Home Top News ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ବିଜେପି

ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ବିଜେପି

31

ଭୁବନେଶ୍ୱର: ଆଇନ ଆଗରେ ବଡ଼ ସାନର ବିଭେଦ ନାହିଁ। ପରୀ ଗରିବ ଅଟୋ ଡ୍ରାଇଭରର ଝିଅ। ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା, ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ ଧରି ବିତର୍କର ଆବଶ୍ୟକ କ’ଣ ନଥିଲା ଆଦି ପ୍ରଶ୍ନ କରିବା ସହ ମାତ୍ର ଶାସକ ବିଜେଡି ଓ କଂଗ୍ରେସର ଯୋଡ଼ି ଏକାଠି ହୋଇ ଏକ ଷଡ଼ଯନ୍ତ୍ରର ଅଙ୍ଗ ଭାବେ ଗରୀବ ବାପା, ମା’ଙ୍କର ଝିଅ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି ଯେ, ପରୀର ବିବାଦ ଛୋଟ ଝିଅ ଅପହରଣରୁ ଆରମ୍ଭ ହୋଇଛି। ଅପହରଣ ପରେ ହତ୍ୟାର ସଙ୍ଗୀନ ସତ୍ୟ ସାମ୍ନାକୁ ଆସିଛି। ପରୀର ବାପା, ମା’ ତାଙ୍କ ଝିଅର ଆଖି, କିଡ୍‌ନି ଚୋରି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପରୀର ମରଶରୀର ଉଦ୍ଧାର ହେଲା ବେଳକୁ ସଂପୂର୍ଣ୍ଣ ମିଳାଇ ଯାଇଥିବା କହି ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା କି ନାହିଁ, ତାର ପ୍ରମାଣ ନାହିଁ ବୋଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବା ସହ ଅସହାୟତା ପ୍ରକାଶ କରିଛନ୍ତି। ୪ ମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା ବୋଲି ପ୍ରଶ୍ନ କରିବା ସହ ଅପର ପକ୍ଷରେ ନୟାଗଡ଼ ପୋଲିସ ଅଭିଯୋଗକାରୀ ପରୀର ବାପା, ମା’ ଓ ତାଙ୍କର ବଡ଼ବାପା, ବଡ଼ମା’ଙ୍କ ପଲିଗ୍ରାଫ ଟେଷ୍ଟ କରିଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଏହାସହ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ପରୀର ବାପା, ମା’ ବାରମ୍ବାର କହିବା ସତ୍ତ୍ୱେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ପୋଲିସ ୫ ଲକ୍ଷ ଟଙ୍କା ନେଇ ପରୀର ବଡ଼ବାପା ଓ ବଡ଼ ମା’ଙ୍କ ନାଁରେ ଅଭିଯୋଗ ଆଣିଲେ ପରୀର ମୂର୍ତ୍ତି ପ୍ରତିଷ୍ଠା ସହ ସ୍କୁଲରେ ପରୀ ନାଁ’ରେ ପୁରସ୍କାର ଦିଆଯିବ ବୋଲି କହି ପ୍ରଭାବିତ କରୁଥିଲେ ବୋଲି ପରୀର ବାପା, ମା’ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଅପର ପକ୍ଷେ ସ୍ଥାନୀୟ ସରପଞ୍ଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଦୁଇଟି ଭାଇରାଲ୍ ଅଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଗୋଟିଏ ଅଡିଓରେ ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚଙ୍କୁ ପରୀ ନ୍ୟାୟ ପାଇଁ ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଉଛନ୍ତି। ଅନ୍ୟ ଅଡିଓରେ ପରୀର ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଭୁବନେଶ୍ୱରରେ ତାଙ୍କୁ ସାକ୍ଷାତ କରିଥିବା ନେଇ ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟ ଭାବେ କହୁଥିବା ଶୁଣାଯାଉଛି।

ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇବା ସତ୍ତ୍ୱେ ପରୀ ହତ୍ୟାକାଣ୍ଡରେ ମର୍ମାହତ ବୋଲି ନାଟକ କରୁଥିବା ମନ୍ତ୍ରୀ ଅରୁଣ ସାହୁ ଏହି ଭାଇରାଲ୍ ଅଡିଓ ସଂପର୍କରେ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସଂପୂର୍ଣ୍ଣ ହାତ ଟେକି ଦେଇଛନ୍ତି। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭- ୧୮ ଓ ୨୦୧୮- ୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି। ପରୀର ବାପା, ମା’ ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଯଦି ପରୀ ମାମଲାରେ ସଠିକ୍ ତଦନ୍ତ ହୁଏ, ଏହାର ସାରା ରାଜ୍ୟ ବ୍ୟାପୀ ସୁଦୁର ପ୍ରସାରୀ ହେବ ବୋଲି ସମୀର ମହାନ୍ତି କହିଛନ୍ତି। ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ଓ ତାଙ୍କ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି। ତେଣୁ ନିରପେକ୍ଷ ପରୀ ହତ୍ୟାକାଣ୍ଡ ତଦନ୍ତ କେବଳ ସିବିଆଇ ଦ୍ୱାରା ସମ୍ଭବ। ଏହି ପରିସ୍ଥିତିରେ କ୍ଷମତାଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଛଡ଼ା ପରୀ ପରିବାରକୁ ନ୍ୟାୟ ମିଳିବାର ସମ୍ଭାବନା ନାହିଁ ବୋଲି ସମୀର ମହାନ୍ତି କହିଛନ୍ତି। ରାଜ୍ୟ ସରକାର ନିଜ ଜିଦ୍‌ରୁ ନ’ ଓହରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସମୀର ମହାନ୍ତି ଚେତାବନୀ ଦେଇଛନ୍ତି। ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.