Home ଓଡ଼ିଶା ଦର୍ଶନୀୟ ତୀର୍ଥସ୍ଥାନ ମୀନାଝୋଲା

ଦର୍ଶନୀୟ ତୀର୍ଥସ୍ଥାନ ମୀନାଝୋଲା

577

– ଦେବପ୍ରସାଦ ମିଶ୍ର
ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ଓ ଆହ୍ଲାଦକାରିଣୀ ଶକ୍ତିର ପରିକାଷ୍ଠା ଯେପରି ଦର୍ଶକମାନସରେ ଅଭୂତପୂର୍ବ ପ୍ରଭାବ ବିସ୍ତାର କରେ ଆମର ଆଧ୍ୟାତ୍ମିକ ପୀଠସମୂହର ଅଲୌକିକ ଆକର୍ଷଣ ମଧ୍ୟ ସେହିପରି ଭକ୍ତହୃଦୟରେ ଅଖଣ୍ଡ ବିଭୁପ୍ରୀତି ଯେ ସଞ୍ଚାର କରିବାରେ ସମର୍ଥ, ଏହା ସର୍ବବାଦିସମ୍ମତ। ତେବେ ପ୍ରକୃତି ଓ ପବିତ୍ରତାର ମିଳନ ଶିବ ଓ ସୁନ୍ଦରର ସଂଯୋଗ, ବିଳାସ ଓ ବିଭୁପ୍ରୀତିର ସଂଶ୍ଳେଷ ତଥା ନୈସର୍ଗିକ ବିଭବ ଓ ଆଧ୍ୟାତ୍ମିକ ସମ୍ପଦର ସମାହାର କ୍ୱଚିତ୍ ପରିଦୃଷ୍ଟ ହୁଏ। ଏହି ଦୃଷ୍ଟିରୁ ମୀନାଝୋଲାର ପ୍ରାଧାନ୍ୟ ଅଦ୍ୱିତୀୟ। ଏହା ଏକ ପକ୍ଷରେ ଅସାଧାରଣ ପ୍ରାକୃତିକ ଶୋଭାସମ୍ଭାରର ଅକ୍ଷୟ ଭଣ୍ଡାର; ଅନ୍ୟ ପକ୍ଷରେ ଅସାମାନ୍ୟ ଆଧ୍ୟାତ୍ମିକ ଉତ୍କର୍ଷସମନ୍ୱିତ ଏକ ପୂଣ୍ୟପୀଠ। ପୁରୀର ଶ୍ରୀ ଲୋକନାଥ, କଟକର ଅମରେଶ୍ୱର ଓ ଧବଳେଶ୍ୱର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ଶରଣକୂଳର ଲଡୁବାବା, ବାଲେଶ୍ୱର ଅନ୍ତର୍ଗତ ଳଙ୍ଗଳେଶ୍ୱର, କେନ୍ଦୁଝରର ସିଦ୍ଦେଶ୍ୱର, ଢେଙ୍କାନାଳର କପିଳାସ, ଆଠଗଡର ସର୍ପେଶ୍ୱର, ଗଞ୍ଜାମର ମହେନ୍ଦ୍ରଗିରି, ଜୟପୁର ନିକଟବର୍ତ୍ତୀ ଗୁପ୍ତେଶ୍ୱର ପ୍ରଭୃତି ଶୈବପୀଠଗୁଡିକର ମହାଶିବରାତ୍ରି ଉତ୍ସବ ଯେପରି ଓଡିଶା ବିଖ୍ୟାତ ସେହିପରି କୋରାପୁଟ ଜିଲ୍ଲା ଗୁଣପୁର ଅଞ୍ଚଳ ଅନ୍ତର୍ଗତ ଏହି ମୀନାଝୋଲର ଶିବରାତ୍ରି ଯାତ୍ରା ଆଖପାଖ ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ବିଶେଷ ପ୍ରସିଦ୍ଧ। ତେବେ ଏହା ଅଦ୍ୟାବଧି ଓଡିଶାବାସୀଙ୍କର ପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କରିପାରି ନାହିଁ ବୋଲି କୁହାଯାଇପାରେ।

ଉଭୟ ପାଶ୍ୱର୍ରେ ସମୂଚ୍ଚ ପର୍ବତମାଳା ଓ ଘଞ୍ଚ ଅରଣ୍ୟପରିବେଷ୍ଟିତ ପୂଣ୍ୟତୋୟା ବଂଶଧରା ତଟିନୀର କଳନାଦିନୀ ସ୍ରୋତ ମଧ୍ୟରେ ଅଭୁ୍ୟତ୍ଥି ଏକ ମନୋରମ ପ୍ରସ୍ତର ଶ୍ରେଣୀର ନାମ ମୀନାଝୋଲା। ଗୁଡାରିର ଉତ୍ତର ଦିଗରେ ସଡକ ପଥରେ ପ୍ରାୟ ୩୨ କି.ମି ( ଚଲା ପଥରେ ପ୍ରାୟ ୧୫ କି.ମି. ) ଏବଂ ଚନ୍ଦ୍ରପୁରର ଦକ୍ଷିଣକୁ ସଡକ ପଥରେ ପ୍ରାୟ ୧୬ କି.ମି. ଦୂରରେ ଏହା ଅବସ୍ଥିତ। ଏହି ସ୍ଥାନର ପ୍ରାୟ ୫ କି.ମି. ଆୟତନରେ କୌଣସି ଜନବସତି ନାହିଁ କିମ୍ବା ଅତୀତରେ କେବେ ଏଠାରେ ଜନବସତି ଗଢି ଉଠିଥିବା କଥା କୌଣସି ସରକାରୀ ଅଭିଲେଖରୁ ଜଣାଯାଏ ନାହିଁ। ଏହି ସ୍ଥାନର ନିକଟବର୍ତ୍ତୀ ଉଲ୍ଲେଖ ଯୋଗ୍ୟ ଗ୍ରାମ ହେଉଛି ବେଲାମଗୁଡା। ଏହା ହନୁମନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏକ କ୍ଷୁଦ୍ର ପଲ୍ଲୀ ଏବଂ ଏଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ରାଜସ୍ୱ ବିଭାଗର ଏକ ଛୋଟ ଡାକବଙ୍ଗଳା ଅବସ୍ଥିତ। ବେଲାମଗୁଡାଠାରୁ ମୀନାଝୋଲାର ଦୂରତା ଚଲା ରାସ୍ତାରେ ପ୍ରାୟ ୫ କି.ମି. ଏବଂ ସଡକ ପଥରେ ଆଠ କି.ମି ମାତ୍ର। ମୀନାଝୋଲାଠାରୁ ପ୍ରାୟ ୧୦ କି.ମି. ଉତ୍ତରକୁ ହନୁମନ୍ତପୁର। ସେଠାକୁ ଆହୁରି ପ୍ରାୟ ୩୦ କି.ମି. ଦୂରରୁ କଳାହାଣ୍ଡି ଜିଲ୍ଲାର ବାଂଶବଣରୁ ଗୋଟିଏ କ୍ଷୁଦ୍ର ଝରଣା ପ୍ରବାହିତ ହୋଇ ଆସିଛି। ହନୁମନ୍ତପୁରଠାରେ ତାହା ହନୁମନ୍ତପୁର ନାଳ ନାମରେ ପରିଚିତ। ମୀନାଝୋଲାର ପ୍ରାୟ ଅଧ କିଲୋମିଟର ଉପରକୁ ଅଳ୍ପ ବ୍ୟବଧାନରେ ଏହି ହନୁମନ୍ତପୁର ନାଳ ସହିତ କଳାହାଣ୍ଡିର ପାର୍ବତ୍ୟ ଅଞ୍ଚଳ ଓ ଫୁଲବାଣୀ ଜିଲ୍ଲାର କଳିଙ୍ଗାଘାଟୀରୁ ପ୍ରବାହିତ ହୋଇ ଆସିଥିବା ଅନ୍ୟ ଦୁଇଟି କ୍ଷୁଦ୍ର ନଦୀ ଚାଉଳଧୁଆ ଓ ଫଳଫଳିଆର ସଙ୍ଗମ ଘଟିଛି। ଏହି ତିନୋଟି କ୍ଷୁଦ୍ର ସ୍ରୋତର ସମ୍ମିଶ୍ରଣରେ ବଂଶଧାରାର ଉତ୍ପତ୍ତି। ତ୍ରଧାରା ସମ୍ମିଶ୍ରିତ ପୂର୍ଣ୍ଣାଙ୍ଗିନୀ ବଂଶଧାରା ଏଠାରୁ କ୍ଷିପ୍ର ଗତିରେ ପ୍ରାୟ ଅଧ କିଲୋମିଟର ପ୍ରବାହିତ ହୋଇ ଆସିବା ପରେ ଏହି ମୀନାଝୋଲାଠାରେ ସମୂଚ୍ଚ କୃତ୍ରିମ ପ୍ରାଚୀର ତୂଲ୍ୟ ଦଣ୍ଡାୟମାନ ପ୍ରାକୃତିକ ପ୍ରସ୍ତରଶ୍ରେଣୀର ପ୍ରତିବନ୍ଧ ଫଳରେ ଏକ ରମଣୀୟ ଜଳପ୍ରପାତ ସୃଷ୍ଟି କରିଛି ଏବଂ ଏହିଠାରୁ ତୀକ୍ଷ୍ଣ ଭାବରେ ପ୍ରାୟ ପଚାଶ ଫୁଟ ନିମ୍ନଗାମୀ ହୋଇ ବୋହିଯାଇଛି ସ୍ୱଭାବସୁଲଭ କଳସଙ୍ଗୀତର ତାଳେ ତାଳେ ସୁଦୃଶ୍ୟ ପାର୍ବତ୍ୟ ଉପତ୍ୟକାକୁ ମୁଖରିତ କରି। ମୀନାଝୋଲାର ପ୍ରାଚୀର ତୂଲ୍ୟ ପ୍ରସ୍ତର ଶ୍ରେଣୀ ବଂଶଧାରାର ଖର ପ୍ରବାହକୁ ପ୍ରତିହତ କରି ଯେଉଁଠି ଗୋଟଏ ମନୋରମ ଜଳପ୍ରପାତ ସୃଷ୍ଟି କରିଛି, ସେଠାରେ ସେହି ପ୍ରସ୍ତର ପ୍ରାଚୀରର ଉହାଡରେ ହିଁ ସ୍ତ୍ରୀ-ଜନନେନ୍ଦ୍ରିୟ ଆକୃତ ବିଶିଷ୍ଟ ଏକ କ୍ଷୁଦ୍ର ପ୍ରସ୍ତରଗହ୍ୱର ଭିତରେ ଶିବଲିଙ୍ଗର ଆବିର୍ଭାବ ଘଟିଛି। ଏହି ଗହ୍ୱରଟିର ଆକୃତି ଗୋଲାକାର, ବକ୍ରାକାର ବା ବଗାକାର ନୁହେଁ; ଏହା ବର୍ତ୍ତୁଳ ଭାବରେ ତ୍ରିକୋଣାକାର। ଏହାର ଲମ୍ବା ପ୍ରାୟ ଅଢେଇ ଫୁଟ, ଚଉଡା ଦେଢ ଫୁଟ ଏବଂ ଗଭୀରତା ପ୍ରାୟ ତିନି ଫୁଟ। ପୁଣି ଏହାର ମଧ୍ୟଭାଗରେ ସମାନ୍ତରାଳ ଭାବରେ ସମଆୟତନବିଶିଷ୍ଟ ଦୁଇଟି ପତଳା ପ୍ରସ୍ତର ଫଳକ ବିଦ୍ୟମାନ। ପ୍ରତ୍ୟେକ ଫଳକର ଉଚ୍ଚତା ପ୍ରାୟ ଦୁଇ ଫୁଟ, ଚଉଡା ପ୍ରାୟ ଏକ ଫୁଟ, ମୋଟା ପ୍ରାୟ ତିନି ଇଞ୍ଚ ଏବଂ ଅନ୍ତର୍ବର୍ତ୍ତୀ ବ୍ୟବଧାନ ପ୍ରାୟ ଦଶ ଇଞ୍ଚ। ଏହି ଦୁଇ ଫଳକର ମଧ୍ୟ ଭାଗରେ ତଳୁ ଗୋଟିଏ କ୍ଷୁଦ୍ରାକାର ଶିବଲିଙ୍ଗର ଉତ୍ପତ୍ତି ଘଟିଛି। ସ୍ଥୂଳତଃ ପ୍ରକାଶ କଲେ ଏହି ଗହ୍ୱରଟି ସ୍ତ୍ରୀ-ଜନନେନ୍ଦ୍ରିୟର ଶରୀରତ୍ତ୍ୱିକ ଗଠନବିନ୍ୟାସର ଏକ ନିଚ୍ଛକ ପ୍ରସ୍ତର ପ୍ରତିକୃତି। ଏହା ଦେବୀଶକ୍ତିର ପ୍ରତୀକରୂପେ ପରିଗୃହୀତ ହୋଇଛି। ଏହା ମଧ୍ୟରେ ପୁଣି ଶିବଲିଙ୍ଗର ଆବିର୍ଭାବ ଘଟିଥିବାରୁ ଏଠାରେ ଶିବ ଓ ଶକ୍ତିଙ୍କର ଅପୂର୍ବ ସମନ୍ୱୟ ସମାହିତ ହୋଇଛି ଏବଂ ସ୍ତ୍ରୀ-ଶକ୍ତି ଓ ପୁରୁଷ ଶକ୍ତିର ସଂଯୋଗରେ ସୃଷ୍ଟିସଞ୍ଚାରର ଆଦର୍ଶ ପ୍ରଖ୍ୟାପନ କରୁଛି। ଏହା ଭୌଗଳିକ ପ୍ରକ୍ରିୟା ବା ଆଧିଦୈବିକ ପ୍ରସାଦ, ଯେ କୌଣସି କାରଣରୁ ସମ୍ଭବ ହେଉ ନା କାହିଁକି, ଏଥିରେ ଆଧ୍ୟାତ୍ମିକ ସୃଷ୍ଟିତତ୍ତ୍ୱର ଯେଉଁ ବିଶ୍ଳେଷଣ ତାହା ଅନନ୍ୟସାଧାରଣ ଏବଂ ଅନ୍ୟତ୍ର ବିରଳ ବୋଲି କୁହାଯାଇପାରେ। ମୀନାଝୋଲାର ଏହି ଉତ୍କର୍ଷ ଶହ ଶହ ବର୍ଷଧରି ଭକ୍ତସମାଜକୁ ଆକୃଷ୍ଟ କରି ଆସିଛି ଏବଂ ପ୍ରତି ବର୍ଷ ଶିବରାତ୍ରି ଉପଲକ୍ଷେ ଏଠାରେ ଭକ୍ତଜନଙ୍କର ସମାଗମ ଅବ୍ୟାହିତ ରହିଛି। ଅନେକଙ୍କ ମନରେ ଏହି ଧାରଣା ଦୃଢୀଭୂତ ହୋଇଛି ଯେ ଶିବରାତ୍ରିର ପ୍ରତ୍ୟୁଷରୁ ଏହି ଜଳପ୍ରପାତରେ ସ୍ନାନ କରି ପ୍ରସ୍ତରଗହ୍ୱର ଭିତରେ ଫୁଟି ଉଠିଥିବା ଶିବଙ୍କର ଦର୍ଶନ ଓ ଆରାଧନା କଲେ ଅଶେଷ ଅପୂର୍ଣ୍ଣ ମନୋବା‚ା ପୁରଣ ହୁଏ ଏବଂ ବିଶେଷତଃ ବନ୍ଧ୍ୟା ନାରୀମାନଙ୍କର ଗର୍ଭସଞ୍ଚାର ହୁଏ। ଯେଉଁ ବନ୍ଧ୍ୟା ନାରୀଗଣ ପୁତ୍ରବତୀ ହେବାର ବାସନା ନେଇ ଏଠାକୁ ଆସିଥାଆନ୍ତି ସେମାନେ ଏଠାରେ ତାଙ୍କର ଅନାଗତ ସନ୍ତାନସନ୍ତତିଙ୍କର କେଶମୁଣ୍ଡନ କରିବା ଲାଗି କାମନା ପୋଷଣ କରିଯାଆନ୍ତି ଏବଂ ଅପତ୍ୟ ଲାଭ କଲାପରେ ସେଥିପାଇଁ ପୁଣିଥରେ ସେଠାକୁ ଆସିଥାଆନ୍ତି। ଏଥିପାଇଁ ଏଠାରେ ଶିବରାତ୍ରି ଦିନ ବହୁସଂଖ୍ୟକ କ୍ଷୁଦ୍ର ଶିଶୁଙ୍କର କେଶ ମୁଣ୍ଡନ ଦୃଶ୍ୟ ଦେଖିବାକୁ ମିଳେ। ବାଂଶବଣରୁ ଝରି ଆସିଥିବା କ୍ଷୁଦ୍ର ନିର୍ଝର ଅନ୍ୟ ଦୁଇଟି ଜଳସ୍ରୋତ ସହିତ ମିଶି ବଂଶଧାରା ନାମ ଗ୍ରହଣ କରିଥରଲେ ସୁଦ୍ଧା ମୀନାଝୋଲା ମହାଦେବଙ୍କର ଦର୍ଶନାଭିଳାଷୀ ଅଧିକାଂଶ ଭକ୍ତଙ୍କର ବଂଶବୃଦ୍ଧିଜନିତ ମନୋବା‚ା ଫଳବତୀ ହେଉଥିବା ଯୋଗୁଁ ବଂଶଧାରା ନାମର ସାର୍ଥକତା ବିଶେଷଭାବେ ପ୍ରତିପାଦିତ ହୁଏ। ପୁରୀର ଚନ୍ଦ୍ରଭାଗା ଉପକୂଳରେ ସେଠାକୁ ସଡକ ସଂଯୋଗ ହେବା ପୂର୍ବରୁ ମାଘ ଶୁକ୍ଳ ସପ୍ତମୀର ପୂର୍ବରାତ୍ରିରେ ଯେଭଳି ପଦଚାରୀ ତୀର୍ଥଯାତ୍ରୀଙ୍କର ସମାଗମ ଘଟୁଥିଲା, ସେହିଭଳି ଏଠାରେ ମଧ୍ୟ ଶିବରାତ୍ରିର ପୂର୍ବ ରାତ୍ରିରେ ଗୁଡାରି ଓ ଚନ୍ଦ୍ରପୁରଠାରୁ ଶଗଡ ସାଇକେଲ ଓ ପଦଯାତ୍ରା କରି ଆସିଥିବା ଶହ ଶହ ଯାତ୍ରୀଙ୍କର ଭିଡ ଜମେ। ଏହି ଜନବସତିବିହିନ ଘଞ୍ଚ ଅରଣ୍ୟପରିବେଷ୍ଟିତ ପାର୍ବତ୍ୟ ଉପତ୍ୟକା ଅନ୍ତର୍ବର୍ତ୍ତୀ ବଂଶଧାରାର ସୈକତୋପକୂଳ ଓ ମୀନାଝୋଲାର ପ୍ରସ୍ତର ଶଯ୍ୟା ଉପରେ ପର୍ଣ୍ଣକୁଟୀରମାନ ନିର୍ମାଣ କରି ସେମାନେ ଗୋଷ୍ଠୀବଦ୍ଧ ହୋଇ ରାତ୍ରି ଯାପନ କରିଥାଆନ୍ତି। ମୀନାଝୋଲାର ଏହି ଜଳପ୍ରପାତ ନିକଟରେ ପ୍ରଚୁର ମାଛ ମିଳେ ଏବଂ ଶିବରାତ୍ରି ଉପବାସ ପାଳନ କରୁଥିବା ଅଧିକାଂଶ ଆଗନ୍ତୁକ ପୂର୍ବଦିନ ରାତ୍ରିରେ ଏଠାରେ ମତ୍ସ୍ୟାହାର କରନ୍ତି। ଏଠାକାର ଏହି ମତ୍ସ୍ୟସେବନ ବି ଋଣା ଅଧିକେ ଏକ ସାମାଜିକ ପ୍ରଥାରେ ପରିଣତ ହୋଇଯାଇଛି। ବୋଧହୁଏ ଆମିଷସେବୀ ଦେବୀ ଓ ନିରାମିଷାଶୀ ମହାଦେବ ଉଭୟଙ୍କୁ ଯଥୋଚିତ ଭକ୍ତି ପ୍ରଦର୍ଶନର ନିଦର୍ଶନ ସ୍ୱରୂପ ଏହି ପ୍ରଥାର ପ୍ରଚଳନ ଅଛି। ସ୍ଥାନୀୟ ଜଳପ୍ରପାତ ନିକଟରେ ବହୁ ସଂଖ୍ୟକ ମାଛ ଝୋଲା ମାରୁଥିବା ଯୋଗୁଁ ହିଁ ବୋଧହୁଏ ଏହି ସ୍ଥାନଟିର ନାମ ମୀନାଝୋଲା ରଖାଯାଇଛି।

ଏଠାକାର ମହାଶିବରାତ୍ରି ଯାତ୍ରାର ପରମ୍ପରା ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହାପୂର୍ବେ ଜୟପୁର ମହାରାଜାଙ୍କ କର୍ତ୍ତୃତ୍ୱରେ ସମାହିତ ହେଉଥିଲା ଏବଂ ସେତେବେଳେ ଶିବରାତ୍ରିର କିଛିଦିନ ପୂର୍ବରୁ ମୀନାଝୋଲା ନିକଟବର୍ତ୍ତୀ ତୀକ୍ଷ୍ଣ ଗଡାଣିଆ ପାହାଡ ଓ ଶିବଲିଙ୍ଗ ବିରାଜମାନ କରିଥିବା ଗହ୍ୱର ସୀମାପସ୍ଥ ପ୍ରସ୍ତରଶ୍ରେଣୀ ନିକଟରେ ଯାତ୍ରୀମାନଙ୍କର ଯାତାୟତ ସୁବିଧା ନିମନ୍ତେ ଅସ୍ଥାୟୀ ସିଡି ସବୁ ନିର୍ମାଣ କରାଯାଉଥିଲା। ସେତେବେଳେ ଭକ୍ତଗଣ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିବା ନଡିଆ, କଦଳି, ମିଠେଇ ପ୍ରଭୃତି ଭୋଗ ଏବଂ ମାନସିକ କରିଥିବା ଲୋକେ ଏଠାରେ ଆଣି ଛାଡି ଦେଉଥିବା ଗାଇ, ଗୋରୁ, ଛେଳି ଘୁଷୁରି, କାକୁଡି, ପାରା, ଶୁଆ ସାରୀ ପ୍ରଭୁତି ପଶୁପକ୍ଷୀଙ୍କ ସମେତ ପ୍ରାପ୍ୟ ଦକ୍ଷିଣା ରାଜକୋଷକୁ ଯାଉଥିଲା। ଏହି ସମୟରେ ଯାତ୍ରାସ୍ଥଳରେ ସମବେତ ଏହି ଅଞ୍ଚଳର ଅଧିବାସୀଙ୍କଠାରୁ ରାଜସ୍ୱ ବାବଦ ଦେୟ ରାଜକର୍ମଚାରୀମାନେ ଏକକାଳୀନ ସୁବିଧାରେ ଆଦାୟ କରି ନେଉଥିଲେ।

ରାଜତାନ୍ତ୍ରିକ ଶାସନର ଅବସାନ ପରେ ମଧ୍ୟ ଏହି ପରମ୍ପରା ଊଣା ଅଧିକେ ଅବ୍ୟାହିତ ରହିଥିଲା। ସଂପ୍ରତି ସରକାରଙ୍କର ଦେବୋତ୍ତର ପରିଚାଳନା ସଂସ୍ଥା ପକ୍ଷରୁ ରାଜସ୍ୱ ବିଭାଗୀୟ ଅଞ୍ଚଳ ଅଧିକାରୀଙ୍କର ତତ୍ତ୍ୱାବଧାନରେ ଏହି ଉତ୍ସବ ସମାହିତ ହେଉଛି। ତେବେ ବଣମଲ୍ଲୀ ବଣ ଭିତରେ ଫୁଟି ମଉଳି ଗଲା ପରି ଏହି ସ୍ଥାନଟିର ପ୍ରାକୃତିକ ବିଭବ ଓ ଆଧ୍ୟାତ୍ମିକ ସୌରଭ ଏପର୍ଯ୍ୟନ୍ତ ସଭ୍ୟଜଗତର ଯଥୋପଯୁକ୍ତ ଦୃଷ୍ଟି ଆକର୍ଷଣ କରିପାରି ନଥିବା ଅତ୍ୟନ୍ତ ପରିତାପର ବିଷୟ। ଏହାର ଅତୁଳନୀୟ ଶୋକପାସୋରା ଅପୂର୍ବ ଶୋଭାସମ୍ଭାରକୁ ଉପଭୋଗ କରିବା ପାଇଁ ଅଦ୍ୟାବଧି ଏଠାରେ ବଦଗ୍ଧ ଦର୍ଶକମଣ୍ଡଳୀର ଅଭାବ ପରିଲକ୍ଷିତ ହୁଏ। ଏହାର ପ୍ରଧାନ କାରଣ ହେଉଛି ଏଠାକୁ ଯାତାୟତର ସୁବିଧା ନାହିଁ। ଏହି ସ୍ଥାନଟି ଗୁଡାରି ଓ ଚନ୍ଦ୍ରପୁର ଉଭୟ ଦିଗରୁ ଅନୁନ୍ନତ ସଡକଦ୍ୱାରା ସଂଯୋଜିତ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏଠାକୁ କ୍ଷୀପ୍ରଗାମୀ କୌଣସି ଯାନବାହନ ଯୋଗେ ଯୋଗାଯୋଗ ବ୍ୟବସ୍ଥା ସମ୍ଭବ ହୋଇପାରି ନାହିଁ।ବିଭିନ୍ନ ଅଭାବ ଅସୁବିଧା ପାଇଁ ମୀନାଝୋଲାର ଦର୍ଶକ ସଂଖ୍ୟା ଆଜି ସୀମିତ ହୋଇ ରହିଯାଇଛି। ଆଞ୍ଚଳିକ ପରିସୀମାର ଆୟତନ ଭିତରେ। ସୁତରାଂ ଏହି ସ୍ଥାନକୁ ସଂଯୋଗ କରୁଥିବା ସଡକ ପଥର ଉନ୍ନତି ସାଧନପୂର୍ବକ ଏଠାକୁ ଯାନବାହନ ଗମନାଗମନର ସୁବ୍ୟବସ୍ଥା କରାଗଲେ ଏବଂ ଆରୋହଣ ଅବରୋହଣ କରିବାକୁ ପଡୁଥିବା ସୁତୀକ୍ଷ୍ଣ ଢିପଖାଲ ସ୍ଥାନଗୁଡିକୁ କ୍ରମାବନତ କରାଇ ଯାତ୍ରୀମାନଙ୍କର ଗନ୍ତବ୍ୟ ପଥକୁ ଅଧିକ ସୁଗମ କରାଯାଇପାରିଲେ ଓଡିଶାର ଏକ ଅଦ୍ୱିତୀୟ ଦର୍ଶନୀୟ ତୀର୍ଥସ୍ଥାନ ରୂପେ ଯେ ମୀନାଝୋଲାର ମହତ୍ତ୍ୱ ରାଜ୍ୟସାରା ପ୍ରକଟିତ ହୁଅନ୍ତା ଏଥିରେ ସନ୍ଦେହର ଅବକାଶ ନାହିଁ।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.