Home ଓଡ଼ିଶା ଭାରତ ଇତିହାସର ସର୍ବକନିଷ୍ଠ ସହିଦ; ମହାନ୍ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ

ଭାରତ ଇତିହାସର ସର୍ବକନିଷ୍ଠ ସହିଦ; ମହାନ୍ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ

684

ବାଜି ରାଉତ ଭାରତ ଇତିହାସର ସର୍ବ କନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ। ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାଜି ରାଉତ ପିଲା ବେଳୁ ବାପାଙ୍କୁ ହରାଇ ମା’ଙ୍କ ଦ୍ୱାରା ପାଳିତ ହେଇଥିଲେ। ପରିବାରରେ ଚାଷବାଷ ସକାଶେ ଜମି ନଥିଲା। ମା’ ଅନ୍ୟ ଘରେ ପାଇଟିକରି ତାଙ୍କୁ ପାଳୁଥିଲେ। କିଶୋର ବୟସ ଯାହା କି ଖେଳକୁଦରେ ମାତିବାର ସମୟ, ସେହି ସମୟରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ବାଜି ରାଉତ ଅନୁଭବ କରିଥିଲେ। ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ।

ଇଂରେଜ ଶାସନ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ। ମୋଗଲବନ୍ଦୀ ଅଞ୍ଚଳ ଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳ ମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜା ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ଏମାନଙ୍କ ମଧ୍ୟରୁ ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା। ଗଡ଼ଜାତ ରାଜ୍ୟର ରାଜା ମାନଙ୍କର ଯାବତିୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୃତିରେ ଜର୍ଜରିତ ହେଉଥିଲେ ଗଡ଼ଜାତବାସୀ। ସମୟେ ସମୟେ ଗଡ଼ଜାତ ଅଞ୍ଚଳରେ ଏହି ଶୋଷଣ କଷଣର ଫଳ ସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୁପ ଧାରଣ କରୁଥିଲା। କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ।

ଇଂରେଜ ସିପାହୀଙ୍କ ଗୁଳିରେ ସହିଦ ହୋଇଗଲେ ବାଜି ରାଉତଙ୍କ ସମେତ ୭ ସଂଗ୍ରାମୀ –
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜା ମଣ୍ଡଳ ଆନ୍ଦୋଳନର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ। ସେତେବେଳକୁ ସେ ସେ ପ୍ରଜାମଣ୍ଡଳ ଆନ୍ଦୋଳନର ସିପାହୀ ସାଜି ସାରିଥିଲେ। ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା। ପ୍ରଜା ମଣ୍ଡଳର ଆଦେଶ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ ଯେପରି ଇଂରେଜ ଫଉଜ ମାନେ ନଦୀ ପାର ନହୁଅନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବାକୁ ଏବଂ ପ୍ରଜା ମଣ୍ଡଳ ଆନ୍ଦୋଳନର ସାଥୀଙ୍କୁ ନିରାପଦରେ ପାରି କରାଇବା ନିର୍ଦ୍ଦେଶ ମଧ୍ୟ ଥିଲା। ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ। ମାତ୍ର ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ। ପୋଲିସର ଧମକ ଚମକ ସତ୍ତ୍ୱେ କିଛି ଲାଭ ନହେବାରୁ, ସେମାନେ ବାଜି ରାଉତଙ୍କୁ ସେଇଠି ଗୁଳି କରି ହତ୍ୟା କଲେ। ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ। ସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେ। ଏହାପରେ ଇଂରେଜ ସିପାହୀ ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହି ନେଲେ। ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ। ସେଇଠି ଟଳି ପଡ଼ିଲେ ନିଳକଣ୍ଠପୁର ଗାଁ’ର ଆଉ କେତେ ଜଣ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀ ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଏବଂ ଫଗୁ। ଦେଶ ମାତୃକା ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହିଦ ହୋଇଗଲେ। ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା। ଶେଷରେ ଆଜିର ଖାନ୍ ନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କ ଅନ୍ତିମ ସଂସ୍କାର କରାଗଲା। ଅକ୍ଟୋବର ୫ ଆଜିର ଦିନରେ ଭାରତ ଇତିହାସର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ତିଥିରେ ତାଙ୍କୁ ଭକ୍ତିପୂତ ନମନ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.