୍ରୟୋଗ କରିବେ ଆସନ୍ତା ନିର୍ବାଚନରେ। ସବୁ ରାଜନୈତିକ ପଦପଦବୀରେ ଅବସ୍ଥାପିତ ହୋଇ ସାରିଥିବା ନିରଞ୍ଜନ ନିଶ୍ଚିତ ଭାବରେ ଉତ୍ସାହିତ ହେବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ।

ମୋଟାମୋଟି ଭାବରେ କହିବାକୁ ଗଲେ ଆସନ୍ତା ସାଧାରଣ ନିର୍ବାଚନରେ କୌଣସି ଏକ ନିର୍ଦ୍ଦିଷ୍ଟ ମତାମତ ଉପରେ ପର୍ଯ୍ୟବେସିତ ହେବା କାଠିକର ପାଠ। ଏ କଥା ନିଶ୍ଚିତ ଯେ କୌଣସି ଦଳ ପାଇଁ ପୂର୍ବାପେକ୍ଷା ସେତେଟା ସୁବିଧା ହେବ ନାହିଁ ନିର୍ବାଚନୀ ବୈତରଣୀ ପାର୍ ହେବା। ଯଦି କୌଣସି ନିର୍ଦ୍ଦିଷ୍ଟ ଦଳକୁ ସର୍ବ ବହୁମତ ନମିଳେ ତେବେ ଏକ ନୂତନ ରାଜନୈତିକ ସମୀକରଣର ଆଶଙ୍କାକୁ ମଧ୍ୟ ଆସନ୍ତା ନିର୍ବାଚନ ପରେ ଏଡାଇ ଦିଆଯାଇ ନପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.