Home Top News “ଆମ ଘର ଆମ ହାଣ୍ଡିଶାଳ” ଗ୍ରାଣ୍ଡ ଫିନାଲେ: ଦେବଯାନୀ ପ୍ରଥମ, ପ୍ରତିଭା ଦ୍ଵିତୀୟ ଏବଂ ସାଗରୀକା...

“ଆମ ଘର ଆମ ହାଣ୍ଡିଶାଳ” ଗ୍ରାଣ୍ଡ ଫିନାଲେ: ଦେବଯାନୀ ପ୍ରଥମ, ପ୍ରତିଭା ଦ୍ଵିତୀୟ ଏବଂ ସାଗରୀକା ତୃତୀୟ

96

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରେ ଗତ ଅଗଷ୍ଟ ୧୫ ତାରିଖରୁ ଚାଲିଥିବା ‘ଆମ ଘର ଆମ ହାଣ୍ଡିଶାଳ’ ରୋଷେଇ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି। ବିଚାରକ ମଣ୍ଡଳୀର ନିଷ୍ପତ୍ତି ଆଧାରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯିବା ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। କରୋନା ମହାମାରୀ ଜନିତ ଲକଡାଉନ୍ ଓ ସର୍ଟ୍ ଡାଉନର କଠିନ ପରିସ୍ଥିତିରେ ଗୃହିଣୀ ମାନଙ୍କ ମନୋବଳକୁ ବୃଦ୍ଧି କରି ସେମାନଙ୍କର ରୋଷେଇ କଳାର ନୈପୁଣ୍ୟତାକୁ ଚିହ୍ନଟ କରିବା ଓ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡିଟିସି ପକ୍ଷରୁ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରାୟ ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ଆବେଦନପତ୍ର ଓଟିଡିସିକୁ ମିଳିଥିଲା। ତେବେ ସେମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀ ଦ୍ୱାରା ଚୟନିତ ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଦୂରଦର୍ଶନ ଚ୍ୟାନେଲରେ ପ୍ରତି ଶନିବାର ଓ ରବିବାର ନିଜର ରୋଷେଇ କଳାର ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା।

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ତାଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କ ବୋହୂ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃତୀ ଫାଇନାଲିଷ୍ଟ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟ ବିଶେଷକରି ‘ପଖାଳ’ ତାଙ୍କର ଅଧିକ ପସନ୍ଦ ଓ ପ୍ରିୟ ଖାଦ୍ୟ ବୋଲି କହିଥିଲେ। ଏଭଳି ପ୍ରତିଯୋଗିତା ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତି କରିଛନ୍ତି। ପ୍ରାୟ ୪ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ରାଉଣ୍ଡକୁ ମୋଟ ୬ଜଣ ପ୍ରତିଯୋଗୀ ମମତା ମହାପାତ୍ର, ପ୍ରତିଭାପ୍ରିତୀ ପଣ୍ଡା, ଦେବଯାନୀ ଦାସ, ମିନାକ୍ଷୀ ମିଶ୍ର, ଶୀତଳସିଗ୍ଧା ମହାରଣା ଓ ସାଗରିକା ରାୟଙ୍କୁ ଚୟନ କରାଯାଇଥିଲା। ୬ ଜଣ ଯାକ ପ୍ରତିଯୋଗୀ ନିଜର ଶ୍ରେଷ୍ଠ ରୋଷେଇ ଦକ୍ଷତା ପ୍ରତିପାଦନ କରିଥିଲେ ମଧ୍ୟ ବିଚାରକ ମଣ୍ଡଳୀର ନିଷ୍ପତ୍ତିକୁ ଆଧାର କରି ୩ ଜଣ ପ୍ରତିଯୋଗୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ଭୁବନେଶ୍ୱରସ୍ଥିତ ବରମୁଣ୍ଡାର ତ୍ରିଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଦେବଯାନୀ ଦାସ ମାଣ୍ଡିଆରେ ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମାଣ୍ଡିଆ ତମ୍ପା ପିଠା କରି ପ୍ରତିଭା ପ୍ରିତୀ ପଣ୍ଡା ପ୍ରଥମ ରନର୍ସ ଅପ୍ ଓ ମାଛ ଆମ୍ବିଳ ପାଇଁ ସାଗରିକା ରାୟ ଦ୍ୱିତୀୟ ରନର୍ସ ଅପ୍ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଜୟୀ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ସହ ଗିଫ୍ଟ ହାମ୍ପର ଓ ଓଟିଡିସି ପକ୍ଷରୁ ହଲିଡେ୍ ଟୁର ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପଙ୍କୁ ଯଥାକ୍ରମେ ୧୫ ହଜାର ଓ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ରୁଚି କମ୍ପାନୀର ଗିଫ୍ଟ ହାମ୍ପର ଏବଂ ଓଟିଡିସି ପକ୍ଷରୁ ହଲିଡେ୍ ଟୁର ପ୍ୟାକେଜ୍ ପ୍ରଦାନ କରାଯାଇଛି।

ଗ୍ରାଣ୍ଡ ଫିନାଲେ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ବିଜୟୀ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା ସହ ପୁରସ୍କାର ପ୍ରଦାନ କରିଥିଲେ। ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରାଇବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଗେଇ ଆସିଥିଲେ। ସେମାନଙ୍କ ମଧ୍ୟରେ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ବିଧାୟିକା ଲତିକା ପ୍ରଧାନ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ବିଜେଡି ନେତ୍ରୀ ସୁଲତା ଦେଓ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ବିଶିଷ୍ଟ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗାୟିକା ସସ୍ମିତା ଦାଶ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ଅନିଷା, ମଧୁମିତା ମହାନ୍ତି, ଗୁନଗୁନ୍ , ସଙ୍ଗୀତା ମିଶ୍ର, ନୃତ୍ୟଶିଳ୍ପୀ ଏଲିଆନା ସିତାରିଷ୍ଟ ପ୍ରମୁଖ ରୋଷେଇ ପ୍ରତିଯୋଗିତାରେ ସାମିଲ ହୋଇ ପ୍ରତିଯୋଗୀମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ଓଡ଼ିଶାର ଖାଦ୍ୟକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ, ସମସ୍ତ ପ୍ରତିଯୋଗୀ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତି, ପ୍ରାୟୋଜକ କମ୍ପାନୀ ଓ ଫ୍ରିଡମ୍‌ର କର୍ମକର୍ତ୍ତା ମାନଙ୍କୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କୃତଜ୍ଞତା ଜଣାଇଛନ୍ତି।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.